Breaking News

ରାଜଧାନୀ ଛାତିରେ ଅନୈତିକ କାରବାର: ଦିନେ ତନାଘନା କରି ପୁଲିସ ଚୁପ୍‌

ଗତ ୨୮ ତାରିଖ ଦିନ ଖଣ୍ଡଗିରି ଥାନା ଅଧୀନ ଭକ୍ତ ମଧୁ ସମବାୟ ନଗରସ୍ଥିତ ଏକ ଭଡ଼ାଘରୁ ସେକ୍ସ ରୢାକେଟ୍‌ ଠାବ ଘଟଣାରେ ଜଣେ ନାବାଳିକାଙ୍କ ସମେତ ୪ଜଣ ଯୁବତୀଙ୍କୁ ପୁଲିସ ଉଦ୍ଧାର କରିଥିଲା।

ଖଣ୍ଡଗିରି: ଗତ ୨୮ ତାରିଖ ଦିନ ଖଣ୍ଡଗିରି ଥାନା ଅଧୀନ ଭକ୍ତ ମଧୁ ସମବାୟ ନଗରସ୍ଥିତ ଏକ ଭଡ଼ାଘରୁ ସେକ୍ସ ରୢାକେଟ୍‌ ଠାବ ଘଟଣାରେ ଜଣେ ନାବାଳିକାଙ୍କ ସମେତ ୪ଜଣ ଯୁବତୀଙ୍କୁ ପୁଲିସ ଉଦ୍ଧାର କରିଥିଲା। ତେବେ ଏହି ଘରେ ଦେହ ବ୍ୟବସାୟ ଚଳାଇଥିବା ଅଭିଯୁକ୍ତ ମା’ ଓ ପୁଅ ଏପର୍ଯ୍ୟନ୍ତ ଫେରାର ଅଛନ୍ତି। ଘଟଣାକୁ ୪ଦିନ ବିତିଥିଲା ବେଳେ ପୁଲିସ ହାତ ଖାଲି। ନୟାଗଡ଼ ଅଞ୍ଚଳର ଏହି ମା’ପୁଅଙ୍କୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଥିବା କହୁଥିଲେ ମଧ୍ୟ ସେମାନଙ୍କୁ ଗିରଫ କରିପାରୁନାହିଁ। ରାଜଧାନୀର ଛାତି ଉପରେ ଏଭଳି ଅନୈତିକ କାର୍ଯ୍ୟକଳାପ ବାରମ୍ବାର ନଜରକୁ ଆସୁଥିଲା ବେଳେ ଅଧିକାଂଶ ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ଅସଫଳ ହେଉଛି। ଉଦ୍ଧାର ଯୁବତୀଙ୍କ ମଧ୍ୟରେ ଥିବା ନାବାଳିକାଙ୍କୁ ଆଜି ଚାଇଲ୍‌ଡ ହେଲ୍‌ପଲାଇନ୍‌କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।

ବେଶ୍ୟାଳୟ ଘୋଷଣା ନୋହିଲା
ସ୍ଥାନୀୟ ଅଞ୍ଚଳରେ ଅପବାଦର କଳଙ୍କ

କମିସନରେଟ୍‌ ପୁଲିସ ଅଧୀନରେ ସେକ୍ସ ର‍୍ୟାକେଟ୍‌ ଚାଲିଥିବା ଘରଗୁଡ଼ିକୁ ‘ବେଶ୍ୟାଳୟ’ ଘୋଷଣା କରିବା ନେଇ ୨୦୧୮ ମସିହାରେ ଯୋଜନା ହୋଇଥିଲା। ମାତ୍ର ଏହି ଘୋଷଣା ଘୋଷଣାରେ ରହିଗଲା। ସେ ସମସୟରେ ଏନେଇ କମିସନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲେ ମଧ୍ୟ ଏବେ ସେ ସବୁ ଧୁଆଁବାଣ ପାଲଟିଛି। ଏହାର ନିୟମ ଥିଲା କି, ଯେଉଁ ଘରକୁ ବେଶ୍ୟାଳୟ ବୋଲି ଘୋଷଣା କରାଯିବ, ସେହି ଘରକୁ କମିସନରେଟ୍‌ ପୁଲିସ ବର୍ଷକ ପାଇଁ ସିଲ୍‌ କରିଦେବ। ଏହି ସମୟରେ ଘରମାଲିକ ନ୍ୟାୟାଳୟରେ ଆବେଦନ କରିପାରିବେ ନାହିଁ। ଏହାଛଡ଼ା ସେହି ଘରକୁ ଲାଗି ରହିଥିବା ଶିକ୍ଷାନୁଷ୍ଠାନ, ମନ୍ଦିର ଭଳି ସର୍ବସାଧାରଣ ସ୍ଥାନକୁ ଚିଠି କରି ଜଣାଇ ଦିଆଯିବ ଯେ ସେହି ଘର ଏକ ବେଶ୍ୟାଳୟ ବୋଲି। ପ୍ରତିବର୍ଷ ବିଭିନ୍ନ ସ୍ପା, ହୋଟେଲ ଓ ଘରେ ସେକ୍ସ ରାକେଟ୍‌ ଠାବ ହେଉଥିଲେ ମଧ୍ୟ ଏଥିରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। କେବେ ଏଭଳି ଅନୈତିକ କାର୍ଯ୍ୟକଳାପ ଚାଲିଥିବା ସ୍ଥାନକୁ ‘ବେଶ୍ୟାଳୟ’ ଘୋଷଣା କରାଯିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୌଜନ୍ୟ-ସମ୍ୱାଦ

Comments are closed.