Breaking News

ରାଜନୈତିକ ଦଳ-ଅର୍ଥ ଆୟୋଗ ବୈଠକ: ସ୍ବତନ୍ତ୍ର ପାହ୍ୟା, ଫୋକସ୍ ରାଜ୍ୟ ଦାବି କଲେ ନବୀନ

ଲଗାତାର ଭାବେ କେନ୍ଦ୍ର ଦ୍ବାରା ଅଣଦେଖାର ଶିକାର ହୋଇଥିବା ଏବଂ ରାଜ୍ୟ ଜନସଂଖ୍ୟାର ୪୦ ପ୍ରତିଶତ ଲୋକ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ହୋଇଥିବାରୁ ଓଡ଼ିଶାକୁ ସ୍ବତନ୍ତ୍ର ବର୍ଗ ମାନ୍ୟତା କିମ୍ବା ଅତିକମ୍‌ରେ ଫୋକସ୍‌ ରାଜ୍ୟ ମାନ୍ୟତା ଦେବାକୁ ବିଜେଡି ସଭାପତି ତଥା ବିରୋଧୀ ଦଳ...

ଭୁବନେଶ୍ବର: ଲଗାତାର ଭାବେ କେନ୍ଦ୍ର ଦ୍ବାରା ଅଣଦେଖାର ଶିକାର ହୋଇଥିବା ଏବଂ ରାଜ୍ୟ ଜନସଂଖ୍ୟାର ୪୦ ପ୍ରତିଶତ ଲୋକ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ହୋଇଥିବାରୁ ଓଡ଼ିଶାକୁ ସ୍ବତନ୍ତ୍ର ବର୍ଗ ମାନ୍ୟତା କିମ୍ବା ଅତିକମ୍‌ରେ ଫୋକସ୍‌ ରାଜ୍ୟ ମାନ୍ୟତା ଦେବାକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଷୋଡ଼ଶ ଅର୍ଥ ଆୟୋଗଙ୍କୁ ଦାବି କରିଛନ୍ତି। ରାଜ୍ୟମାନଙ୍କୁ କେନ୍ଦ୍ରୀୟ ଟିକସ ହସ୍ତାନ୍ତର ହାରକୁ ୫୦ ପ୍ରତିଶତକୁ ବଢ଼ାଇବା, କେନ୍ଦ୍ର ସରକାରଙ୍କ ଦ୍ବାରା ସେସ୍ ଓ ସର୍‌ଚାର୍ଜ କମ୍ କରିବାକୁ ସେ ଆୟୋଗଙ୍କୁ କହିଛନ୍ତି। ରାଜ୍ୟଙ୍କୁ ପାଣ୍ଠି ହସ୍ତାନ୍ତର ବେଳେ ଟିକସ ଓ ଆର୍ଥିକ ପରିଚାଳନା ଉଦ୍ୟମ, ପ୍ରଶାସନିକ ପ୍ରଦର୍ଶନ, ଜନସଂଖ୍ୟା, ସବୁଜ ବଳୟ ଓ ଜଳବାୟୁ ଉଦ୍ୟମକୁ ବିଚାରକୁ ନେବାକୁ ସେ ଆୟୋଗଙ୍କୁ କହିଛନ୍ତି। ସବୁଜ ଟିକସ ଲଗାଇବା ଲାଗି ଓଡ଼ିଶାକୁ କ୍ଷମତା ଦେବାକୁ ସେ ଦାବି କରିଛନ୍ତି। ଅନ୍ୟ ପକ୍ଷରେ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଷୋଡ଼ଶ ଅର୍ଥ ଆୟୋଗଙ୍କ ଟିମ୍‌ ଗୁରୁବାର ବିଭିନ୍ନ ରାଜନୈତିକ ଦଳ ଓ ଶିଳ୍ପ ସଂଘର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି। ବିଜେଡିର ଏକ ପ୍ରତିନିଧି ଦଳ ଆୟୋଗଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଥିଲେ। ବିଜେପି, କଂଗ୍ରେସ, ସିପିଆଇ (ଏମ୍‌) ଓ ଆମ୍‌ ଆଦ୍‌ମି ପାର୍ଟିର ନେତାମାନେ ଅଂଶଗ୍ରହଣ କରିଥିଲେ। ବୈଠକରେ ୟୁପିସିଆଇଏଲ୍‌, ସିଆଇଆଇ, ଓଡ଼ିଶା ଶିଳ୍ପ ସଂଘ, ଓସ୍‌ମି, ଓଡ଼ିଶା କ୍ଷୁଦ୍ର ଶିଳ୍ପ ସଂଘ, ଓଡ଼ିଶା ବ୍ୟବସାୟୀ ମହାସଂଘ, ଓଡ଼ିଶା ଯୁବ ଉଦ୍ୟୋଗୀ ସଂଘ, ଆଇସିସି, ଓଆଇଏଫ୍, ଏଆଇଇବିଏ, ସି ଫୁଡ୍‌ ରପ୍ତାନିକାରୀ ଓ ୟୁପିଏମ୍‌ଏର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ସ୍ଥାନୀୟ ନିକାୟ ଓ ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧି, ମେୟର, ସରପଞ୍ଚ ଓ ଜିଲ୍ଲା ପରିଷଦ ସଭାପତିଙ୍କୁ ମଧ୍ୟ ଅର୍ଥ ଆୟୋଗ ଭେଟିଥିଲେ। ଏହି ଅବସରରେ ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଏସ୍‌ ଏନ୍ ଗିରିଶ ଓ ପ୍ରମୁଖ ସଚିବ ଉଷା ପାଢ଼ୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

କେନ୍ଦ୍ରର ଟିକସ ଆୟରୁ ୬୦% ରାଜ୍ୟକୁ ମିଳୁ: କଂଗ୍ରେସ

ଭୁବନେଶ୍ବର ଓଡ଼ିଶା ଗସ୍ତରେ ଥିବା ଷୋଡ଼ଶ ଅର୍ଥ କମିସନଙ୍କୁ ଭେଟିଛନ୍ତି ରାଜ୍ୟ କଂଗ୍ରେସ ପ୍ରତିନିଧି ଦଳ। ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ କମିସନଙ୍କ ସହ ଆଲୋଚନା କରିବା ସହ ଓଡ଼ିଶାର ରହିଥିବା ବିଭିନ୍ନ କ୍ଷେତ୍ରକୁ ବିଚାରକୁ ନେଇ ଅର୍ଥ ଅନୁମୋଦନ କରିବା ଲାଗି ଦାବିପତ୍ର ପ୍ରଦାନ କରିଛନ୍ତି। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ସରକାରଙ୍କ ଟିକସ ଆୟରୁ ରାଜ୍ୟମାନଙ୍କୁ ଏବେ ୪୧% ମିଳୁଛି। ମାତ୍ର ଏହି ଭାଗକୁ ଅତିକମ୍‌ରେ ୬୦%କୁ ବୃଦ୍ଧି କରାଯାଉ। ଏହାସହ ଅନୁଦାନ ପ୍ରଦାନରେ କେବଳ ଜନସଂଖ୍ୟାକୁ ବିଚାରକୁ ନ ନେଇ ଦାରିଦ୍ର୍ୟତା, ଆଦିବାସୀ ଓ ଦଳିତ ବର୍ଗଙ୍କୁ ବିଚାରକୁ ନେଇ ଅର୍ଥ ପ୍ରଦାନ କରାଯାଉ। ଓଡ଼ିଶାର ୯-୧୦ଟି ଜିଲ୍ଲାରେ ଏସ୍‌ଟି, ଏସ୍‌ସିଙ୍କ ସଂଖ୍ୟା ୬୦-୭୦%। ବିଭିନ୍ନ ସର୍ଭେରେ ଏସବୁ ଜିଲ୍ଲାଗୁଡ଼ିକରେ ଦାରିଦ୍ର୍ୟ, ଅପପୁଷ୍ଟି, ରକ୍ତହୀନତା, ବିଏମ୍‌ଆଇର ଅସନ୍ତୁଳନ ରହିଛି। ରୋଜଗାର ନ ଥିବାରୁ ଦେଶାନ୍ତର ବଢ଼ୁଛି। ତେଣୁ ଏବେ ଯେଉଁ ବ୍ୟବସ୍ଥା ଅନୁସାରେ ରାଜ୍ୟମାନଙ୍କୁ ଅର୍ଥ ଦିଆଯାଉଛି ସେଥିରେ ଓଡ଼ିଶାର ଥିବା ସମସ୍ୟାଗୁଡ଼ିକର ସମାଧାନ ହୋଇ ପାରିବନାହିଁ। ସେହିପରି ଓଡ଼ିଶାରେ ଆୟକର ଦେଉଥିବା ଲୋକଙ୍କ ସଂଖ୍ୟା ଯଥେଷ୍ଟ କମ୍। ୨୦୨୨-୨୩ ବର୍ଷରେ ରାଜ୍ୟର ୧୨.୯ଲକ୍ଷ ଲୋକ ଆୟକର ରିଟର୍ଣ୍ଣ ଫାଇଲ କରିଥିଲେ। ତହିଁରୁ ୩.୯୫ଲକ୍ଷ ଲୋକ ଆୟକର ଦେଇଥିବା ବେଳେ ବଳକା ୮ଲକ୍ଷ ଲୋକ ନିଲ୍‌ ବା କୌଣସି ରିଟର୍ଣ୍ଣ ଦେଇ ନ ଥିଲେ। ଏଥିରୁ ଓଡ଼ିଶାରେ ରୋଜଗାର ସଂପର୍କରେ ସୂଚନା ମିଳୁଛି। ତେଣୁ ସ୍ବତନ୍ତ୍ର ଭାବେ ଓଡ଼ିଶାକୁ ବିଚାରକୁ ନେଇ ଅର୍ଥ ପ୍ରଦାନ କରିବା ଲାଗି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏହି ପ୍ରତିନିଧିମଣ୍ଡଳୀରେ ଅନନ୍ତ ସେଠୀ, ଶିବାନନ୍ଦ ରାୟ, ପ୍ରଶାନ୍ତ ଶତପଥୀ, ସସ୍ମିତା ବେହେରା ଓ ମାନସ ଜେନା ସାମିଲ ହୋଇଥିଲେ।

ରାଜ୍ୟଙ୍କୁ ୫୦% ଟିକସ ହସ୍ତାନ୍ତର କରାଯାଉ:ବିଜେପି
ଭୁବନେଶ୍ୱର: ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶା ରାଜ୍ୟରେ ମୁଣ୍ଡ ପିଛା ଆୟ ବୃହତ ରାଜ୍ୟଗୁଡ଼ିକ ମଧ୍ୟରେ ତଳଆଡ଼ୁ ପ୍ରଥମ। ଅସନ୍ତୁଳିତ ବିକାଶର ଏହି ବିରୋଧାଭାଷରୁ ରାଜ୍ୟବାସୀଙ୍କୁ ବାହାର କରିବା ସକାଶେ ଆଜି ବିଜେପିର ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିଥିବା ଷୋଡ଼ଶ ଅର୍ଥ କମିସନଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ପ୍ରଦାନ କରିଛି। ବିଜେପି ଦାବି କରିଛି ଯେ କେନ୍ଦ୍ର ସରକାରଙ୍କ ବିଭାଜ୍ୟ ଟିକସର ରାଜ୍ୟମାନଙ୍କ ଭିତରେ ଭର୍ଟିକାଲ ଆବଣ୍ଟନକୁ ୫୦%କୁ ବୃଦ୍ଧି କରାଯାଉ। ସେସ୍‌ ଓ ସରଚାର୍ଜକୁ ଏହି ବିଭାଜ୍ୟ ରାଜସ୍ୱରେ ଅନ୍ତର୍ଭୁକ୍ତ କରାଯାଉ। ବିତ୍ତୀୟ ଶୃଙ୍ଖଳା, ଅନୁସୂଚିତ ଜାତି ଓ  ଜନଜାତିଙ୍କ ଜନସଂଖ୍ୟା, ଜଙ୍ଗଲ ପରିସୀମାକୁ ଏହି ଆବଣ୍ଟନରେ ଅଧିକ ଗୁରୁତ୍ୱ ଦିଆଯାଉ। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରଦାନ କରାଯାଉଥିବା ଅର୍ଥକୁ ସର୍ବନିମ୍ନ ୫ଗୁଣ ବୃଦ୍ଧି କରାଯାଉ। ହେନ୍ତାଳ ବନ ସୃଷ୍ଟି ଭଳି ପଦକ୍ଷେପ ଦ୍ୱାରା ରାଜ୍ୟର ଉପକୂଳ ଅଞ୍ଚଳକୁ ସୁରକ୍ଷା ଦିଆଯାଉ। ପ୍ରାକୃତିକ ଦୁର୍ବିପାକରେ ବିଧ୍ୱସ୍ତ ଭିତ୍ତିଭୂମିର ବାସ୍ତବିକ କ୍ଷୟକ୍ଷତିକୁ ରାଜ୍ୟ ବା କେନ୍ଦ୍ର ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଭରଣା କରାଯାଉ। ଏହି ଭରଣା ପ୍ରଚଳିତ କେନ୍ଦ୍ର ଓ ରାଜ୍ୟର ୭୫:୨୫ ଅନୁପାତ ପରିବର୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ଶତ ପ୍ରତିଶତ ବହନ କରାଯାଉ। ଭୂତଳ ବିଜୁଳି ତାର ବିଛାଇ ବାତ୍ୟା ପ୍ରତିରୋଧକ ଶକ୍ତି ଭିତ୍ତିଭୂମିକୁ ସୁଦୃଢ଼ କରିବା, କେନ୍ଦ୍ରୀୟ ବିଭାଜ୍ୟ ରାଜସ୍ୱରୁ ଓଡ଼ିଶାର ଅଂଶ ଭାଗକୁ ୪.୫ ପ୍ରତିଶତରୁ ୫.୧ ପ୍ରତିଶତକୁ ବୃଦ୍ଧି କରିବା,  ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା, ଜଳସେଚନ, ଉତ୍ପାଦନଶୀଳତା ଏବଂ ପାଣିପାଗ ପ୍ରତିଷେଧକ କୃଷି ପାଇଁ ସ୍ୱତନ୍ତ୍ର ଅନୁଦାନର ବ୍ୟବସ୍ଥା କରିବାକୁ ଦାବି କରାଯାଇଛି। ଏହି ପ୍ରତିନିଧି ଦଳରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି, ବୁଦ୍ଧିଜୀବୀ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ସୁଦର୍ଶନ ନାୟକ, ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ତପନ ଚାନ୍ଦ, ଜଗଦୀଶ ମହାନ୍ତି, ପ୍ରୀତିଶ ସାହୁ ପ୍ରମୁଖ ସାମିଲ ଥିଲେ।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.