Breaking News

ରାଜୀବ ମହାନ୍ତି: ଓଲିଉଡ୍‌ରେ ତିନି ଦଶନ୍ଧି

୨୦୨୦, ୨୦୨୧ ଓ ୨୦୨୨ ବର୍ଷ ପାଇଁ ଘୋଷିତ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ରାଜୀବ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ଭୋକ’, ‘ରଘୁ ସର୍ଦ୍ଦାର’ ଓ ‘ମାୟାଦର୍ପଣ’କୁ ମିଳିବ ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ ଓ ଶ୍ରେଷ୍ଠ ସିନେମା ସମେତ ବିଭିନ୍ନ ବିଭାଗରେ ୧୫ଟି ପୁରସ୍କାର।

0

୨୦୨୦, ୨୦୨୧ ଓ ୨୦୨୨ ବର୍ଷ ପାଇଁ ଘୋଷିତ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ରାଜୀବ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ଭୋକ’, ‘ରଘୁ ସର୍ଦ୍ଦାର’ ଓ ‘ମାୟାଦର୍ପଣ’କୁ ମିଳିବ ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ ଓ ଶ୍ରେଷ୍ଠ ସିନେମା ସମେତ ବିଭିନ୍ନ ବିଭାଗରେ ୧୫ଟି ପୁରସ୍କାର। ରାଜୀବଙ୍କୁ ‘ରଘୁ ସର୍ଦ୍ଦାର’ରେ ବଳିଷ୍ଠ ଅଭିନୟ ଲାଗି ଶ୍ରେଷ୍ଠ ଖଳନାୟକ ଭାବେ ବି ପୁରସ୍କୃତ କରାଯିବ। ଏହି ଅବସରରେ ରାଜୀବ ମହାନ୍ତିଙ୍କ ସଂପର୍କରେ କିଞ୍ଚିତ କଥା..।

କଟକର ଅନ୍ନପୂର୍ଣ୍ଣା ଥିଏଟର୍‌ରେ ଅଭିନୟ କରୁଥିବା ବେଳେ ରାଜୀବ ମହାନ୍ତିଙ୍କୁ ତିରୁମାଲା ପିକ୍‌ଚର୍ସ ନିବେଦିତ ତଥା ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ରୁପା ଗାଁର ସୁନା କନିଆଁ’ ଛବିରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ପ୍ରାୟ ୮୦ ଜଣ କଳାକାରଙ୍କ ଭିତରୁ ଖଳନାୟକ ଭୂମିକା ଲାଗି ତାଙ୍କୁ ମନୋନୀତ କରାଯାଇଥିଲା। ଏହାପରେ ରାଜୀବ ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ‘ସ୍ତ୍ରୀ’, ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘କିଏ ପୋଛିବ ମାଆ ଆଖିର ଲୁହ’, ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ସତ ମିଛ’ ଆଦି ଛବିରେ ଅଭିନୟ କରିଥିଲେ। ରାଜୀବ ‘ସାଥୀ ତୁ ଫେରିଆ’, ରଘୁ ସର୍ଦ୍ଦାର’ ଓ ‘ରୋମିଓ ଜୁଲିଏଟ୍’ ପରି ସିନେମାରେ ବି ନଜର ଆସିଛନ୍ତି। ତେବେ ଦୂରଦର୍ଶନରେ ପ୍ରସାରିତ ମେଗା ଧାରାବାହିକ ‘ଅଧିକାର’ର ସାହିଲ୍ ଚୌଧୁରୀ ଭୂମିକା ତାଙ୍କୁ ଅଧିକ ଲୋକପ୍ରିୟ କରିଥିଲା।

ଏହା ଭିତରେ ରାଜୀବ ମହାନ୍ତି ମ୍ୟୁଜିକ୍ ଆଲବମ୍‌ରେ ଅଭିନୟ ସାଙ୍ଗକୁ ନିର୍ଦ୍ଦେଶନା ଦେଇ ଅଳ୍ପଦିନରେ ଚର୍ଚ୍ଚିତ ହେଲେ। ‘ନବମ ଶ୍ରେଣୀ ଝିଅଟା…’, ‘ଛାମୁ ହେ ଏତିକି ମିନତି…’, ‘ମୋ ବଡ଼ ଦେଉଳିଆ ବନ୍ଧୁ…’ ହେଉଛି ତାଙ୍କର ସବୁଠାରୁ ଜନପ୍ରିୟ ଆଲବମ୍। ସେ ଦେଢ଼ ହଜାରରୁ ଅଧିକ ଆଲବମ୍‌ ଗୀତରେ ନିର୍ଦ୍ଦେଶନା ଦେଇଥିଲେ। ଏହାଛଡ଼ା ରାଜୀବ ଦୂରଦର୍ଶନ ପାଇଁ ଦୁଇଟି ଟେଲିଫିଲ୍ମ ବି ନିର୍ମାଣ କରିଥିଲେ।

ତା’ପରେ ରାଜୀବ ସିନେ ନିର୍ଦ୍ଦେଶନା କ୍ଷେତ୍ରରେ ପ୍ରବେଶ କରନ୍ତି। ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ହେଲା ‘ଅଭିମାନୀ ପ୍ରିୟା ମୋର’। ୨୦୦୯ରେ ଏହାର ସେନ୍ସର୍ ସରିଥିଲେ ବି ବିଭିନ୍ନ କାରଣରୁ ଆଜିଯାଏ ମୁକ୍ତିଲାଭ କରିପାରି ନାହିଁ। ଏହା ପରେ ସେ ଏ ଦିଗରେ ସକ୍ରିୟ ରହିଆସିଛନ୍ତି। ତାଙ୍କ ନିର୍ଦ୍ଦେଶିତ ଅନ୍ୟ ସିନେମାଗୁଡ଼ିକ ମଧ୍ୟରେ ରହିଛି ‘ତୁ ମୋ ସୁନା ତୁ ମୋ ହୀରା’, ‘ଚୋରି ଚୋରି ମନ ଚୋରି’, ‘ତୁ ମୋର ନିହାତି ଦରକାର’, ‘ଏମିତି ବି ହୋଇପାରେ’, ‘ରଘୁ ସର୍ଦ୍ଦାର’, ‘ଭୋକ’, ‘ଲକ୍ଷ୍ୟ’, ‘ମାୟା ଦର୍ପଣ (ଓଡ଼ିଆ-ହିନ୍ଦୀ)’ ଓ ‘ମହାନାୟକ’। ଏଥିମଧ୍ୟରୁ ‘ମହାନାୟକ’ ମୁକ୍ତି ପ୍ରତୀକ୍ଷାରେ ରହିଛି।
ଗତ କିଛି ବର୍ଷ ହେବ ସେ କେବଳ ବାସ୍ତବଧର୍ମୀ ସିନେମାରେ ମନୋନିବେଶ କରିଛନ୍ତି। ରାଜୀବ କହନ୍ତି, ‘‘ଉଭୟ ଅଭିନୟ ଓ ନିର୍ଦ୍ଦେଶନା ମୋତେ ଆତ୍ମସନ୍ତୋଷ ଦେଉଛି। ଏଣୁ କାହାକୁ ଛାଡ଼ିପାରିବିନି।’’
-ଶିବଶଙ୍କର ଓଝା

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.