Breaking News

ରାଜ୍ୟଙ୍କୁ ହସ୍ତାନ୍ତର ଭାଗ କମୁଛି: ୧୦୦ ଟଙ୍କା ଟିକସରେ ୧୧ ଟଙ୍କାର ସେସ୍‌, ସର୍‌ଚାର୍ଜ

ଡ. ଅରବିନ୍ଦ ପାନାଗାରିଆଙ୍କ ଅଧ୍ୟକ୍ଷତାରେ ଗଠିତ ଷୋଡ଼ଶ ଅର୍ଥ ଆୟୋଗ ବିଭିନ୍ନ ରାଜ୍ୟ ଗସ୍ତ କରି ଆଲୋଚନା ଜାରି ରଖିଛନ୍ତି। ଏହି ପ୍ରକ୍ରିୟାରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସାମ୍ନାକୁ ଆସିଛି।

ନୂଆଦିଲ୍ଲୀ: ଡ. ଅରବିନ୍ଦ ପାନାଗାରିଆଙ୍କ ଅଧ୍ୟକ୍ଷତାରେ ଗଠିତ ଷୋଡ଼ଶ ଅର୍ଥ ଆୟୋଗ ବିଭିନ୍ନ ରାଜ୍ୟ ଗସ୍ତ କରି ଆଲୋଚନା ଜାରି ରଖିଛନ୍ତି। ଏହି ପ୍ରକ୍ରିୟାରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସାମ୍ନାକୁ ଆସିଛି। ତାହା ହେଉଛି କେନ୍ଦ୍ର ସରକାର ସେସ୍‌ ଓ ସର୍‌ଚାର୍ଜ ଆକାରରେ ସଂଗ୍ରହ କରୁଥିବା ଟିକସ। ନିୟମ ଅନୁସାରେ ‌ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଆଧାରରେ କେନ୍ଦ୍ରୀୟ ଟିକସର ଭାଗକୁ ରାଜ୍ୟମାନଙ୍କୁ ହସ୍ତାନ୍ତର କରାଯାଉଛି। କିନ୍ତୁ ବାସ୍ତବରେ ରାଜ୍ୟଗୁଡ଼ିକ ଯେତିକି ଟଙ୍କା ପାଇବା କଥା ପାଉନାହାନ୍ତି। ଏଥି‌ରେ ଯେଉଁ ବଡ଼ ବାଧକଟି ରହିଛି ତାହା ହେଉଛି ସେସ୍‌ ଓ ସର୍‌ଚାର୍ଜ।

୨୦୧୭ରେ ଜିଏସ୍‌ଟି ଲାଗୁ ହେବା ପରେ ରାଜ୍ୟଗୁଡ଼ିକର ଟିକସ ରାଜସ୍ବ ସଂଗ୍ରହ କରିବା କ୍ଷମତା ସଙ୍କୁଚିତ ହୋଇଛି। ତେଣୁ ପୂର୍ବାପେକ୍ଷା ରାଜ୍ୟଗୁଡ଼ିକ କେନ୍ଦ୍ରୀୟ ଟିକସ ଭାଗ ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଏଭଳି ପରିସ୍ଥିତିରେ ସେସ୍‌ ଓ ସର୍‌ଚାର୍ଜ ଆକାରରେ କେନ୍ଦ୍ର ସରକାର ଟିକସ ସଂଗ୍ରହ କରିବା ଓ ତାହାକୁ ରାଜ୍ୟମାନଙ୍କ ସହ ନ ବାଣ୍ଟିବା ସ୍ଥିତିକୁ ଅଧିକ ଜଟିଳ କରିଛି। ୨୦୨୦-୨୧ରେ କରୋନା ମହାମାରୀ ବ୍ୟାପିବା ପରେ ସେସ୍‌ ଓ ସର୍‌ଚାର୍ଜ ଟିକସ ଭାଗ ଯଥେଷ୍ଟ ବଢ଼ିଛି। କେନ୍ଦ୍ର ସରକାରଙ୍କ ରାଜକୋଷକୁ ଯାଉଥିବା ପ୍ରତି ୧୦୦ ଟଙ୍କାର ଟିକସରେ ୧୧ ଟଙ୍କା ସେସ୍‌ ଓ ସର୍‌ଚାର୍ଜ ଆକାରରେ ସଂଗ୍ରହ କରାଯାଉଛି। ସେହି ଟଙ୍କା ସିଧାସଳଖ କେନ୍ଦ୍ର ଖାତାକୁ ଯାଉଛି। ତାହା ଉପରେ ରାଜ୍ୟଗୁଡ଼ିକର କିଛି ଭାଗ ରହୁନାହିଁ। ଏଥି ସହିତ ଟିକସ ସଂଗ୍ରହ କରିବା ଲାଗି ପ୍ରତି ୧୦୦ ଟଙ୍କା ପାଇଁ ୧-୨ ଟଙ୍କା ଖର୍ଚ୍ଚ ହେଉଥିବା କେନ୍ଦ୍ର କହୁଛି। ମୋଟ ଉପରେ ପାଖାପାଖି ୧୩ ଟଙ୍କା ୫୦ ପଇସା କେନ୍ଦ୍ର ପାଖରେ ରହୁଛି। ଏହି ରାଶିକୁ ଭାଗ୍ୟଗୁଡ଼ିକ ସହ ବାଣ୍ଟିବା ଲାଗି ଯେଉଁ ପାଣ୍ଠି ରହିଛି, ସେଥିରେ ତାହା ସାମିଲ କରାଯାଉନାହିଁ। କିଛି ବର୍ଷ ପୂର୍ବରୁ ସେସ୍‌, ସରଚାର୍ଜ ଓ ଟିକସ ସଂଗ୍ରହ ଖର୍ଚ୍ଚର ଭାଗ ପ୍ରତି ୧୦୦ ଟଙ୍କାରେ ୫-୭ ଟଙ୍କା ଭିତରେ ରହୁଥିଲା। ୨୦୨୫-୨୬ ଆର୍ଥିକ ବର୍ଷରେ ତାହା ୧୦ ଟଙ୍କା ୯୭ ପଇସା ରହିବ ବୋଲି ଆକଳନ କରାଯାଇଛି।

ସେସ୍‌ ଓ ସର୍‌ଚାର୍ଜ ବାବଦ ରାଶି କେନ୍ଦ୍ର ପାଖ‌ରେ ରହିବା ପରେ ରାଜ୍ୟଗୁଡ଼ିକୁ ହସ୍ତାନ୍ତର କରିବା ପାଣ୍ଠି କମିଯାଉଛି। ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସ ଅନୁସାରେ ସେହି ପାଣ୍ଠିର ୪୧ ପ୍ରତିଶତ ରାଜ୍ୟଗୁଡ଼ିକୁ ହସ୍ତାନ୍ତର କରାଯିବା କଥା। କିନ୍ତୁ ସେତିକି ବି ରାଜ୍ୟମାନଙ୍କ ପାଖରେ ପହଞ୍ଚୁନାହିଁ। ‌ରାଜ୍ୟଙ୍କୁ ହସ୍ତାନ୍ତର ଭାଗକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବାକୁ ବହୁ ରାଜ୍ୟ ‌ଷୋଡ଼ଶ ଅର୍ଥ ଆୟୋଗଙ୍କ ନିକଟରେ ଦାବି ରଖିଛନ୍ତି। ‌କେନ୍ଦ୍ରୀୟ ପାଣ୍ଠି ଉପରେ ଅତ୍ୟଧିକ ନିର୍ଭରଶୀଳତା କାରଣରୁ ରାଜ୍ୟଗୁଡ଼ିକ ନିଜ ଯୋଜନା ପାଇଁ ପାଣ୍ଠି ରଖିପାରୁନାହାନ୍ତି। ଏହା ସଂଘୀୟ ବ୍ୟବସ୍ଥା ପ୍ରତି ଏକ ବଡ଼ ଆହ୍ବାନ ହୋଇଛି। ପାଣ୍ଠି ଦେବାର କ୍ଷମତା କେନ୍ଦ୍ର ପାଖରେ ରହୁଥିବାରୁ ତାହା ରାଜନୈତିକ ସମୀକରଣକୁ ମଧ୍ୟ ବଦଳାଇପାରୁଥିବା ଅଭିଯୋଗ ହେଉଛି।

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.