Breaking News

ରାଜ୍ୟରେ ତ୍ବରାନ୍ବିତ ହେବ ପିଏମ୍‌ଆଇଏସ୍‌: କମ୍ପାନିରେ ଇଣ୍ଟର୍ନସିପ୍ କରିବେ ବିଦ୍ୟାର୍ଥୀ

ବିଶ୍ୱ ଅର୍ଥ ବ୍ୟବସ୍ଥା ଦ୍ରୁତ ଗତିରେ ବିକଶିତ ହେଉଛି। ତେଣୁ ଦକ୍ଷ କର୍ମଚାରୀଙ୍କ ଚାହିଦା ମଧ୍ୟ ବଢ଼ୁଛି। ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମାନବ ପୁଞ୍ଜିକୁ ନିଯୁକ୍ତିଯୋଗ୍ୟ, ଶିଳ୍ପ-ପ୍ରସ୍ତୁତ ଦକ୍ଷତା ସହ ବିକଶିତ କରିବା ଉଦ୍ଦେଶ୍ୟରେ...

ଭୁବନେଶ୍ବର: ବିଶ୍ୱ ଅର୍ଥ ବ୍ୟବସ୍ଥା ଦ୍ରୁତ ଗତିରେ ବିକଶିତ ହେଉଛି। ତେଣୁ ଦକ୍ଷ କର୍ମଚାରୀଙ୍କ ଚାହିଦା ମଧ୍ୟ ବଢ଼ୁଛି। ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମାନବ ପୁଞ୍ଜିକୁ ନିଯୁକ୍ତିଯୋଗ୍ୟ, ଶିଳ୍ପ-ପ୍ରସ୍ତୁତ ଦକ୍ଷତା ସହ ବିକଶିତ କରିବା ଉଦ୍ଦେଶ୍ୟରେ ଅନେକ ପରିବର୍ତ୍ତନମୂଳକ ପଦକ୍ଷେପ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ସ୍କିମ୍(ପିଏମ୍‌ଆଇଏସ୍‌) ମାଧ୍ୟମରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୧୦ ନିୟୁତ ଯୁବକଯୁବତୀଙ୍କୁ ଇଣ୍ଟର୍ନସିପ୍ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଯୋଜନା ଶିକ୍ଷାଗତ ଜ୍ଞାନ ଓ କାର୍ଯ୍ୟ କ୍ଷେତ୍ରର ଶିଳ୍ପ ଦକ୍ଷତା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାରେ ସହାୟକ ହେବ। ୨୦୨୪ରେ କେନ୍ଦ୍ର କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ନେତୃତ୍ୱରେ ଆରମ୍ଭ ହୋଇଥିବା ପିଏମ୍‌ଆଇଏସ୍‌ କିଭଳି ଓଡ଼ିଶାରେ ବ୍ୟାପକ ହୋଇପାରିବ ସେନେଇ ତତ୍ପରତା ପ୍ରକାଶ ପାଇଛି।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା, ଶ୍ରମ ଓ ନିୟୋଜନ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସମନ୍ବୟ ରକ୍ଷା କରି ଏଦିଗରେ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗୁରୁତ୍ବ‌ାରୋପ କରିଛନ୍ତି। ଯୋଜନାର ରୂପରେଖ ଅନୁଯାୟୀ ୨୧ରୁ ୨୪ ବର୍ଷ ବୟସର ଯୁବକଯୁବତୀ ଦେଶର ପ୍ରମୁଖ କମ୍ପାନିରେ ଗୋଟିଏ ବର୍ଷ ଅର୍ଥାତ୍‌ ୧୨ ମାସ ପାଇଁ ଇଣ୍ଟର୍ନସିପ୍ କରିପାରିବେ। ପ୍ରତି ଇଣ୍ଟର୍ଣ୍ଣଙ୍କୁ ମାସିକ ୫ହଜାର ଟଙ୍କାର ବୃତ୍ତି ମିଳିବ। ସମ୍ପୃକ୍ତ କମ୍ପାନି ୫୦୦ ଟଙ୍କା ଦେବାକୁ ଥିବା ବେଳେ କେନ୍ଦ୍ର ସରକାର ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର୍ମ(ଡିବିଟି) ମାଧ୍ୟମରେ ୪,୫୦୦ ଟଙ୍କା ପ୍ରଦାନ କରିବେ। ଯୋଗଦେବା ବେଳେ ଆନୁଷଙ୍ଗିକ ଖର୍ଚ୍ଚ ଓ ବ୍ୟାପକ ବୀମା କଭରେଜ୍ ପାଇଁ ଏକକାଳୀନ ୬ହଜାର ଟଙ୍କାର ଅନୁଦାନ ମିଳିବ। ଇଣ୍ଟର୍ନମାନେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ‌ବୀମା ଯୋଜନା ଅଧୀନରେ ଆସିବେ। ଏହି ଯୋଜନା ମାଧ୍ୟମରେ ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଶିଳ୍ପ ସଂସ୍ଥାଙ୍କ ଆବଶ୍ୟକତା ଦୃଷ୍ଟିରୁ ବିଦ୍ୟାର୍ଥୀମାନେ ଦେଶର ପ୍ରମୁଖ କମ୍ପାନିରେ ଇଣ୍ଟର୍ନ କରିବା ସହ ନିଯୁକ୍ତି ପ୍ରବେଶ ପାଇଁ ସୁଯୋଗ ପ‌ାଇବେ।

କମ୍ପାନିରେ ଇଣ୍ଟର୍ନସିପ୍ କରିବେ ବିଦ୍ୟାର୍ଥୀ
ମାସିକ ମିଳିବ ୫ ହଜାର ଟଙ୍କାର ବୃତ୍ତି
କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବାରୋପ

ସୂଚନା ଅନୁଯାୟୀ ଏହି ଯୋଜନାର କାର୍ଯ୍ୟକାରିତା ପାଇଁ କେନ୍ଦ୍ର କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଦେଶର ଶ୍ରେଷ୍ଠ ୫୦୦ କମ୍ପାନି ସହ ୧୨ ମାସର ଇଣ୍ଟର୍ନସିପ୍ରେ ଯୁବକଯୁବତୀଙ୍କୁ ନିୟୋଜିତ କରିବାକୁ ଲକ୍ଷ୍ୟ ରଖିଛି। ସରକାରୀ-ବେସରକାରୀ ସହଯୋଗକୁ ସମନ୍ୱିତ, ଯୁବ ପେସାଦାରଙ୍କ ମଧ୍ୟରେ ଉଦ୍ଭାବନ, ପ୍ରଶିକ୍ଷଣ ଓ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବାକୁ ଡିଜାଇନ୍ ହୋଇଛି। ଇଣ୍ଟର୍ନସିପ୍ଗୁଡ଼ିକ କେବଳ ତତ୍କାଳ ନିଯୁକ୍ତି ପ୍ରଦାନ କରିବ ନାହିଁ, ବରଂ ଦୀର୍ଘକାଳୀନ ଔଦ୍ୟୋଗିକ ସଫଳତା ପାଇଁ ଏକ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ। ଏହି ପଦକ୍ଷେପ ଓଡ଼ିଶାରେ ଅଧିକ ଦକ୍ଷ ଏବଂ ନିଯୁକ୍ତିଯୋଗ୍ୟ ଶ୍ରମଶକ୍ତି ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଆଶାପୋଷଣ କରିଛନ୍ତି।

ପିଏମ୍‌ଆଇଏସ୍‌ ସମ୍ପର୍କରେ ସଚେତନତା, ଦିର୍ଗଦର୍ଶନ ଓ ପ୍ରାର୍ଥୀଙ୍କ ଆବେଦନପତ୍ର ସଂଗ୍ରହ ପରି ଦିଗ ଉପରେ ରାଜ୍ୟର ସରକାରୀ ଆଇଟିଆଇ ଓ ପଲିଟେକ୍‌ନିକ୍‌ ଅଧ୍ୟକ୍ଷ, ଜିଲ୍ଲା ସ୍ତରୀୟ ମଡେଲ୍‌ କ୍ୟାରିଅର ସେଣ୍ଟର କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବେ। ଗଣଶିକ୍ଷା‌ ଓ ଉଚ୍ଚଶିକ୍ଷା ବିଭାଗର କ୍ଷେତ୍ର ଅଧିକାରୀମାନେ ଅଧିକରୁ ଅଧିକ ପ୍ରାର୍ଥୀଙ୍କୁ ସାମିଲ କରାଇବେ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। କେନ୍ଦ୍ର କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ସଚିବ ଦୀପ୍ତି ଗୌର ମୁଖାର୍ଜୀ, ଉନ୍ନୟନ କମିସନର ଅନୁ ଗର୍ଗଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ବୈଠକରେ ଉପସ୍ଥିତ ଥିଲେ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.