Breaking News

ରାଜ୍ୟରେ ନିଖୋଜ ମାମଲା ଉଦ୍‌ବେଗଜନକ: ୮ ମାସରେ ୧୩ ହଜାରଙ୍କ ପତ୍ତା ମିଳୁନି

ରାଜ୍ୟରେ ଲୋକ ନିଖୋଜ ହେବା ସଂକ୍ରାନ୍ତରେ ରୁଜୁ ହେଉଥିବା ମାମଲା ସଂଖ୍ୟାର ଉଦ୍‌ବେଗଜନକ ଚିତ୍ର ସାମନାକୁ ଆସିଛି। ମାତ୍ର ୮ ମାସ ମଧ୍ୟରେ ରାଜ୍ୟରେ ମୋଟ ୨୦ ହଜାର ୬୦ ଜଣ ନିଖୋଜ ହୋଇଥିବା ବେଳେ....

କଟକ: ରାଜ୍ୟରେ ଲୋକ ନିଖୋଜ ହେବା ସଂକ୍ରାନ୍ତରେ ରୁଜୁ ହେଉଥିବା ମାମଲା ସଂଖ୍ୟାର ଉଦ୍‌ବେଗଜନକ ଚିତ୍ର ସାମନାକୁ ଆସିଛି। ମାତ୍ର ୮ ମାସ ମଧ୍ୟରେ ରାଜ୍ୟରେ ମୋଟ ୨୦ ହଜାର ୬୦ ଜଣ ନିଖୋଜ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ହଜାର ୪୮ ଜଣ ଠାବ ହୋଇଛନ୍ତି। କିନ୍ତୁ ୧୩ ହଜାର ୧୨ ଜଣଙ୍କ ପତ୍ତା ମିଳିପାରୁନାହିଁ। ଏମାନଙ୍କ ପତ୍ତା ନମିଳିବା ପଛରେ ଓଡ଼ିଶା ପୁଲିସରେ ଭିତ୍ତିଭୂମିର ଅଭାବ ଏବଂ ଥାନାରେ ତୁରନ୍ତ ନିଖୋଜ ସଂକ୍ରାନ୍ତ ଅଭିଯୋଗ ପରିବାର ଲୋକଙ୍କ ଦ୍ବାରା ନହେବା ମୁଖ୍ୟ କାରଣ ବୋଲି କୁହାଯାଉଛି।

ସରକାରୀ ତଥ୍ୟ ଅନୁଯାୟୀ, ୨୦୨୪ ଜୁନ୍‌ ୧ ରୁ ୨୦୨୫ ଫେବ୍ରୁଆରି ୨୮ ମଧ୍ୟରେ ରାଜ୍ୟରେ ୨୦ ହଜାର ୬୦ ଜଣ ନିଖୋଜ ହୋଇଥିବା  ନେଇ ମାମଲା ରୁଜୁ ହୋଇଛି। ଏହା ବ୍ୟତୀତ ଅନେକ ନିଖୋଜ ବ୍ୟକ୍ତିଙ୍କ ସଂକ୍ରାନ୍ତରେ ପରିବାର ଲୋକ ଥାନାରେ ସୂଚନା ବି ଦେଉ ନାହାନ୍ତି। ଏହା ପଛରେ ସାମାଜିକ ଲଜ୍ଜା, ଅବହେଳା ଭଳି ବିଭିନ୍ନ କାରଣ ରହିଛି। କିଛି ଲୋକ ପରିବାର ସଦସ୍ୟଙ୍କ ଅଗୋଚରରେ ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି। ସେଠାରେ ସେମାନେ ନିଖୋଜ ହୋଇଯାଉଛନ୍ତି। ଅନେକ ନାବାଳିକା ବି ନିଖୋଜ ହେଉଛନ୍ତି।

କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିସନ୍‌ ବାତ୍ସଲ୍ୟ ପୋର୍ଟାଲ୍ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନିଖୋଜ ଶିଶୁଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କ ଜିମା ଦେବା ମୁଖ୍ୟ ଉଦ୍ଦେଶ୍ୟ। ଏହି ପୋର୍ଟାଲ୍‌ରେ ନିଖୋଜ ଶିଶୁଙ୍କ ସମ୍ପୂର୍ଣ୍ଣ ତଥ୍ୟ ଅପ୍‌ଲୋଡ୍ କରି ସେମାନଙ୍କୁ ଠାବ କରିବା ସହିତ ପରିବାର ଲୋକଙ୍କ ଜିମା ଦିଆଯାଉଛି। ଜାତୀୟସ୍ତରରେ ସିଡବ୍ଲ୍ୟୁସି ଓ ସିସିଆଇ ପକ୍ଷରୁ ନିଖୋଜ ଶିଶୁ ସଂକ୍ରାନ୍ତ ତଥ୍ୟ ଅପ୍‌ଲୋଡ୍‌ କରାଯାଉନାହିଁ। ଏହା ଦ୍ବାରା ଓଡ଼ିଶାରେ ନିଖୋଜ ଶିଶୁଙ୍କୁ ଠାବ କରିବା ସହଜ ହେଉ ନାହିଁ।

୮ ମାସରେ ୧୩ ହଜାରଙ୍କ ପତ୍ତା ମିଳୁନି
ହଜିଥିଲେ ୨୦ ହଜାର, ମିଳିଛନ୍ତି ୭ ହଜାର
୬୪୯ ମହିଳା ଓ ଶିଶୁ ଡେସ୍କ ପାଇଁ ୧୯ କୋଟି

ରାଜ୍ୟରେ ଏଭଳି ନିଖୋଜ ମାମଲାର ଉଦ୍‌ବେଗଜନକ ସ୍ଥିତି ସଂକ୍ରାନ୍ତରେ ବାରବାଟୀ-କଟକ ବିଧାୟକ ସୋଫିଆ ଫିରଦୋସ ବିଧାନସଭାରେ ପ୍ରଶ୍ନ କରିବା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ଏ ପ୍ରସଙ୍ଗରେ ସରକାରଙ୍କ ଯୋଜନା ଓ ଆଭିମୁଖ୍ୟ ସଂକ୍ରାନ୍ତରେ ଜାଣିବାକୁ ଚାହିଁଥିଲେ। ମୁଖ୍ୟମନ୍ତ୍ରୀ ରଖିଥିବା ତଥ୍ୟ ଅନୁଯାୟୀ ଓଡ଼ିଶା ପୁଲିସର ଇହାତୁ, ଏସ୍‌ଜେପିୟୁ ଓ ଥାନାଗୁଡ଼ିକରେ ଖାଲିଥିବା ପଦବି ପୂରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଯାହାଫଳରେ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ଅଧିକ ସହଜ ହୋଇପାରିବ। ସବୁ ଜିଲ୍ଲାରେ ଥିବା ଏସ୍‌ଜେପିୟୁ ଗୁଡ଼ିକରେ ଗାଡ଼ି ଓ ଡ୍ରାଇଭର ନିୟୋଜିତ ପାଇଁ ୩ କୋଟି ୨୪ ଲକ୍ଷ ଟଙ୍କା ପ୍ରସ୍ତାବ ରହିଛି। ଏହି ଗାଡ଼ି ମାଧ୍ୟମରେ ନିଖୋଜ ଶିଶୁଙ୍କୁ ଉଦ୍ଧାର କ୍ଷେତ୍ରରେ ନିୟୋଜିତ କରାଯିବ। ୨୯ଟି ଜିଲ୍ଲାର ଆଇୟୁସିଏଡବ୍ଲ୍ୟୁରେ ଗାଡ଼ି ଓ ଡ୍ରାଇଭର ନିୟୋଜିତ ପାଇଁ ୨ କୋଟି ୬୧ ଲକ୍ଷ ଟଙ୍କାର ପ୍ରସ୍ତାବ ରହିଛି।

ଉଦ୍ଧାର ହୋଇଥିବା ମହିଳା ଓ ଶିଶୁଙ୍କୁ ପରିବାର ଲୋକଙ୍କ ଜିମା ଦେବା ପାଇଁ ଏହି ଗାଡ଼ିଗୁଡ଼ିକ ବ୍ୟବହାର କରାଯିବ। ରାଜ୍ୟରେ ଥିବା ମୋଟ ୬୪୯ଟି ଥାନାରେ ମହିଳା ଓ ଶିଶୁ ଡେସ୍କ ପାଇଁ ପାଣ୍ଠି ଯୋଗାଇବାକୁ ପ୍ରସ୍ତାବ ଦିଆଯାଇଛି। ଉଦ୍ଧାର ହୋଇଥିବା ମହିଳା ଓ ଶିଶୁଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ମୋଟ ୧୯ କୋଟି ୪୭ ଲକ୍ଷ ଟଙ୍କାର ପ୍ରସ୍ତାବ ଦିଆଯାଇଛି। ପ୍ରତି ଥାନାରେ ମହିଳା ଓ ଶିଶୁ ଡେସ୍କ ପାଇଁ ୨୫ ହଜାର ଟଙ୍କା ପ୍ରସ୍ତାବ ଦିଆଯାଇଛି। ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ସଚେତନା ସୃଷ୍ଟି କରିବା ପାଇଁ ପଦକ୍ଷେପ ନିଆଯାଇଛି। କିନ୍ତୁ ବାସ୍ତବରେ ଏସବୁ ସଫଳତାର ସହ କେବେ କାର୍ଯ୍ୟକାରୀ ହେବ, ସେ ସଂପର୍କରେ ସରକାରଙ୍କ ପାଖରେ ନିର୍ଦ୍ଦିଷ୍ଟ ଉତ୍ତର ନାହିଁ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.