Breaking News

ରାଜ୍ୟରେ ୧୨ ନୂଆ ବନ୍ଦର: ସୁବର୍ଣ୍ଣରେଖା ବନ୍ଦର କାମ ଚାଲିଛି

ରାଜ୍ୟରେ ପାରାଦୀପ, ଧାମରା ଓ ଗୋପାଳପୁରରେ ତିନିଟି ବନ୍ଦର କାର୍ଯ୍ୟକ୍ଷମ ରହିଛି। ଆଉ ୧୨ଟି ବନ୍ଦର ପ୍ରତିଷ୍ଠା କରିବା ଲାଗି ପ୍ରକ୍ରିୟା ଜାରି ରହିଛି ବୋଲି ବିଧାନସଭାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି।

ଭୁବନେଶ୍ବର: ରାଜ୍ୟରେ ପାରାଦୀପ, ଧାମରା ଓ ଗୋପାଳପୁରରେ ତିନିଟି ବନ୍ଦର କାର୍ଯ୍ୟକ୍ଷମ ରହିଛି। ଆଉ ୧୨ଟି ବନ୍ଦର ପ୍ରତିଷ୍ଠା କରିବା ଲାଗି ପ୍ରକ୍ରିୟା ଜାରି ରହିଛି ବୋଲି ବିଧାନସଭାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ନୂଆ ବନ୍ଦରଗୁଡ଼ିକ ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ପୁରୀ, ଗଞ୍ଜାମ ଓ କେନ୍ଦ୍ରାପଡ଼ାରେ ସ୍ଥାପନ କରାଯିବ।

ବାଲେଶ୍ବରର ବାହାବଳପୁର, ଚାନ୍ଦିପୁର ଓ ଇଞ୍ଚୁଡ଼ି, ପୁରୀର ବାଲିହରଚଣ୍ଡି ଏବଂ ଗଞ୍ଜାମର ପାଲୁର ଓ ବାହୁଦାମୁହାଣରେ ବନ୍ଦର ନିର୍ମାଣ କରିବାକୁ ସ୍ଥାନ ନିରୂପଣ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ବାଲେଶ୍ବରର ସୁବର୍ଣ୍ଣରେଖା ମୁହାଣରେ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍‌ ସହ ସରକାର ରିହାତି ଚୁକ୍ତି ସ୍ବାକ୍ଷର କରିଛନ୍ତି। ଏହାର ପ୍ରାରମ୍ଭିକ ନିର୍ମାଣ କାର୍ଯ୍ୟ ସହିତ ଜମି ଅଧିଗ୍ରହଣ ଜାରି ରହିଛି। ସେହିପରି ଜଗତସିଂହପୁରର ଜଟାଧାରୀ ମୁହାଣ‌ରେ ଏକ ନିଜସ୍ବ ଜେଟୀ ସ୍ଥାପନ କରିବା ଲାଗି ଜେଏସ୍‌ଡବ୍ଲୁ ଉତ୍କଳ ଷ୍ଟିଲ୍‌ ଲିମିଟେଡ୍‌ ପକ୍ଷରୁ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି। କମ୍ପାନି ସ୍ଥାପନ କରିବାକୁ ଥିବା ଇସ୍ପାତ କାରଖାନା ଲାଗି ଏହି ଜେଟୀକୁ ବ୍ୟବହାର କରିବ। ପୁରୀର ଅସ୍ତରଙ୍ଗଠାରେ ଏକ ବନ୍ଦର ନିର୍ମାଣ କରିବା ଲାଗି ନବଯୁଗ ଇଞ୍ଜିନିୟରିଂ କମ୍ପାନି ଲିମିଟେଡ୍‌ ସହ ଚୁକ୍ତି ହୋଇଥିବା ବେଳେ ଜମି ଅଧିଗ୍ରହଣ ଜାରି ରହିଛି। କେନ୍ଦ୍ରାପଡ଼ାରେ ଏକ ନଦୀଭିତ୍ତିକ ବନ୍ଦର ନିର୍ମାଣ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ବିଧାୟକ ଧ୍ରୁବ ଚରଣ ସାହୁଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ୨୦୨୩-୨୪ରେ ଧାମରା ଓ ଗୋପାଳପୁର ବନ୍ଦର ଦେଇ ୧୯୯.୬୧ ନିୟୁତ ଟନ୍ ପଣ୍ୟ ପରିବହନ କରାଯାଇଛି।

ସୁବର୍ଣ୍ଣରେଖା ବନ୍ଦର କାମ ଚାଲିଛି
୭ଟି ବନ୍ଦର ଲାଗି ସ୍ଥାନ ନିରୂପଣ ବିଜ୍ଞପ୍ତି
କେନ୍ଦ୍ରାପଡ଼ାରେ ନଦୀଭିତ୍ତିକ ବନ୍ଦର
ଅସ୍ତରଙ୍ଗରେ ନବଯୁଗ, ଜଟାଧାରୀ ମୁହାଣରେ ଜେଏସ୍‌ଡବ୍ଲୁର ବନ୍ଦର

ଏହି ଦୁଇ ବନ୍ଦର ଜରିଆରେ ଉଭୟ ଆମଦାନି ଓ ରପ୍ତାନି ହୋଇଛି। ଧାମରାରେ ୮୩୪ଟି ଜାହାଜ ଓ ଗୋପାଳପୁର ବନ୍ଦରରେ ୨୧୭ଟି ଜାହାଜ ଜରିଆରେ ପଣ୍ୟ ପରିବହନ ହୋଇଛି। ଧାମରା ବନ୍ଦର ଦେଇ ମୁଖ୍ୟତଃ ଲୁହାପଥର, ଖଣିଜ ପଦାର୍ଥ, ଇସ୍ପାତ, କୃଷିଜାତ ଦ୍ରବ୍ୟ, ଏଲ୍‌ଏନ୍‌ଜି, କୋଇଲା, ଚୂନପଥର, ଡୋଲମାଇଟ୍‌, ସାର ଓ ମାଙ୍ଗାନିଜ ପଥର ରପ୍ତାନି କରାଯାଇଛି। ଏହି ସମସ୍ତ ଜିନିଷକୁ ଆବୁଧାବି, ବାଂଲାଦେଶ, ଚୀନ୍, ଇଣ୍ଡୋନେସିଆ, ଇଟାଲି, ଜାପାନ, ମାଲେସିଆ, ମିଆଁମାର, ୟୁଏଇ, ଭିଏତ୍‌ନାମ, ଦକ୍ଷିଣ ଆଫ୍ରିକା‌, ତୁର୍କୀ, ଲିବିୟା, କତର ଓ ବ୍ରିଟେନ୍‌କୁ ପଠାଯାଇଛି। ସେହିପରି ବନ୍ଦର ଜରିଆରେ ଅଷ୍ଟ୍ରେଲିଆ, ବାଂଲାଦେଶ, କାନାଡା, ଚୀନ୍, ଇଜିପ୍ଟ, ଗ୍ୟାବନ୍, ଇଣ୍ଡୋନେସିଆ, ମାଲେସିଆ, ମୋଜାମ୍ବିକ୍ ଓ ଓମାନ୍‌ରୁ ବିଭିନ୍ନ ଜିନିଷ ଆମଦାନି କରାଯାଇଛି। ଗୋପାଳପୁର ବନ୍ଦର ଜରିଆରେ ଭିଏତ୍‌ନାମ, ୟୁଏଇ, ଅଷ୍ଟ୍ରେଲିଆ, ଆମେରିକା, ଭେନେଜୁଏଲାକୁ ଆଲୁମିନା, ଚୂନପଥର, କୋଇଲା, ଇଣ୍ଡଷ୍ଟ୍ରିଆଲ୍‌ ସଲ୍‌ଟ, ଲୁହାପଥର ଫାଇନ୍ସ, ପେଲେଟ୍‌, ଲମ୍ପସ୍‌ ଓ ପିଗ୍‌ ଆଇରନ୍ ରପ୍ତାନି କରାଯାଇଛି। ସେହି ସମୟରେ ଜାପାନ, ବେଲଜିୟମ୍, କୋରିଆ, ଚୀନ୍ ଓ ଆମେରିକାରୁ ବିଭିନ୍ନ ସାମଗ୍ରୀ ଆମଦାନି କରାଯାଇଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି।

ସୌଜନ୍ୟ-ସମ୍ୱାଦ

Comments are closed.