Breaking News

ରାଜ୍ୟ ଅବକାରୀ ନୀତି ୨୦୨୫-୨୬ ଚିଠା ପ୍ରସ୍ତାବ ବୈଠକ: ମାଣ୍ଡିଆରୁ ତିଆରି ହେବ ମଦ

ଏଣିକି ମାଣ୍ଡିଆରୁ ପ୍ରସ୍ତୁତ ମଦ ଓଡ଼ିଶା ବଜାରରେ ଉପଲବ୍‌ଧ ହେବ। ମାଣ୍ଡିଆ, ବାଜରା ଓ ଯଅ ଜାତୀୟ ଶସ୍ୟରୁ ମଦ ପ୍ରସ୍ତୁତ ହୋଇପାରିବ। ରାଜ୍ୟ ସରକାର ଏଭଳି ଏକ ପ୍ରସ୍ତାବ ଉପରେ ଚିନ୍ତା କରୁଛନ୍ତି।

ଭୁବନେଶ୍ୱର: ଏଣିକି ମାଣ୍ଡିଆରୁ ପ୍ରସ୍ତୁତ ମଦ ଓଡ଼ିଶା ବଜାରରେ ଉପଲବ୍‌ଧ ହେବ। ମାଣ୍ଡିଆ, ବାଜରା ଓ ଯଅ ଜାତୀୟ ଶସ୍ୟରୁ ମଦ ପ୍ରସ୍ତୁତ ହୋଇପାରିବ। ରାଜ୍ୟ ସରକାର ଏଭଳି ଏକ ପ୍ରସ୍ତାବ ଉପରେ ଚିନ୍ତା କରୁଛନ୍ତି। ଆଜି ଅବକାରୀ ନୀତି ୨୦୨୫-୨୬ ଚିଠା ପ୍ରସ୍ତାବ ବୈଠକରେ ଏନେଇ ଆଲୋଚନା କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ବିଭିନ୍ନ ମହଲରୁପ୍ରତିକ୍ରିୟା ଓ ପରାମର୍ଶ ସଂଗ୍ରହ କରିବା ପରେ ଯାଇ ନିଷ୍ପତ୍ତି ନିଆଯିବ। କିନ୍ତୁ ଆଜି ଏହି ଖବର ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ରାଜ୍ୟରେ ନିଶାର ନିବାରଣ ଆନ୍ଦୋଳନ କରୁଥିବା ବିଭିନ୍ନ ସଂଗଠନ ସରକାରଙ୍କ ଏହି ପ୍ରସ୍ତାବକୁ ଜୋର୍‌ଦାର ବିରୋଧ କରୁଥିବା ସାମାଜିକ ଗଣମାଧ୍ୟମରୁ ଜଣାପଡ଼ିଛି।

ଅବକାରୀ ନୀତି ୨୦୨୫-୨୬ ପ୍ରଣୟନ ପାଇଁ ଚିଠାପ୍ରସ୍ତାବ ଉପରେ ଅଂଶୀଦାରମାନଙ୍କ ମତାମତ ସଂପର୍କିତ ଏକ ବୈଠକ ଆଜି ରାଜ୍ୟ ଅତିଥିଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ବିଭାଗୀୟ କମିସନର ତଥା ଶାସନ ସଚିବ ଗୁହା ପୁନମ୍‌ ତାପସ କୁମାର ଓ ଅବକାରୀ କମିସନର ନରସିଂହ ଭୋଳ ଉପସ୍ଥିତ ଥିଲେ। ନିୟମାନୁସାରେ ରାଜ୍ୟରେ କୌଣସି ନୀତି ପ୍ରଣୟନ ହେବା ପୂର୍ବରୁ ଜନସାଧାରଣ ଓ ଅଂଶୀଦାରମାନଙ୍କ ମତାମତ ଗ୍ରହଣ କରାଯାଏ। ପରେ ଏହା ଆଇନ ବା ନୀତି ପାଇଁ ଯୋଗ୍ୟ ହୋଇଥାଏ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ। ତେଣୁ ଚିଠା ପ୍ରସ୍ତାବ ବୈଠକରେ ସବୁ ଦିଗକୁ ନେଇ ବଚାର ଓ ବ୍ୟାପକ ଆଲୋଚନା କରିବାକୁ ସେ କହିଥିଲେ। ବୈଠକ ପ୍ରାରମ୍ଭରେ ଶାସନ ସଚିବ ଅବକାରୀ ନୀତି ସଂପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ। ଅବକାରୀ ନୀତି ରାଜ୍ୟରେ ନୂତନ ପୁଞ୍ଜିନିବେଶ, ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌, ବ୍ୟବସ୍ଥାରେ ସ୍ୱଚ୍ଛତା, ମିଲେଟ୍‌ଭିତ୍ତିକ ପାନୀୟ ପ୍ରସ୍ତୁତ, ଉତ୍କର୍ଷ ଓଡ଼ିଶା ଅନୁପାଳନକୁ ପ୍ରୋତ୍ସାହନ ଦେବା ଆଦି ସଂପର୍କରେ ଆଲୋଚନା ହୋଇଥିଲା।

ବୈଠକରେ ଉପସ୍ଥିତ ମଦ ପ୍ରସ୍ତୁତକାରୀ କମ୍ପାନିର ପ୍ରତିନିଧି, ହୋଟେଲ ଓ ରେସ୍ତୋରାଁ ସଂଘର କର୍ମକର୍ତ୍ତା, ଲାଇସେନ୍‌ସପ୍ରାପ୍ତ ଖୁଚୁରା ମଦ ବ୍ୟବସାୟୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଶିଳ୍ପ, ଅର୍ଥ, ଜଙ୍ଗଲ ଓ ପଞ୍ଚାୟତିରାଜ ବିଭାଗର ଅଧିକାରୀମାନଙ୍କ ସହ ପର୍ଯ୍ୟାୟଭିତ୍ତିକ ଆଲୋଚନା କରାଯାଇ ସେମାନଙ୍କର ମତାମତ ଲୋଡ଼ା ଯାଇଥିଲା। ମାଣ୍ଡିଆ, ଯଅ ଓ ବାଜରାରୁ ପ୍ରସ୍ତୁତ ମଦକୁ କିଭଳି ବ୍ୟାବସାୟିକ ପ୍ରୋତ୍ସାହନ ମିଳିବ, ମଦ ଅପମିଶ୍ରଣ ରୋକିବା ଓ ବ୍ୟାପକ ସଚେତନତା ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା। ସେହିଭଳି ଜନଜାତି ବର୍ଗଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମହୁଲ ଫୁଲ ସଂଗ୍ରହ ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ରାଜ୍ୟ ମଦ ନିଗମର ପରିଚାଳନା ନିର୍ଦ୍ଦେଶକ ଅମ୍ବର କୁମାର କର ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.