Breaking News

ରାଜ୍ୟ ପିତୃତ୍ୱବାଦ ଓ ନିମ୍ନ ଆକାଂକ୍ଷା

ଆମ ରାଜ୍ୟରେ ସତ୍ତା ବଦଳିଛି। ଦୀର୍ଘ ୨୪ ବର୍ଷର ପୂର୍ବ ସରକାର ସମୟରେ ଓଡ଼ିଶାର ପ୍ରଗତି କେତେ ହେଲା ତାହା ବିତର୍କର ବିଷୟ। ମାତ୍ର ପୂର୍ବ ସରକାରଙ୍କ ସୁଦୀର୍ଘ କାର୍ଯ୍ୟକାଳ ସମୟରେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ (?) ଯୋଜନାର କୌଣସି ଅଭାବ ନ ଥିଲା। ଏବେର ସରକାର ‘ଜନ ହିତୈଷୀ ଯୋଜନା’ରେ ଆଉ ଦୁଇ ପାଦ ଆଗକୁ ଯିବେ ସିନା, ପଛକୁ କିଆଁ ଆସିବେ! ଏହା ଖାଲି ଆମ ଓ ଦଶା ନୁହେଁ, ଅଧିକାଂଶ ରାଜ୍ୟରେ ଏମିତି ଅନେକ ଯୋଜନା ଚାଲିଛି। ଏହି ବ୍ୟବସ୍ଥାକୁ ଆମେ କହୁ ‘ରାଜ୍ୟ ପିତୃତ୍ୱବାଦ ବ୍ୟବସ୍ଥା’। ରାଜ୍ୟ ବୋଇଲେ ଉଭୟ କେନ୍ଦ୍ର ଓ ପ୍ରଦେଶ ସରକାରଙ୍କୁ ବୁଝିବା। ‘ରାଜ୍ୟ ପିତୃତ୍ୱବାଦ’ ର ଅର୍ଥ ଏହି ଯେ ଗରିବ-ଗ୍ରାମୀଣ ଜନତାଙ୍କ ମୌଳିକ ଆବଶ୍ୟକତାକୁ ପୂରା କରିବା ପାଇଁ ସରକାରଙ୍କ ‘ଅଭିଭାବକ’ ଭୂମିକା ନିର୍ବାହ କରିବାର ପ୍ରବଣତା। ଏହାକୁ ‘ଉପରରୁ ତଳକୁ’ ବିକାଶ ମଡେଲର ଅଂଶବିଶେଷ ବୋଲି ଧରି ନିଆଯାଇପାରେ। ଆମେ ଏହାକୁ ‘ଶୀର୍ଷ ଆରୋପିତ’ ମଡେଲ ବୋଲି ମଧ୍ୟ କହିପାରିବା।
ଆସନ୍ତୁ, ଏହାର ପ୍ରଭାବ ବିଷୟରେ ସାମାନ୍ୟ ସମୀକ୍ଷା କରିବା। ବିକାଶ ପାଇଁ ସର୍ବାଦୌ ଆବଶ୍ୟକ ଚିଜଟି ହେଉଛି ‘ଆକାଂକ୍ଷା’। ଆକାଂକ୍ଷା ଥିଲେ ଲୋକେ ଉଦ୍‌ଯୋଗ କରନ୍ତି। ଲୋକଙ୍କ ପରିଶ୍ରମଶୀଳତାରୁ ଉତ୍ପାଦନରେ ଅଭିବୃଦ୍ଧି ହୁଏ। ନବୋନ୍ମେଷର ଅବସର ରହେ। ଉଚ୍ଚ ଆକାଂକ୍ଷା ଥିବା ବ୍ୟକ୍ତିମାନେ ଦକ୍ଷତା, ଶ୍ରମ ବଜାର ଏବଂ ସାମାଜିକ ମଞ୍ଚ ସମେତ ବିଭିନ୍ନ କ୍ଷେତ୍ରରେ ଉନ୍ନତ ଫଳାଫଳ ପାଇବାରେ ପ୍ରବୃତ୍ତ ରୁହନ୍ତି। ତେବେ ଏହି ଆକାଂକ୍ଷା ବ୍ୟକ୍ତିର ସାମାଜିକ ପରିବେଶ ଦ୍ୱାରା ନିର୍ଣ୍ଣିତ ହୁଏ। ସାମାଜିକ ପରିବେଶ ଶିକ୍ଷା, ସ୍ବାସ୍ଥ୍ୟ, ଆଇନଶୃଙ୍ଖଳା ଇତ୍ୟାଦି ମୌଳିକ ସୁବିଧା ଉପରେ ନିର୍ଭର କରେ। ତେଣୁ ସମାଜବାଦ, ସାମ୍ୟବାଦ, ପୁଞ୍ଜିବାଦ ପରି ବିବିଧ ପରସ୍ପର ବିରୋଧୀ ଆର୍ଥିକ ସିଦ୍ଧାନ୍ତରେ ମଧ୍ୟ ସରକାରଙ୍କ ପ୍ରାଥମିକ କର୍ତ୍ତବ୍ୟ ସୂଚୀରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଆଇନ ବ୍ୟବସ୍ଥାର ସୁପରିଚାଳନାକୁ ସାମିଲ କରିବା ନେଇ କୌଣସି ଅସମ୍ମତି ନ ଥାଏ।
ଓଡ଼ିଶା ପରିପ୍ରେକ୍ଷୀରେ ଏହା ଏକ ବିଡ଼ମ୍ବନା ଯେ, ଲୋକ କଲ୍ୟାଣ ନଁାରେ ଆମେ ନୂଆ ନୂଆ ଯୋଜନା ପାଇ ଚାଲୁଛୁ। ମାତ୍ର ମାନବ ସମ୍ବଳର ବିକାଶ ପାଇଁ ଶିକ୍ଷା ଓ ସ୍ବାସ୍ଥ୍ୟ ପରି ଦୁଇ ଗୁରୁତ୍ୱପୂର୍ଣ୍ଣ ସେବାକ୍ଷେତ୍ରରେ ବଡ଼ ସାଲିସ କରି ଚାଲିଛୁ। ଉଦାହରଣ ସ୍ବରୂପ, ଆମେ ଅଗ୍ରଣୀ ସ୍ବୟଂସେବା ସଂସ୍ଥା ‘ପ୍ରଥମ’ ତରଫରୁ ୨୦୨୨ ବର୍ଷ ପାଇଁ ପ୍ରକାଶିତ ତଥ୍ୟକୁ ବିଚାରକୁ ନେଇପାରିବା। ବିସ୍ତୃତ ତଥ୍ୟ ଭିତରୁ ଏହା ମଧ୍ୟ ଜଣାଗଲା ଯେ, ଅଷ୍ଟମ ପାସ୍‌ରୁ ଶତକ ୨୩. ୪ ଛାତ୍ରୀ ଓ ୨୯. ୭ ଛାତ୍ର ଦ୍ୱିତୀୟ ଶ୍ରେଣୀର ପୁସ୍ତକ ପଢ଼ିବା ପାଇଁ ଅକ୍ଷମ। ସେହିପରି ୟୁନେସ୍କୋ(୨୦୨୧)ର ତଥ୍ୟ ଦର୍ଶାଏ ଯେ, ଓଡ଼ିଶାରେ ୩୧୯୭ଟି ବିଦ୍ୟାଳୟ ଜଣେ ମାତ୍ର ଶିକ୍ଷକ ଦ୍ୱାରା ପରିଚାଳିତ, ଯେଉଁଥିରୁ ୮୮ ଭାଗ ବିଦ୍ୟାଳୟ ଗ୍ରାମାଞ୍ଚଳରେ ଅବସ୍ଥିତ। ଅନେକ ବିଦ୍ୟାଳୟ ଥିବ ଯେଉଁଠି ୫ଟି ଶ୍ରେଣୀ ପାଇଁ ମାତ୍ର ଜଣେ ଶିକ୍ଷକ ଥିବେ। ରାଜ୍ୟରେ ଉଚ୍ଚ ଶିକ୍ଷାର ସ୍ଥିତି ମଧ୍ୟ ସହଜେ ଅନୁମେୟ। ସ୍ବାସ୍ଥ୍ୟ କଥା ତ ସମସ୍ତଙ୍କ ଅଙ୍ଗେନିଭା! ଆଇନ ବ୍ୟବସ୍ଥା ବିଷୟରେ ମଧ୍ୟ ଆମେ ଏଠାରେ ଆଲୋଚନା କରୁନାହୁଁ। ଆମର ପ୍ରଧାନ ପ୍ରଶ୍ନଟି ହେଲା, ଶିକ୍ଷାର ଗୁଣବତ୍ତା ବିନା ‘ଆକାଂକ୍ଷା’ ଜାତ ହେବ କିପରି?
ଆର୍ଥିକ ଢାଞ୍ଚାର କ୍ରମାଗତ ପରିବର୍ତ୍ତନ ଯୋଗୁ ଗାଁରେ ରହୁଥିବା ଏକ ବଡ଼ ବର୍ଗ ପାଇଁ ପାରମ୍ପରିକ କର୍ମ ସଂସ୍ଥାନ ଆଉ ପୂର୍ବପରି ଉପଲବ୍ଧ ନୁହେଁ। ପଳାୟନ ଏକ ସ୍ବାଭାବିକ ପ୍ରକ୍ରିୟାରେ ପରିଣତ ହୋଇଛି। ତେବେ ବୟସ୍କ ବ୍ୟକ୍ତି, ଶିଶୁ, ତରୁଣ, ମା’ମାନେ ଯିବେ କୁଆଡ଼େ। ନିଜର ପିଲାମାନେ ଯଦି କିଛି ବାହାରୁ ଟଙ୍କା ପଠାଉଥିବେ ସେତିକି ସମ୍ବଳ ସହ ସୀମିତ ସମ୍ପତ୍ତିରୁ ନାମମାତ୍ର ଆୟରେ ପ୍ରତିପୋଷଣର ଜ୍ୱାଳା ଭିତରେ ଯେ କୌଣସି ଉପାୟରେ ‘ପ୍ରତ୍ୟକ୍ଷ ସରକାରୀ ସହଯୋଗ’ ସେମାନଙ୍କ ପାଇଁ ନିଶ୍ଚୟ ଏକ ବଡ଼ ଆଶ୍ୱାସନା। ତେଣୁ ତାହା ପିଲାମାନଙ୍କ ପାଇଁ ‘ମଧ୍ୟାହ୍ନ ଭୋଜନ’ ହେଉ ବା ମାଆମାନଙ୍କ ପାଇଁ ‘ସୁଭଦ୍ରା’, ଚାଷୀମାନଙ୍କ ପାଇଁ ‘କାଳିଆ’ (ଏବେ ନୂଆ ନାଁ- ସି.ଏମ୍‌.କିଷାନ ସମ୍ମାନ), ବୟସ୍କମାନଙ୍କ ‘ମଧୁବାବୁ ପେନ୍‌ସନ’ ବା ପୂରା ପରିବାର ପାଇଁ ‘ପି. ଏମ୍‌. ଗରିବ କଲ୍ୟାଣ ଅନ୍ନ’ ଯୋଜନା – ଏ ସବୁ ଯୋଜନା ଅସହାୟତାରୁ ବ୍ୟକ୍ତିକୁ ଆଶ୍ବସ୍ତି ପ୍ରଦାନକାରୀ ନିଶ୍ଚୟ। ଆମେ ଏହାର ବିରୋଧୀ ନୋହୁଁ। ମାତ୍ର ଏ ସବୁ ଯୋଜନା ପ୍ରଣୟନ ପୂର୍ବରୁ ଚିହ୍ନଟ ଓ ହସ୍ତାନ୍ତରଣ ପ୍ରକ୍ରିୟା ସ୍ବଚ୍ଛ ଓ ପାରଦର୍ଶୀ ହେବା ଜରୁରୀ। ଯଥା ଏକ ସରକାରୀ ଆକଳନ କହେ ଯେ ଗ୍ରାମୀଣ ଓଡ଼ିଶାର ଦରିଦ୍ରତା ଶତକ ୨୦ ରୁ କମ୍‌ (ନୀତି ଆୟୋଗ, ୨୦୨୪)। ତାହାଲେ ଓଡ଼ିଶାର ୮୨ ଭାଗ ଲୋକ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ ରେ ହିତାଧିକାରୀ ହେଲେ କେମିତି? ସେହିପରି ପାଠକେ ଜାଣି ବିସ୍ମିତ ହେବେ ଯେ, ୨୦୨୦ କୋଭିଡ ସମୟରେ ମାତ୍ର ତିନି ମାସ ପାଇଁ ଆରମ୍ଭ ହୋଇଥିବା ଏହି ଗରିବ କଲ୍ୟାଣ ଅନ୍ନ ଯୋଜନା ଏବେ ୨୦୨୮ ପର୍ଯ୍ୟନ୍ତ ପ୍ରସାରିତ ହୋଇ ସାରିଲାଣି। ୨୦୨୪-୨୫ ବଜେଟରେ ଏଥିପାଇଁ ଖର୍ଚ୍ଚ ଅଟକଳ ହୋଇଛି ୨,୦୫,୨୫୦କୋଟି ଟଙ୍କା। ଅବଶ୍ୟ ଏଥିରେ ଏବର୍ଷଠାରୁ ସମସ୍ତ ପ୍ରକାର ଖାଦ୍ୟ ସବ୍‌ସିଡି ସମ୍ମିଳିତ ହୋଇଛି। ତେବେ ଶିକ୍ଷା, ରୋଜଗାର ଓ ଦକ୍ଷତା ବିକାଶ ପାଇଁ ବଜେଟରେ ବ୍ୟୟବରାଦ ହୋଇଛି ୧,୪୮,୦୦୦ କୋଟି ଟଙ୍କା। ମୋଟ ବ୍ୟୟର ପ୍ରତିଶତ ହିସାବରେ ଦେଖିଲେ ମାନବ ସମ୍ବଳ ବିକାଶ ପାଇଁ ଉଦ୍ଦିଷ୍ଟ ଏହି ଶିକ୍ଷା-ରୋଜଗାର-ଦକ୍ଷତା ବିକାଶ ବ୍ୟୟ ୨୦୧୬-୧୭ରେ ଏଥିନିମିତ୍ତ କରାଯାଇଥିବା ବ୍ୟୟଠାରୁ ମଧ୍ୟ କମ୍‌। ସେହିପରି ମୋଟ ଖର୍ଚ୍ଚର ଶତକଡ଼ା ଦେଖିଲେ ଏ ବର୍ଷ ରାଜ୍ୟ ସରକାରଙ୍କ ଶିକ୍ଷା ଉପରେ ବ୍ୟୟବରାଦ (୧୩. ୪%) ଗତବର୍ଷର ଖର୍ଚ୍ଚ (୧୪. ୬%) ଠାରୁ କମ୍‌ ଅଛି। ତେଣୁ ଜନପ୍ରିୟତା ହାସଲକାରୀ ଯୋଜନା ଆଗରେ ଶିକ୍ଷା କ୍ଷେତ୍ରଟି ମ୍ଳାନ ପଡ଼ିଯାଉଛି। ପ୍ରଶ୍ନ ହେଉଛି ଯେ ଏପରି କାହିଁକି ହେଉଛି?
ପୁଣି ଆଲୋଚନା ସେହି ‘ଶୀର୍ଷ ଆରୋପିତ’ ବ୍ୟବସ୍ଥାକୁ ଫେରିଲା, ଯାହାକୁ ଆମେ ‘ପିତୃତ୍ୱବାଦ ବ୍ୟବସ୍ଥା’ ବୋଲି କହୁଛୁ। କାରଣ ଯେପରି ଛୋଟ ପିଲାଟିଏ ଜାଣି ନ ଥାଏ କେଉଁଟା ଠିକ୍‌, କେଉଁଟା ଭୁଲ୍‌। ବାପା ତା’ ପାଇଁ ନିଷ୍ପତ୍ତି ନିଅନ୍ତି। ସେହିଭଳି ଆମେ ଜାଣିନୁ ଯେ ଆମ ପିଲା ପାଇଁ ସ୍କୁଲରେ ଶିକ୍ଷକ ଜରୁରୀ ନା ମଧ୍ୟାହ୍ନଭୋଜନ ! ସରକାର ଆମର ମାଆବାପା, ଯାହା ବ୍ୟବସ୍ଥା କରିବେ, ଉଚିତ ବ୍ୟବସ୍ଥା କରିବେ ! ଏହାକୁ ଆମେ ଜଡ଼ତା ନା ଉଦାସୀନତା ନା ଆତ୍ମଲୁପ୍ତି କ’ଣ କହିବା? ମାତ୍ର ଏକ ବିଶିଷ୍ଟ ସମୂହ ଏପରି ଦ୍ୱିବିଧ ମଧ୍ୟରେ ରହିଲେ ଏହି ‘ପିତୃତ୍ୱବାଦ’ ବ୍ୟବସ୍ଥା କାୟା ବିସ୍ତାର କରି ଚାଲିଥିବ।
କିନ୍ତୁ ପିତୃତ୍ୱବାଦରୁ ‘ଆକାଂକ୍ଷା’ର ଅକାଳ ମୃତ୍ୟୁ ନ ହେଉ। ଦୀର୍ଘକାଳରେ ଗ୍ରାମୀଣ ଜୀବିକାରେ ‘ଜଡ଼ତା’ ସୃଷ୍ଟି ନ ହେଉ। ଜନତାଙ୍କ କର୍ମପ୍ରବଣତା ବାଧିତ ନ ହେଉ। ସରକାର ପ୍ରଗତିର ସୁଗମକର୍ତ୍ତା ହୁଅନ୍ତୁ, ମାତ୍ର ରାଜ୍ୟ ଅଭିଭାବକତ୍ୱରୁ ଲୋକଙ୍କୁ ମୁକ୍ତିମିଳୁ।
ପ୍ରଫେସର, ଅର୍ଥଶାସ୍ତ୍ର ବିଭାଗ, ପୂର୍ବୋତ୍ତର ପର୍ବତୀୟ ବିଶ୍ୱବିଦ୍ୟାଳୟ, ଶିଲଂ, ମେଘାଳୟ
ମୋ: ୭୨୦୫୦୪୬୫୩୧

 

 

 

 

ସୌଜନ୍ୟ-ଧରିତ୍ରୀ

Comments are closed.