ମନୋରଞ୍ଜନ

Space: ମହାକାଶରେ କରୁଣାର ମର୍ମସ୍ପର୍ଶୀ ଅବତାରଣା

ବୈଜ୍ଞାନିକମାନେ କହନ୍ତି ଯେ ଆମେ ସମସ୍ତେ ତାରାରୁ ତିଆରି। ପୁଣି ସୂର୍ଯ୍ୟ ପରି ଏକ ତାରା ସକଳ ଶକ୍ତିର ଆଧାର ବୋଲି ପୃଥିବୀରେ ଜୀବନ ସୃଷ୍ଟି ହୋଇ ମଣିଷ ପର୍ଯ୍ୟନ୍ତ ବିବର୍ତ୍ତନ ସମ୍ଭବ ହୋଇଛି। ତେବେ ଯଦି ଏକ ଏଲିଅନ୍‌ ଜାତି ସୂର୍ଯ୍ୟର ଶକ୍ତିକୁ ଏତେ ମାତ୍ରାରେ ଶୋଷଣ....

ବୈଜ୍ଞାନିକମାନେ କହନ୍ତି ଯେ ଆମେ ସମସ୍ତେ ତାରାରୁ ତିଆରି। ପୁଣି ସୂର୍ଯ୍ୟ ପରି ଏକ ତାରା ସକଳ ଶକ୍ତିର ଆଧାର ବୋଲି ପୃଥିବୀରେ ଜୀବନ ସୃଷ୍ଟି ହୋଇ ମଣିଷ ପର୍ଯ୍ୟନ୍ତ ବିବର୍ତ୍ତନ ସମ୍ଭବ ହୋଇଛି। ତେବେ ଯଦି ଏକ ଏଲିଅନ୍‌ ଜାତି ସୂର୍ଯ୍ୟର ଶକ୍ତିକୁ ଏତେ ମାତ୍ରାରେ ଶୋଷଣ କରିବାକୁ ଲାଗେ ଯେ ପରବର୍ତ୍ତୀ ୩୦ ବର୍ଷରେ  ସୂର୍ଯ୍ୟର ତେଜ କମିଯାଇ ମଣିଷର ଅସ୍ତିତ୍ବ ବିପଦଗ୍ରସ୍ତ ହେବା ଅବଶ୍ୟମ୍ଭାବୀ, ତେବେ ମଣିଷ କ’ଣ କରିବ? ଆଉ ଯଦି ସମଗ୍ର ପୃଥିବୀର ଭାଗ୍ୟ ଜଣେ ଶିକ୍ଷକଙ୍କ ସାହସିକତା ଉପରେ ନିର୍ଭର କରେ ତେବେ ପରିଣାମ କ’ଣ ହେବ? ଏଭଳି ଏକ କାଳ୍ପନିକ ପରିସ୍ଥିତିକୁ ନେଇ ରଚିତ ବିଜ୍ଞାନ ଉପନ୍ୟାସ ‘ପ୍ରୋଜେକ୍ଟ ହେଲ୍‌ ମେରି’କୁ ଚଳଚ୍ଚିତ୍ରର ରୂପ ଦିଆଯାଇଛି।

ଆରମ୍ଭରେ ରେଲାଣ୍ଡ୍ ଗ୍ରେସ୍ (ରାୟନ୍‌ ଗସ୍‌ଲିଙ୍ଗ୍‌) ଚରିତ୍ର ଏକ ମହାକାଶଯାନରେ ନିଜକୁ ଆବିଷ୍କାର କରୁଛି। ଅନ୍ୟ ଦୁଇଜଣ ସହଯାତ୍ରୀ ମୃତ୍ୟୁବରଣ କରିସାରିଛନ୍ତି। ଗଭୀର ନିଦ୍ରାରୁ ଉଠିବା ପରେ ତା’ର କିଛି ମନେ ପଡୁ ନାହିଁ। ଧୀରେ ଧୀରେ ସ୍ମୃତି ଫେରିବା ସହିତ ସେ ବୁଝୁଛି ଯେ ପୃଥିବୀକୁ ବଞ୍ଚାଇବା ପାଇଁ ସେ ୧୨ ଆଲୋକବର୍ଷ ଦୂରସ୍ଥ ‘ଟାଉ ସେଟି’ ସୌରମଣ୍ଡଳକୁ ଏକ ମିସନରେ ଆସିଛି। ଏହି ସମୟରେ ଅନ୍ୟ ଗ୍ରହର ଏକ ମହାକାଶଯାନ ସହିତ ସେ ମୁହାଁମୁହିଁ ହେଉଛି। ଏଲିଅନ୍ ଜୀବ ସହିତ ରେଲାଣ୍ଡ୍‌ର ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ସ୍ଥାପନର ପ୍ରକ୍ରିୟାରେ ଏହି ଚଳଚ୍ଚିତ୍ରର ସବୁଠାରୁ ମଜାଳିଆ ଓ ଆଶାବାଦୀ ଦୃଶ୍ୟଗୁଡ଼ିକ ଅଭିନୀତ ହୋଇଛି। ବୁଢ଼ିଆଣୀ ସଦୃଶ ଏଲିଅନ୍‌କୁ ରେଲାଣ୍ଡ୍ ‘ରକି’ ନାମ ଦେଉଛି। ଉଭୟଙ୍କ ଲକ୍ଷ୍ୟ ଗୋଟିଏ- ନକ୍ଷତ୍ରକୁ ଫମ୍ପା କରିଦେଉଥିବା ଏକକୋଷୀ ଏଲିଅନ୍ ‘ଆଷ୍ଟ୍ରୋଫେଜ୍’ କବଳରୁ ନିଜନିଜ ଗ୍ରହକୁ ରକ୍ଷା କରିବା। ନାନା ଭିନ୍ନତା ସତ୍ତ୍ବେ ସେମାନେ ପରସ୍ପରଙ୍କ ସକାରାତ୍ମକ ଶକ୍ତିକୁ ବିନିଯୋଗ କରୁଛନ୍ତି, ଜଣେ ଆଉ ଜଣକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜିରେ ଲଗାଇବାକୁ ସଂକୋଚ କରୁନାହାନ୍ତି।
ମଣିଷ ପରସ୍ପର ମଧ୍ୟରେ ଯୁଦ୍ଧ କରୁଥିବା ସମୟରେ ଏହି କାଳ୍ପନିକ ସିନେମାଟି ଆମକୁ ଅସଲ ଜୀବନର ଏକ ଗୂଢ଼ କଥା ପୁଣି ଥରେ ମନେ ପକାଇଦେଇଛି। ମଣିଷର ଶ୍ରେଷ୍ଠତା କରୁଣା ଓ ଏକତାରେ ନିହିତ, ହିଂସାରେ ନୁହେଁ। ସେ ଯାବତୀୟ ପ୍ରଗତି ହାସଲ କରିଛି ପରସ୍ପରର ସହଯୋଗ ଓ ଭରସା ବଳରେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button