ନୂଆଦିଲ୍ଲୀ: ବଜେଟ୍‌ ଅଧିବେଶନର ଆଜି ପ୍ରଥମ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣକୁ ନେଇ  କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଦେଇଥିବା ମନ୍ତବ୍ୟ ରାଜନୈତିକ ଝଡ଼ ସୃଷ୍ଟି କରିଛି। ରାଷ୍ଟ୍ରପତିଙ୍କ ଭାଷଣକୁ ସମାଲୋଚନା କହିବା ସହ ତାଙ୍କୁ ‘ବିଚାରୀ ମହିଳା’ ବୋଲି ସୋନିଆଙ୍କ ବୟାନକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।  ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଶ୍ରୀମତୀ ଗାନ୍ଧୀଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହ ଏହା ସର୍ବୋଚ୍ଚ ସାମ୍ବିଧାନିକ ପଦର ମର୍ଯ୍ୟାଦା ପ୍ରତି ବିରୋଧୀଙ୍କ ଅବମାନନାକୁ ଦର୍ଶାଉଛି ବୋଲି କହିଥିଲେ। ବିରୋଧୀମାନେ ନିଜର ସାମନ୍ତବାଦୀ ମାନସିକତାରେ ପଛୁଆ ବର୍ଗ ଓ ମହିଳାସଶକ୍ତୀକରଣକୁ ତଥା ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଆସିଥିବା ପରିବର୍ତ୍ତନକୁ ଉପହାସ କରିବାକୁ ପସନ୍ଦ କରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନଡ୍ଡା କହିଛନ୍ତି।

ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ କ୍ଷମା ପ୍ରାର୍ଥନା କରିବାକୁ ଦାବି କରି କହିଛନ୍ତି, ସୋନିଆ ଗାନ୍ଧୀ ଓ ଅନ୍ୟ ବିରୋଧୀ ନେତାଙ୍କ ମନ୍ତବ୍ୟକୁ ମୁଁ ନିନ୍ଦା କରୁଛି। ଆମ ରାଷ୍ଟ୍ରପତି, ଜଣେ ଆଦିବାସୀ ମହିଳା, କିନ୍ତୁ ଦୁର୍ବଳ ନୁହନ୍ତି। ଦ୍ରୌପଦୀ ମୁର୍ମୁ ଦେଶ ଓ ସମାଜ ପାଇଁ ବ୍ୟାପକ କାର୍ଯ୍ୟ କରିଛନ୍ତି, ସେମାନେ କଳ୍ପନା ବି କରିପାରିବେ ନାହିଁ। ସେମାନେ ତାଙ୍କୁ କ୍ଷମା ମାଗିବା ଦରକାର ବୋଲି ରିଜିଜୁ କହିଛନ୍ତି।  ବିଜେପି ସାଂସଦ ସୁକାନ୍ତ ମଜୁମଦାର କହିଛନ୍ତି ଯେ ଜଣେ ଆଦିବାସୀ ମହିଳା ଦେଶର ରାଷ୍ଟ୍ରପତି ହେବା କଥାକୁ କଂଗ୍ରେସର ସାମନ୍ତବାଦୀ ମାନସିକତା ହଜମ କରିପାରୁନାହିଁ।

ରାଷ୍ଟ୍ରପତିଙ୍କୁ ମୋଦୀଙ୍କ ପ୍ରଶଂସା: କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ବଜେଟ୍ ଅଧିବେଶନରେ ବିବାଦ ସୃଷ୍ଟି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ସଂସଦର ମିଳିତ ସଦନରେ ରାଷ୍ଟ୍ରପତି ଆଜି ଦେଇଥିବା ଅଭିଭାଷଣ ଏକ ବିକଶିତ ଭାରତ ଗଠନ ଦିଗରେ ଆମ ମାର୍ଗର ଏକ ଗୌରବମୟ ରୂପରେଖ ଥିଲା। ସେ ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରିବା ସହ ଭବିଷ୍ୟତର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ତାଙ୍କ ଅଭିଭାଷଣରେ ଏଭଳି ଏକ ଭାରତର ପରିକଳ୍ପନା ରଖାଯାଇଛି, ଯେଉଁଠି ଯୁବପିଢ଼ିଙ୍କୁ ଉନ୍ନତି ପାଇଁ ସର୍ବୋତ୍ତମ ସୁଯୋଗ ମିଳିବ।

ସୋନିଆଙ୍କୁ ସମର୍ଥନ କଲେ ପ୍ରିୟଙ୍କା ଗାନ୍ଧୀ
ମୋ ମା’ ଜଣେ ୭୮ ବର୍ଷୀୟ ମହିଳା
‘ବିଚାରୀ ମହିଳା ରାଷ୍ଟ୍ରପତି ଶେଷ ବେଳକୁ ବହୁତ ଥକି ଯାଉଥିଲେ, ସେ କଥା କହି ପାରୁ ନ ଥିଲେ’ ବୋଲି ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ବିବାଦ ଉପୁଜିବା ଓ ବିଜେପି ନେତାମାନେ ଏହି ମନ୍ତବ୍ୟକୁ ଅପମାନଜନକ ବୋଲି କ୍ଷମା ମାଗିବାକୁ ଦାବି କରିବା ପରେ ମାଆଙ୍କ ସମର୍ଥନରେ ବାହାରିଥିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ସେ କହିଛନ୍ତି ଯେ ତାଙ୍କ ମା’ଙ୍କ କଥା ପଛରେ କୌଣସି ଖରାପ ଉଦ୍ଦେଶ୍ୟ ନାହିଁ। ମୋ ମା’ ଜଣେ ୭୮ ବର୍ଷୀୟା ମହିଳା, ସେ କେବଳ କହିଛନ୍ତି ଯେ ରାଷ୍ଟ୍ରପତି ଏତେ ଲମ୍ବା ଭାଷଣ ପଢ଼ିଛନ୍ତି ଯେ ସେ ନିଶ୍ଚୟ ଥକିଯାଇଥିବେ, ଏହା ଖରାପ କଥା। ସେ ଭାରତର ରାଷ୍ଟ୍ରପତିଙ୍କୁ ସମ୍ପୂର୍ଣ୍ଣ ସମ୍ମାନ ଦିଅନ୍ତି। ମୁଁ ଭାବୁଛି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଗଣମାଧ୍ୟମ ଏଭଳି ଘଟଣାରୁ ଅନ୍ୟ ଅର୍ଥ ବାହାର କରୁଛି। ତିଳକୁ ତାଳ କରିଥିବାରୁ ବିଜେପି ପ୍ରଥମେ କ୍ଷମା ମାଗିବା ଦରକାର ବୋଲି ପ୍ରିୟଙ୍କା କହିଛନ୍ତି।