Breaking News

ରାଷ୍ଟ୍ରୀୟ ମହତ୍ତ୍ବ ସ୍ମାରକୀ ଅବହେଳିତ

ଦେଢ଼ ବର୍ଷ ତଳେ ପ୍ରାଚୀନ ଶୈବପୀଠ କପିଳେଶ୍ବର ମନ୍ଦିରକୁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ‘ରାଷ୍ଟ୍ରୀୟ ମହତ୍ତ୍ବ ସ୍ମାରକୀ’ ଘୋଷଣା କଲା। ନେତା-ନେତା, ଦଳ-ଦଳ ଭିତରେ ଶ୍ରେୟ ନେବାକୁ ପ୍ରତିଯୋଗିତା ଚାଲିଲା।

ଭୁବନେଶ୍ବର: ଦେଢ଼ ବର୍ଷ ତଳେ ପ୍ରାଚୀନ ଶୈବପୀଠ କପିଳେଶ୍ବର ମନ୍ଦିରକୁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ‘ରାଷ୍ଟ୍ରୀୟ ମହତ୍ତ୍ବ ସ୍ମାରକୀ’ ଘୋଷଣା କଲା। ନେତା-ନେତା, ଦଳ-ଦଳ ଭିତରେ ଶ୍ରେୟ ନେବାକୁ ପ୍ରତିଯୋଗିତା ଚାଲିଲା। ଖୁସିରେ ଆତ୍ମହରା ହେଲେ ସ୍ଥାନୀୟ ବାସିନ୍ଦା ଓ ସେବାୟତ। ଆଶାଥିଲା ଏଏସ୍‌ଆଇ ଅଧୀନକୁ ଯିବା ପରେ ମନ୍ଦିରର ଭାଗ୍ୟ ବଦଳିଯିବ। ‌କିନ୍ତୁ ଦେଢ଼ ବର୍ଷ ପରେ ବି ମନ୍ଦିର କାମ ହେଲାନାହିଁ। ପଞ୍ଚଦଶ ଶତାବ୍ଦୀର ଏହି ମନ୍ଦିର ଏବେ ବି ଅବହେଳିତ। କପିଳେଶ୍ବର ମନ୍ଦିର ସମେତ ବେଢ଼ାରେ ଥିବା ପ୍ରଥମ ଓ ଦ୍ବିତୀୟ କପିଳେଶ୍ବର, ମୁଖ୍ୟ ଠାକୁରାଣୀ ଚତୁର୍ଭୁଜା ଦୁର୍ଗା, ମା’ ପାର୍ବତୀ ଓ ଅନ୍ୟ ସମସ୍ତ ମନ୍ଦିରରେ ଖୋଦେଇ ହୋଇଥିବା ବିରଳ କାରୁକାର୍ଯ୍ୟସବୁ ଲିଭି ଗଲାଣି। ବର୍ଷ ବର୍ଷ ଧରି ଖରା ଓ ବର୍ଷାରେ ମନ୍ଦିର ଫିକା ପଡ଼ିଗଲାଣି। ସାମାନ୍ୟ ବର୍ଷାହେଲେ ମୁଖ୍ୟମନ୍ଦିରର ଜଗମୋହନ, ଭଣ୍ଡାରଗୃହ, ନାଟମଣ୍ଡପ, ରୋଷଘର (ଅଛିଣ୍ଡା ପାହାଚ) ସମେତ ଗର୍ଭଗୃହ ସାରା ପାଣି ଗଳୁଛି। ମନ୍ଦିରର ଦକ୍ଷିଣ ପାର୍ଶ୍ବରେ ଥିବା ମଣିକର୍ଣ୍ଣିକା ପୁଷ୍କରିଣୀ ଓ ଠାକୁରଙ୍କ ନୀତି ପାଇଁ ପାଣି ଯାଉଥିବା ବାମ୍ଫି ଅବହେଳିତ ହୋଇପଡ଼ିଛି।

ଏଏସ୍‌ଆଇ ଅଧୀନକୁ ମନ୍ଦିର ଯିବା ପୂର୍ବରୁ ମନ୍ଦିର କାମ ପାଇଁ ସେବାୟତମାନେ ଦାବି କରିଥିଲେ  ହେଁ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଆଖି ବୁଜି ଦେଇଥିଲା। ତେଣୁ ଏଏସ୍‌ଆଇ ହାତକୁ ନେବାପାଇଁ ସେବାୟତମାନେ ସାଂସଦଙ୍କୁ ନିବେଦନ କରିଥିଲେ। ଏଏସ୍‌ଆଇ ହାତକୁ ଯିବା ପରେ ଲୋକ ଦେଖାଣିଆ ଭାବେ ମନ୍ଦିରକୁ ସଫା କରାଯାଇଥିଲା। କିନ୍ତୁ ଅନ୍ୟାନ୍ୟ କାମ ଏପର୍ଯ୍ୟନ୍ତ କରାଯାଇନାହିଁ। ଯାହାକୁ ନେଇ ସେବାୟତମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସେବାୟତମାନେ ମନ୍ଦିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଏଏସ୍‌ଆଇକୁ ଚିଠି ଲେଖି ଜଣାଇଛନ୍ତି।

କପିଳେଶ୍ବର ମନ୍ଦିରକୁ ଏକାମ୍ର ପ୍ରକଳ୍ପରେ ସାମିଲ କରିବାକୁ ଦାବି ହେବା ପରେ ବିଜେଡି ସରକାର ଯୋଜନା କରିଥିଲେ। ୫୦ବର୍ଷ ପାଇଁ ମନ୍ଦିରକୁ ଯେପରି ଅର୍ଥର ଅଭାବ ରହିବନି ସେନେଇ ସ୍ଥାୟୀ ବ୍ୟବସ୍ଥା ସହ ପାରିପାର୍ଶ୍ବିକ ବିକାଶର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏନ୍ଏଚ୍‌-୩୧୬ ଠାରୁ କପିଳେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଚଉଡ଼ା ରାସ୍ତା ନିର୍ମାଣ ପାଇଁ ୫୦କୋଟିର ଖର୍ଚ୍ଚ ଅଟକଳ କରିଥିଲେ। ସରକାର ବଦଳିବା ପରେ ଏସବୁ ଶୀତଳ ଭଣ୍ଡାରରେ। ସେବାୟତ ଅରବିନ୍ଦ ମଲିଆ କହିଛନ୍ତି ଏଏସ୍‌ଆଇ ‌ନେବା ପରେ ସକାଳ ଓ ସନ୍ଧ୍ୟାରେ କେବଳ ମନ୍ଦିର ପରିସରକୁ ସଫା କରାଯାଉଛି। ୨୫ଟି ବିନ୍ଦୁରେ କାମ କରିବାକୁ ଏଏସ୍‌ଆଇକୁ ପରାମର୍ଶ ଦିଆଯାଇଛି। କର୍ପୋରେଟର ଚନ୍ଦ୍ରଶେଖର ମଲିଆ କହିଛନ୍ତି ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିର ଅବସ୍ଥା ଭଲ ନାହିଁ। ଏଏସ୍‌ଆଇ ତୁରନ୍ତ ଏସବୁ ସମସ୍ୟାର ସମାଧାନ କରୁ।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.