Breaking News

ରାସ୍ତା ଏତେ ସହଜ ନୁହେଁ: ସରକାରଙ୍କ ପାଇଁ ମାଳମାଳ ଆହ୍ବାନ

ବିଜେପି ସରକାରକୁ ୨୦୦ ଦିନ ପାର୍‌ ହୋଇଗଲାଣି। ବ୍ୟବସ୍ଥାକୁ ବୁଝିବା ନିମନ୍ତେ ଗୋଟିଏ ସରକାର ପାଇଁ ଏତିକି ସମୟ ଢେର୍। ‘ଆମେ ନୂଆ ସରକାର’। ଏକଥା କହିଲେ ଆଉ ଓଡ଼ିଶାବାସୀ ଗ୍ରହଣ କରିନପାରନ୍ତି।

ଚୌଧୁରୀ ଅମିତାଭ ଦାସ
ଭୁବନେଶ୍ବର: ବିଜେପି ସରକାରକୁ ୨୦୦ ଦିନ ପାର୍‌ ହୋଇଗଲାଣି। ବ୍ୟବସ୍ଥାକୁ ବୁଝିବା ନିମନ୍ତେ ଗୋଟିଏ ସରକାର ପାଇଁ ଏତିକି ସମୟ ଢେର୍। ‘ଆମେ ନୂଆ ସରକାର’। ଏକଥା କହିଲେ ଆଉ ଓଡ଼ିଶାବାସୀ ଗ୍ରହଣ କରିନପାରନ୍ତି। ହଁ, ୨୪ ବର୍ଷର ପୁରୁଣା ସରକାରର ଦୋଷତ୍ରୁଟିକୁ ସାମ୍ନାକୁ ଆଣି ହଲାପଟା କରିପାରନ୍ତି ସରକାର, କିନ୍ତୁ କାର୍ଯ୍ୟାନୁଷ୍ଠାନ ଆଶା କରିବା ସ୍ବାଭାବିକ। ଏବେ ପ୍ରତିଟି ପ୍ରସଙ୍ଗରେ ଲୋକ ସରକାରଙ୍କୁ ହିଁ ଜବାବ ମାଗିବେ। ଏସବୁ ସହିତ ନୂଆବର୍ଷ ପାଇଁ ନୂଆ ଆହ୍ବାନ ହେଉଛି ସରକାରୀ ଦଳ ଓ ସରକାରୀ କଳର ଆଚରଣ ଓ ଉଚ୍ଚାରଣ। ତୁଣ୍ଡରେ ଲଗାମ କାମରେ ଦମ୍ ଦେଖାଇବାକୁ ପଡ଼ିବ। ଏସବୁ ଦୃଷ୍ଟିରୁ ୨୦୨୫ ଯେ ବିଜେପି ସରକାର ପାଇଁ କଠିନ ପରୀକ୍ଷାର ସମୟ ଏକଥା ଏବେଠାରୁ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ପୂର୍ବାନୁମାନ କଲେଣି। ବିଜେପି ସରକାରର କାର୍ଯ୍ୟଧାରାରେ ଏକ ମିଶାମିଶି ଚିତ୍ର ସାମ୍ନାକୁ ଆସିଯାଉଛି। ନିର୍ବାଚନର ପ୍ରତିଶ୍ରୁତି ପୂରଣ କରିବା ପାଇଁ ସରକାର ନିଶ୍ଚିତ ଉଦ୍ୟମ କରିଛନ୍ତି। ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ସହ ରତ୍ନଭଣ୍ଡାର ଖୋଲିଛନ୍ତି। ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଟଙ୍କା ଦିଆଯାଉଛି। ଯଦିଓ ‘ସୁଭଦ୍ରା’ ଯୋଜନାକୁ ପ୍ରତିଶ୍ରୁତି ମୁତାବକ ଲାଗୁ କରିନାହାନ୍ତି, ତଥାପି ଏଯାଏ ୮୦ଲକ୍ଷ ମହିଳା ଉପକୃତ ହେଲେଣି। ସେମିତି ଧାନର ଏମ୍ଏସ୍‌ପି ଉପରେ ବୋନସ୍ ୮୦୦ ଟଙ୍କା ଦେଇଛନ୍ତି ସରକାର। ମାତ୍ର ଅନ୍ୟାନ୍ୟ ପ୍ରତିଶ୍ରୁତି ପାଳନ କରିବା ପାଇଁ ୨୦୨୫ରେ ସରକାରଙ୍କ ଉଦ୍ୟମ ଉପରେ ସମସ୍ତଙ୍କ ନଜର ରହିଛି।

ସରକାରଙ୍କ ପାଇଁ ମାଳମାଳ ଆହ୍ବାନ
‘ନୂଆ ସରକାର’ କହି ଆଉ ସମୟ ଗଡ଼ାଇପାରିବେନି
‘ଓଡ଼ିଆ ଅସ୍ମିତା’ ପାଇଁ ଠୋସ୍ ପଦକ୍ଷେପକୁ ଅପେକ୍ଷା
ମନ୍ତ୍ରୀମାନଙ୍କ ଆଚରଣ, ଉଚ୍ଚାରଣ ସରକାର ପାଇଁ ଚ୍ୟାଲେଞ୍ଜ

ପୂରୁଣା ବର୍ଷରେ ମନ୍ତ୍ରୀମାନଙ୍କର ବେଲଗାମ ତୁଣ୍ଡ ସରକାରଙ୍କୁ ଅଧିକ ଅଡ଼ୁଆରେ ପକାଇଥିଲା। ଅଭିଜ୍ଞତାର ଅଭାବ ହେଉ କିମ୍ବା ଅତର୍କିତ କ୍ଷମତା ମିଳିଥିବାରୁ ହେଉ, ମନ୍ତ୍ରୀମାନେ ମନଇଚ୍ଛା ବିବୃତି ଦେଇ ସମାଲୋଚନାର ଶୀକାର ହୋଇଥିଲେ। କିଛି ମନ୍ତ୍ରୀ ଓ ଶାସକ ଦଳ ବିଧାୟକଙ୍କ ଆଚରଣ ଅତ୍ୟନ୍ତ ଆପତ୍ତିଜନକ ରହିଥିଲା, ଯାହା କି ସରକାରଙ୍କ ପାଇଁ ଅଶ୍ବସ୍ତିର କାରଣ ହୋଇଥିଲା। ୨୦୨୫ରେ ଏସବୁର ଯେପରି ପୁନରାବୃତ୍ତି ନହୁଏ, ସେଥି ପ୍ରତି ସରକାର ଓ ସରକାରୀ ଦଳ ସତର୍କ ରହିବା ଜରୁରୀ। ୨୦୩୬ରେ ଓଡ଼ିଶାକୁ ୧୦୦ ବର୍ଷ ଛୁଇଁବ। ସରକାର ଏବେଠୁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରୁଛନ୍ତି। ଏ ଦିଗରେ ୨୦୨୫ରେ ଠୋସ୍‌ ପଦକ୍ଷେପ ଆଶା କରାଯାଉଛି। ଯୋଜନା ବୋର୍ଡକୁ ପୁନର୍ଗଠନ କରିବେ ନା ନିତି ଆୟୋଗ ଢାଞ୍ଚାରେ ଏଠାରେ କମିସନ୍ ଗଠନ କରିବେ, ସେ ନିଷ୍ପତ୍ତି ଝୁଲିଛି। ୨୦୩୬ ପାଇଁ ଭିଜନ୍ କାର୍ଯ୍ୟକାରୀ କରିବାକୁ ଯୋଜନା ବୋର୍ଡକୁ ରାଜନୈତିକ ଥଇଥାନର ସଂସ୍ଥା ନକରି ସକ୍ରିୟ କରିବାକୁ ପଡ଼ିବ। ଅର୍ଥ କମିସନ୍ ବି ଗଠନ ହୋଇ ନାହିଁ। କେନ୍ଦ୍ର ଅର୍ଥ କମିସନ୍ ନିକଟରେ ରାଜ୍ୟର ଦାବି କ’ଣ ରହିବ, ସେ ଦିଗରେ ରାଜ୍ୟ କମିସନ୍‌ଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ୨୦୨୫ ଜାନୁଆରିରେ ସରକାର ଏ ଦିଗରେ ପଦକ୍ଷେପ ନେବେ। ହେଲେ ଏସବୁରେ ବିଳମ୍ବ ଅର୍ଥ ଓଡ଼ିଶାର ସ୍ବାର୍ଥ ବ୍ୟାହତ ହେବ। ସ୍ମରଣଥାଉକି, ‘ଓଡ଼ିଆ ଅସ୍ମିତା’କୁ ପ୍ରସଙ୍ଗ କରି ନିର୍ବାଚନରେ ସଫଳତା ପାଇଲା ବିଜେପି। ନବୀନ-ପାଣ୍ଡିଆନ ଶାସନରେ ଅଣଓଡ଼ିଆଙ୍କ ପ୍ରାଦୁର୍ଭାବ ବଢ଼ିଛି ବୋଲି ଲୋକଙ୍କୁ ବୁଝାଇଥିଲା ଦଳ। ଅଣଓଡ଼ିଆମାନେ ଖଣି, ପାଣି ଲୁଟି ନେଇଯାଉଛନ୍ତି ବୋଲି ଧାରଣା ତିଆରି କରିଥିଲା। କିନ୍ତୁ ବିଜେପିର ଶାସନରେ ‘ଓଡ଼ିଆ ଅସ୍ମିତା’ର ସୁରକ୍ଷା ପାଇଁ ଠୋସ୍ ପ୍ରସ୍ତୁତିକୁ ଏ ଯାଏ ଲୋକ ଅନୁଭବ କରିନାହାନ୍ତି। ଅସ୍ମିତା ଭବନ ପାଇଁ ୨୦୦ କୋଟି ଦିଆଯାଇଛି। ଏ ଅର୍ଥରେ ଅସ୍ମିତାର ସୁରକ୍ଷା ପାଇଁ କ’ଣ ହେବ, ତାହା କେହି ଜାଣିନାହାନ୍ତି। ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ଯଥାସମ୍ଭବ ଅଧିକ କରାଯାଉଥିବା ଲକ୍ଷ୍ୟ କରାଯାଉଛି। କିନ୍ତୁ ଭାଷାରେ ମାଳ ମାଳ ତ୍ରୁଟି ଆଉ ଏକ ଗୁରୁତର ସମସ୍ୟା ଭାବେ ମୁଣ୍ଡ ଟେକିଛି। ପ୍ରଶାସନ ଓ ବ୍ୟବସାୟରେ ଅଣଓଡ଼ିଆଙ୍କ ପ୍ରଭାବ ଯେମିତି ଥିଲା, ସେମିତି ଅଛି। ଚରିତ୍ରରେ କିଛିଟା ଅଦଳବଦଳ ହୋଇଯାଇଛନ୍ତି। ୨୦୨୫ରେ ଓଡ଼ିଆ ଅସ୍ମିତା ଓ ଓଡ଼ିଆଙ୍କର ସ୍ବାର୍ଥ ପାଇଁ ବଡ଼ ପଦକ୍ଷେପ ନନେଲେ, ସରକାର ଅଡ଼ୁଆରେ ପଡ଼ିପାରନ୍ତି।

ପୋଲାଭରମ୍‌, ମହାନଦୀ, କୋଟିଆ ଆଦି ପ୍ରସଙ୍ଗରେ ଓଡ଼ିଆ ଅସ୍ମିତା ଯୋଡ଼ି ହୋଇ ରହିଛି। ସଂଯୋଗକ୍ରମେ ଏବେ ସେହି ପଡ଼ୋଶୀ ରାଜ୍ୟରେ ବିଜେପି ସରକାର। ତେଣୁ ଏହି ପ୍ରସଙ୍ଗରେ ଓଡ଼ିଶାର ସ୍ବାର୍ଥ କିପରି ରକ୍ଷା ହେବ, ତାହା ରାଜ୍ୟ ସରକାରଙ୍କ ପାଇଁ ଅଗ୍ନି ପରୀକ୍ଷା ସଦୃଶ। ଏଥି ପାଇଁ ସରକାର ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି। ଅଥଚ ୨୦୨୫ରେ ଏହି ବିବାଦର ସମାଧାନ ଦିଗରେ ‌ଆଖିଦୃଶିଆ ପଦକ୍ଷେପ ନନେଲେ, ସରକାର ‘ଓଡ଼ିଆ ଅସ୍ମିତା’ ଜାଲରେ ନିଜେ ଛନ୍ଦି ହେବାର ଆଶଙ୍କା ବି ରହିଛି। ସେମିତି ନିର୍ବାଚନ ବେଳେ ବିଜେପି ଟାର୍ଗେଟ୍‌ରେ ଥିଲେ ଭି କେ ପାଣ୍ଡିଆନ ଓ ତାଙ୍କ ଗୋଷ୍ଠୀ। କିନ୍ତୁ ଗତ କିଛି ଦିନ ହେଲା ସରକାରଙ୍କ ଗତିବିଧିରୁ ଲୋକ ଅନୁଭବ କରୁଛନ୍ତି ଯେ ପାଣ୍ଡିଆନ ଓ ତାଙ୍କ ଟିମକୁ ସୁରକ୍ଷା ଦେବା ପାଇଁ ସରକାର କାମ କରୁଛନ୍ତି। ଏହା ସରକାରଙ୍କର ଏକ ନକାରାତ୍ମକ ଭାବମୂର୍ତ୍ତି ସୃଷ୍ଟି କରିଛି। ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାର ତଦନ୍ତ ହେଉଛି ବୋଲି କେତେବେଳେ ପରିବହନ ମନ୍ତ୍ରୀ ତ କେତେବେଳେ ଆଇନ ମନ୍ତ୍ରୀ କହୁଛନ୍ତି। କିନ୍ତୁ ଯାଞ୍ଚ କେବେ ସରିବ ଓ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ, ତାହାର ଉତ୍ତର କାହା ପାଖରେ ନାହିଁ। ବିଜେଡି ସରକାର ସମୟରେ ଦୁର୍ନୀତିର ପାହାଡ଼ ସୃଷ୍ଟି ହୋଇଥିଲା ବୋଲି ମନ୍ତ୍ରୀମାନେ କହିଚାଲିଛନ୍ତି। କିନ୍ତୁ ନିଜ ନିଜ ବିଭାଗରେ ସେହି ଦୁର୍ନୀତିକୁ ଚିହ୍ନଟ କରି ତଦନ୍ତ ପାଇଁ କେହି ଏ ଯାଏ ସୁପାରିସ କରିନାହାନ୍ତି। ଏହି ଆହ୍ବାନକୁ ୨୦୨୫ରେ ସରକାର କିପରି ସାମ୍ନା କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.