ଜାତୀୟ

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି ଫଳାଫଳ ଘୋଷଣା, ୫,୧୦୦ ଜଣ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ମନୋନୀତ

ମୁମ୍ବାଇ: ରିଲାଏନ୍ସର ପ୍ରତିଷ୍ଠାତା ଏବଂ ପୂର୍ବ ଅଧ୍ୟକ୍ଷ ଧୀରୁଭାଇ ଅମ୍ବାନୀଙ୍କ ୯୩ତମ ଜନ୍ମବାର୍ଷିକୀ ପୂର୍ବ ସନ୍ଧ୍ୟାରେ, ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଏହାର ପ୍ରତିଷ୍ଠିତ ସ୍ନାତକ (ଅଣ୍ଡର ଗ୍ରାଜୁଏଟ) ଏବଂ ସ୍ନାତକୋତ୍ତର (ପିଜି) ଛାତ୍ରବୃତ୍ତିର ଫଳାଫଳ ଘୋଷଣା କରାଯାଇଛି। ଏହି ବର୍ଷ, ସାରା ଦେଶରୁ ୫,୦୦୦ ସ୍ନାତକ ଏବଂ ୧୦୦ ଜଣ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି।

ଚୟନ ହୋଇଥିବା ସ୍ନାତକ ଛାତ୍ରଛାତ୍ରୀମାନଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ପିଜି ଛାତ୍ରଛାତ୍ରୀମାନଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବ। ଏହି ପଦକ୍ଷେପ ୨୦୨୨ରେ ଘୋଷିତ ପ୍ରତିଶୃତିର ଏକ ଅଂଶ, ଯାହା ଅଧୀନରେ ରିଲାଏନ୍ସ ଫାଉଣ୍ଡେସନ ୧୦ ବର୍ଷ ମଧ୍ୟରେ ୫୦,୦୦୦ ଛାତ୍ରବୃତ୍ତି ପ୍ରଦାନ କରିବ। ଏପର୍ଯ୍ୟନ୍ତ, ରିଲାଏନ୍ସ ଫାଉଣ୍ଡେସନ ୩୩,୪୭୧ ଛାତ୍ରବୃତ୍ତି ପ୍ରଦାନ କରିଛି।

ସାରା ଦେଶରୁ ବ୍ୟାପକ ଅଂଶଗ୍ରହଣ

୨୦୨୫-୨୬ ବ୍ୟାଚ୍ ପାଇଁ ଚୟନ ପ୍ରକ୍ରିୟା ଅତ୍ୟନ୍ତ ପ୍ରତିଯୋଗିତାମୂଳକ ଥିଲା। ୧ ଲକ୍ଷ ୨୫ ହଜାରରୁ ଅଧିକ ଆବେଦନପତ୍ର ମଧ୍ୟରୁ ମନୋନୀତ ୫,୧୦୦ ଜଣ ଛାତ୍ରଛାତ୍ରୀ ୨୮ଟି ରାଜ୍ୟ ଏବଂ ୪ଟି କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି ଏବଂ ୧୫,୫୪୪ ଶିକ୍ଷାନୁଷ୍ଠାନର ପ୍ରତିନିଧିତ୍ୱ କରୁଛନ୍ତି, ଯାହା ଏହି କାର୍ଯ୍ୟକ୍ରମର ସର୍ବଭାରତୀୟ ଉପଲବ୍ଧତାକୁ ପ୍ରତିଫଳିତ କରୁଛି।

ରିଲାଏନ୍ସ ଫାଉଣ୍ଡେସନର ମୁଖପାତ୍ର କହିଛନ୍ତି, “ଭାରତର ଯୁବପିଢ଼ି ଅସାଧାରଣ ପ୍ରତିଭା ଏବଂ ଦୃଢ଼ ସଂକଳ୍ପର ଅଧିକାରୀ। ଆମର ଛାତ୍ରବୃତ୍ତି କେବଳ ଆର୍ଥିକ ସହାୟତା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ପରାମର୍ଶ, ଦୃଢ଼ ସହକର୍ମୀ ନେଟୱାର୍କ ଏବଂ ନେତୃତ୍ୱ ବିକାଶ ସୁଯୋଗ ମଧ୍ୟ ପ୍ରଦାନ କରେ। ଆମେ ନୂତନ ମେଧାବୀ ମାନଙ୍କୁ ପୂରୁଣା ସୀମାକୁ ଅତିକ୍ରମ କରିବା, ବଡ଼ ସ୍ୱପ୍ନ ଦେଖିବା ଏବଂ ‘ବିକଶିତ ଭାରତ’ ଲକ୍ଷ୍ୟ ହାସଲ କରିବାକୁ ଉତ୍ସାହିତ କରୁଛୁ।”

ବିବିଧତା ଏବଂ ଉତ୍କର୍ଷତା ଉପରେ ବିଶେଷ ଧ୍ୟାନ

ଚୟନିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିବିଧତା ଏବଂ ପ୍ରତିଭା ଉଭୟ ପରିଲକ୍ଷିତ ହୋଇଛି। ମୋଟ ଚୟନିତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮୩ ପ୍ରତିଶତ ଏଭଳି ପରିବାରରୁ ଆସିଛନ୍ତି ଯାହାର ବାର୍ଷିକ ଆୟ ଅଢେଇ ଲକ୍ଷ ଟଙ୍କାରୁ କମ୍ ରହିଛି। ଶିକ୍ଷାଗତ ପ୍ରଦର୍ଶନକୁ ଦେଖିବାକୁ ଗଲେ ୯୭ ପ୍ରତିଶତ ସ୍ନାତକ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀରେ ୯୦ ପ୍ରତିଶତରୁ ଅଧିକ ନମ୍ବର ହାସଲ କରିଛନ୍ତି। ସ୍ନାତକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୪୮ ପ୍ରତିଶତ ଝିଅ ଏବଂ ୫୨ ପ୍ରତିଶତ ପୁଅ ରହିଛନ୍ତି। ଏହି ବର୍ଷ, ୧୪୬ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଚୟନ କରାଯାଇଛି। ୧୦୦ ଜଣ ମନୋନୀତ ପିଜି ଛାତ୍ରଛାତ୍ରୀ କୃତ୍ରିମ ବୁଦ୍ଧିମତ୍ତା, କମ୍ପ୍ୟୁଟର ବିଜ୍ଞାନ, ନବୀକରଣୀୟ ଶକ୍ତି ଏବଂ ଲାଇଫ ସାଇନ୍ସ ଭଳି ଭବିଷ୍ୟତ-ମୁଖୀ କ୍ଷେତ୍ରଗୁଡ଼ିକରେ ଅଧ୍ୟୟନ କରୁଛନ୍ତି।

ଅନୁଦାନ ସହିତ ଅଧିକ ସହଯୋଗ

ସ୍କଲାରସିପ୍ ସହିତ, ମନୋନୀତ ଛାତ୍ରଛାତ୍ରୀମାନେ ବିଶ୍ୱବ୍ୟାପୀ ପୂର୍ବରୁ ମେଧାବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କ ନେଟୱାର୍କ ଏବଂ ବିଶେଷଜ୍ଞମାନଙ୍କ ଦ୍ୱାରା ପରିଚାଳିତ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମରୁ ଉପକୃତ ହୋଇଥାନ୍ତି। ଅନେକ ପୂର୍ବ ମେଧାବୀ ଭାରତ ଏବଂ ବିଦେଶରେ ମର୍ୟ୍ୟାଦାଜନକ ନିଯୁକ୍ତି ପାଇଛନ୍ତି, ଗବେଷଣା କରୁଛନ୍ତି ଏବଂ ଅନ୍ତର୍ଜାତୀୟ ମଞ୍ଚରେ ଭାରତ ପାଇଁ ଗୌରବ ଆଣିଛନ୍ତି।

କିପରି ଦେଖିବେ ଫଳାଫଳ:

ଆବେଦନକାରୀମାନେ scholarships.reliancefoundation.org କୁ ଯାଇ ଏବଂ ସେମାନଙ୍କର ୧୭-ଅଙ୍କ ବିଶିଷ୍ଟ ଆବେଦନ ନମ୍ବର କିମ୍ବା ପଞ୍ଜିକୃତ ଇମେଲ୍ ଆଇଡି ଦେଇ ଫଳାଫଳ ଦେଖିପାରିବେ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button