Breaking News

ରେଳବାଇକୁ ନେଇ କଥା କଟାକଟି

ପୂର୍ବତଟ ରେଳବାଇରୁ ୱାଲ୍‌ଟିୟର ଡିଭିଜନକୁ ଅଲଗା କରିବାକୁ ନେଇ ଆଜି ବିଧାନସଭାରେ ସରଗରମ ଆଲୋଚନା ହୋଇଛି। ବିଜେଡି ଓ ବିଜେପି ସଭ୍ୟମାନଙ୍କ ଭିତରେ କଥା କଟାକଟି ହୋଇଛି।

ଭୁବନେଶ୍ବର: ପୂର୍ବତଟ ରେଳବାଇରୁ ୱାଲ୍‌ଟିୟର ଡିଭିଜନକୁ ଅଲଗା କରିବାକୁ ନେଇ ଆଜି ବିଧାନସଭାରେ ସରଗରମ ଆଲୋଚନା ହୋଇଛି। ବିଜେଡି ଓ ବିଜେପି ସଭ୍ୟମାନଙ୍କ ଭିତରେ କଥା କଟାକଟି ହୋଇଛି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରଥମେ ଏହି ପ୍ରସଙ୍ଗ ଉଠାଇ କହିଲେ, ବିଜୁ ପଟ୍ଟନାୟକଙ୍କ ଉଦ୍ୟମକ୍ରମେ ୧୯୯୫-୯୬ରେ ପୂର୍ବତଟ ରେଳପଥ ଓଡ଼ିଶାରେ ପ୍ରତିଷ୍ଠା କରାଯାଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜେ ବି ପଟ୍ଟନାୟକଙ୍କ ସମେତ ସବୁ ରାଜନୈତିକ ଦଳର ଏଥିରେ ଉଦ୍ୟମ ରହିଥିଲା। ୱାଲ୍‌ଟିୟର ଡିଭିଜନ୍ ଏହାର ଏକ ମୁଖ୍ୟ ଅଂଶ। ଏହାକୁ ସାଉଥ୍ କୋଷ୍ଟ ରେଲୱେ, ବିଶାଖାପାଟଣା ସହ ମିଶାଇବାକୁ ଷଡ଼ଯନ୍ତ୍ର ଚାଲିଛି। ଏହା ଫଳରେ ଓଡ଼ିଶା ୨୦ ହଜାର କୋଟି ଟଙ୍କାର କ୍ଷତି ସହିବ। ରେଳ ମନ୍ତ୍ରୀ ଓଡ଼ିଶାରୁ ଜିତିଛନ୍ତି। କିନ୍ତୁ ଓଡ଼ିଶାର ସ୍ବାର୍ଥ ବିରୋଧରେ ଷଡ଼୍‌ଯନ୍ତ୍ର ହେଉଛି। ମନ୍ତ୍ରୀଙ୍କର ଓଡ଼ିଶା ପ୍ରତି ପ୍ରୀତି ନାହିଁ। ମୋତେ ଲଜ୍ଜା ଲାଗୁଛି ତାଙ୍କୁ ଆମେ ଭୋଟ୍ ଦେଇ ଏଠାରୁ ଜିତାଇଛୁ। ଓଡ଼ିଶା ବିରୋଧରେ ଷଡ଼୍‌ଯନ୍ତ୍ରକୁ ଆମେ ବରଦାସ୍ତ କରିବୁନି। ଗଣେଶ୍ବର ବେହେରା ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ।

ରେଳ ମନ୍ତ୍ରୀଙ୍କୁ ଭୋଟ୍ ଦେଇ ଲଜ୍ଜା ଲାଗୁଛି: ରଣେନ୍ଦ୍ର
ଗୋଟିଏ ଇଞ୍ଚ ବି ରେଳପଥ ଯିବନି: କେଭି

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଲେ, ୱାଲ୍‌ଟିୟର ଡିଭିଜନକୁ କାଢ଼ି ନିଆଗଲେ ଓଡ଼ିଶାର କ୍ଷତି ହେବ। ଓଡ଼ିଶାର ଖଣି, ପାଣି ଲୁଣ୍ଠନ କରିବାକୁ ବିଜେପି ସରକାର ଯୋଜନା କରୁଛନ୍ତି। ସୋଫିଆ ଫିର୍‌ଦୋସ ମଧ୍ୟ ଏହାର ପ୍ରତିବାଦ କରିଥିଲେ। ବିରୋଧୀଙ୍କ ମନ୍ତବ୍ୟର ଜବାବ ରଖିଥିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ସେ କହିଥିଲେ, ଓଡ଼ିଶାରୁ ଗୋଟିଏ ଇଞ୍ଚ ବି ରେଳଲାଇନ୍ ଅନ୍ୟ ଆଡ଼କୁ ଯିବନି। ପୂର୍ବତଟ ରେଳପଥ ଅଧୀନରେ ତିନିଟି ଯାକ ଡିଭିଜନ୍ ନିଶ୍ଚିତ ରହିବ। ଆହୁରି ମଧ୍ୟ ରାୟଗଡ଼ା ଡିଭିଜନ୍ ପାଇଁ ୧୦୭ କୋଟି ଟଙ୍କାରେ ଟେଣ୍ଡର୍ ଡକାସରିଛି। ତେଣୁ ବିଜେପି ସରକାରରେ ଓଡ଼ିଶାର କିଛି ବି କ୍ଷତି ହେବ ନାହିଁ। ଉପା ସରକାର ସମୟରେ ସାଉଥ୍ କୋଷ୍ଟ ରେଲୱେ ପାଇଁ ନିଷ୍ପତ୍ତି ହୋଇଥିଲା। ସେତେବେଳେ ଆପଣଙ୍କ ସାଂସଦମାନେ କ’ଣ କରୁଥିଲେ?
ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଓଡ଼ିଶାର କ୍ଷତି ହେବନି ବୋଲି କହିଥିଲେ। ଶାସକ ଦଳ ସଭ୍ୟ ଟଙ୍କଧର ତ୍ରିପାଠୀ, ଅମରେନ୍ଦ୍ର ଦାସ ଓ ସିଦ୍ଧାନ୍ତ ମହାପାତ୍ର ନରେନ୍ଦ୍ର ମୋଦୀଙ୍କ ସରକାର ସମୟରେ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ କିପରି ଅନୁଦାନ ବଢ଼ାଇ ଦିଆଯାଇଛି ସେ ସମ୍ପର୍କରେ କହିଥିଲେ।

ସୌଜନ୍ୟ-ସମ୍ୱାଦ

Comments are closed.