Breaking News

ରେଳବାଇରେ ଚାକିରି ଦେବାକୁ କହି ଠକେଇ ମାମଲା: ଲମ୍ବୁଛି ଆଶାୟୀଙ୍କ ଅଭିଯୋଗ,ଫେରାର୍‌ ଅଭିଯୁକ୍ତ ମା’କୁ ଧରିବାକୁ ପୁଲିସର ତନାଘନା

କଟକ,୨୦/୧୨: ରେଳବାଇରେ ଚାକିରି  ପାଇବା ପାଇଁ ଲକ୍ଷାଧିକ ଟଙ୍କା ଦେଇ ଠକେଇର  ଶିକାର ହୋଇଥିବା ଆଶାୟୀଙ୍କ ତାଲିକା ଲମ୍ବିବାରେ  ଲାଗିଛି । ଗୋଟିଏ ମାମଲା ରୁଜୁ କରି ବିଡ଼ାନାସୀ  ଥାନା ପୁଲିସ ସୁଭଦ୍ରା ନଗରର ଡାନିଏଲ୍‌ ରାଜକୁ  ଗିରଫ କରିଛି । ଏହି ଗିରଫଦାରୀ ଖବର ପ୍ରଚାରିତ  ହେବା ପରେ ଥାନାକୁ ଅଭିଯୋଗ ଆସିବା ସଂଖ୍ୟା  ବଢ଼ିଛି । ଠକେଇର ଶିକାର ହୋଇଥିବା ଆଉ ଦୁଇଜଣ ଏତଲା ଦେବା ପରେ ପୁଲିସ ଦୁଇଟି ମାମଲା  ରୁଜୁ କରିଛି । ତେବେ ଏହି ଘଟଣାରେ ଫେରାର୍‌  ଥିବା ଡାନିଏଲ୍‌ର ମା’ଙ୍କୁ ଗିରଫ କରିବାକୁ ପୁଲିସ  ତନାଘନା କରୁଛି । ତେବେ ଗିରଫ ଡାନିଏଲ୍‌ର କିଛି  ପୁଲିସ କର୍ମଚାରୀଙ୍କ ସହିତ ଲିଙ୍କ୍‌ ଥିବା ଠକେଇର  ଶିକାର ହୋଇଥିବା ଆଶାୟୀମାନେ କହୁଛନ୍ତି । କଟକ,  ଜଗତପୁର, ଚୌଦ୍ୱାର, ବାଲେଶ୍ୱର ଓ ଭୁବନେଶ୍ୱରରେ  ଡାନିଏଲ୍‌ର କିଛି ପରିଚିତ ପୁଲିସ କର୍ମଚାରୀ ରହୁଛନ୍ତି । ସେମାନେ ଆଶାୟୀମାନଙ୍କୁ ଡାନିଏଲ୍‌ ପାଖକୁ ପଠାନ୍ତି ଓ ଡାନିଏଲ୍‌ ସେହି  ଆଶାୟୀଙ୍କୁ ନେଇ ନିଜର ମା’କୁ ଭେଟ କରାଇ ଚାକିରିର ଠକେଇ ଜାଲରେ ଫସାଉଥିଲା । ଖାଲି ସେତିକି ନୁହେଁ, ଚାକିରି ଆଶାୟୀଙ୍କ ବିଶ୍ୱାସଭାଜନ ହେବା ପାଇଁ ଟଙ୍କା ନେଲାବେଳେ ଡାନିଏଲ୍‌ଙ୍କ ମା’ ବଣ୍ଡ୍‌ ପେପର୍‌ରେ ଦସ୍ତଖତ ମଧ୍ୟ କରାଉଥିଲା । ଏପରିକି ଚାକିରି ନଦେଇ ପାରିଲେ ନିଜ ଜମିବାଡ଼ି ସମ୍ପତିରୁ ଭାଗ ଦେବ ବୋଲି ମଧ୍ୟ ସେ’ ବଣ୍ଡ୍‌ ପେପର୍‌ରେ  ଲେଖିବାକୁ ପଛାଉନଥିଲା ।

ଗିରଫ ଅଭିଯୁକ୍ତ ଡାନିଏଲ୍‌ଙ୍କ ମା’ ନିଜକୁ ଇଷ୍ଟକୋଷ୍ଟ ରେଳବାଇର ଜଣେ ବରିଷ୍ଠ ଅଧିକାରୀଙ୍କ ବ୍ୟକ୍ତିଗତ ସଚିବ ବୋଲି ପରିଚୟ ଦେଇ ଆସୁଥିଲେ । ମହିଳା ଜଣକ ରେଳବାଇର ବିଭିନ୍ନ କାର୍ଯ୍ୟାଳୟକୁ  ଯା’ଆସ କରୁଥିବାରୁ ବହୁ ଲୋକ ତାଙ୍କୁ ବରିଷ୍ଠ  ଅଧିକାରୀଙ୍କ ସଚିବ ବୋଲି ବିଶ୍ୱାସ ମଧ୍ୟ କରୁଥିଲେ ।  ଏପରିକି ସେ’ ରେଳବାଇରେ ଚାକିରି କରାଇଦେଇ  ପାରିବେ ବୋଲି ଲୋକଙ୍କୁ କହୁଥିଲେ । ଏହି ଖବର ପାଇ ବହୁ ଚାକିରି ଆଶାୟୀ ତାଙ୍କୁ ସିଧାସଳଖ ଭେଟୁଥିଲେ । କିଛି ଆଶାୟୀଙ୍କୁ ପୁଅ ଡାନିଏଲ୍‌ ନେଇ  ମା’ଙ୍କ ପାଖରେ ଭେଟ କରାଉଥିଲା । ପରେ ଡାନିଏଲ୍‌ଙ୍କ ମା’ ଆଶାୟୀଙ୍କୁ  ନେଇ ଭୁବନେଶ୍ୱରରେ ଅନ୍ୟ କିଛି  ମହିଳା ଓ ପୁରୁଷଙ୍କ ସହ ଭେଟ  କରାଉଥିଲେ । ଆଶାୟୀମାନେ ଯେଉଁ ମହିଳା ଓ ପୁରୁଷଙ୍କୁ ଭେଟୁଥିଲେ  ସେମାନଙ୍କ ମଧ୍ୟରୁ ଜଣେ ମହିଳା  ନିଜକୁ ଆଇଏଏସ୍‌ ଅଫିସର  ବୋଲି ପରିଚୟ ଦେଉଥିଲେ ।  ଏତେ ବଡ଼ବଡ଼ ଲୋକଙ୍କ ସହିତ  ପରିଚୟ ଥିବାରୁ ଚାକିରି ପାଇବା  ପକ୍କା ବୋଲି ବିଶ୍ୱାସ କରି ବହୁ ଆଶାୟୀ ଡାନିଏଲ୍‌  ଓ ଫେରାର୍‌ ଥିବା ଡାନିଏଲ୍‌ଙ୍କ ମା’ଙ୍କୁ ଲକ୍ଷାଧିକ ଟଙ୍କା  ଦେଉଥିଲେ । ପରେ ତାଙ୍କୁ ଚାକିରିର ନିଯୁକ୍ତପତ୍ର  ମିଳିବା ସହିତ କୋଲକାତାର ସିଆଲ୍‌ଦା ଷ୍ଟେସନ୍‌ରେ ତଥାକଥିତ ଟ୍ରେନିଂ ବି ଦିଆଯାଉଥିଲା । ହେଲେ ପରେ  ସେହି ଚାକରି ଜାଲ୍‌ ବୋଲି ଜଣାପଡ଼ୁଥିଲା ।

ଡାନିଏଲ୍‌  ଓ ତାଙ୍କ ମା’ବାଲେଶ୍ୱର, ଭଦ୍ରକ, କଟକ ସମେତ  ରାଜ୍ୟର ବିଭିନ୍ନ ଅଞ୍ଚଳର ୪୦ରୁ ଅଧିକ ଆଶାୟୀଙ୍କୁ  ଏଭଳି ଭାବେ ଠକିଥିବା ଅଭିଯୋଗ ହୋଇଆସୁଥିଲା । ଏପରିକି ଜଗତପୁର ଥାନାରେ ସମ୍ପୃକ୍ତ ମହିଳାଙ୍କ ନାଁରେ  ୮ରୁ ଅଧିକ ଆଶାୟୀ ଏତଲା ଦେଇଥିଲେ । ଏହି କ୍ରମରେ ବାଲେଶ୍ୱରର ସଂଜୀବ କୁମାର ରାଉତ ଗତ  ୧୭ ତାରିଖରେ ବିଡ଼ାନାସୀ ଥାନାରେ ଏତଲା ଦେବା  ପରେ ପୁଲିସ ମାମଲା ରୁଜୁ କରି ଗତକାଲି ଡାନିଏଲକୁ  ଗିରଫ କରିଥିଲା । ହେଲେ ତା’ଙ୍କ ମା’ଫେରାର୍‌  ହୋଇଯାଇଛନ୍ତି । ଏହା ମଧ୍ୟରେ ଠକେଇର ଶିକାର ହୋଇଥିବା ଅନ୍ୟ ଦୁଇ ଜଣ ଆଶାୟୀ ଆଜି ବିଡ଼ାନାସୀ  ଥାନାରେ ଏତଲା ଦେଇଛନ୍ତି । ରାସଗୋବିନ୍ଦପୁର ଅମର  ରଞ୍ଜନ ପାତ୍ର ଓ ବାଲେଶ୍ୱର ସୋରର ଚିରଞ୍ଜୀବି  ରାଉତ । ଦୁଇଟି ଏତଲା ପାଇବା ପରେ ପୁଲିସ ୨ଟି  ମାମଲା ରୁଜୁ କରିଛି । ଫେରାର୍‌ ଥିବା ଡାନିଏଲ୍‌ର ମା’କୁ ଧରିବା ପାଇଁ ପୁଲିସ ତନାଘନା କରୁଛି ।

 

 

 

 

ସୌଜନ୍ୟ-ପ୍ରମେୟ

Comments are closed.