Breaking News

ଲକ୍ଷ୍ମୀସାଗର ଖେଳପଡ଼ିଆ ବିବାଦ: ରାସ୍ତା‌ରୋକରୁ ଖଣ୍ଡଯୁଦ୍ଧ

ଆଜି ଲକ୍ଷ୍ମୀସାଗର ସ୍କୁଲ୍‌ ଖେଳପଡ଼ିଆରେ ହେବାକୁ ଥିବା କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟକୁ ପୁଲିସ ହଠାତ୍ ବନ୍ଦ କରିବାରୁ ଖଣ୍ଡଯୁଦ୍ଧ ଘଟିଥିଲା। ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ପୁଲିସ ଟୁର୍ଣ୍ଣାମେଣ୍ଟ ବନ୍ଦ କରିଛି ବୋଲି ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ ପୁଲିସକୁ ଘେରିଥିଲେ।

ଭୁବନେଶ୍ବର: ଆଜି ଲକ୍ଷ୍ମୀସାଗର ସ୍କୁଲ୍‌ ଖେଳପଡ଼ିଆରେ ହେବାକୁ ଥିବା କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟକୁ ପୁଲିସ ହଠାତ୍ ବନ୍ଦ କରିବାରୁ ଖଣ୍ଡଯୁଦ୍ଧ ଘଟିଥିଲା। ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ପୁଲିସ ଟୁର୍ଣ୍ଣାମେଣ୍ଟ ବନ୍ଦ କରିଛି ବୋଲି ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ ପୁଲିସକୁ ଘେରିଥିଲେ। ପରେପରେ ସ୍କୁଲ୍‌ ପଡ଼ିଆ ବିବାଦ ରାଜରାସ୍ତାକୁ ଚାଲିଆସିଥିଲା। ଶତାଧିକ ଉତ୍ତ୍ୟକ୍ତ ପୁରୁଷ ଓ ମହିଳା କଟକରୋଡ୍‌ରେ ଧାରଣା ଦେଇଥିଲେ। ଫଳରେ ପ୍ରାୟ ୨ଘଣ୍ଟା ଧରି ଏହି ରାସ୍ତାରେ ଯାନବାହନ ଚଳାଚଳ ଠପ୍‌ ହୋଇଯାଇଥିଲା। କଳ୍ପନାଛକ ଓ ରସୁଲଗଡ଼ ଛକରୁ ଲକ୍ଷ୍ମୀସାଗର ଛକ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରେ ହଜାର ହଜାର ଗାଡ଼ି ଅଟକି ରହିଥିଲା। ରାସ୍ତା ଉପରେ ପୁଲିସ-ଜନତା ଖଣ୍ଡଯୁଦ୍ଧ ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ। ଲୋକଙ୍କୁ ପୁଲିସ ରାସ୍ତାରୁ ହଟାଇବାକୁ ଚେଷ୍ଟା କରିବାରୁ ଧସ୍ତାଧସ୍ତି ହୋଇଥିଲା।

୨ ଘଣ୍ଟା ପାଇଁ ଠପ୍‌ ହୋଇଗଲା କଟକ ରୋଡ୍‌  ଠିଆହେଲା ହଜାର ହଜାର ଗାଡ଼ି
ମହିଳା ସଜ୍ଞାହୀନ, ୫ ଆହତ  ବିବାଦ ସମାଧାନ ପ୍ରତିଶ୍ରୁତି ପରେ ଉଠିଲେ

ରବିବାର ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ହାଇସ୍କୁଲ୍‌ ପଡ଼ିଆରେ ମ୍ୟାଚ୍ ଆରମ୍ଭ ହେବାର ଥିଲା। ସବୁ ପ୍ରସ୍ତୁତି ସରିଥିଲା। କିନ୍ତୁ ହଠାତ୍‌ ଲକ୍ଷ୍ମୀସାଗର ଥାନା ପୁଲିସ ସେଠାରେ ପହଞ୍ଚି ଟୁର୍ଣ୍ଣାମେଣ୍ଟ ବନ୍ଦ କରିବାକୁ କହିଥିଲା। ଦୀର୍ଘ ବର୍ଷ ଧରି ଏହି ପଡ଼ିଆରେ ହେଉଥିବା ଟୁର୍ଣ୍ଣାମେଣ୍ଟ୍‌କୁ ହଠାତ୍ ପୁଲିସ ବନ୍ଦ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍କୁଲ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଟୁର୍ଣ୍ଣାମେଣ୍ଟ ହେଉଥିବା ଅଭିଯୋଗ ଆଧାରରେ ପୁଲିସ ବନ୍ଦ କରୁଛି ବୋଲି କହିଥିଲା। ସ୍କୁଲ୍‌ ଛୁଟି ବେଳେ ସବୁବର୍ଷ ଏହି ପ୍ରତିଯୋଗିତା ହେଉଥିଲା ଏବଂ ପ୍ରଧାନଶିକ୍ଷକଙ୍କୁ ଅବଗତ କରାଯାଇଥିବା ଗ୍ରାମବାସୀମାନେ କହିଥିଲେ। ତଥାପି ଟୁର୍ଣ୍ଣାମେଣ୍ଟ ହୋଇପାରିବ ନାହିଁ ବୋଲି ପୁଲିସ କହିଥିଲା। ଏହାକୁ ନେଇ କଥା କଟାକଟି ବଢ଼ିଲା ଏବଂ ପୁଲିସର ମନମାନିକୁ ବିରୋଧ କରି ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଥିଲେ। ଗଣ୍ଡଗୋଳ ବଢ଼ିବା ଦେଖି ଆହୁରି ୨ପ୍ଲାଟୁନ୍‌ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ-ଜନତା ମୁହାଁମୁହିଁ ହେବାରୁ ପ୍ରାୟ ୫ଜଣ ଆହତ ହୋଇଥିଲେ। ଜଣେ ମହିଳା ସଂଜ୍ଞାହୀନ ହୋଇପଡ଼ିଥିଲେ। ଥାନାରେ ଆଲୋଚନା କରି ବିବାଦର ଅନ୍ତ ଘଟାଇବାକୁ ପୁଲିସ ପ୍ରତିଶ୍ରୁତି ଦେବା ପରେ ଲୋକେ ରାସ୍ତାରୁ ହଟିଥିଲେ। ଗ୍ରାମବାସୀମାନଙ୍କ କହିବା କଥା ୨୦ବର୍ଷ ହେବ ଏହି ପଡ଼ିଆରେ ଟୁର୍ଣ୍ଣାମେଣ୍ଟ ହେଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଡ଼ିଆର ବିକାଶ ପାଇଁ ୨କୋଟି ଟଙ୍କା ଦେଇଥିଲେ। ଏଥିପାଇଁ ଓଏମ୍‌ସି ସହ ଏମ୍‌ଓୟୁ ହୋଇଥିଲା। ସ୍କୁଲ୍‌ ଛୁଟି ପରେ ସେଠାରେ ଖେଳକୁଦ ହେବ ଏବଂ ସ୍ଥାନୀୟ ଲୋକେ ଏହି ପଡ଼ିଆକୁ ବ୍ୟବହାର କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ରାଜନୈତିକ ଚାପରେ ପୁଲିସ ଏଭଳି ପଦକ୍ଷେପ ନେଇଛି ବୋଲି ଗ୍ରାମବାସୀମାନେ କହିଛନ୍ତି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.