Breaking News

ଲକ୍ଷ୍ମୀସାଗର ଲୁପ୍‌ ରୋଡ୍‌ ଆରମ୍ଭ ହେଉନି: ଦେଢ଼ବର୍ଷ ହେଲା ଖେଳୁଛନ୍ତି, ପିସି ହିସାବ ଛିଣ୍ଡୁନି

ଲକ୍ଷ୍ମୀସାଗର ଲୁପ୍‌ ରୋଡ୍‌ ନବୀକରଣ ପାଇଁ ୨୦୨୩ ମସିହା ସେପ୍ଟେମ୍ବର ମାସରେ ଟେଣ୍ଡର ହୋଇଥିଲା। ହେଲେ କାମ ଆରମ୍ଭ ହୋଇପାରୁନି। ଥରେ ବିଜେଡି ନେତା ନଡ଼ିଆ ବାଡ଼େଇ ଭିତ୍ତପ୍ରସ୍ତର ସ୍ଥାପନ କରିଥିବା ବେଳେ, ସରକାର ବଦଳି ଯିବା ପରେ ନିକଟ ଅତୀତରେ ପୁଣି ଥରେ ବିଜେପି ନେତା ନଡ଼ିଆ ବାଡ଼େଇଛନ୍ତି।

ଭୁବନେଶ୍ବର: ଲକ୍ଷ୍ମୀସାଗର ଲୁପ୍‌ ରୋଡ୍‌ ନବୀକରଣ ପାଇଁ ୨୦୨୩ ମସିହା ସେପ୍ଟେମ୍ବର ମାସରେ ଟେଣ୍ଡର ହୋଇଥିଲା। ହେଲେ କାମ ଆରମ୍ଭ ହୋଇପାରୁନି। ଥରେ ବିଜେଡି ନେତା ନଡ଼ିଆ ବାଡ଼େଇ ଭିତ୍ତପ୍ରସ୍ତର ସ୍ଥାପନ କରିଥିବା ବେଳେ, ସରକାର ବଦଳି ଯିବା ପରେ ନିକଟ ଅତୀତରେ ପୁଣି ଥରେ ବିଜେପି ନେତା ନଡ଼ିଆ ବାଡ଼େଇଛନ୍ତି। ଏହା ପରେ ବି ନିକଟ ଭବିଷ୍ୟତରେ କାମ ଆରମ୍ଭ ହେବା ଭଳି ଦିଶୁନାହିଁ। ରାସ୍ତା ପ୍ରଶସ୍ତୀକରଣ ପାଇଁ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉଠାଇବାରେ ସମସ୍ୟା ହେଉଥିବା ଭୁବନେଶ୍ବର ରାସ୍ତା ଓ କୋଠାବାଡ଼ି ବିଭାଜନ(ଆର୍‌ ଆଣ୍ଡ ବି)-୧ କହୁଥିଲେ ମଧ୍ୟ ପିସି ହିସାବ ଛିଣ୍ଡୁ ନଥିବାରୁ କାମ ଆଗେଇ ପାରୁନଥିବା ଅଭିଯୋଗ ହୋଇଛି। ଲକ୍ଷ୍ମୀସାଗର ଟ୍ରାଫିକ୍‌ରୁ ଝାରପଡ଼ା ଜେଲ୍‌ ଦେଇ ଝାରପଡ଼ା ଓଭରବ୍ରିଜ୍‌ ପର୍ଯ୍ୟନ୍ତ ଯାଇଥିବା ଲକ୍ଷ୍ମୀସାଗର ଲୁପ୍‌ରୋଡ୍‌ର ୧.୯କିମି ଲମ୍ବା ରହିଛି। ଏହି ରାସ୍ତାର ପୁନରୁଦ୍ଧାର ପାଇଁ ଆର୍‌ ଆଣ୍ଡ ବି କରିଥିବା ଟେଣ୍ଡରର ମୂଲ୍ୟ ୬କୋଟି ୨୫ ଲକ୍ଷ ୫୫ ହଜାର ୯୧୩ ଟଙ୍କାର ରହିଥିଲା। ଏଥିରେ ରାସ୍ତା ଚଉଡ଼ା ହେବା ସହ ପିଚୁ ଓ କିଛି ଅଂଶ କଂକ୍ରିଟ୍‌ ହେବାକୁ ଥିଲା। ରାସ୍ତା ମଝିରେ ଥିବା ବ୍ରିଜ୍‌ ମଧ୍ୟ ସଂପ୍ରସାରିତ ହେବାକୁ ଥିଲା। ରାସ୍ତା ଚଉଡ଼ା କରିବାକୁ କଡ଼ରେ ଥିବା କେତେକ ପାଚେରି ଓ ଘରର କିଛି ଅଂଶ ଉଚ୍ଛେଦ ଆବଶ୍ୟକ ଥିଲା। ଏହି ଜବରଦଖଲ ସବୁକୁ ଚିହ୍ନଟ କରାଯାଇଥିଲା। ରାସ୍ତା କଡ଼ରୁ ବିଦ୍ୟୁତ୍‌ ଖୁଣ୍ଟ ଉଠାଇବା ପାଇଁ ଟିପିସିଓଡିଏଲ୍‌କୁ ଖର୍ଚ୍ଚ ଅଟକଳ ଦେବାକୁ ଚିଠି ଲେଖା ହୋଇଥିଲା। ଟିପିସିଓଡିଏଲ୍‌ ମଧ୍ୟ ଖର୍ଚ୍ଚ ଅଟକଳ ଆର୍‌ ଆଣ୍ଡ ବି ବିଭାଜନ-୧ରେ ଦାଖଲ କରିଥିଲା। ଗଛ କାଟିବା ପାଇଁ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି)କୁ ଚିଠି ଲେଖାଯାଇଥିଲା। ଓଏଫ୍‌ଡିସି ମଧ୍ୟ ଏ ନେଇ ଖର୍ଚ୍ଚ ଅଟକଳ ଦାଖଲ କରିଥିଲା। କିନ୍ତୁ ତତ୍‌କାଳୀନ ଅଧିକ୍ଷଣ ଯନ୍ତ୍ରୀ ଏ ବାବଦରେ ଦାଖଲ କରିବାକୁ ଥିବା ଅର୍ଥ ମଞ୍ଜୁର କରି ନଥିଲେ। ଠିକାଦାରଙ୍କ ସହ ପିସି ହିସାବ ଛିଣ୍ଡୁ ନଥିବାରୁ ସେ ଏହି କାମ ଆରମ୍ଭ ହେବା ଚାହୁ ନଥିବା ନେଇ ସେତେବେଳେ ଅଭିଯୋଗ ହୋଇଥିଲା।

ପିସି ହିସାବ ଛିଣ୍ଡୁନି
ଦୁଇଥର ନଡ଼ିଆ ବାଡ଼ିଆ ହେଲାଣି
ମରାମତିରେ ଖର୍ଚ୍ଚ ହୋଇଥିଲା କୋଟିଏ
ଏବେ ଖର୍ଚ୍ଚ ହେବ ୬କୋଟି

ତତ୍‌କାଳୀନ ଅଧିକ୍ଷଣ ଯନ୍ତ୍ରୀଙ୍କର ରାତି ଅଧିଆ ବଦଳି ହେବା ପରେ ଏବେ ନୂଆ ଯନ୍ତ୍ରୀ ଯୋଗଦେଇଛନ୍ତି। ହେଲେ ସେ ବି କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରୁ ନାହାନ୍ତି। ଏହି ଅଞ୍ଚଳ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ସମ୍ବିତ ମହାନ୍ତିଙ୍କର ବଦଳି ହୋଇଥିଲେ ମଧ୍ୟ ସେ ବଦଳି ଆଦେଶ ପାଳନ କରୁନାହାନ୍ତି। ଡିଭିଜନ୍‌ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା ଏଷ୍ଟିମେଟରଙ୍କୁ ନିର୍ଯାତନା ଅଭିଯୋଗ ହୋଇଥିଲେ ମଧ୍ୟ ଅଧିକାରୀ ଆପୋସ ସମାଧାନ କରିଦେଇଛନ୍ତି। ଏଭଳି ଅନେକ କେଳେଙ୍କାରୀ ଏହି ଡିଭିଜନ୍‌କୁ ବିବାଦୀୟ କରି ରଖିଥିବା ବେଳେ, ଟେଣ୍ଡରର ଦେଢ଼ବର୍ଷ ପରେ ବି କାମ ନ ହେବା ଅଧିକାରୀଙ୍କ ଅପାରଗତାକୁ ପଦାରେ ପକାଇଛି।

ସୂଚନାଯୋଗ୍ୟ, ଏହି ରାସ୍ତା ଉପରେ ଲକ୍ଷ୍ମୀସାଗର, ଝାରପଡ଼ା, ଜଗନ୍ନାଥନଗର, ହଳଦୀପଡ଼ିଆ ଆଦି ଅଞ୍ଚଳର ହଜାର ହଜାର ସାଧାରଣ ଲୋକଙ୍କ ସହ ଝାରପଡ଼ା ସ୍ବତନ୍ତ୍ର କାରାଗାର, ଲକ୍ଷ୍ମୀସାଗର ଥାନା, ଟ୍ରାଫିକ୍‌ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ ଭଳି ଗୁରୁତ୍ବପୂର୍ଣ୍ଣ ସରକାରୀ ଅନୁଷ୍ଠାନ ନିର୍ଭର କରେ। ଏହି ରାସ୍ତା ଦେଇ କେଶୁରା, କୋରଡ଼କଣ୍ଟା, ବାଙ୍କୁଆଳ ଲୋକମାନେ ମଧ୍ୟ ସହର ଭିତରକୁ ପ୍ରବେଶ କରନ୍ତି। ୨୦୨୧ରେ ସ୍ବରେଜ୍‌ ପାଇପ୍‌ ବିଛାଇବା ପାଇଁ ରାସ୍ତା ଖୋଳି ୬ମାସରୁ ଅଧିକ ସମୟ ପକାଇ ଦେଇଥି‌ଲେ। ଏହା ଉପରେ ଯେଉଁ ପିଚୁ ପଡ଼ିଲା ତାହା ବର୍ଷକ ଭିତରେ ଉଠିଯାଇଥିଲା। ମୁଖ୍ୟ ଡ୍ରେନ୍‌ ଠାରୁ କିଛି ବାଟ ଆର୍‌ ଆଣ୍ଡ ବି ୨୦ ଲକ୍ଷ ଖର୍ଚ୍ଚ କରି କଂକ୍ରିଟ୍‌ କରିଦେଇଥିଲା। ମୁଖ୍ୟ ଡ୍ରେନ୍‌ ଉପର ବ୍ରିଜ୍‌ର ଗୋଟିଏ ପାର୍ଶ୍ବ ଦବି ଯିବାରୁ ମରାମତିରେ ୧୮ ଲକ୍ଷ ଖର୍ଚ୍ଚ ହୋଇଥିଲା। ଏହା ପରେ ୨୦୨୩ ଭିତରେ ବା ଦୁଇ ବର୍ଷରେ ଆର୍‌ ଆଣ୍ଡ ବି ଏଥିରେ କୋଟିଏ ଟଙ୍କା ଖର୍ଚ୍ଚ କରିଥିଲା।

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.