Breaking News

ଲଙ୍ଗଳା ଲଢ଼େଇ

କ୍ଷମତା ନିଶାରେ ଟ୍ରମ୍ପ ବୋଧହୁଏ ନିଜକୁ ମଧ୍ୟ ପୁଟିନ୍‌ଙ୍କ ପରି ଜଣେ ନିରଙ୍କୁଶ ଏକଛତ୍ର ଶାସକ ରୂପେ ଦେଖୁଛନ୍ତି। ତେଣୁ ସେ ହୃଦୟଙ୍ଗମ କରିପାରୁ ନାହାନ୍ତି ଯେ ଇଉରୋପ୍‌ରେ ଗଣତନ୍ତ୍ର ପ୍ରତି ବିପଦ ଅନତିବିଳମ୍ବେ ଆମେରିକୀୟ ଗଣତନ୍ତ୍ରକୁ ମଧ୍ୟ...

କ୍ଷମତା ନିଶାରେ ଟ୍ରମ୍ପ ବୋଧହୁଏ ନିଜକୁ ମଧ୍ୟ ପୁଟିନ୍‌ଙ୍କ ପରି ଜଣେ ନିରଙ୍କୁଶ ଏକଛତ୍ର ଶାସକ ରୂପେ ଦେଖୁଛନ୍ତି। ତେଣୁ ସେ ହୃଦୟଙ୍ଗମ କରିପାରୁ ନାହାନ୍ତି ଯେ ଇଉରୋପ୍‌ରେ ଗଣତନ୍ତ୍ର ପ୍ରତି ବିପଦ ଅନତିବିଳମ୍ବେ ଆମେରିକୀୟ ଗଣତନ୍ତ୍ରକୁ ମଧ୍ୟ ବିପନ୍ନ କରିବ; ଜେଲେନ୍‌ସ୍କି ସେଦିନ ଟ୍ରମ୍ପଙ୍କୁ କ୍ରୋଧିତ କରି କହିଥିବା ଭଳି ଆଟ୍‌ଲାଣ୍ଟିକ୍ ମହାସାଗର ବେଶି ଦିନ ସେ ବିପଦକୁ ଅଟକାଇ ରଖିପାରିବ ନାହିଁ। ତେବେ ଟ୍ରମ୍ପ ନାମକ ଏହି ନୂତନ ବିକୃତିକୁ ସ୍ବୀକାର କରି ପଶ୍ଚିମ ଇଉରୋପ୍‌ର ଦେଶମାନଙ୍କୁ ଏଣିକି ଏକାଠି ହୋଇ କମର ଭିଡ଼ି ନିଜର ସୁରକ୍ଷା ଦାୟିତ୍ବ ନିଜେ ବହନ କରିବାକୁ ତୁରନ୍ତ ଆଗେଇ ଆସିବାକୁ ପଡ଼ିବ।

ଫେବ୍ରୁଆରି ୨୮ ଶୁକ୍ରବାର ଦିନ ଆମେରିକାର ରାଷ୍ଟ୍ରପତି ଭବନ ହ୍ବାଇଟ୍‌ ହାଉସ୍‌ର ଗର୍ଭଗୃହ ‘ଓଭାଲ୍ ଅଫିସ’ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଓ ଉପରାଷ୍ଟ୍ରପତି ଜେଡି ଭାନ୍‌ସ ଗୋଟିଏ ପଟରେ ଏବଂ ଅନ୍ୟ ପଟରେ କ୍ଷୁଦ୍ର ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍‌ସ୍କିଙ୍କ ମଧ୍ୟରେ ଯେଉଁ ସଂପୂର୍ଣ୍ଣ ନିୟମହୀନ ବାଚନିକ ଲଢ଼େଇ ସାରା ପୃଥିବୀକୁ ସ୍ତମ୍ଭୀଭୂତ କରିଦେଇଛି, ତାହାକୁ ଟ୍ରମ୍ପଙ୍କର ଅବଚେତନ ବିଧ୍ବଂସକ ପ୍ରବୃତ୍ତିର ଏକ ନଗ୍ନ ପରିପ୍ରକାଶ କହିଲେ ଭୁଲ୍ ହେବନାହିଁ। କୁହାଯାଇଥାଏ ଯେ ଜଣେ ବ୍ୟକ୍ତିର ଅସଲ ଚରିତ୍ର ତା’ର ବନ୍ଧୁମାନଙ୍କ ଚରିତ୍ରରୁ ଜଣାପଡ଼ିଥାଏ। ଏହି ପରିପ୍ରେକ୍ଷୀରେ ଡୋନାଲ୍‌ଡ ଟ୍ରମ୍ପଙ୍କର ଅନ୍ତର୍ନିହିତ ଚରିତ୍ର ତାଙ୍କର ଘନିଷ୍ଠତମ ମିତ୍ରଙ୍କର ଚରିତ୍ରର ଛାପ ବହନ କରିଥାଏ ବୋଲି ବିଶ୍ବାସ କରାଯାଇପାରେ।
ଆଉ ଏହି ବନ୍ଧୁ ନୁହନ୍ତି- ଏଲନ୍ ମସ୍କ। ଡୋନାଲ୍‌ଡ ଟ୍ରମ୍ପଙ୍କ ସହିତ ଏଲନ୍ ମସ୍କଙ୍କର ବନ୍ଧୁତ୍ବ ହେଉଛି ଅପେକ୍ଷାକୃତ ନୂତନ। କିନ୍ତୁ ନିଜକୁ ଆମେରିକାର ଏକ ନମ୍ବର ପୁରୁଷ ପୁଙ୍ଗବ ବା ‘ଆଲ୍‌ଫା ମେଲ୍’ ରୂପେ ବିଚାର କରୁଥିବା ଟ୍ରମ୍ପ ବିଗତ ଦଶନ୍ଧି ଦଶନ୍ଧି ଧରି ଯାହାଙ୍କ ସହିତ ଏହାଠାରୁ ପ୍ରଗାଢ଼ତର ବନ୍ଧୁତ୍ବ ବନ୍ଧନରେ ଆବଦ୍ଧ ହୋଇ ରହିଛନ୍ତି, ସେ ହେଉଛନ୍ତି ଆଉ ଜଣେ ପ୍ରମୁଖ ଆକ୍ରମଣାତ୍ମକ ପୁରୁଷ ପୁଙ୍ଗବ, ‘ଅଲ୍‌ଟିମେଟ୍ ଫାଇଟିଙ୍ଗ୍ ଚାମ୍ପିଅନ୍‌ସିପ୍’ (‘ୟୁଏଫ୍‌ସି’) କଂପାନିର ‘ଚିଫ୍ ଇଗ୍‌ଜେକ୍ୟୁଟିଭ୍’ ବା ମାଲିକ- ଡାନା ହ୍ବାଇଟ୍। ସଂକ୍ଷେପରେ କହିଲେ, ଏହି ଖେଳ କସରତ ପରିଚାଳନା କଂପାନି ପ୍ରତିଦ୍ବନ୍ଦ୍ବୀମାନଙ୍କ ମଧ୍ୟରେ ଯେଉଁ ଲଢ଼େଇ ଆୟୋଜିତ କରିଥାଏ, ତାହା ପ୍ରାୟ କୌଣସି ନିୟମ ଦ୍ବାରା ନିୟନ୍ତ୍ରିତ ହୋଇ ନ ଥାଏ କହିଲେ ଚଳେ, ଯାହା ଫଳରେ ‘ୟୁଏଫ୍‌ସି’ ପ୍ରତିଯୋଗିତାମାନ ଅଗଣିତ ଦର୍ଶକମାନଙ୍କ ପାଇଁ ଏକ ଦୁର୍ବାର ରକ୍ତାକ୍ତ ହିଂସ୍ର ଆନନ୍ଦ ପ୍ରଦାନକାରୀ ଆକର୍ଷଣରେ ପରିଣତ ହୋଇଥାନ୍ତି।
ଏଥିରେ ତେଣୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ‌ଯେ ଟ୍ରମ୍ପ ଓ ଭାନ୍‌ସ ନଗ୍ନ ଆକ୍ରମଣ ଚଳାଇ ଜେଲେନ୍‌ସ୍କିଙ୍କୁ ଆନ୍ତର୍ଜାତିକ ଗଣମାଧ୍ୟମର ଭରପୂର ଉପସ୍ଥିତିରେ ଘାଇଲା କରିଦେବା ପରେ ଟ୍ରମ୍ପ ଏହାକୁ ଟେଲିଭିଜନ୍ ଦର୍ଶକମାନଙ୍କ ପାଇଁ ଏକ ଆକର୍ଷଣୀୟ ଦୃଶ୍ୟ ରୂପେ ବର୍ଣ୍ଣନା କରିବା ଦେଖାଯାଇଥିଲା। ଅବଶ୍ୟ ଏକ ଶ୍ବାନ ଯୁଦ୍ଧରେ ତଳେ ପଡ଼ିଯାଇଥିବା ଦୁର୍ବଳ ଶ୍ବାନଟି ମଧ୍ୟ ଯେପରି ତାକୁ ମାଡ଼ି ବସିଥିବା ସବଳ ପ୍ରତିପକ୍ଷକୁ ପ୍ରାଣବିକଳରେ କାମୁଡ଼ି ପକାଇଥାଏ, ଜେଲେନ୍‌ସ୍କି ମଧ୍ୟ ସେଦିନ ତାଙ୍କର ଅପ୍ରମିତ ଶକ୍ତିଶାଳୀ ପ୍ରତିପକ୍ଷଙ୍କୁ ପ୍ରତିଆକ୍ରମଣ କରିବାକୁ ପଛାଇ ନ ଥିଲେ।
ସେଦିନ ‘ଓଭାଲ୍ ଅଫିସ’ରେ ଏହି ‘ୟୁଏଫ୍‌ସି’ସୁଲଭ ଲଙ୍ଗଳା ଲଢ଼େଇରେ ଜେଲେନ୍‌ସ୍କିଙ୍କର ହିନସ୍ତାକୁ ଅତିକ୍ରମ କରି ବିଶ୍ବବାସୀ ଯେଉଁ ବହୁଗୁଣ ଅଧିକ ଗୁରୁତ୍ବପୂର୍ଣ୍ଣ ସନ୍ଦେଶ ଦେଖିବାକୁ ପାଇଥିଲେ, ତାହା ହେଲା ଟ୍ରମ୍ପଙ୍କ ନେତୃତ୍ବାଧୀନ ଆମେରିକା ତା’ର ଦୀର୍ଘ ଦିନର ମୁକ୍ତ ବିଶ୍ବର ନେତୃତ୍ବ ଦାୟିତ୍ବ ତ୍ୟାଗ ଉଦ୍ଦେଶ୍ୟ ସ୍ପଷ୍ଟ କରିବା। ସେଦିନ ଟ୍ରମ୍ପ ଆଉ ସନ୍ଦେହର କୌଣସି ଅବକାଶ ରଖି ନ ଥିଲେ ଯେ ଏଣିକି ଆମେରିକା ପୃଥିବୀରେ ଏକଛତ୍ରବାଦର ପ୍ରସାରକୁ ପ୍ରତିହତ କରିବାକୁ ଚେଷ୍ଟା କରିବା ପରିବର୍ତ୍ତେ ପୃଥିବୀର ଅନ୍ୟତମ ନଗ୍ନ ଏକଛତ୍ର ଶାସକ ରୁଷିଆର ଭ୍ଲାଡିମିର୍ ପୁଟିନ୍‌ଙ୍କ ସହିତ ହାତ ମିଳାଇବାକୁ ପସନ୍ଦ କରିବ। ସେଦିନ ସେ ଯୁକ୍ତି କରିବା ଦେଖାଯାଇଥିଲା ଯେ ୟୁକ୍ରେନ୍‌ ଯୁଦ୍ଧର ଅବସାନ ନିମିତ୍ତ ତାଙ୍କୁ ପୁଟିନ୍ ଓ ଜେଲେନ୍‌ସ୍କିଙ୍କ ମଧ୍ୟବର୍ତ୍ତୀ ବିନ୍ଦୁରେ ଛିଡ଼ା ହେବାକୁ ପଡ଼ିବ। ତାଙ୍କ ମତରେ ଆମେରିକା ପାଇଁ ଯାହା ହେଉଛି ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ, ତାହା ହେଲା ରୁଷିଆ ସହିତ ତା’ର ଶାନ୍ତି ରକ୍ଷା।
ଟ୍ରମ୍ପ କିନ୍ତୁ ପୁଟିନ୍ କିପରି ବାରମ୍ବାର ବିଭିନ୍ନ ଚୁକ୍ତି ଓ ରାଜିନାମାମାନ ଉଲ୍ଲଂଘନ କରିବାରେ ସିଦ୍ଧହସ୍ତ, ତାହା ମାନିବାକୁ ରାଜି ନୁହନ୍ତି, ଯଦିବା ଜେଲେନ୍‌ସ୍କି ଏଥିପ୍ରତି ଟ୍ରମ୍ପଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେଦିନ ତାଙ୍କର ସାଧ୍ୟମତେ ଚେଷ୍ଟା କରି ଟ୍ରମ୍ପଙ୍କର ରୋଷର ଶିକାର ହୋଇଥିଲେ। ରୁଷିଆ ସହିତ କୌଣସି ଯୁଦ୍ଧବିରତି ରାଜିନାମା ଗ୍ରହଣ କରିବା ପୂର୍ବରୁ ରୁଷିଆ ଯେମିତି ସେଇ ଚୁକ୍ତିକୁ ଅମାନ୍ୟ କରି ପୁଣି ଆକ୍ରମଣ ନ କରେ, ତାହା ନିଶ୍ଚିତ କରିବା ପାଇଁ ଜେଲେନ୍‌ସ୍କି ସେଥି ସହିତ ଏକ ନିରାପତ୍ତା ଗ୍ୟାରେଣ୍ଟି ମଧ୍ୟ ଚାହିଁବାରେ କିଛିହେଲେ ଅସ୍ବାଭାବିକତା ନାହିଁ। କାରଣ ଅତୀତରେ ପୁଟିନ୍‌ଙ୍କ ପରି ଆଉ ଜଣେ କ୍ଷମତାନ୍ଧ ଏକଛତ୍ର ଶାସକ ଜୋସେଫ୍ ଷ୍ଟାଲିନ୍‌ଙ୍କର କ୍ରୂର ଶାସନ ଅଧୀନରେ ଥିବା ସମୟରେ ୟୁକ୍ରେନ୍‌ବାସୀ ଯେଉଁ ଅକଥନୀୟ ଦୁର୍ଦ୍ଦଶା ଭୋଗ କରିଥିଲେ, ତାହା ୟୁକ୍ରେନ୍‌ର ସାମୂହିକ ସ୍ମୃତିରେ ଏ ପର୍ଯ୍ୟନ୍ତ ଏକ ଗଭୀର କ୍ଷତ ହୋଇ ରହିଛି। ଏହାର ଏକ ହୃଦୟ ବିଦାରକ ଉଦାହରଣ ସ୍ବରୂପ ‘ହୋଲୋଡୋମର୍’ ନାମରେ ପରିଚିତ ୧୯୩୨-୩୩ରେ ଷ୍ଟାଲିନ୍ ସରକାର ସୃଷ୍ଟ କୃତ୍ରିମ ଦୁର୍ଭିକ୍ଷ ଯୋଗୁଁ ପ୍ରାୟ ଚାରି ନିୟୁତ ୟୁକ୍ରେନ୍‌ ଅଧିବାସୀ ମୃତ୍ୟୁମୁଖରେ ପଡ଼ିଥିଲେ। ଏଥିଯୋଗୁଁ ସଂପୂର୍ଣ୍ଣ ଗ୍ରାମମାନ ଲୋପ ପାଇଯାଇଥିଲା। ଅତଏବ ପୁଟିନ୍‌ ରୂପକ ଆଉ ଜଣେ ଷ୍ଟାଲିନ୍‌ଙ୍କୁ ବିଶ୍ବାସ କରିବା ୟୁକ୍ରେନ୍‌ ପାଇଁ ସହଜ ନୁହେଁ।
ଟ୍ରମ୍ପ କିନ୍ତୁ ୟୁକ୍ରେନ୍‌ର ଭୟ ହୃଦୟଙ୍ଗମ କରିବାକୁ ରାଜି ନୁହନ୍ତି। ତାଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ଆମେରିକାର ସ୍ବାର୍ଥ ସାଧନ ଓ ସେ ଭ୍ରମାତ୍ମକ ଭାବରେ ବିଶ୍ବାସ କରୁଛନ୍ତି ଯେ ୟୁକ୍ରେନ୍‌କୁ ବଳି ଚଢ଼ାଇ ପୁଟିନ୍‌ଙ୍କୁ ସନ୍ତୁଷ୍ଟ କରିବା ଦ୍ବାରା ଆମେରିକାର ସ୍ବାର୍ଥ ରକ୍ଷା ହେବ। ଶୀତଳ ଯୁଦ୍ଧ ସମୟରେ ଆମେରିକାର ସାମରିକ ଛତ୍ରଛାୟା ତଳେ ରହି ପଶ୍ଚିମ ଇଉରୋପ୍ କମ୍ୟୁନିଷ୍ଟ ରୁଷିଆର ବିସ୍ତାରବାଦୀ ଉଦ୍ଦେଶ୍ୟରୁ ନିଜକୁ ସୁରକ୍ଷିତ ରଖି ଆସିଥିଲା। ୧୯୯୧ରେ କମ୍ୟୁନିଷ୍ଟ ଶାସନର ପତନ ପରେ ରୁଷିଆରେ ଯଦି ଗଣତନ୍ତ୍ର ଦୃଢ଼ ଭାବରେ ଚେର ବିସ୍ତାର କରିପାରିଥାନ୍ତା ତେବେ ଆଜି ସେଠାରେ ଏଭଳି ସଂକଟ ଦେଖାଦେଇ ନଥାନ୍ତା। ଦୁର୍ଭାଗ୍ୟଜନକ ଭାବରେ ରୁଷିଆରେ କିନ୍ତୁ ଭିନ୍ନ ରୂପରେ ଆଉ ଏକ ଏକଛତ୍ରବାଦର ଆବିର୍ଭାବ ଘଟିଲା।
ଏହି ସମୟରେ ଟ୍ରମ୍ପ ଯଦି ଆମେରିକାର ସୁରକ୍ଷା ଛତ୍ର ଅପସାରିତ କରିଦିଅନ୍ତି, ତା’ହେଲେ ରୁଷିଆ କବଳରୁ ୟୁକ୍ରେନ୍‌କୁ ରକ୍ଷା କରିବା କେବଳ ଯେ ଅସମ୍ଭବ ହୋଇପଡ଼ିବ, ତାହା ନୁହେଁ, ସମଗ୍ର ପଶ୍ଚିମ ଇଉରୋପ ମଧ୍ୟ ଅସୁରକ୍ଷିତ ହୋଇପଡ଼ିବ। ସେଦିନ ଘଟଣାକ୍ରମେ ‘ଓଭାଲ୍ ଅଫିସ’ରେ ଜେଲେନ୍‌ସ୍କି ଟ୍ରମ୍ପଙ୍କ ଦ୍ବାରା ହଲାପଟା ହୋଇଥିଲେ; କିନ୍ତୁ ତାଙ୍କ ସ୍ଥାନରେ ହୁଏତ ରୁଷିଆର ଆକ୍ରମଣରୁ ରକ୍ଷା କରିବା ପାଇଁ କୌଣସି ଏକ ବାଲ୍‌ଟିକ୍ ଦେଶର ମୁଖ୍ୟ ଟ୍ରମ୍ପଙ୍କୁ ଅନୁରୋଧ କରିବାକୁ ଯାଇ ଏଭଳି ଦଶା ଭୋଗ କରିପାରିଥାନ୍ତେ; କିମ୍ବା ଖୋଦ୍ ‘ଇଉରୋପିଆନ୍ ୟୁନିଅନ୍’ର କୌଣସି ନେତା ରୁଷିଆର କୌଣସି ଆକ୍ରମଣାତ୍ମକ ଚକ୍ରାନ୍ତ ବିରୁଦ୍ଧରେ ସାହାଯ୍ୟ ଭିକ୍ଷା କରିବାକୁ ଯାଇ ଏଭଳି ହଟହଟାର ସମ୍ମୁଖୀନ ହୋଇପାରିଥାନ୍ତେ।
ଏପରି ସ୍ଥଳେ ଟ୍ରମ୍ପଙ୍କର ପ୍ରଥମ ପ୍ରଶ୍ନ ହେବ- ଏହାଦ୍ବାରା ଆମେରିକାର କ’ଣ ଲାଭ ହେବ? କ୍ଷମତା ନିଶାରେ ଟ୍ରମ୍ପ ବୋଧହୁଏ ନିଜକୁ ମଧ୍ୟ ପୁଟିନ୍‌ଙ୍କ ପରି ଜଣେ ନିରଙ୍କୁଶ ଏକଛତ୍ର ଶାସକ ରୂପେ ଦେଖୁଛନ୍ତି। ତେଣୁ ସେ ହୃଦୟଙ୍ଗମ କରିପାରୁ ନାହାନ୍ତି ଯେ ଇଉରୋପ୍‌ରେ ଗଣତନ୍ତ୍ର ପ୍ରତି ବିପଦ ଅନତିବିଳମ୍ବେ ଆମେରିକୀୟ ଗଣତନ୍ତ୍ରକୁ ମଧ୍ୟ ବିପନ୍ନ କରିବ; ଜେଲେନ୍‌ସ୍କି ସେଦିନ ଟ୍ରମ୍ପଙ୍କୁ କ୍ରୋଧିତ କରି କହିଥିବା ଭଳି ଆଟ୍‌ଲାଣ୍ଟିକ୍ ମହାସାଗର ବେଶି ଦିନ ସେ ବିପଦକୁ ଅଟକାଇ ରଖିପାରିବ ନାହିଁ। ତେବେ ଟ୍ରମ୍ପ ନାମକ ଏହି ନୂତନ ବିକୃତିକୁ ସ୍ବୀକାର କରି ପଶ୍ଚିମ ଇଉରୋପ୍‌ର ଦେଶମାନଙ୍କୁ ଏଣିକି ଏକାଠି ହୋଇ କମର ଭିଡ଼ି ନିଜର ସୁରକ୍ଷା ଦାୟିତ୍ବ ନିଜେ ବହନ କରିବାକୁ ତୁରନ୍ତ ଆଗେଇ ଆସିବାକୁ ପଡ଼ିବ।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.