Breaking News

ଲଢୁଆ ଖେଳ

ଉପଲବ୍‌ଧ ସୂଚନା ଅନୁସାରେ କେନ୍ଦ୍ର ସରକାର ଅକ୍‌ଟୋବର ସୁଦ୍ଧା ବଜେଟ୍‌ରେ ଆକଳନ କରାଯାଇଥିବା ରାଜସ୍ବ ରାଶିର ୫୩.୭ ଶତାଂଶ ସଂଗ୍ରହ କରିପାରିଥିଲେ, ଯାହା ଗତ ବିତ୍ତ ବର୍ଷ ତୁଳନାରେ ପ୍ରାୟ ୫ ଶତାଂଶ କମ୍ ଥିଲା।

ଉପଲବ୍‌ଧ ସୂଚନା ଅନୁସାରେ କେନ୍ଦ୍ର ସରକାର ଅକ୍‌ଟୋବର ସୁଦ୍ଧା ବଜେଟ୍‌ରେ ଆକଳନ କରାଯାଇଥିବା ରାଜସ୍ବ ରାଶିର ୫୩.୭ ଶତାଂଶ ସଂଗ୍ରହ କରିପାରିଥିଲେ, ଯାହା ଗତ ବିତ୍ତ ବର୍ଷ ତୁଳନାରେ ପ୍ରାୟ ୫ ଶତାଂଶ କମ୍ ଥିଲା। ସରକାରୀ ବ୍ୟୟରେ ତେଣୁ ସୀମାହୀନ ଭାବରେ ବୃଦ୍ଧି ଘଟି ଚାଲିବା ସମ୍ଭବ ନୁହେଁ। ତେଣୁ ଏକ ଉଚ୍ଚ ଅଭିବୃଦ୍ଧି ହାର ସମ୍ଭବ ତଥା ଧାରଣକ୍ଷମ ହେବା ପାଇଁ ଘରୋଇ କ୍ଷେତ୍ରରେ ପୁଞ୍ଜି ନିବେଶରେ ବୃଦ୍ଧି ଘଟିବା ନିହାତି ଆବଶ୍ୟକ। ସୁଧ ହାରରେ ହ୍ରାସ ପୁଞ୍ଜି ନିବେଶକୁ ଉତ୍ସାହିତ କରିଥାଏ। ତେଣୁ ‘ଏମ୍‌ପିସି’ ଏହି ବୈଠକରେ ତାହା ଘଟାଇବାକୁ ଯାଉଛି କି ନାହିଁ, ତାହା ଦେଖିବାକୁ ସମସ୍ତେ ଉତ୍ସୁକତାର ସହିତ ଅପେକ୍ଷା କରି ରହିଛନ୍ତି।

ଗତ ସପ୍ତାହରେ ‘ନେସ୍‌ନାଲ୍ ଷ୍ଟାଟିଷ୍ଟିକ୍‌ସ ଅଫିସ୍’ (‘ଏନ୍‌ଏସ୍ଓ’) ଚଳିତ ବିତ୍ତ ବର୍ଷର ଦ୍ବିତୀୟ ଚଉଠରେ ଭାରତର ମୋଟ ବାର୍ଷିକ ଉତ୍ପାଦ ବା ‘ଜିଡିପି’ ସମ୍ବନ୍ଧରେ ପ୍ରକାଶ କରିଥିବା ସୂଚନା ଅାମକୁ ୨୦୧୦ ଦଶକରେ ଗ୍ରୀସ୍‌ର ଅନୁରୂପ ସରକାରୀ ପରିସଂଖ୍ୟାନ କର୍ତ୍ତୃପକ୍ଷର ମୁଖ୍ୟ ଆଣ୍ଡ୍ରିଆସ୍ ଜର୍ଜିଉଙ୍କର ଏକ ମନ୍ତବ୍ୟ ମନେ ପକାଇ ଦେଇଥାଏ। ସେ ସମୟରେ ଘୋର ସଂକଟର ସମ୍ମୁଖୀନ ହୋଇଥିବା ଗ୍ରୀସ୍‌ର ଅର୍ଥନୀତିର ଉଦ୍ଧାର ପାଇଁ ‘ଇଉରୋପିଆନ୍ ୟୁନିଅନ୍’ ଠାରୁ ସହାୟତା ଲାଭ କରିବା ନିମିତ୍ତ ଗ୍ରୀସ୍‌ର ‘ଜିଡିପି’ ସମ୍ବନ୍ଧିତ ସୂଚନା ବହନ କରୁଥିବା ନିର୍ଣ୍ଣାୟକ ଗୁରୁତ୍ବକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ତୀବ୍ର ଆରୋପ-ପ୍ରତ୍ୟାରୋପକୁ ଲକ୍ଷ୍ୟ କରି ଆଣ୍ଡ୍ରିଆସ୍ ଜର୍ଜିଉ ବ୍ୟଙ୍ଗୋକ୍ତି କରିଥିଲେ: ‘‘ଗ୍ରୀସ୍‌ରେ ପରିସଂଖ୍ୟାନ ହେଉଛି ଏକ ଲଢୁଆ ଖେଳ (କମ୍ବାଟ୍ ସ୍ପୋର୍ଟ)।’’
ଭାରତ ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ‘ଏନ୍ଏସ୍ଓ’ ଦ୍ବାରା ପ୍ରକାଶିତ ‘ଜିଡିପି’ ପରିସଂଖ୍ୟାନ ଯେଉଁ ଲଢ଼େଇକୁ ବାରୁଦ ଯୋଗାଇଥାଏ, ତାହା ହେଉଛି ଏଠାରେ ସୁଧ ହାରରେ ହ୍ରାସକୁ ନେଇ ଭାରତ ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ମଧ୍ୟରେ ଚାଲିଥିବା ଟଣା-ଭିଡ଼ା ଲଢ଼େଇ। ଆଜି ଆରମ୍ଭ ହେଉଥିବା ଚଳିତ ସପ୍ତାହରେ ଅନୁଷ୍ଠିତ ରିଜର୍ଭ ବ୍ୟାଙ୍କ୍‌ର ମୁଦ୍ରା ନୀତି ନିର୍ଦ୍ଧାରକ କମିଟି (‘ଏମ୍‌ପିସି’)ର ବୈଠକର ଠିକ୍ ପୂର୍ବରୁ ‘ଏନ୍ଏସ୍ଓ’ ଚଳାଇଥିବା ‘ଜିଡିପି’ ଗୁଳି ‘ଏମ୍‌ପିସି’ ଓ ତା’ର ମୁଖ୍ୟ ଗଭର୍ନର୍ ଶକ୍ତିକାନ୍ତ ଦାସଙ୍କ ଉପରେ ସରକାର ଚାହୁଥିବା ଭଳି ନିର୍ଣ୍ଣାୟକ ସୁଧ ହାର ‘ରେପୋ ରେଟ୍’ରେ ହ୍ରାସ ଘଟାଇବା ପାଇଁ ଚାପରେ ନିଶ୍ଚିତ ରୂପେ ବୃଦ୍ଧି ଘଟାଇବ।
ଅକ୍‌ଟୋବରରେ ଅନୁଷ୍ଠିତ ‘ଏମ୍‌ପିସି’ ବୈଠକରେ ଯେଉଁ ପୂର୍ବାନୁମାନ ପ୍ରକାଶ ପାଇଥିଲା ଯେ ଦ୍ବିତୀୟ ଚଉଠରେ ‘ଜିଡିପି’ରେ ୭ ଶତାଂଶ ଅଭିବୃଦ୍ଧି ହାସଲ ହୋଇଛି, ‘ଏନ୍‌ଏସ୍ଓ’ ସେଥିରେ ଏବେ ପାଣି ପକାଇ ଦେଇ ପ୍ରକାଶ କରିଛି ଯେ ସେଇ ଚଉଠରେ ତାହା ମାତ୍ର ୫.୪ ଶତାଂଶରେ ସୀମିତ ରହିଛି। ଚିନ୍ତାଜନକ ଭାବରେ ଏହି ଅଭିବୃଦ୍ଧି ହାର ହେଉଛି ବିଗତ ସାତ ଚଉଠରେ ପରିଲକ୍ଷିତ ହୋଇଥିବା ନିମ୍ନତମ ହାର। ଏହାର ପ୍ରଭାବରେ ବିତ୍ତ ବର୍ଷର ପ୍ରଥମାର୍ଦ୍ଧରେ ଅଭିବୃଦ୍ଧି ହାର ବର୍ତ୍ତମାନ ୬ ଶତାଂଶରେ ସୀମିତ ହେବା ଯୋଗୁଁ ପୂରା ବର୍ଷ ପାଇଁ ଅଭିବୃଦ୍ଧି ହାର ୭.୨ ଶତାଂଶ ହେବ ବୋଲି ରିଜର୍ଭ ବ୍ୟାଙ୍କ୍ ପୂର୍ବରୁ ଯେଉଁ ଅନୁମାନ ପ୍ରକାଶ କରିଥିଲା, ସେଥିରେ ଏବେ ସଂଶୋଧନ ଆବଶ୍ୟକ ହୋଇପାରେ।
ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ରିଜର୍ଭ ବ୍ୟାଙ୍କ୍ ଯେଉଁ ପ୍ରାଥମିକତା ପ୍ରଦାନ କରିଚାଲିଛି, ଏକ ଉଚ୍ଚ ଅଭିବୃଦ୍ଧି ହାର ସେଥିରେ ତାକୁ ସହାୟକ ହୋଇଥାଏ। ଏହାର କାରଣ, ଅଭିବୃଦ୍ଧି ହାର ନୀଚା ହେଲେ, ସେଥିରେ ବୃଦ୍ଧି ଘଟାଇବା ନିମିତ୍ତ ପ୍ରୋତ୍ସାହନ ପ୍ରଦାନ ସ୍ବରୂପ ସୁଧ ହାରରେ ହ୍ରାସ ଘଟାଇବାକୁ ପଡ଼ିଥାଏ, ଯାହା ଯୋଗୁଁ ଦରଦାମରେ ବୃଦ୍ଧି ଘଟି ମୁଦ୍ରାସ୍ଫୀତିକୁ ଗୁରୁତର କରିଥାଏ। ଅକ୍‌ଟୋବରରେ ମୁଦ୍ରାସ୍ଫୀତି ଯେହେତୁ ପୁଣି ସର୍ବୋଚ୍ଚ ନିରାପଦ ସୀମା ୬ ଶତାଂଶ ଅତିକ୍ରମ କରି ୬.୨ ଶତାଂଶ ହୋଇଛି, ‘ଏମ୍‌ପିସି’ ସ୍ବାଭାବିକ ଭାବରେ ଏଥର ବୈଠକରେ ‘ରେପୋ ରେଟ୍’ରେ ବୋଧହୁଏ କୌଣସି ହ୍ରାସ ନ ଘଟାଇ ତାହାକୁ ବିଗତ ପ୍ରାୟ ଦୁଇ ବର୍ଷ ଧରି ରଖିଆସିଥିବା ଭଳି ୬.୫ ଶତାଂଶରେ ସ୍ଥିର ରଖନ୍ତା (ତୀବ୍ର ପ୍ରତିକୂଳ ପ୍ରତିକ୍ରିୟା ଭୟରେ ବୃଦ୍ଧି ଘଟାଇବାର ସମ୍ଭାବନା ନାହିଁ)। କିନ୍ତୁ ଦ୍ବିତୀୟ ଚଉଠରେ ମାନ୍ଦା ଅଭିବୃଦ୍ଧି ପରିପ୍ରେକ୍ଷୀରେ ଏଥିପାଇଁ ରିଜର୍ଭ ବ୍ୟାଙ୍କ୍‌କୁ ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ିପାରେ।
ଏମିତିରେ ବିଗତ କେତେଦିନ ଧରି କେନ୍ଦ୍ର ସରକାରଙ୍କ ତରଫରୁ ବିତ୍ତ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବାଣିଜ୍ୟ ମନ୍ତ୍ରୀ ଓ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ପର୍ଯ୍ୟନ୍ତ ‘ରେପୋ ରେଟ୍’ରେ ହ୍ରାସ ଘଟାଇ ଅଭିବୃଦ୍ଧିକୁ ସହାୟକ ହେବା ନିମିତ୍ତ ରିଜର୍ଭ ବ୍ୟାଙ୍କ୍‌କୁ ଆହ୍ବାନ ଦେବା ଦେଖାଯାଇଛି। ବର୍ତ୍ତମାନ ‘ଏନ୍ଏସ୍ଓ’ ଦ୍ବାରା ପ୍ରଦତ୍ତ ଦ୍ବିତୀୟ ଚଉଠର ପରିସଂଖ୍ୟାନ ସେମାନଙ୍କର ସେଇ ଆହ୍ବାନକୁ ଯଥାର୍ଥ ପ୍ରତିପାଦିତ କରି ସୁଧ ହାରରେ ହ୍ରାସ ଘଟାଇବା ନିମିତ୍ତ ରିଜର୍ଭ ବ୍ୟାଙ୍କ୍ ଉପରେ ଚାପ ବୃଦ୍ଧି କରିବା ନିଶ୍ଚିତ। ରିଜର୍ଭ ବ୍ୟାଙ୍କ୍ ପାଇଁ ଏହା ଯେଉଁ ଧର୍ମସଂକଟ ସୃଷ୍ଟି କରିଥାଏ, ତାହା ହେଉଛି ‘ଏଣୁ ମାରିଲେ ଗୋ-ହତ୍ୟା, ତେଣୁ ମାରିଲେ ବ୍ରହ୍ମ-ହତ୍ୟା’ ଭଳି। ଅର୍ଥନୀତିର ଯେଉଁ ରୂପ ବର୍ତ୍ତମାନ ତା’ ସମ୍ମୁଖରେ ଅବିର୍ଭୂତ ହୋଇଛି, ତାହା ହେଲା- ନୀଚା ଅଭିବୃଦ୍ଧି, ଉଚ୍ଚା ମୁଦ୍ରାସ୍ଫୀତି। ରିଜର୍ଭ ବ୍ୟାଙ୍କ୍ ଯଦି ଅଭିବୃଦ୍ଧିରେ ଉନ୍ନତି ଘଟାଇବା ଉଦ୍ଦେଶ୍ୟରେ ସୁଧ ହାରରେ ହ୍ରାସ ଘଟାଏ, ତେବେ ମୁଦ୍ରାସ୍ଫୀତିରେ ବୃଦ୍ଧି ଦେଖାଦେବ; ଯଦି ମୁଦ୍ରାସ୍ଫୀତିକୁ ଦମନ କରିବା ଉଦ୍ଦେଶ୍ୟରେ ସୁଧ ହାରରେ ବୃଦ୍ଧି ଘଟାଏ, ତେବେ ଅଭିବୃଦ୍ଧି ବାଧାପ୍ରାପ୍ତ ହେବ।
ଦ୍ବିତୀୟ ଚଉଠର ପରିସଂଖ୍ୟାନ ଉପରେ ଦୃଷ୍ଟି ନିକ୍ଷେପ କଲେ ଦେଖାଯାଇଥାଏ ଯେ କେବଳ କୃଷି ଓ ‘ବାଣିଜ୍ୟ ଓ ହୋଟେଲ୍’କୁ ଛାଡ଼ିଦେଲେ ଅନ୍ୟ ସମସ୍ତ କ୍ଷେତ୍ରରେ ଅଭିବୃଦ୍ଧି ଧିମେଇ ଯାଇଛି। ନିର୍ମାଣ, ଖଣିଜ ଉତ୍ତୋଳନ ଓ ମାନୁଫାକ୍‌ଚରିଙ୍ଗ୍ କ୍ଷେତ୍ରରେ ଏହି ମାନ୍ଦା ଅବସ୍ଥା ବିଶେଷ ଭାବରେ ପରିଲକ୍ଷିତ ହୋଇଥିବା ବେଳେ ମାନୁଫାକ୍‌ଚରିଙ୍ଗ୍‌ରେ ଏହାର ତୀବ୍ରତା ସର୍ବାଧିକ ଅନୁଭୂତ ହୋଇଛି। ବିତ୍ତ ବର୍ଷର ପ୍ରଥମ ଚଉଠରେ ଏହି କ୍ଷେତ୍ରରେ ହାସଲ ‌େହାଇଥିବା ଅଭିବୃଦ୍ଧି ହାର ୭ ଶତାଂଶ ହୋଇଥିବା ବେଳେ ଦ୍ବିତୀୟ ଚଉଠରେ ତାହା ହ୍ରାସ ପାଇ ହୋଇଛି ମାତ୍ର ୨.୨ ଶତାଂଶ। ‘ଏନ୍ଏସ୍ଓ’ ପ୍ରଦାନ କରିଥିବା ପରିସଂଖ୍ୟାନକୁ ଭାଙ୍ଗି ଭାଙ୍ଗି ଅନୁଶୀଳନ କଲେ ଏହି ମାନ୍ଦା ଅବସ୍ଥା ପାଇଁ ଯେଉଁ ଅସଲ ଅପରାଧୀ ପଦାକୁ ଆସିଥାଏ, ତାହା ହେଉଛି ସରକାରୀ ପୁଞ୍ଜି ବ୍ୟୟରେ ଘଟିଥିବା ତୀକ୍ଷ୍‌ଣ ସ୍ଖଳନ। ଏହାର ଏକ କାରଣ ହେଉଛି ପ୍ରଥମ ଚଉଠରେ ଅନୁଷ୍ଠିତ ଲୋକସଭା ନିର୍ବାଚନ ଯୋଗୁଁ ସରକାର ସମ୍ମୁଖୀନ ହୋଇଥିବା ବ୍ୟୟ କଟକଣାଜନିତ ବ୍ୟୟ ସଂକୋଚନ, ଯାହାର ବିଳମ୍ବିତ ପ୍ରଭାବ ଦ୍ବିତୀୟ ଚଉଠରେ ଅନୁଭୂତ ହୋଇଛି। ଏଥିସହିତ ମିଶିଯାଇଛି କର୍ପୋରେଟ୍ ପୁଞ୍ଜି ନିବେଶରେ ଦେଖାଯାଇଥିବା ଅନାଗ୍ରହ ଓ ଘରୋଇ ଖାଉଟି ବ୍ୟୟରେ ଲାଗିରହିଥିବା ଶିଥିଳତା। ଏଠାରେ ସୂଚନାଯୋଗ୍ୟ ଯେ ବିତ୍ତ ବର୍ଷର ପ୍ରଥମ ସାତ ମାସରେ କେନ୍ଦ୍ର ସରକାର ଆବଣ୍ଟିତ ରାଶିର ମାତ୍ର ୪୨ ଶତାଂଶ ଖର୍ଚ୍ଚ କରିପାରିଛନ୍ତି।
ବିଶ୍ବାସ କରାଯାଇଥାଏ ଯେ ସରକାରୀ ପୁଞ୍ଜି ବ୍ୟୟରେ ବୃଦ୍ଧି ଘଟିଲେ ତାହା ଅର୍ଥନୈତିକ ଅଭିବୃଦ୍ଧିରେ ଉନ୍ନତି ଘଟାଇବ। କିନ୍ତୁ ପ୍ରଶ୍ନ ଉଠୁଛି, କେତେ କାଳ ଧରି ଭାରତୀୟ ଅର୍ଥନୀତି ଅଭିବୃଦ୍ଧି ପାଇଁ ସରକାରୀ ପୁଞ୍ଜି ବ୍ୟୟ ଉପରେ ନିର୍ଭରଶୀଳ ହୋଇ ଚାଲିଥିବ? ମନେ ରଖିବା କଥା ସରକାରଙ୍କର ବ୍ୟୟ କ୍ଷମତା ଆୟ ଦ୍ବାରା ସୀମିତ ହୋଇଥାଏ। ସରକାର ମଧ୍ୟ ନିଅଣ୍ଟିଆ ବଜେଟ୍ ମାଧ୍ୟମରେ ଖର୍ଚ୍ଚ କରିବା ବେଳେ ରାଜକୋଷୀୟ ନିଅଣ୍ଟ ପାଇଁ ନିର୍ଦ୍ଧାରିତ ସୀମା ମଧ୍ୟରେ ରହିବାକୁ ବାଧ୍ୟ ହୋଇଥାନ୍ତି। ଉପଲବ୍‌ଧ ସୂଚନା ଅନୁସାରେ କେନ୍ଦ୍ର ସରକାର ଅକ୍‌ଟୋବର ସୁଦ୍ଧା ବଜେଟ୍‌ରେ ଆକଳନ କରାଯାଇଥିବା ରାଜସ୍ବ ରାଶିର ୫୩.୭ ଶତାଂଶ ସଂଗ୍ରହ କରିପାରିଥିଲେ, ଯାହା ଗତ ବିତ୍ତ ବର୍ଷ ତୁଳନାରେ ପ୍ରାୟ ୫ ଶତାଂଶ କମ୍ ଥିଲା। ସରକାରୀ ବ୍ୟୟରେ ତେଣୁ ସୀମାହୀନ ଭାବରେ ବୃଦ୍ଧି ଘଟି ଚାଲିବା ସମ୍ଭବ ନୁହେଁ। ତେଣୁ ଏକ ଉଚ୍ଚ ଅଭିବୃଦ୍ଧି ହାର ସମ୍ଭବ ତଥା ଧାରଣକ୍ଷମ ହେବା ପାଇଁ ଘରୋଇ କ୍ଷେତ୍ରରେ ପୁଞ୍ଜି ନିବେଶରେ ବୃଦ୍ଧି ଘଟିବା ନିହାତି ଆବଶ୍ୟକ। ସୁଧ ହାରରେ ହ୍ରାସ ପୁଞ୍ଜି ନିବେଶକୁ ଉତ୍ସାହିତ କରିଥାଏ। ତେଣୁ ‘ଏମ୍‌ପିସି’ ଏହି ବୈଠକରେ ତାହା ଘଟାଇବାକୁ ଯାଉଛି କି ନାହିଁ, ତାହା ଦେଖିବାକୁ ସମସ୍ତେ ଉତ୍ସୁକତାର ସହିତ ଅପେକ୍ଷା କରି ରହିଛନ୍ତି।
ଇତି ମଧ୍ୟରେ କିନ୍ତୁ ଅର୍ଥନୈତିକ ଦୃଶ୍ୟପଟରେ ଯେଉଁ ଏକ ସଂପୂର୍ଣ୍ଣ ଅନିଶ୍ଚିତ ବାହ୍ୟ ପ୍ରଭାବର ଅାବିର୍ଭାବ ଘଟିଛି, ତାହା ହେଉଛି ଜାନୁଆରି ପରେ ଆମେରିକାରେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଦ୍ବାରା ଅନୁସୃତ ଅପ୍ରତ୍ୟାଶିତ ନୀତିମାନ ଯୋଗୁଁ ବିଶ୍ବ ଅର୍ଥନୀତିରେ ଦେଖାଦେବାର ସମ୍ଭାବନା ଥିବା ଅସ୍ଥିରତା। ମନେ ହୁଏ ଏପରି ଏକ ସନ୍ଧିକ୍ଷଣରେ ‘ଏମ୍‌ପିସି’ ଏପରି କିଛି ପଦକ୍ଷେପ ନେବାକୁ ଚାହିବ ନାହିଁ, ଯାହା ମୁଦ୍ରାସ୍ଫୀତି ପରିସ୍ଥିତିକୁ ଆହୁରି ଖରାପ କରିପାରେ। ଏଣୁ ଏହି ଲଢୁଆ ଖେଳ ଡ୍ର ହୋଇ ‘ଏମ୍‌ପିସି’ ବୈଠକରେ ସୁଧ ହାରକୁ ବର୍ତ୍ତମାନ ପାଇଁ ଅପରିବର୍ତ୍ତିତ ରଖାଯିବାର ଦୃଢ଼ ସମ୍ଭାବନା ଦେଖାଯାଉଛି।

ସୌଜନ୍ୟ-ସମ୍ୱାଦ

Comments are closed.