ଅପରାଧ

ଲାଞ୍ଚ ନେଇ ଗିରଫ ହେଲେ ପ୍ରତିରକ୍ଷା ମନ୍ତ୍ରଣାଳୟରେ କାର୍ଯ୍ୟରତ ଲେଫ୍ଟନାଣ୍ଟ କର୍ଣ୍ଣେଲ; ୨.୩୬ କୋଟି ଟଙ୍କା ଜବତ କଲା ସିବିଆଇ

ପ୍ରତିରକ୍ଷା ମନ୍ତ୍ରଣାଳୟରେ କାର୍ଯ୍ୟରତ ଜରେ ସେନା ଅଧିକାରୀଙ୍କୁ ଗିରଫ କରିଛି ସିବିଆଇ । ଅଧିକାରୀଙ୍କ ପତ୍ନୀ ମଧ୍ୟ ଗିରଫ ହୋଇଛନ୍ତି । ଉଭୟ ସେନା ଅଧିକାରୀ ସ୍ବାମୀ-ସ୍ତ୍ରୀ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ସେମାନଙ୍କ ଘରୁ କୋଟି କୋଟି ଟଙ୍କା ମଧ୍ୟ ଜବତ ହୋଇଛି ।

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର ଦିନ ପ୍ରତିରକ୍ଷା ମନ୍ତ୍ରଣାଳୟରେ ନିୟୋଜିତ ଜଣେ ସେନା ଅଧିକାରୀଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି। ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାର ଶର୍ମାଙ୍କ ବିରୁଦ୍ଧରେ ବେଙ୍ଗାଲୁରୁର ଏକ କମ୍ପାନୀରୁ ୩ ଲକ୍ଷ ଟଙ୍କା ଲାଞ୍ଚ ନେବାର ଅଭିଯୋଗ ହୋଇଛି।

ଶର୍ମାଙ୍କ ଘରୁ ସିବିଆଇ ୨.୩୬ କୋଟି ଟଙ୍କା ମଧ୍ୟ ଜବତ କରିଛି। ଶର୍ମାଙ୍କ ପତ୍ନୀ କର୍ଣ୍ଣେଲ କାଜଲ ବାଲିଙ୍କ ବିରୋଧରେ ମଧ୍ୟ ସିବିଆଇ ମାମଲା ରୁଜୁ କରିଛି। ତଲାସୀ ସମୟରେ କାଜଲଙ୍କ ଘରୁ ୧୦ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଛି ।

କାଜଲ ଶ୍ରୀଗଙ୍ଗାନଗର (ରାଜସ୍ଥାନ)ରେ ଥିବା ଡିଭିଜନର କମାଣ୍ଡିଂ ଅଫିସର । ଏହି ମାମଲାରେ ମଧ୍ୟସ୍ଥି ବିନୋଦ କୁମାରଙ୍କୁ ମଧ୍ୟ ଗିରଫ କରାଯାଇଛି। ଉଭୟ ଡିସେମ୍ବର ୨୩ ପର୍ଯ୍ୟନ୍ତ ସିବିଆଇ ହେପାଜତରେ ରହିବେ।

ଡିସେମ୍ବର ୧୯ ତାରିଖରେ ମିଳିଥିବା ସୂଚନା ଆଧାରରେ ମାମଲା ରୁଜୁ କରାଯାଇଛି । ସିବିଆଇ ଅନୁଯାୟୀ, ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କ ବିରୋଧରେ ପ୍ରତିରକ୍ଷା ଉତ୍ପାଦର ନିର୍ମାଣ ଏବଂ ରପ୍ତାନିରେ ଜଡିତ ଘରୋଇ କମ୍ପାନୀଗୁଡ଼ିକୁ ଲାଭ ପହଞ୍ଚାଇବାର ଅଭିଯୋଗ ରହିଛି ।

ସମ୍ବାଦ ସରବରାହ ସଂସ୍ଥା ANI ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସୂଚନା ଆଧାରରେ ଖବର କରିଛି ଯେ, ଭାରତ ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେନା ଅଧିକାରୀଙ୍କ ଗିରଫଦାରୀ ଦୁର୍ନୀତି ରୋକିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।

ସିବିଆଇକୁ ବେଙ୍ଗାଲୁରୁର ଏକ କମ୍ପାନୀରୁ ସମ୍ଭାବ୍ୟ ଲାଞ୍ଚ ପ୍ରଦାନ ବିଷୟରେ ସୂଚନା ମିଳିଥିଲା । ଏହାର କାର୍ଯ୍ୟ ରାଜୀବ ଯାଦବ ଏବଂ ରଭଜିତ ସିଂହ ନାମକ ବ୍ୟକ୍ତି ପରିଚାଳନା କରୁଥିଲେ। ଦୁହେଁ ଶର୍ମାଙ୍କ ସହିତ ଯୋଗାଯୋଗରେ ଥିଲେ ଏବଂ ବିଭିନ୍ନ ସରକାରୀ ବିଭାଗ ଏବଂ ମନ୍ତ୍ରଣାଳୟରୁ କମ୍ପାନୀ ପାଇଁ ବେଆଇନ ରାଶି ହାସଲ କରିବାକୁ ଚେଷ୍ଟା କରୁଥିଲେ।

ଗିରଫ ହୋଇଥିବା ଦ୍ୱିତୀୟ ଅଭିଯୁକ୍ତ ବିନୋଦ କୁମାର, ବେଙ୍ଗାଲୁରୁର ଏହି କମ୍ପାନୀର ନିର୍ଦ୍ଦେଶରେ ଡିସେମ୍ବର ୧୮ ତାରିଖରେ ଦୀପକ କୁମାର ଶର୍ମାଙ୍କୁ ୩ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିଲେ । ସୂଚନା ପାଇବା ପରେ, ତଦନ୍ତକାରୀ ସଂସ୍ଥା ଶ୍ରୀଗଙ୍ଗାନଗର, ବେଙ୍ଗାଲୁରୁ ଏବଂ ଜମ୍ମୁ ସମେତ ଅନେକ ସ୍ଥାନରେ ଚଢ଼ାଉ କରିଥିଲା । ଦିଲ୍ଲୀରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଶର୍ମାଙ୍କ ଘରେ ଚଢ଼ାଉ ସମୟରେ ୩ ଲକ୍ଷ ସମେତ ୨.୨୩ କୋଟି ଟଙ୍କା ନଗଦ ଏବଂ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଛି ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button