Breaking News

ଲିକେଜ୍‌ ପାଣିରେ ବଞ୍ଚିଛି ଇନ୍ଦ୍ରାବତୀ: ମରୁଭୂମ‌ିରେ ପରିଣତ ହେବ ଚିରସ୍ରୋତା ନଦୀ

ଚିରସ୍ରୋତା ଇନ୍ଦ୍ରାବତୀ ନଦୀକୁ ବଞ୍ଚାଇ ରଖିଛି ଜଳଭଣ୍ଡାରର ଲିକେଜ୍ ପାଣି। ବର୍ଷା ଦିନକୁ ଛାଡ଼ିଲେ ଅନ୍ୟ ଦିନରେ ଡ୍ୟାମ୍ ପାଣି ନଦୀରେ ପ୍ରବାହିତ ହେଉନି। ଅକ୍ଟୋବରରୁ ଜୁନ୍ ପର୍ଯ୍ୟନ୍ତ ବର୍ଷା ପରିମାଣ ଜିଲ୍ଲାରେ ନୈରାଶ୍ୟଜନକ ରହୁଛି।

ନବରଙ୍ଗପୁର: ଚିରସ୍ରୋତା ଇନ୍ଦ୍ରାବତୀ ନଦୀକୁ ବଞ୍ଚାଇ ରଖିଛି ଜଳଭଣ୍ଡାରର ଲିକେଜ୍ ପାଣି। ବର୍ଷା ଦିନକୁ ଛାଡ଼ିଲେ ଅନ୍ୟ ଦିନରେ ଡ୍ୟାମ୍ ପାଣି ନଦୀରେ ପ୍ରବାହିତ ହେଉନି। ଅକ୍ଟୋବରରୁ ଜୁନ୍ ପର୍ଯ୍ୟନ୍ତ ବର୍ଷା ପରିମାଣ ଜିଲ୍ଲାରେ ନୈରାଶ୍ୟଜନକ ରହୁଛି। ଫଳରେ ଜଳଭଣ୍ଡାର ସ୍ଲୁଇସ୍ ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୫.୧୫ ଘନ ମିଟର ପାଣି ଲିକେଜ୍‌ ହୋଇ ଇନ୍ଦ୍ରାବତୀ ନଦୀରେ ପ୍ରବାହିତ ହେଉଛି।

ଇନ୍ଦ୍ରାବତୀ ନଦୀ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ମର୍ଦ୍ଧିଗୁଡ଼ା ଅଞ୍ଚଳର ମୁଣ୍ଡିଆ ପାହାଡ଼ରୁ ବାହାରିଛି। ପୂର୍ବରୁ ଇନ୍ଦ୍ରାବତୀ ନଦୀରେ କପୂର, ପୋଡାଗଡ଼ ଓ ମୁରାନ ନଦୀ ମିଶ୍ରଣ ହୋଇ ପ୍ରବାହିତ ହେଉଥିଲା। ଏକଦା ଇନ୍ଦ୍ରାବତୀ ଜଳ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ନବରଙ୍ଗପୁର ଓ କୋଷାଗୁମୁଡ଼ା ବ୍ଲକ ସମେତ ସୀମାନ୍ତ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଓ କୋଟପାଡ଼ ବ୍ଲକର ନଦୀ ତଟ ଗାଁ ଗୁଡ଼ିକୁ ଜୀବିକା ଯୋଗାଉଥିଲା। ଚାଷୀ ବର୍ଷକୁ ଦୁଇ ଥର ଫସଲ କରି ଲାଭ ପାଉଥିଲେ। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ନଦୀରେ ୩ ରୁ ୪ ଥର ବନ୍ୟା ଆସୁଥିଲା। ୪ ମାସ ପର୍ଯ୍ୟନ୍ତ ନଦୀର ଦୁଇ କୂଳକୁ ଲାଗି ପାଣି ପ୍ରବାହିତ ହେଉଥିଲା। ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ନବରଙ୍ଗପୁର ଓ କୋଷାଗୁମୁଡ଼ା ବ୍ଲକର ବିଭିନ୍ନ ଗ୍ରାମ ଦେଇ ପ୍ରାୟ ୭୦ କିମି ପ୍ରବାହିତ ହେବା ପରେ ଇନ୍ଦ୍ରାବତୀ କୋଷାଗୁମୁଡ଼ା ବ୍ଲକର ଉକିଆପାଲ୍ଲି ପଞ୍ଚାୟତର ଘାଟବାସୁଲିରେ ଭାଷ୍କେଲ ନଦୀରେ ମିଶିଛି। ସେଠାରୁ ଛତିଶଗଡ଼କୁ ପ୍ରବାହିତ ହୋଇଛି। ଇନ୍ଦ୍ରାବତୀ ଜଳବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟ ୧୯୭୯ରୁ ଆରମ୍ଭ ହୋଇ ୧୯୯୬ରେ ସରିଥିଲା।

ପ୍ରକଳ୍ପ ନିର୍ମାଣ ସମୟରେ ଇନ୍ଦ୍ରାବତୀ ନଦୀକୁ ବନ୍ଦ କରାଯାଇନଥିଲା। ୨୦୦୧ ମସିହାରେ ଜଳବିଦ୍ୟୁତ୍ ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ପରେ ଜଳଭଣ୍ଡାରରୁ ଇନ୍ଦ୍ରାବତୀ ନଦୀକୁ ପାଣି ଛାଡ଼ିବା ବନ୍ଦ କରାଯାଇଥିଲା। ଫଳରେ ଚିରସ୍ରୋତା ଇନ୍ଦ୍ରାବତୀ ଜଳସ୍ତର କମିବା ଆରମ୍ଭ ହେଲା। ଏବେ ବର୍ଷା ଦିନକୁ ଛାଡ଼ିଲେ ଅନ୍ୟ କୌଣସି ଦିନ ନଦୀ ଜଳ ଦୁଇ କୂଳକୁ ଲାଗି ପ୍ରବାହିତ ହେଉନି। ସାଧାରଣତଃ ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ବ୍ଲକରେ ବର୍ଷା ହେଲେ ଇନ୍ଦ୍ରାବତୀ ନଦୀ ଫୁଲି ଉଠି ବନ୍ୟା ସୃଷ୍ଟି ହୋଇଥାଏ। କିନ୍ତୁ ଗତ ୨ ବର୍ଷ ହେଲା ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ନିଅଣ୍ଟିଆ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ନଦୀ ଶୁଖିଲା ପଡ଼ିବା ସହିତ ଏହାର ପ୍ରଭାବ ଚାଷ ଉପରେ ପଡ଼ିଛି। ନଦୀରେ ପାଣି ଅଭାବରୁ ନଈକୂଳରେ ନିର୍ମାଣ ହୋଇଥିବା ଉଠା ଜଳସେଚନ ପ୍ରକଳ୍ପ ଜମିକୁ ପାଣି ମାଡ଼ିବାରେ ସକ୍ଷମ ହୋଇପାରୁନି। ଜିଲ୍ଲାର ଗ୍ରାମାଞ୍ଚଳକୁ ପାନୀୟ ଜଳ ଯୋଗାଣ ପାଇଁ ନିର୍ମାଣ ଚାଲିଥିବା ବୃହତ୍‌ ପ୍ରକଳ୍ପ ଲାଗି ନବରଙ୍ଗପୁର ସହର ନିକଟରେ ଏକ ଛୋଟିଆ ଆଡ଼ିବନ୍ଧ ନିର୍ମାଣ କରାଯାଇଛି। କିନ୍ତୁ ନଦୀର ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ ହୋଇପାରୁନି। ଯାହା ଫଳରେ ନଦୀ ପାଣି ଛତିଶଗଡ଼କୁ ବୋହିଯାଉଛି।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.