Breaking News

ଲୋକସଭା ବାଚସ୍ପତିଙ୍କ ଘୋଷଣା: ସଂସଦରେ ସଂସ୍କୃତ ଓ ଉର୍ଦ୍ଦୁ ସମେତ ୨୨ଟି ଭାଷାକୁ ଅନୁବାଦ ସୁବିଧା

ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଂସଦରେ ଏକ ନୂଆ ଘୋଷଣା କରି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ହିନ୍ଦୀ ଓ ଇଂରାଜି ବ୍ୟତୀତ ଅହମିୟା, ବଙ୍ଗଳା, ଗୁଜରାଟୀ, କନ୍ନଡ, ମାଲାୟାଲମ, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ...

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଂସଦରେ ଏକ ନୂଆ ଘୋଷଣା କରି କହିଛନ୍ତି,  ବର୍ତ୍ତମାନ ସୁଦ୍ଧା ହିନ୍ଦୀ ଓ ଇଂରାଜି ବ୍ୟତୀତ ଅହମିୟା, ବଙ୍ଗଳା, ଗୁଜରାଟୀ, କନ୍ନଡ, ମାଲାୟାଲମ, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ ଓ ତେଲୁଗୁ ଭଳି ୧୦ଟି ଭାଷାରେ ଏକକାଳୀନ ଅନୁବାଦ ସୁବିଧା ଉପଲବ୍ଧ ଥିଲା, କିନ୍ତୁ ଏବେ ଏଥିରେ ଆଉ ୬ଟି ଭାଷା ଯୋଡ଼ାଯାଇଛି। ଏଣିକି ବୋଡୋ, ଡୋଗରୀ, ମୈଥିଳୀ, ସଂସ୍କୃତ, ଉର୍ଦ୍ଦୁ ଓ ମଣିପୁରୀ ଭାଷାରେ ବି ଅନୁବାଦ ସୁବିଧା ଉପଲବ୍ଧ ହେବ। ସେ କହିଛନ୍ତି ଯେ ସଂସଦରେ ବହୁଭାଷୀ ଅନୁବାଦ ବ୍ୟବସ୍ଥାକୁ କ୍ରମାଗତ ଭାବରେ ସମ୍ପ୍ରସାରଣ କରାଯାଉଛି ଯାହାଦ୍ୱାରା ଅଧିକରୁ ଅଧିକ ସାଂସଦ ସେମାନଙ୍କ ମାତୃଭାଷାରେ କଥାବାର୍ତ୍ତା କରିପାରିବେ ଏବଂ ଗଣତାନ୍ତ୍ରିକ ବିତର୍କରେ ପ୍ରଭାବଶାଳୀ ଭାବରେ ଅଂଶଗ୍ରହଣ କରିପାରିବେ।

ବିଶ୍ୱସ୍ତରରେ ଭାରତୀୟ ସଂସଦର ପ୍ରଶଂସା
ଓମ୍ ବିର୍ଲା ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱର ଅନ୍ୟ କୌଣସି ଗଣତାନ୍ତ୍ରିକ ଅନୁଷ୍ଠାନରେ ଏତେ ଭାଷାରେ ଅନୁବାଦ ସୁବିଧା ନାହିଁ। ଯେତେବେଳେ ସେ ଅନ୍ତର୍ଜାତୀୟ ମଞ୍ଚରେ ଏହି ବିଷୟରେ ଆଲୋଚନା କରିଥିଲେ, ସେତେବେଳେ ଭାରତୀୟ ସଂସଦର ଏହି ପଦକ୍ଷେପକୁ ବିଶ୍ୱସ୍ତରରେ ପ୍ରଶଂସା କରାଯାଇଥିଲା। ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଭାଷାଗତ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବାର ଏହି ପଦକ୍ଷେପ ଅନ୍ୟ ଦେଶ ମାନଙ୍କ ପାଇଁ ମଧ୍ୟ ଉଦାହରଣ ହୋଇପାରିବ ବୋଲି ସେ କହିଛନ୍ତି।

ଭବିଷ୍ୟତରେ ସମସ୍ତ ୨୨ଟି ଭାଷାରେ ଅନୁବାଦ କରାଯିବ
ଆଗାମୀ ଦିନରେ ସଂସଦରେ ସମସ୍ତ ୨୨ଟି ସାମ୍ବିଧାନିକ ସ୍ୱୀକୃତିପ୍ରାପ୍ତ ଭାଷାରେ ଅନୁବାଦ ସୁବିଧା ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ବାଚସ୍ପତି କହିଛନ୍ତି। ଏଥିପାଇଁ ମାନବ ସମ୍ବଳ ଓ ବୈଷୟିକ ସମ୍ବଳ ବୃଦ୍ଧି ପ୍ରକ୍ରିୟା ଜାରି ରହିଛି। ସମ୍ବଳ ଉପଲବ୍ଧ ହେଲେ ସଂସଦରେ ସମସ୍ତ ୨୨ଟି ଭାଷାରେ ଅନୁବାଦ ସୁବିଧା ରହିବ, ଯାହାଦ୍ୱାରା ସମସ୍ତ ସାଂସଦ ନିଜ ମାତୃଭାଷାରେ ନିଜର ମତ ରଖିପାରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.