Breaking News

ଲୋମଶ ରାକ୍ଷସ?

ଏମିତିରେ ବର୍ତ୍ତମାନ ହାତୀ ପାଇଁ ଯଥେଷ୍ଟ ଖାଦ୍ୟ ମିଳୁ ନ ଥିବାରୁ ମନୁଷ୍ୟ-ହାତୀ ଯୁଦ୍ଧ ଚାଲିଥିବାବେଳେ ମାମଥ୍‌ମାନଙ୍କର ଆବିର୍ଭାବ ସେଇ ସଂଘାତକୁ ଆହୁରି ଅଣାୟତ୍ତ କରିବ।

ଏମିତିରେ ବର୍ତ୍ତମାନ ହାତୀ ପାଇଁ ଯଥେଷ୍ଟ ଖାଦ୍ୟ ମିଳୁ ନ ଥିବାରୁ ମନୁଷ୍ୟ-ହାତୀ ଯୁଦ୍ଧ ଚାଲିଥିବାବେଳେ ମାମଥ୍‌ମାନଙ୍କର ଆବିର୍ଭାବ ସେଇ ସଂଘାତକୁ ଆହୁରି ଅଣାୟତ୍ତ କରିବ। ତା’ ଛଡ଼ା ଫ୍ରାଙ୍କେନ୍‌ଷ୍ଟାଇନ୍‌ଙ୍କ ରାକ୍ଷସ ଭଳି ଗବେଷକମାନେ ଯେ କେତେବେଳେ ରାକ୍ଷସ-ଜନ୍ତୁ ସୃଷ୍ଟି କରି ନ ବସିବେ, ତାହା କିଏ କହିବ? କୋଭିଡ୍ ଭୂତାଣୁ ତ ଏଇଭଳି ଗବେଷଣାଗାରରୁ ସୃଷ୍ଟି ହୋଇଥିଲା। ଲୋମଶ ମୂଷାର ଆବିର୍ଭାବ ହେଉଛି ଆମ ପାଇଁ ଏକ ସତର୍କ ଘଣ୍ଟି।

ଆମେ ସଂସାରକୁ ଯେଉଁ ରୂପରେ ଦେଖିଥାଉ, ତାହାକୁ ଈଶ୍ବର ଏକାଥରକେ ସେଇ ରୂପରେ ସୃଷ୍ଟି କରିଛନ୍ତି (ଯେମିତି ସମୟ ପ୍ରଦର୍ଶନକାରୀ ଘଡ଼ି ଭଳି ଏକ ଜଟିଳ ଯନ୍ତ୍ରଟିଏ ଜଣେ ଘଡ଼ି ନିର୍ମାତାଙ୍କ ଦ୍ବାରା ନିର୍ମିତ ହୋଇଥାଏ), ନା ଡାର୍‌ୱିନ୍ କହିଥିବା ଭଳି ଏକ କ୍ରମପରିବର୍ତ୍ତନଶୀଳ ବିବର୍ତ୍ତନ ପ୍ରକ୍ରିୟା ଅତ୍ୟନ୍ତ ଧୀର ମନ୍ଥର ଗତିରେ ସଂସାରର ରୂପରେ ପରିବର୍ତ୍ତନ ଘଟାଇ ଚାଲିଥାଏ, ଯାହାକୁ ଆମେ ଆମର ସୀମିତ ଆୟୁକାଳ ମଧ୍ୟରେ ଅନୁଭବ କରିପାରି ନ ଥାଉ (ଯେମିତି ବିବର୍ତ୍ତନବାଦ ଅନୁସାରେ ମାଙ୍କଡ଼ ହେଉଛି ମନୁଷ୍ୟର ପୂର୍ବପୁରୁଷ ବୋଲି ବିଶ୍ବାସ କରାଯାଉଥିଲେ ହେଁ, ମାଙ୍କଡ଼ଟିଏ ଏକ ମନୁଷ୍ୟରେ ପରିଣତ ହୋଇଯିବା କେହି ଦେଖିବା ଆଶା କରାଯାଇ ନ ଥାଏ)? ପ୍ରଥମ ମତବାଦକୁ ସର୍ଜନାବାଦ ରୂପେ ଅଭିହିତ କରାଯାଉଥିବାବେଳେ ଦ୍ବିତୀୟ ମତବାଦ ବିବର୍ତ୍ତନବାଦ ରୂପେ ସୁପରିଚିତ।
ସର୍ଜନାବାଦୀମାନେ ଯୁକ୍ତି କରିଥାନ୍ତି ଯେ ଜଣେ ଘଡ଼ି ନିର୍ମାତାଙ୍କ ବିନା ଘଡ଼ି ଭଳି ଏକ ଜଟିଳ ଯନ୍ତ୍ରର ସୃଷ୍ଟି ଯେପରି କଳ୍ପନା କରାଯାଇ ପାରିବ ନାହିଁ, ଜଣେ ସର୍ବଶକ୍ତିମାନ ସ୍ରଷ୍ଟାଙ୍କ ବିନା ଏହି ଅଚିନ୍ତନୀୟ ଭାବରେ ‌ଜଟିଳ ସଂସାରର ସୃଷ୍ଟି ମଧ୍ୟ କଳ୍ପନା କରାଯାଇ ପାରିବ ନାହିଁ। ସଂସାରର ଜଟିଳତା ହିଁ ହେଉଛି ଏହାକୁ ସର୍ଜନା କରିଥିବା ଈଶ୍ବରଙ୍କ ଉପସ୍ଥିତିର ପ୍ରମାଣ; ଏବଂ ଏହି ସତ୍ୟକୁ ହୃଦୟଙ୍ଗମ କରିବାର ଏକମାତ୍ର ମାଧ୍ୟମ ହେଉଛି ଆସ୍ଥା। ବିବର୍ତ୍ତନବାଦୀମାନେ ସେମାନଙ୍କ ମତବାଦ ସପକ୍ଷରେ ଯେଉଁସବୁ ପ୍ରମାଣ ଉପସ୍ଥାପିତ କରିଥାନ୍ତି, ସେଗୁଡ଼ିକ ମଧ୍ୟରେ ଏକ ପ୍ରମୁଖ ପ୍ରମାଣ ହେଉଛି ଜୀବାଶ୍ମ ବା ‘ଫସିଲ୍’ମାନଙ୍କର ଉପସ୍ଥିତି। ସମୟ କ୍ରମେ ଜୈବିକ ବସ୍ତୁ (ଅର୍ଗାନିଜ୍‌ମ)ମାନଙ୍କରେ ଘଟିଥିବା ପରିବର୍ତ୍ତନମାନ ଠାରୁ ଆରମ୍ଭ କରି ସେମାନଙ୍କର ବିଲୟ, ନୂତନ ଜାତି (ସ୍ପେସିଜ୍)ମାନଙ୍କର ଆବିର୍ଭାବ, ମଧ୍ୟବର୍ତ୍ତୀ ଜାତିମାନଙ୍କର ଉପସ୍ଥିତି ଆଦିର ଛାପ ବହନ କରୁଥିବା ଫସିଲ୍‌ମାନ ହେଉଛନ୍ତି ବିବର୍ତ୍ତନର ଅକାଟ୍ୟ ବାସ୍ତବ ପ୍ରମାଣ ବୋଲି ବିବର୍ତ୍ତନବାଦୀମାନେ ଦାବି କରିଥାନ୍ତି।
ତେବେ ବିବର୍ତ୍ତନବାଦୀମାନେ ଉପସ୍ଥାପିତ କରୁଥିବା ଏହି ଚାକ୍ଷୁଷ ପ୍ରମାଣ ସର୍ଜନାବାଦୀଙ୍କର ଆସ୍ଥାକୁ ଦୋହଲାଇ ଦେବାରେ ସଫଳ ହୋଇପାରି ନାହିଁ। ସେମାନଙ୍କର ଏହି ଅତୁଟ ଆସ୍ଥାର ପ୍ରମୁଖ ପ୍ରବକ୍ତାମାନଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ଖୋଦ୍ ଡାର୍‌ୱିନ୍‌ଙ୍କ ସମସାମୟିକ ଖ୍ୟାତନାମା ପ୍ରକୃତିବିତ୍ ଫିଲିପ୍ ହେନ୍‌ରି ଗସ୍। ଗସ୍ ଓ ତାଙ୍କର ଅନୁଗାମୀମାନେ ଦୃଢ଼ ଭାବରେ ବିଶ୍ବାସ କରୁଥିଲେ ଯେ ଏକ ଘଡ଼ି ନିର୍ମାତା ଏକ ଘଡ଼ି ତିଆରି କଲାଭଳି ଈଶ୍ବର ଖ୍ରୀ.ପୂ. ୪୦୦୪ରେ ଏହି ସଂପୂର୍ଣ୍ଣ ସଂସାରକୁ ନିର୍ମାଣ କରିଥିଲେ, ଯେଉଁଥିରେ ଅନ୍ୟ ସମସ୍ତ ପଦାର୍ଥମାନଙ୍କ ସହିତ ‘ଫସିଲ୍’ମାନ ମଧ୍ୟ ଅନ୍ତର୍ଭୁକ୍ତ। ଅର୍ଥାତ୍ କୌଣସି ଜୀବନ୍ତ ବସ୍ତୁ ମୃତ୍ୟୁ ପରେ ‘ଫସିଲ୍’ରେ ପରିଣତ ହୋଇ ନ ଥାଏ, ଈଶ୍ବର ସିଧାସଳଖ ‘ଫସିଲ୍’ ସୃଷ୍ଟି କରିଥାନ୍ତି। ଆମର ଆସ୍ଥାକୁ ପରୀକ୍ଷ କରିବା ପାଇଁ ଈଶ୍ବର ଏହା କରିଥାନ୍ତି। ଈଶ୍ବର ହଠାତ୍ ଏକାଥରକେ ପୂରା ସଂସାର ସୃଷ୍ଟି କରିଥିଲେ ହେଁ, ‘ଫସିଲ୍’ର ଉପସ୍ଥିତି ଆମ ମନରେ ଏକ ଭ୍ରମ ଧାରଣା ସୃଷ୍ଟି କରିଥାଏ ସତେ ଯେମିତି ବିବର୍ତ୍ତନ ପ୍ରକ୍ରିୟା ମାଧ୍ୟମରେ ଏ ସଂସାରର ଆବିର୍ଭାବ ଘଟିଛି ଓ ଘଟି ଚାଲିଛି। ଦୁର୍ବଳମନାମାନେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନ ପାରି ବିବର୍ତ୍ତନବାଦରେ ବିଶ୍ବାସ କରିଥାନ୍ତି। ସର୍ଜନାବାଦୀମାନଙ୍କର ଏହି ଯୁକ୍ତି ଯେତେ ଉଦ୍ଭଟ ମନେ ହେଉଥିଲେ ହେଁ, ଏହାକୁ ଯୁକ୍ତି ଦ୍ବାରା କାଟିବା କଷ୍ଟକର ହୋଇଥାଏ। ଯେଉଁ ପ୍ରାଣୀମାନଙ୍କର ଫସିଲ୍‌କୁ ବିବର୍ତ୍ତନବାଦର ପ୍ରମାଣ ରୂପେ ପ୍ରଦର୍ଶିତ କରାଯାଉଛି, ‌େସ ପ୍ରାଣୀମାନେ ସତରେ ଦିନେ ଜୀବିତ ଥିବାର ପ୍ରମାଣ କ’ଣ?
କିନ୍ତୁ କଳ୍ପନା କରାଯାଉ ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଭାବରେ ପୃଥିବୀ ପୃଷ୍ଠରେ ଫସିଲ୍‌ରେ ପରିଣତ ହୋଇଥିବା ସେଇ ବିଲୁପ୍ତ ପ୍ରାଣୀମାନଙ୍କର ପୁଣି ଜୀବନ୍ତ ଅବସ୍ଥାରେ ଆବିର୍ଭାବ ଘଟିଛି। ସେପରି ଘଟଣା ଉପରୋକ୍ତ ବିତର୍କରେ ବିବର୍ତ୍ତନବାଦୀ ପକ୍ଷ ପାଇଁ ବିଜୟ ସୁଗମ କରିବା ସହିତ ସର୍ଜନାବାଦୀମାନଙ୍କୁ ପରାଜୟ ସ୍ବୀକାର କରିବାକୁ ବାଧ୍ୟ କରିବ। ଅବିଶ୍ବାସ୍ୟ ଭାବରେ ଏବେ ଜୈବ ବିଜ୍ଞାନ ପରିସରରେ ଏହିପରି ଏକ ଘଟଣା ଘଟିଥିବାର ସୂଚନା ପ୍ରକାଶ ପାଇଛି, ଯାହା ଭବିଷ୍ୟତରେ ସମସ୍ତ ବିଲୁପ୍ତ ଜାତିମାନଙ୍କର ପୁନରାଗମନର ଦୃଢ଼ ସମ୍ଭାବନା ସୃଷ୍ଟି କରିଛି।
‘କଲୋସାଲ୍ ବାୟୋସାଇନ୍‌ସେସ୍’ ନାମକ ଏକ ଆମେରିକୀୟ ଜୈବ ବିଜ୍ଞାନ ଗବେଷଣା କଂପାନି ଅନେକ ଦିନ ହେବ ପୃଥିବୀରୁ ଲୋପ ପାଇଯାଇଥିବା ବିଭିନ୍ନ ପ୍ରାଣୀମାନଙ୍କୁ ପୁଣି ଫେରାଇ ଆଣିବା ପାଇଁ ଗବେଷଣା ଚଳାଇଛି। ଏହି କଂପାନି ତା’ର ଏଭଳି ଉଦ୍ୟମର ନାମକରଣ କରିଛି- ‘ଡି-ଏକ୍ସଟିଙ୍କସନ୍’ (‘ଅଣ-ବିଲୟ’)। ଏବେ କଂପାନି ପ୍ରକାଶ କରିଥିବା ଏକ ସଦ୍ୟ ସୂଚନା ଅନୁସାରେ ଏହି ଉଦ୍ୟମରେ ଅଗ୍ରଗତି ସ୍ବରୂପ ସେମାନେ ପ୍ରାୟ ଦଶ ହଜାର ବର୍ଷ ତଳେ ପୃଥିବୀ ପୃଷ୍ଠରୁ ଲୋପ ପାଇଯାିଥିବା ବିଶାଳକାୟ ପ୍ରାଣୀ ‘ଉଲି ମାମଥ୍’ (‘ଲୋମଶ ଅତିକାୟ ହାତୀ’)କୁ ପୁନର୍ଜୀବିତ କରିବା ଦିଗରେ ଏକ ପ୍ରଥମ ସଫଳତା ହାସଲ କରିଛନ୍ତି।
ଏହି ବିଶାଳ ଲୋମଶ ହାତୀ ସଦୃଶ ପ୍ରାଣୀମାନେ ସାଇବେରିଆର ହିମ ଶୀତଳ ଅଞ୍ଚଳରେ ବାସ କରୁଥିଲେ ଏବଂ ସେମାନଙ୍କର ନିକଟତମ ଜୀବିତ ବଂଶଧର ହେଉଛନ୍ତି ଭାରତ ସମେତ ଏସିଆର ଅନ୍ୟ କେତେକ ଦେଶରେ ଦେଖିବାକୁ ମିଳୁଥିବା ‘ଏସୀୟ ହାତୀ’। ଉପରୋକ୍ତ କଂପାନି ଏବେ ଦାବି କରିଛି ଯେ ସେମାନେ ଗବେଷଣାଗାରରେ ହାତୀର ଜିନ୍‌ରେ ପରିବର୍ତ୍ତନ ଘଟାଇ ତାହାକୁ ମୂଷା ଠାରେ ପ୍ରୟୋଗ କରି ଏକ ଲୋମଶ ମୂଷା (‘ଉଲି ମାଉସ୍’) ସୃଷ୍ଟି କରିବାରେ ସଫଳ ହୋଇଛନ୍ତି, ଯାହାର ବିଲୁପ୍ତ ‘ଉଲି ମାମଥ୍’ ସଦୃଶ ଲମ୍ବା ଲୋମ ଥିବା ସହିତ ହିମ ଶୀତଳ ପରିବେଶରେ ତିଷ୍ଠି ରହିବା କ୍ଷମତା ରହିଛି। ଗବେଷକମାନେ କ୍ରମେ ହାତୀ ଠାରେ ଏହି ଚରିତ୍ରର ପରିପ୍ରକାଶ ଘଟାଇ ଅଦୂର ଭବିଷ୍ୟ‌ତରେ ‘ଉଲି ମାମଥ୍’ର ପୁନରାଗମନ ସମ୍ଭବ କରାଇବାକୁ ଦୃଢ଼ ଆଶା ପୋଷଣ କରିଛନ୍ତି। ଏହାକୁ ଯଦି ‘ବିପରୀତ-ବିବର୍ତ୍ତନ’ ବୋଲି ଅଭିହିତ କରାଯାଏ, ତେବେ କୁହାଯାଇପାରିବ ଯେ ଏହି ‘ବିପରୀତ-ବିବର୍ତ୍ତନ’ ହେବ ବିବର୍ତ୍ତନବାଦର ବଳିଷ୍ଠତମ ପ୍ରମାଣ ଏବଂ ଫିଲିପ୍ ଗସ୍‌ଙ୍କ ଭଳି ସନ୍ଦେହୀମାନଙ୍କୁ ପରାସ୍ତ କରିବା ପାଇଁ ଅମୋଘ ଅସ୍ତ୍ର।
କିନ୍ତୁ ଏହି ବୌଦ୍ଧିକ ବିତର୍କରେ ଅନ୍ତସାଧନକୁ ଅତିକ୍ରମ କରି ଏଭଳି ଉଦ୍ୟମର ଉପଯୋଗିତା କ’ଣ ହୋଇପାରେ? ଏ ପ୍ରଶ୍ନର ଉତ୍ତର ଅସ୍ପଷ୍ଟ। ଗବେଷକମାନେ ଦାବି କରୁଛନ୍ତି ଯେ ଏହାଦ୍ବାରା ପରିବେଶ ସୁରକ୍ଷା ସାଧିତ ହେବା ସହିତ ଜୈବ ବିବିଧତାର ପୁନରୁଦ୍ଧାର ଘଟିବ। ଏହା କିନ୍ତୁ ହେଉଛି ଏକ ଅବାସ୍ତବ ପରିକଳ୍ପନା ଓ ଦୂରଦୃଷ୍ଟିହୀନ ଆଭିମୁଖ୍ୟ। ଖାଦ୍ୟାଭାବ, ପ୍ରତିକୂଳ ପରିବେଶ କିମ୍ବା ଶତ୍ରୁ ଆକ୍ରମଣ ଯୋଗୁଁ ପ୍ରାଣୀମାନଙ୍କର ବିଲୟ ଘଟିଥାଏ। ବିଲୁପ୍ତ ପ୍ରାଣୀମାନଙ୍କୁ ଜୀବନ୍ୟାସ ଦେଲେ ସେମାନେ କେବଳ ପୁଣିଥରେ ସେଇ ସମସ୍ତ ବିପଦମାନଙ୍କର ସମ୍ମୁଖୀନ ହେବେ, ତାହା ନୁହେଁ, ସେଇ ବିପଦଗୁଡ଼ିକ ଆହୁରି ଗୁରୁତର ହୋଇଥିବା ଆବିଷ୍କାର କରିବେ। ଉଦାହରଣ ସ୍ବରୂପ ଦଶ ହଜାର ବର୍ଷ ତଳେ ସାଇବେରିଆର ‘ଉଲି ମାମଥ୍’ଟିଏ ଶିକାରୀର ଧନୁତୀର ବା ବର୍ଚ୍ଛାର ସମ୍ମୁଖୀନ ହେଉଥିବାବେଳେ ବର୍ତ୍ତମାନ ଶକ୍ତିଶାଳୀ ରାଇଫଲ୍‌ର ସମ୍ମୁଖୀନ ହେବ‌; ଜଳବାୟୁ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହୋଇଥିବା ଉତ୍ତପ୍ତ ପରିବେଶରେ ‘ଉଲି ମାମଥ୍’ର ଗହଳ ଲମ୍ବା ଲୋମ ତା’ ପାଇଁ ସୁରକ୍ଷା କବଚ ରୂପେ କାର୍ଯ୍ୟ କରିବା ପରିବର୍ତ୍ତେ ତା’ର ଶରୀରକୁ ଉତ୍ତପ୍ତ କରିବା ପାଇଁ ଘାତକ ସାବ୍ୟସ୍ତ ହେବ। ଏମିତିରେ ବର୍ତ୍ତମାନ ହାତୀ ପାଇଁ ଯଥେଷ୍ଟ ଖାଦ୍ୟ ମିଳୁ ନ ଥିବାରୁ ମନୁଷ୍ୟ-ହାତୀ ଯୁଦ୍ଧ ଚାଲିଥିବାବେଳେ ମାମଥ୍‌ମାନଙ୍କର ଆବିର୍ଭାବ ସେଇ ସଂଘାତକୁ ଆହୁରି ଅଣାୟତ୍ତ କରିବ। ତା’ ଛଡ଼ା ଫ୍ରାଙ୍କେନ୍‌ଷ୍ଟାଇନ୍‌ଙ୍କ ରାକ୍ଷସ ଭଳି ଗବେଷକମାନେ ଯେ କେତେବେଳେ ରାକ୍ଷସ-ଜନ୍ତୁ ସୃଷ୍ଟି କରି ନ ବସିବେ, ତାହା କିଏ କହିବ? କୋଭିଡ୍ ଭୂତାଣୁ ତ ଏଇଭଳି ଗବେଷଣାଗାରରୁ ସୃଷ୍ଟି ହୋଇଥିଲା। ଲୋମଶ ମୂଷାର ଆବିର୍ଭାବ ହେଉଛି ଆମ ପାଇଁ ଏକ ସତର୍କ ଘଣ୍ଟି।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.