Breaking News

ଶଙ୍ଖ ଭବନରେ ଖାଦ୍ୟ ବିକ୍ରିକୁ ନେଇ ବିଜେଡିକୁ ଘେରିଲା ବିଜେପି

ବିଜେଡି ମୁଖ୍ୟାଳୟ ‘ଶଙ୍ଖ ଭବନ’ କ୍ୟାଣ୍ଟିନରେ ଏବେ ହୋଟେଲ ଭଳି ସର୍ବସାଧାରଣଙ୍କୁ ଖାଦ୍ୟ ବିକ୍ରି ହେଉଥିବାରୁ ଏହାକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି। କ୍ୟାଣ୍ଟିନରେ ବିକ୍ରି ହେଉଥିବା ଖାଦ୍ୟର ଲାଭାଂଶ କେଉଁ ନେତାଙ୍କ ପକେଟ୍‌କୁ ଯାଉଛି ତାହା ବିଜେଡି...

ଭୁବନେଶ୍ବର: ବିଜେଡି ମୁଖ୍ୟାଳୟ ‘ଶଙ୍ଖ ଭବନ’ କ୍ୟାଣ୍ଟିନରେ ଏବେ ହୋଟେଲ ଭଳି ସର୍ବସାଧାରଣଙ୍କୁ ଖାଦ୍ୟ ବିକ୍ରି ହେଉଥିବାରୁ ଏହାକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି। କ୍ୟାଣ୍ଟିନରେ ବିକ୍ରି ହେଉଥିବା ଖାଦ୍ୟର ଲାଭାଂଶ କେଉଁ ନେତାଙ୍କ ପକେଟ୍‌କୁ ଯାଉଛି ତାହା ବିଜେଡି ସ୍ପଷ୍ଟ କରୁ ବୋଲି ବିଜେପି ନେତା ଜଗନ୍ନାଥ ପ୍ରଧାନ ପ୍ରଶ୍ନ କରିଛନ୍ତି। ଆଜି ଶ୍ରୀ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଶଙ୍ଖ ଭବନ ହେଉଛି ବିଶ୍ବର ପ୍ରଥମ ଦଳୀୟ କାର୍ଯ୍ୟାଳୟ ଯେଉଁଥିପାଇଁ ଦଳ ସରକାରଙ୍କ ଠାରୁ ଜାଗା ନେଇ ହୋଟେଲ ଖୋଲି ଖାଦ୍ୟ ବିକ୍ରି କରୁଛି। ରାଜ୍ୟ ସରକାର ଏହାର ତଦନ୍ତ କରନ୍ତୁ। ଦଳ କେଉଁ ଉଦ୍ଦେଶ୍ୟରେ ଜାଗା ନେଇଥିଲା ଏବଂ କେଉଁ ଉଦ୍ଦେଶ୍ୟରେ ବ୍ୟବହାର କରୁଛି ତାହା ସ୍ପଷ୍ଟ ହେବା ଦରକାର। ଏହାସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶଙ୍ଖ ଭବନ କ୍ୟାଣ୍ଟିନରେ ଖାଦ୍ୟ ବିକ୍ରି ହେବା ପରେ ଏବେ ସାଧାରଣରେ ଚର୍ଚ୍ଚା ହେଉଛି ଯେ ବି‌େଜଡି ଆଗକୁ ନିଶ୍ଚିହ୍ନ ହେବା ଆଶଙ୍କା କରି ଏଠାରେ ଏବେଠାରୁ ହୋଟେଲ ଖୋଲାଯାଇଛି।

ଖାଦ୍ୟ ବିକ୍ରିର ଲାଭ କାହା ପକେଟ୍‌କୁ ଯାଉଛି ବିଜେଡି ସ୍ପଷ୍ଟ କରୁ: ବିଜେପି
କ୍ୟାଣ୍ଟିନ୍‌ରେ ସାଧାରଣ ଲୋକ ଖାଇବା କ’ଣ ଖରାପ: ବିଜେଡି

ଏହାପରେ ଏହାକୁ ଏକ ବିଳାସପୂର୍ଣ୍ଣ ହୋଟେଲରେ ପରିଣତ କରାଯିବ। ଯଦି ରାଜ୍ୟ ସରକାର ଏବେଠୁ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ଅନ୍ୟ ରାଜନୈତିକ ଦଳମାନେ ବି ସେମାନଙ୍କୁ ମିଳିଥିବା ସରକାରୀ ଜାଗା, କ୍ବାର୍ଟର୍ସକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରିପାରନ୍ତି। ତେଣୁ ସରକାର ବିଜେଡିକୁ ଦେଇଥିବା ଜାଗାକୁ ନିଜ ଅକ୍ତିଆରକୁ ଆଣନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଲିଗାଲ୍ ସେଲ ସଂଯୋଜକ ଜୟନ୍ତ କୁମାର ଜେନା, ପୂର୍ବତନ କର୍ପୋରେଟର ସୁରେଶ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ବିଜେପି ନେତ‌ାଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ୍ ଦେଇ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ ରେଲୱେର କ୍ୟାଣ୍ଟିନ୍‌ ଅଛି। ସଂସଦରେ ମଧ୍ୟ କ୍ୟାଣ୍ଟିନ୍‌ ରହିଛି। ଅବଶ୍ୟ ଖାଇବା ଲୋଭ କାହାର ଅଛି, ତାହା ଗଣମାଧ୍ୟମରେ ଦେଖାଯାଉଛି। ମୁଁ ବିଜେପି ନେତାଙ୍କୁ ନିମନ୍ତ୍ରଣ କରୁଛି, ତାଙ୍କର ଯେତେବେଳେ ଖାଇବାକୁ ଇଚ୍ଛା ହେଉଛି ସେତେବେଳେ ଶଙ୍ଖ ଭବନ କ୍ୟାଣ୍ଟିନକୁ ଆସି ଶୁଦ୍ଧ ଶାକାହାରୀ ଖାଦ୍ୟ ଖାଆନ୍ତୁ। କ୍ୟାଣ୍ଟିନରେ ସାଧାରଣ ଲୋକ ଖାଇବା କ’ଣ ଖରାପ? ଏମିତିରେ ଶଙ୍ଖ ଭବନରେ ଦଳର ପ୍ରତିଦିନ ବୈଠକ ବସୁଛି। କର୍ମୀଙ୍କ ସହ ନେତା ଓ ସାଧାରଣ ଲୋକ ଆସି କ୍ୟାଣ୍ଟିନରେ ଖାଉଛନ୍ତି। ଏଥିରେ ଅସୁବିଧା‌ କେଉଁଠି?

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.