Breaking News

ଶନିବାରଠୁ ଆଇପିଏଲ୍‌, ବଢ଼ୁଛି ଉତ୍କଣ୍ଠା: ଗୁଆହାଟୀକୁ ସ୍ଥାନାନ୍ତର ହେଲା କେକେଆର୍‌-ଏଲ୍‌ଏସ୍‌ଜି ମ୍ୟାଚ୍

ଆଇପିଏଲ୍‌ର ଅଷ୍ଟାଦଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବ। ଏହାକୁ ନେଇ କ୍ରିକେଟ୍‌ ଜଗତରେ ପ୍ରବଳ ଉତ୍କଣ୍ଠା ପରିଲକ୍ଷିତ ହୋଇଛି। ତେବେ ରାମନବମୀ ଅବସରରେ ଆବଶ୍ୟକ ସୁରକ୍ଷା....

କୋଲକାତା: ଆଇପିଏଲ୍‌ର ଅଷ୍ଟାଦଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବ। ଏହାକୁ ନେଇ କ୍ରିକେଟ୍‌ ଜଗତରେ ପ୍ରବଳ ଉତ୍କଣ୍ଠା ପରିଲକ୍ଷିତ ହୋଇଛି। ତେବେ ରାମନବମୀ ଅବସରରେ ଆବଶ୍ୟକ ସୁରକ୍ଷା ପ୍ରଦାନ କରିବାକୁ ସ୍ଥାନୀୟ ପୁଲିସ ମନା କରିବା ପରେ ଏପ୍ରିଲ ୬ରେ ଏଠାରେ ଖେଳାଯିବାକୁ ଥିବା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ଓ ଲକ୍ଷ୍ନୌ ସୁପରଜାଏଣ୍ଟସ୍‌ ମ୍ୟାଚ୍ ଗୁଆହାଟୀକୁ ସ୍ଥାନାନ୍ତର ହୋଇଛି। ବେଙ୍ଗଲ କ୍ରିକେଟ୍ ସଂଘ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ସ୍ନେହାଶିଷ ଗାଙ୍ଗୁଲି ଗୁରୁବାର ଏହି ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ଗତବର୍ଷ ରାମନବମୀରେ ଇଡେନ୍ ଗାର୍ଡେନ୍ସରେ ଖେଳାଯିବାକୁ ଥିବା କେକେଆର୍‌ ଓ ରାଜସ୍ଥାନ ରୟାଲ୍‌ସ ମ୍ୟାଚ୍‌ର ଭେନ୍ୟୁକୁ ମଧ୍ୟ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥା ନହେଲେ ୬୫୦୦୦ରୁ ଅଧିକ ଦର୍ଶକଙ୍କୁ ପରିଚାଳନା କରିବା ଅତ୍ୟନ୍ତ କଷ୍ଟକର ହେବ। ଏଣୁ କେକେଆର୍‌-ଏଲ୍‌ଏସ୍‌ଜି ମ୍ୟାଚ୍‌କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଆମେ ବିସିସିଆଇକୁ ଅନୁରୋଧ କରିଥିଲୁ ବୋଲି ସ୍ନେହାଶିଷ କହିଛନ୍ତି। ସୂଚନାଯୋଗ୍ୟ ଯେ ରାମନବମୀ ଅବସରରେ ପଶ୍ଚିମବଙ୍ଗରେ ୨୦,୦୦୦ରୁ ଅଧିକ ଶୋଭାଯାତ୍ରା କରାଯିବ ବୋଲି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଛନ୍ତି। ଏହାକୁ ଦେଖି କୋଲକାତା ପୁଲିସ ରାମନବମୀରେ କ୍ରିକେଟ୍ ମ୍ୟାଚ୍ ପାଇଁ  ସୁରକ୍ଷା ଦେବାକୁ ନିଜ ଅକ୍ଷମତା ପ୍ରକାଶ କରିଥିବା ଜଣାପଡ଼ିଛି।

ରାଜସ୍ଥାନର ପ୍ରଥମ ୩ ମ୍ୟାଚ୍‌ରେ ପରାଗ ଅଧିନାୟକ
ରାଜସ୍ଥାନ ରୟାଲ୍‌ସର ପ୍ରଥମ ତିନି ମ୍ୟାଚ୍‌ରେ ରିଆନ ପରାଗ କାମଚଳା ଅଧିନାୟକ ଦାୟିତ୍ବ ତୁଲାଇବେ। ନିୟମିତ ଅଧିନାୟକ ସଞ୍ଜୁ ସାମସନ୍ ପୂରା ଫିଟ୍ ନଥିବାରୁ ଦଳ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ସଞ୍ଜୁ ଜଣେ ଖେଳାଳି ଭାବେ ଏହି ମ୍ୟାଚ୍‌ଗୁଡ଼ିକ ଲାଗି ଉପଲବ୍ଧ ହେବେ। ଅଙ୍ଗୁଳିରେ ଅସ୍ତ୍ରୋପଚାର ହୋଇଥିବାରୁ ବିସିସିଆଇ ଡାକ୍ତରମାନେ ତାଙ୍କୁ ଆଉ କିଛି ଦିନ ପାଇଁ ୱିକେଟ୍‌ରକ୍ଷଣ ନକରିବାକୁ ପରାମର୍ଶ ଦେବା ପରେ ରାଜସ୍ଥାନ ବାଧ୍ୟହୋଇ ତାଙ୍କୁ ଅଧିନାୟକ ଦାୟିତ୍ବରୁ ଦୂରେଇ ରଖିଥିବା ଜଣାପଡ଼ିଛି। ସଞ୍ଜୁଙ୍କୁ ସମ୍ଭବତଃ ରାଜସ୍ଥାନ ଇମ୍ପାକ୍ଟ ପ୍ଲେୟାର ଭାବେ ଏହି ମ୍ୟାଚ୍‌ଗୁଡ଼ିକରେ ଖେଳାଇପାରେ। ସୂଚନାଯୋଗ୍ୟ ଯେ ଗତମାସରେ ମୁମ୍ବାଇରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ମୁକାବିଲ‌ାରେ ସଞ୍ଜୁ ଆହତ ହୋଇଥିଲେ। ଜୋଫ୍ରା ଆର୍ଚରଙ୍କ ବଲ୍‌ରେ ଆଘାତପ୍ରାପ୍ତ ହେବା ପରେ ତାଙ୍କ ଅଙ୍ଗୁଳିରେ ଅସ୍ତ୍ରୋପଚାର କରାଯାଇଥିଲା।

ସାଲିଭା ବାସନ୍ଦ ପ୍ରତ୍ୟାହୃତ
ଭାରତୀୟ ଦଳର ବରିଷ୍ଠ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ଦାବି ତଥା ଅସନ୍ତୋଷ ପରେ ବିସିସିଆଇ ନମ୍ର ହୋଇଛି। ବହୁ ଅଧିନାୟକଙ୍କ ପରାମର୍ଶ କ୍ରମେ ଆଇପିଏଲ୍‌-୨୦୨୫ ଆରମ୍ଭର ମାତ୍ର ୨ ଦିନ ପୂର୍ବରୁ ସାଲିଭା (ବଲ୍‌ରେ ଲଗାଯାଉଥିବା ଲାଳ କି ଛେପ) ଉପରେ ରହିଥିବା ବାସନ୍ଦକୁ ପ୍ରତ୍ୟାହାର କରି ନେଇଛି। କୋଭିଡ୍‌-୧୯ ପରବର୍ତ୍ତୀ ମହାମାରୀ ସମୟରେ କ୍ରିକେଟ୍‌ ଫେରିବା ଲାଗି ଆଇସିସି ସାମୟିକ ଭାବେ ସାଲିଭା ଉପରେ ନିଲମ୍ବନ ଲାଗୁ କରିଥିଲା। ସ୍ବାସ୍ଥ୍ୟ ଓ ସୁରକ୍ଷାଗତ କାରଣ ଦର୍ଶାଇ ଆଇସିସି ମଧ୍ୟ ୨୦୨୨ ମସିହାରେ ଏହାକୁ ସ୍ଥାୟୀ ଭାବେ ବାସନ୍ଦ କରିଥିଲା। ଏବେ ବିସିସିଆଇ ବିଶ୍ବର ପ୍ରଥମ ବୋର୍ଡ ଭାବେ ସାଲିଭା ନିଲମ୍ବନକୁ ପ୍ରତ୍ୟାହାର କରି ନେଇଛି। ଅବଶ୍ୟ ଏହି ବାସନ୍ଦକୁ କେବଳ ଆଇପିଏଲ୍‌-୨୦୨୫ ପାଇଁ ପ୍ରତ୍ୟାହାର କରାଯାଇଛି ବୋଲି ବିସିସିଆଇ ପ୍ରକାଶ କରିଛି।
ଗତ ସପ୍ତାହରେ ମୁମ୍ବାଇରେ ଅନୁଷ୍ଠିତ ଆଇପିଏଲ୍‌ ଅଧିନାୟକଙ୍କ ବୈଠକରେ ଅଧିକାଂଶ ସାଲିଭା ବାସନ୍ଦ ପ୍ରତ୍ୟାହାର ପ୍ରସ୍ତାବକୁ ସମର୍ଥନ କରିଥିଲେ। ଆଇପିଏଲ୍‌ ଏକ ଘରୋଇ ପ୍ରତିଯୋଗିତା ହୋଇଥିବାରୁ ଏହା ଆଇସିସି ନିୟନ୍ତ୍ରଣ ବାହାରେ ରହିଛି ଏବଂ ନିଜ ଖେଳ ନିୟମାବଳୀରୁ ସାଲିଭା ବ୍ୟବହାରକୁ ସମ୍ମତି ଜଣାଇଛି। ସୂଚନାଯୋଗ୍ୟ, କ୍ରିକେଟ୍ ବଲକୁ ଅଧିକ ଚିକ୍କଣ କରିବାକୁ ବୋଲରମାନେ ଏଥିରେ ଲାଳ କି ‌ଛେପ ଲଗାଇବା ବହୁ ଦିନରୁ ପ୍ରଚଳିତ ରହିଥିଲା। କେବଳ‌ କୋଭିଡ୍ କଟକଣା ପରେ ଏହାକୁ ନେଇ ପୁନଃବିଚାର କରାଯାଇଥିଲା।

ଗ୍ଲାମର୍‌ ଭରିବେ ଦିଶା
ଆଇପିଏଲ୍‌ ୨୦୨୫ର ଉଦ୍‌ଘାଟନୀ ଉତ୍ସବରେ ଦର୍ଶକଙ୍କୁ ଝୁମାଇବେ ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀ। ଉଦ୍‌ଘାଟନୀ ଉତ୍ସବ କୋଲ୍‌କାତାସ୍ଥିତ ଇଡେନ୍‌ ଗାର୍ଡେନ୍ସଠାରେ ଶନିବାର ଅନୁଷ୍ଠିତ ହେବ। ଆଇପିଏଲ୍‌ ତା’ ଏକ୍ସ ପୃଷ୍ଠାରେ ଏହି ସୂଚନା ଦେଇଛି। ଏଥିରେ ଲେଖାହୋଇଛି, ‘‘ଆଇପିଏଲ୍‌କୁ ୧୮ ବର୍ଷ ପୂରଣ ଅବସରରେ ଏଭଳି ଉତ୍ସବ ପାଳିତ ହେବ, ଯେପରିକି କେବେ ପୂର୍ବରୁ ହୋଇ ନଥିବ! ଷ୍ଟେଜ୍‌ ଦୁଲୁକାଇବାରେ ଦିଶା ପଟାନୀଙ୍କଠୁ କିଏ ଭଲ ହୋଇପାରେ? ଟାଟାଆଇପିଏଲ୍‌ ୧୮ର ଉଦ୍‌ଘାଟନୀ ଉତ୍ସବକୁ ହାତଛଡ଼ା କରନ୍ତୁ ନାହିଁ’’। ଏହି ତାରକା ଖଚିତ କାର୍ଯ୍ୟକ୍ରମରେ ଦିଶାଙ୍କ ସହ ଗାୟକ କରନ ଔଜଲା ଓ ଶ୍ରେୟା ଘୋଷାଲ ମଧ୍ୟ ଯୋଗଦେବେ। ଏହି ଉତ୍ସବରେ ଆଇସିସି ଅଧ୍ୟକ୍ଷ ଜୟ ଶାହ ଓ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.