Breaking News

ଶରୀରକୁ ଡିଟକ୍ସ କରିବା

ପ୍ରତ୍ୟେକ ପୂଜାପର୍ବରେ ସାଧାରଣତଃ ପିଠା, ମିଠା ଓ ଅନେକ ଭଳିକି ଭଳି ଖାଦ୍ୟରେ ସଭିଙ୍କ ଘର ଭରିଯାଏ, ଯାହାକୁ ଖାଇବା ଏବଂ ଅନ୍ୟମାନଙ୍କୁ ଶ୍ରଦ୍ଧାରେ ଖୁଆଇବାରେ ବେଶ୍‌ ଆନନ୍ଦ ବି ମିଳିଥାଏ। ହେଲେ ଏହାଦ୍ୱାରା ନା କେବଳ ଶରୀରକୁ ଅଧିକ କ୍ୟାଲୋରି ଯାଇଥାଏ....

ପ୍ରତ୍ୟେକ ପୂଜାପର୍ବରେ ସାଧାରଣତଃ ପିଠା, ମିଠା ଓ ଅନେକ ଭଳିକି ଭଳି ଖାଦ୍ୟରେ ସଭିଙ୍କ ଘର ଭରିଯାଏ, ଯାହାକୁ ଖାଇବା ଏବଂ ଅନ୍ୟମାନଙ୍କୁ ଶ୍ରଦ୍ଧାରେ ଖୁଆଇବାରେ ବେଶ୍‌ ଆନନ୍ଦ ବି ମିଳିଥାଏ। ହେଲେ ଏହାଦ୍ୱାରା ନା କେବଳ ଶରୀରକୁ ଅଧିକ କ୍ୟାଲୋରି ଯାଇଥାଏ ବରଂ ଏସବୁ ଖାଦ୍ୟରେ ବ୍ୟବହୃତ ରଙ୍ଗ, ତେଲ ଆଦିରେ ଥିବା ବିଷାକ୍ତ ପଦାର୍ଥ ଶରୀରକୁ ହାନି ପହଞ୍ଚାଇଥାଏ। ଏହାକୁ ଦୂର କରି ସୁସ୍ଥ ରହିବା ଲାଗି ପୂଜାପର୍ବ ପରେ କେତେକ ଉପାୟରେ ବଡି ଡିଟକ୍ସ କରିବା ନିହାତି ଆବଶ୍ୟକ…

 ପିଅନ୍ତୁ ଅଧିକ ପାଣି: ଶରୀରକୁ ସୁସ୍ଥ ରଖିବା ଲାଗି ପାଣି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହା ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ଝାଳ ଓ ପରିସ୍ରା ଦ୍ୱାରା ବାହାର କରିବାରେ ସାହାଯ୍ୟ କରେ ଏବଂ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ। ତେଣୁ ଅତିକମ୍‌ରେ ଦିନକୁ ୩-୪ ଲିଟର ପାଣି ପିଇବା ଆବଶ୍ୟକ। ବିଶେଷକରି ପୂଜା ଦିନମାନଙ୍କରେ ଖାଉଥିବା ଖାଦ୍ୟ ଭଲ ଭାବେ ହଜମ ହେବାଲାଗି ଏହାଠୁ ଅଧିକ ପାଣି ପିଇପାରିଲେ ଭଲ।
 ପ୍ରୋବାୟୋଟିକ୍‌ ଖାଇବା ଲାଭଦାୟକ: ଖାଦ୍ୟଦ୍ୱାରା ଶରୀରକୁ ଯାଉଥିବା କୌଣସି ବିଷାକ୍ତ ପଦାର୍ଥକୁ ଦୂର କରିବା ଲାଗି ଖାଦ୍ୟ ତାଲିକାରେ ପ୍ରୋବାୟୋଟିକ୍‌ ସାମିଲ କରନ୍ତୁ। ଦହିରେ ଅଧିକ ମାତ୍ରାରେ ପ୍ରୋବାୟୋଟିକ୍‌ ରହିଛି। ଏହା ଏକପ୍ରକାରର ଫାଇବର୍‌, ଯାହାକୁ ଖାଇବା ଦ୍ୱାରା ହଜମକ୍ରିୟା ଠିକ୍‌ ଭାବେ ହୋଇଥାଏ। ଏହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ବ୍ୟାକ୍ଟେରିଆଙ୍କୁ ସୁରକ୍ଷିତ ରଖିଥାଏ।
 ପରିବା ଜୁସ୍‌: ଶରୀରକୁ ଡିଟକ୍ସ କରିବା ଲାଗି ବିଭିନ୍ନ ପରିବା ଜୁସ୍‌ ପିଇବା ବେଶ୍‌ ଉପକାରୀ। ଏଥିପାଇଁ ଲାଉ, କାକୁଡ଼ି, ଅଦା, ଲେମ୍ବୁ, ଗାଜର, ବିଟ୍‌, ପାଳଙ୍ଗ ଆଦିର ଜୁସ୍‌ ପିଇପାରିବେ। ଏହା ଶରୀରକୁ ପୋଷକତତ୍ତ୍ୱ ଯୋଗାଇ ଦେବା ସହ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।
କମାନ୍ତୁ ଲୁଣ: ଆବଶ୍ୟକତାଠାରୁ ଅଧିକ ଲୁଣ ଖାଇବା ଠିକ୍‌ ନୁହେଁ। କାରଣ ଏହା ରକ୍ତଚାପ ବଢ଼ାଇବା ସହ ଶରୀରରେ ପାଣି ଜମା କରିଥାଏ। ଏହାଦ୍ୱାରା ଲିଭର୍‌ ଓ କିଡ୍‌ନୀ ସମସ୍ୟା ଉପୁଜିପାରେ। ପୂଜା ପର୍ବ ସମୟରେ ହେଉଥିବା ଛଣାଛଣି କିମ୍ବା ଅନ୍ୟାନ୍ୟ ଖାଦ୍ୟରେ ଶରୀରକୁ ଅଧିକ ଲୁଣ ଯାଇଥାଏ। ତେଣୁ ପରେ ଶରୀରକୁ ଡିଟକ୍ସ କରିବା ଲାଗି ଖାଦ୍ୟରେ ଲୁଣମାତ୍ରା କମ୍‌ କରିବା ସହ ଅଧିକ ପାଣି ପିଇବା ଆବଶ୍ୟକ।
 ବ୍ୟାୟାମ ଗୁରୁତ୍ୱପୂର୍ଣ୍ଣ: ପ୍ରତିଦିନ ବ୍ୟାୟାମ କରିବା ଦ୍ୱାରା ଶରୀର ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇଥାଏ। ଏହା ରକ୍ତ ସଞ୍ଚାଳନ ଠିକ୍‌ ଭାବେ କରାଇବା ସହ ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.