Breaking News

ଶାକମ୍ଭରୀ ସରୋବର

ଭାରତର ବୃହତ୍ତମ ଲୁଣ ଉତ୍ପାଦକ ହ୍ରଦ ରାଜସ୍ଥାନର ଜୟପୁର ସହରଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଅବସ୍ଥିତ। ତାହାକୁ ସମ୍ଭର ହ୍ରଦ ବା ଶାକମ୍ଭରୀ ସରୋବର କୁହାଯାଏ। କଥିତ ଅଛି, ଏହି ବିଶାଳକାୟ ହ୍ରଦ ଦେବୀ...

ଭାରତର ବୃହତ୍ତମ ଲୁଣ ଉତ୍ପାଦକ ହ୍ରଦ ରାଜସ୍ଥାନର ଜୟପୁର ସହରଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଅବସ୍ଥିତ। ତାହାକୁ ସମ୍ଭର ହ୍ରଦ ବା ଶାକମ୍ଭରୀ ସରୋବର କୁହାଯାଏ। କଥିତ ଅଛି, ଏହି ବିଶାଳକାୟ ହ୍ରଦ ଦେବୀ ଶାକମ୍ଭରୀଙ୍କ ଦ୍ବାରା ନିର୍ମିତ ହୋଇଥିଲା। ଏ ସଂପର୍କରେ ପୁରାଣରେ ଏକ ସୁନ୍ଦର ଆଖ୍ୟାନ ଅଛି।
ଏକଦା ଦୁର୍ଗମ ରାକ୍ଷସର ଅତ୍ୟାଚାରରେ ପୃଥିବୀ ଶ୍ରୀହୀନ ହୋଇପଡ଼ିଲା। ବର୍ଷା ଅଭାବରୁ ଶସ୍ୟ ଉତ୍ପାଦିତ ହେଲା ନାହିଁ। ପ୍ରାଣୀମାନେ କ୍ଷୁଧାତୃଷାରେ ଆତୁର ହୋଇ ମୃତ୍ୟୁମୁଖରେ ପଡ଼ିଲେ। ଏହା ଦେଖି ଦେବତା ତଥା ମୁନିଋଷିମାନେ ଶିବଲିକ ପର୍ବତ ଉପରକୁ ଯାଇ ଦେବୀ ମହାମାୟାଙ୍କୁ ପ୍ରାର୍ଥନା କଲେ। ଦେବୀ ମହାମାୟା ପୃଥିବୀର ଏପରି ଶ୍ରୀହୀନ ଅବସ୍ଥା ‌ଦେଖି ଶୋକରେ ମ୍ରିୟମାଣ ହୋଇପଡ଼ିଲେ। ତାଙ୍କର ଚକ୍ଷୁରୁ ଅନବରତ ଅଶ୍ରୁ ଝରିବାକୁ ଲାଗିଲା। ସେଥିରୁ ଅନେକ ନଦନଦୀ ସୃଷ୍ଟି ହେଲା। ପୃଥିବୀରେ ଫଳ, ପୁଷ୍ପ, ମୂଳ, ପତ୍ର ସହ ଖାଦ୍ୟ ଉପଯୋଗୀ ଅନେକ ବୃକ୍ଷ ସୃଷ୍ଟି ହେଲେ। ସବୁଜିମାରେ ପୃଥିବୀ ହସି ଉଠିଲା। ଦେବୀ ହେଲେ ଶତାକ୍ଷୀ, ଶାକମ୍ଭରୀ। ଦେବୀଙ୍କ ଅଶ୍ରୁରୁ ସୃଷ୍ଟ ସାତଟି ନଦୀ- ଏକତ୍ର ହୋଇ ଏକ ହ୍ରଦ ସୃଷ୍ଟି ହେଲା।
ଷଷ୍ଠ ଶତାବ୍ଦୀରେ ଚୌହାନ ବଂଶରେ ବାସୁଦେବ ନାମରେ ଜଣେ ରାଜା ରାଜତ୍ବ କରିଥିଲେ। ଦେବୀ ଶାକମ୍ଭରୀଙ୍କୁ ସେ ଅତ୍ୟନ୍ତ  ଭକ୍ତି ଓ ଶ୍ରଦ୍ଧାର ସହିତ ଉପାସନା କରୁଥିଲେ। ତାଙ୍କର ଭକ୍ତିରେ ସନ୍ତୁଷ୍ଟ ହୋଇ ଏକଦା ଦେବୀ ତାଙ୍କୁ ଏକ ମନୋବାଞ୍ଛିତ ବର ଦେବାକୁ ଚାହିଁଲେ। ବାସୁଦେବ ତାଙ୍କୁ ଧନଧାନ୍ୟରେ ପୂର୍ଣ୍ଣ କରିଦେବାକୁ ବର ମାଗିଲେ। ଏହା ଶୁଣି ଦେବୀ କହିଲେ- ସକାଳୁ ତୁ ‌ଘୋଡ଼ାରେ ବସି ଦୌଡ଼ିବୁ। ତୁ ଯେତେ ବାଟ ଯିବୁ ତୋର ସେ ସ୍ଥାନ ସୁନାରୁପାରେ ଭରିଯିବ। ଯେଉଁଠି ତୁ ପଛକୁ ଚାହିଁବୁ ସେହିଠାରେ ତା’ର ସମାପ୍ତି ହେବ। ବାସୁଦେବ ସେହିପରି କଲେ। ଯେଉଁ ସ୍ଥାନ ସେ ପରିକ୍ରମା କଲେ ତାହା ସୁନାରୁପା ଖଣିରେ ପରିଣତ ହୋଇଗଲା। ବାସୁଦେବ ଖୁସି ହୋଇ ଏହା ତାଙ୍କ ମାତାଙ୍କୁ ଜଣାଇଲେ। ମାତ‌ା ସବୁ ଶୁଣି ଖେଦୋକ୍ତି ପ୍ରକାଶ କରି କହିଲେ, ଏ ଧନ ସଂପତ୍ତି ତୋର ସମସ୍ତ ସୁଖଶାନ୍ତି ହରଣ କରିନେବ।  ବାସୁଦେବ ଏହା ହୃଦୟଙ୍ଗମ କରି ଦେବୀଙ୍କୁ ଏସବୁ ଫେରାଇ ଦେବାପାଇଁ କହିଲେ ଏବଂ ସେହି ସ୍ଥାନକୁ ଲବଣାକ୍ତ କରିଦେବାପାଇଁ ଦେବୀଙ୍କୁ ପ୍ରାର୍ଥନା କଲେ। ଦେବୀଙ୍କ କୃପାରୁ ସେହି ହ୍ରଦ ଲବଣହ୍ରଦରେ ପରିଣତ ହୋଇଗଲା।
ଦେବୀ ଶାକମ୍ଭରୀଙ୍କର ମହତ୍ତ୍ବ ଉପଲବ୍‌ଧି କରି ମୋଗଲ ସମ୍ରାଟ ଜାହାଙ୍ଗୀର ସେହି ହ୍ରଦ ମଧ୍ୟରେ ଥିବା ଏକ ପାହାଡ଼ ଉପରେ ଏକ ଛତ୍ରି ସ୍ଥାପନ କରିଥିଲେ। ଭାଦ୍ରବ ଶୁକ୍ଳପକ୍ଷ ଅଷ୍ଟମୀ ଓ ପୌଷପୂର୍ଣ୍ଣିମାରେ ସେଠାରେ ଦେବୀଙ୍କର ଜନ୍ମୋତ୍ସବ ପାଳନ କରାଯାଏ। ଚୈତ୍ର ନବରାତ୍ରି ଓ ଆଶ୍ବିନ ନବରାତ୍ରି ମଧ୍ୟ ସେଠାରେ ପାଳିତ ହୁଏ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.