Breaking News

ଶାବରଶ୍ରୀକ୍ଷେତ୍ର ଆୟବ୍ୟୟକୁ ନେଇ ସନ୍ଦେହ

ସାଧାରଣ ପରିଷଦ ବୈଠକରେ ଯଦିଓ ଆୟବ୍ୟୟକୁ ନେଇ ଯୋଗ ଦେଇଥିବା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ମାଛ, ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ ତିନି ବିଧାୟକ ସଂଦେହ ପ୍ରକାଶ କରିଛନ୍ତି।

କୋରାପୁଟ: ଶାବରଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ସାଧାରଣ ପରିଷଦ ବୈଠକ ଶନିବାର ଦିନ  ଅନୁଷ୍ଠିତ ହୋଇଥିଲା। ବୈଠକରେ ଆୟ ବ୍ୟୟକୁ ନେଇ ଉପସ୍ଥାପିତ ତଥ୍ୟକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଏପରିକି ବହୁ ପ୍ରକଳ୍ପ ଓ ଖର୍ଚ୍ଚ ପରିଚାଳନା କମିଟିର ସଭାପତି ତଥା ଜିଲ୍ଲାପାଳଙ୍କ ଅଜାଣତରେ ହୋଇଛି। ଯଦିଓ ପୁରୁଣା କମିଟି ଭାଙ୍ଗି ଦିଆଯାଇଥିବାରୁ ସାଧାରଣରେ ଏହାକୁ ସ୍ବାଗତ କରାଯିବା ସହ ଆଗାମୀ ଦିନରେ ଶାବରଶ୍ରୀକ୍ଷେତ୍ର ପରିଚାଳନା ପାଇଁ ଭଲ ଓ ସ୍ବଚ୍ଛ, ସବୁବର୍ଗକୁ  ସୁହାଇବା ସଭ୍ୟ ଓ କମିଟି ଗଠନ ହେଉ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସାଧାରଣ ପରିଷଦ ବୈଠକରେ ଯଦିଓ ଆୟବ୍ୟୟକୁ ନେଇ ଯୋଗ ଦେଇଥିବା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ମାଛ, ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ ତିନି ବିଧାୟକ ସଂଦେହ ପ୍ରକାଶ କରିଛନ୍ତି। ଏହାକୁ ଅନୁମୋଦନ କରି ନଥିବା କହିଛନ୍ତି। ଏପ୍ରିଲ ୨୦୨୪ ରୁ ଜାନୁଆରି ୨୦୨୫ ପର୍ଯ୍ୟନ୍ତ ଆୟ ୪,୬୩,୦୯,୬୨୯ ଟଙ୍କା ହୋଇଥିବା ବେଳେ  କମିଟି ଦ୍ୱାରା ଉପସ୍ଥାପିତ ଖର୍ଚ୍ଚ ୪,୬୦,୯୩,୫୬୨ ଟଙ୍କା ଥିଲା। ତେବେ ଏତେ ଖର୍ଚ୍ଚ କିଭଳି ହେଲା ଆୟ ଓବ୍ୟୟ ସମାନ କିଭଳି ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

ପ୍ରଥମେ ଆୟରେ ସାଧାରଣ ଦାନ ୨ଲକ୍ଷ ୩୫ହଜାର ୬୧୪ଟଙ୍କା, ହୁଣ୍ଡି ୧୫ଲକ୍ଷ ୮୪ହଜାର ୨୧୩ଟଙ୍କା, ରଥଯାତ୍ରା ୭୪ହଜାର, ବିଗ୍ରହ ୩୦ହଜାର , ପୂଜା ଓ ଶ୍ରାଦ୍ଧ ୬୮ହଜାର୧୫୧, ହବିଷ୍ୟାଳୀ ଦାନ ୧୦୪୭୧୭, କ୍ବୁ ଆର ଦାନ ୧୬୮୬୧୨,  ପ୍ରସାଦରେ ସୁଖିଳା ପ୍ରସାଦ ୫୧୯୭୮୧୦, ପହଲି ଭୋଗ ୩୨୧୫୩୦, ଅନ୍ନ ପ୍ରସାଦ ୧,୮୫,୭୦,୫୮୧,ଅତିଥି ଭବନ, ୫୧ଲକ୍ଷ, ଅତିଥି ଭବନ କ୍ୟାଟରିଂ ୧୪ଲକ୍ଷ , ଯାତ୍ରୀ କୁଟିର, ଯାତ୍ରୀ ନିବାସ, ସାତ୍ତ୍ବିକ, ଶାନ୍ତି, ମୌତ୍ରୀ, ବହି, ଗୁଣ୍ଡିଚା ହଲ୍ ଲାଇସେନ୍ସ ଫି, ଚିତ୍ରାଲୟ, କଲ୍ୟାଣ ମଣ୍ଡପ, ଆଦିରୁ ୪,୬୩,୦୯,୬୨୯ ଟଙ୍କା ଆୟ ହୋଇଛି। ସେହିପରି ବ୍ୟୟରେ ନିତିଦିନିଆ ଖର୍ଚ୍ଚ ବାବଦକୁ ୧୮ଲକ୍ଷ, ରଥଯାତ୍ରା ପାଇଁ ୧୫ଲକ୍ଷ, ହବିଷ୍ୟାଳୀଙ୍କ ପାଇଁ ୨ଲକ୍ଷ ୪୫ହଜାର , ପ୍ରସାଦ ପ୍ରସ୍ତୁତି ପାଇଁ ସାମଗ୍ରୀ କିଣାରେ ୧କୋଟି ୫୧ଲକ୍ଷ, ୬୧ହଜାର ୧୦୦ଟଙ୍କା, ପଂଚବଟୀରେ ଚାଷ ପାଇଁ ୧୫ଲକ୍ଷ, କମ୍ବଳ କିଣିବା ପାଇଁ ୨ଲକ୍ଷ୫୪ହଜାର ,ଚମ୍ପାବଣ ପାଇଁ ୪୨ଲକ୍ଷ ୫୭ହଜାର ଏଭଳି ବିବିଧ ଖର୍ଚ୍ଚ ବାବଦକୁ ୪,୬୦,୯୩,୫୬୨ ଟଙ୍କା କରାଯାଇଛି।

ଯଦି ୨୦୨୩-୨୪, ୨୦୨୨-୨୩ଆର୍ଥିକ ବର୍ଷର ଅଡିଟ ରିପୋର୍ଟରେ କ୍ରମାନ୍ବୟରେ କିଛି କର୍ମଚାରୀଙ୍କୁ ଅଗ୍ରୀମ ଦେବା, ମନ୍ଦିର ସହ ସମ୍ପୃକ୍ତ ଥିବା ସଂସ୍ଥାକୁ ଲକ୍ଷାଧିକ ଟଙ୍କାର ସହାୟତା ଦେବା , ମନ୍ଦିର ଓ ଅତିଥି ଭବନ ଆଦିର ମରାମତି କରାଯିବା ପାଇଁ ଟଙ୍କା ଖର୍ଚ୍ଚ ଆଦି ଉଲ୍ଲେଖ ରହିଛି।

ତେବେ ମନ୍ଦିରର ଆୟବ୍ୟୟକୁ ପରିଚାଳନା କମିଟି ସାର୍ବଜାନୀନ କରିବା ବଦଳରେ ଲୁଛାଇବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ବହୁ ଶ୍ରଦ୍ଧାଳୁଙ୍କ ସହ ବିଧାୟକ ମାନେ ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ ଶାବରଶ୍ରୀକ୍ଷେତ୍ରରେ ରହିଥିବା ସଂସ୍କୃତିକୁ କମିଟିର କର୍ମକର୍ତ୍ତା ମାନେ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ଼ାମ। ଆଦିବାସୀଙ୍କ ଭଗବାନ ଭାବେ କୋରାପୁଟର ଶାବରଶ୍ରୀକ୍ଷେତ୍ର ବିଶ୍ବବିଦିତ। ୨୧ଜଣ ଆଜୀବନ ସଦସ୍ୟ, ୨ଜଣ ସାଂସଦ, ୧୪ଜଣ ବିଧାୟକ, ୪ଜିଲ୍ଲାର ଜିଲ୍ଲାପାଳ, କୋରାପୁଟ ଏସପି , ୧୬ଜଣ ସାଧାରଣ ସଭ୍ୟ, ୪ଜଣ ମନୋନୀତ, ୩ଜଣ କୋ-ଅପଟେଡ୍ ସଭ୍ୟ କମିଟିରେ ରହିଛନ୍ତି।

ପରିଚାଳନା କମିଟିରେ ମନୋନୀତ ସଭ୍ୟ ଭାବେ ୪ଜିଲ୍ଲାର ୪ଜଣ ସଭ୍ୟଙ୍କୁ ରଖିବା କେତେ ଦୁର ଯୁକ୍ତିସଂଗତ। ପରିଚାଳନା କମିଟିରେ ଆଦିବାସୀ ପ୍ରତିନିଧିଙ୍କୁ ସାମିଲ କରି ଶାବରଶ୍ରୀକ୍ଷେତ୍ରରେ ସଂସ୍କୃତି, ଐତିହ୍ୟକୁ ବଜାୟ ରଖିବା ଆବଶ୍ୟକ ବୋଲି କହିଛନ୍ତି ପଟାଙ୍ଗି ବିଧାୟକ। ସ୍ବଚ୍ଛତା ଓ ନିରପେକ୍ଷତା ରକ୍ଷା କରି ନୂଆ କମିଟି ଗଠନ କରାଯାଉ ବୋଲି କିହଛନ୍ତି  ବିଧାୟକ।  ଯେ କୌଣସି ପ୍ରକଳ୍ପ କରିବା ପୂର୍ବରୁ ସଭାପତି ତଥା ଜିଲ୍ଲାପାଳଙ୍କ ମତ ନେବା କଥା। ବର୍ଷକର ଆୟ ବ୍ୟୟର ବଜେଟ ପ୍ରସ୍ତୁତ  କରି ସବୁ ସଦସ୍ୟଙ୍କ ଅନୁମୋଦନ ପରେ ବଜେଟ ପାସ୍ କରାଯିବା ସହ ଖର୍ଚ୍ଚ କରାଯିବା କଥା। ତେବେ କାହିଁକି ମନଇଛା ଖର୍ଚ୍ଚ କରିଛନ୍ତି ବୋଲି ଜୟପୁର ବିଧାୟକ ପ୍ରଶ୍ନ କରିବା ସହ ସଂଦେହ ପ୍ରକାଶ କରିଛନ୍ତି। ସମ୍ପୁର୍ଣ୍ଣ ସ୍ବଚ୍ଛତା ରଖି ନୂଆ କମିଟି ଗଠନ କରାଯାଉ ବୋଲି କହିଛନ୍ତି କୋରାପୁଟ ବିଧାୟକ।

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.