Breaking News

ଶାହଙ୍କ ପରେ କାନାଡା-ଆମେରିକା ଗୁପ୍ତଚର ଏଜେନ୍ସିର ଟାର୍ଗେଟରେ ପିଏମ ମୋଦୀ!

କାନାଡା ସରକାର, ସୁରକ୍ଷା ଏଜେନ୍ସି ଏବଂ ପୁଲିସ କ୍ରମାଗତ ଭାବେ ଭାରତ ବିରୋଧରେ ଅଭିଯୋଗ ଆଣିବାରେ ଲାଗିଛନ୍ତି। କାନାଡା ଭାରତୀୟ କୂଟନୀତିଜ୍ଞ ଏବଂ ଅମିତ ଶାହଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଛି। ବର୍ତ୍ତମାନ କାନାଡାର ଏଜେନ୍ସିଗୁଡ଼ିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି...

ଅଟୱା: ଖାଲିସ୍ତାନୀଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ କାନାଡା ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପ୍ରଶ୍ନ ଉଠାଇଛି। ବ୍ରିଟିଶ କଲମ୍ବିଆରେ ଖାଲିସ୍ତାନୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ଏବଂ ଏହା ସହିତ ଜଡ଼ିତ ଅନ୍ୟାନ୍ୟ ଷଡ଼ଯନ୍ତ୍ର ବିଷୟରେ ନରେନ୍ଦ୍ର ମୋଦୀଙ୍କ ପାଖରେ ପୂର୍ବରୁ ସୂଚନା ଥିଲା ବୋଲି କାନାଡା ସୁରକ୍ଷା ଏଜେନ୍ସିମାନେ ମତ ଦେଇଛନ୍ତି।

କାନାଡାରେ ଭାରତର ବୈଦେଶିକ ହସ୍ତକ୍ଷେପ କାର୍ଯ୍ୟର ଗୁପ୍ତଚର ମୂଲ୍ୟାଙ୍କନ ଉପରେ କାର୍ଯ୍ୟ କରୁଥିବା ଜଣେ ବରିଷ୍ଠ ଜାତୀୟ ସୁରକ୍ଷା ଅଧିକାରୀ ଏହି ଦାବି କରିଛନ୍ତି।

ଗ୍ଲୋବ୍ ଆଣ୍ଡ ମେଲ୍ ରିପୋର୍ଟ ଅନୁଯାୟୀ ଏହି ଅଧିକାରୀ କହିଛନ୍ତି ଯେ କାନାଡିୟ ଏବଂ ଆମେରିକାର ଗୁପ୍ତଚରମାନେ ଖାଲିସ୍ତାନୀ ନିଜ୍ଜରଙ୍କ ହତ୍ୟାକୁ ଭାରତର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଯୋଡିଛନ୍ତି।

ନରେନ୍ଦ୍ର ମୋଦୀଙ୍କ ବିଶ୍ୱସ୍ତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର ମଧ୍ୟ ସେମାନଙ୍କ ସହିତ ସାମିଲ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ନରେନ୍ଦ୍ର ମୋଦୀ ମଧ୍ୟ ଏସବୁ ବିଷୟରେ ଜାଣିଥିବେ ବୋଲି ସ୍ପଷ୍ଟ ହୋଇଛି।

ଏହି ଅଧିକାରୀ ଜଣକ କହିଛନ୍ତି ଯେ ହତ୍ୟାକାଣ୍ଡ ବିଷୟରେ ମୋଦୀ ଜାଣିଥିବା ନେଇ କାନାଡା ପାଖରେ କୌଣସି ଦୃଢ଼ ପ୍ରମାଣ ନାହିଁ କିନ୍ତୁ ଏହା ଅନୁମାନ କରାଯାଉଛି ଯେ ଭାରତର ତିନିଜଣ ବରିଷ୍ଠ ରାଜନୈତିକ ବ୍ୟକ୍ତି ଅମିତ ଶାହ, ଏସ ଜୟଶଙ୍କର ଏବଂ ଅଜିତ ଡୋଭାଲ ଏହି ହତ୍ୟାକାଣ୍ଡ ବିଷୟରେ ଯଦି ଜାଣିଥିବେ ତେବେ ସେମାନେ ମୋଦୀଙ୍କ ସହ ଏନେଇ ଆଲୋଚନା କରିଥିବା ଏଡାଇ ଦେଇ ହେବ ନାହିଁ। ଗ୍ଲୋବ୍ ଆଣ୍ଡ ମେଲ୍ ଏହି ଦାବି କରିଥିବା ଅଧିକାରୀଙ୍କ ପରିଚୟ ପ୍ରକାଶ କରି ନାହିଁ।
ଚଳିତ ସପ୍ତାହରେ ବ୍ରାଜିଲରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି ଯେ ସେ ତାଙ୍କ ଦେଶର ବିଦେଶୀ ହସ୍ତକ୍ଷେପ କାର୍ଯ୍ୟକଳାପ ବିଷୟରେ ଭାରତୀୟ ଅଧିକାରୀଙ୍କ ସହ କଥା ହୋଇଛନ୍ତି। ଖାଲିସ୍ତାନ ସମର୍ଥକ ଆନ୍ଦୋଳନର ସଦସ୍ୟମାନଙ୍କୁ ଟାର୍ଗେଟ କରିବା ବିଷୟରେ ମୁଁ ବିଶେଷ ଭାବେ ଜାଣିଥିଲି। ସେ କହିଛନ୍ତି ମୋର ପ୍ରାଥମିକତା ସର୍ବଦା କାନାଡିୟମାନଙ୍କ ସୁରକ୍ଷା ପାଇଁ ଛିଡା ହେବା। ଏହା ମଧ୍ୟ ଏହି ବାର୍ତ୍ତାଳାପର ଉଦ୍ଦେଶ୍ୟକାନାଡାର ପ୍ରାଇଭୀ କାଉନସିଲ କାର୍ଯ୍ୟାଳୟ ଏକ ବିବୃତିରେ କହିଛି ଯେ ଆରସିଏମ୍ପି ସ୍ୱୀକାର କରିଛି କାନାଡାରେ ଗୁରୁତର ଅପରାଧିକ କାର୍ଯ୍ୟକଳାପରେ ଭାରତ ସରକାରଙ୍କ ଏଜେଣ୍ଟମାନେ ଜଡିତ ଅଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କାନାଡା ସରକାର କୌଣସି ଅଭିଯୋଗ କରିନାହାନ୍ତି। ଗତ ବର୍ଷ ଜୁନ୍‌ରେ ହରଦୀପ ନିଜ୍ଜରଙ୍କ ହତ୍ୟା ପରେ କାନାଡା ବାରମ୍ବାର ଭାରତ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏହି ହତ୍ୟା ପାଇଁ କାନାଡା ଭାରତର ଶୀର୍ଷ ନେତୃତ୍ୱକୁ ଦାୟୀ କରିବାକୁ ଚେଷ୍ଟା କରୁଛି।
ସୌଜନ୍ୟ-ସମ୍ୱାଦ

Comments are closed.