Breaking News

ଶିକ୍ଷାରମ୍ଭ ବୟସକୁ ନେଇ ଦ୍ବନ୍ଦ୍ବ ଜାରି: ଗୋଟିଏ ରାଜ୍ୟ, ଦୁଇଟି ନିୟମ

ବାଲ୍‌ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ବୟସ ସୀମାକୁ ନେଇ ରାଜ୍ୟ ସରକାରଙ୍କ ଦ୍ବାରା ଜାରି ବିଜ୍ଞପ୍ତି ଏବେ ସମସ୍ୟା ସୃଷ୍ଟି କରିଛି। ଶିକ୍ଷା ଅଧିକାର ଆଇନ ଅଧୀନରେ ଆରଟିଇ ପାରଦର୍ଶୀ....

ଭୁବନେଶ୍ବର: ବାଲ୍‌ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ବୟସ ସୀମାକୁ ନେଇ ରାଜ୍ୟ ସରକାରଙ୍କ ଦ୍ବାରା ଜାରି ବିଜ୍ଞପ୍ତି ଏବେ ସମସ୍ୟା ସୃଷ୍ଟି କରିଛି। ଶିକ୍ଷା ଅଧିକାର ଆଇନ ଅଧୀନରେ ଆରଟିଇ ପାରଦର୍ଶୀ ପୋର୍ଟାଲରେ ଆବେଦନ କରିବା ସମୟରେ ଅଭିଭାବକମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନୂତନ ବିଜ୍ଞପ୍ତି ଅନୁଯାୟୀ ଯେଉଁ ଶିକ୍ଷାବର୍ଷ ପାଇଁ ନାମଲେଖା ହେବ ସେହି ଶିକ୍ଷାବର୍ଷର ସେପ୍ଟେମ୍ବର ୧ରେ ପିଲାର ବୟସ ୬ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ। ଏହି ତାରିଖରେ ଯେଉଁ ପିଲାଙ୍କ ବୟସ ସାତ ବର୍ଷ ପୂରିଯାଉଛି ସେମାନେ ଆବେଦନ କରିପାରୁ ନାହାନ୍ତି। ଫଳରେ ସାତ ବର୍ଷ ପୂରିଯାଇଥିବା ପିଲାମାନେ ଶିକ୍ଷା ଅଧିକାରରୁ ବଞ୍ଚିତ ହେଉଛନ୍ତି।

ସେପଟେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ବିଦ୍ୟାଳୟରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରଥମ ଶ୍ରେଣୀରେ ନାମଲେଖାଇବାକୁ ମାର୍ଚ୍ଚ ୩୧ ସୁଦ୍ଧା ବୟସ ସୀମା ୬ରୁ ୮ ବର୍ଷ ବୋଲି ନିୟମାବଳୀରେ ସ୍ପଷ୍ଟ ରୂପେ ଉଲ୍ଲେଖ କରାଯାଇଛି। ତେବେ ରାଜ୍ୟ ସରକାର କେବଳ ୬ ବର୍ଷରୁ ଊର୍ଦ୍ଧ୍ୱ ବୋଲି ଲେଖି ଦ୍ୱନ୍ଦ୍ବ ସୃଷ୍ଟି କରିଛନ୍ତି। ଯେଉଁ ପିଲାମାନେ ୭ ବର୍ଷ ଅତିକ୍ରମ କରିଛନ୍ତି ଏବଂ ସେମାନଙ୍କ ବୟସ ୮ ବର୍ଷ ମଧ୍ୟରେ ରହିଛି, ସେମାନେ ପ୍ରଥମ ଶ୍ରେଣୀ ପାଇଁ ଆବେଦନ କରିପାରିବେ କି ନହିଁ ରାଜ୍ୟ ସରକାର ସ୍ପଷ୍ଟ କରିବାକୁ ଦାବି ହୋଇଛି। ସେହି ଅନୁଯାୟୀ ପାରଦର୍ଶୀ ପୋର୍ଟାଲରେ ପରିବର୍ତ୍ତନ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି।

କେଭିରେ ପ୍ରଥମ ଶ୍ରେଣୀ ପାଇଁ ୬ରୁ ୮ ବର୍ଷ
ରାଜ୍ୟ ସରକାରଙ୍କ ବିଜ୍ଞପ୍ତିରେ ୬ ବର୍ଷରୁ ଉର୍ଦ୍ଧ୍ବ

ଅନ୍ୟପକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)-୨୦୨୦ରେ ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ଏକବିଂଶ ଶତାବ୍ଦୀର ଶିକ୍ଷା ବ୍ୟବସ୍ଥାରେ ଐତିହାସିକ ପରିବର୍ତ୍ତନ ଆଣିବାକୁ ସଂକଳ୍ପବଦ୍ଧ। ରାଜ୍ୟ ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଏନ୍‌ଇପିକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଏନ୍‌ଇପି କାର୍ଯ୍ୟକାରୀ ଏବଂ ସ୍ଥାନୀୟ ପ୍ରସଙ୍ଗୀକରଣ ସହ ଜାତୀୟ ପାଠ୍ୟକ୍ରମ ରୂପରେଖ ଢାଞ୍ଚାରେ ରାଜ୍ୟ ପାଠ୍ୟକ୍ରମ ରୂପରେଖ ପ୍ରସ୍ତୁତ କରିବାକୁ ନେଇ ଜାନୁଆରି ୧୫ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସୁଦୃଢ଼ ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ ସହ ଓଡ଼ିଶାର ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବାକୁ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଲେଖାଏଁ ଅତିରିକ୍ତ ପ୍ରାକ୍‌ ପ୍ରାଥମିକ ଶ୍ରେଣୀ ବା ‘ଶିଶୁ ବାଟିକା’ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି। ୫ରୁ ୬ ବର୍ଷ ବୟସର ପିଲାମାନଙ୍କୁ ପ୍ରାକ୍-ବିଦ୍ୟାଳୟ ଶିକ୍ଷା ବା ଶିଶୁ ବାଟିକା ପାଇଁ ନାମଲେଖା ଏବଂ ପ୍ରଥମ ଶ୍ରେଣୀ ପାଇଁ ନାମଲେଖା ବୟସକୁ ୬ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସ ବୋଲି ଜାନୁଆରି ୨୦ରେ ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଯାଇଛି। ଛାତ୍ରଛାତ୍ରୀଙ୍କ ସୁବିଧା ନିମନ୍ତେ ୬ ବର୍ଷ ବୟସ ପୂର୍ତ୍ତି ସମୟ ସୀମାକୁ ମାର୍ଚ୍ଚ ୩୧ ତାରିଖ ପରିବର୍ତ୍ତେ ସେପ୍ଟେମ୍ବର ୧ ତାରିଖ ଧାର୍ଯ୍ୟ କରାଯାଇଛି ବୋଲି ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.