Breaking News

ଶିମିଳିପାଳ ଛାଡି ଝାଡ଼ଖଣ୍ଡରେ ପହଞ୍ଚିଲାଣି ବାଘୁଣୀ ‘ଜିନ୍ନତ’, ପୁଣି ଶିମିଳିପାଳକୁ ଫେରାଇ ଆଣିବାକୁ ଚାଲିଛି ଉଦ୍ୟମ

ବାରିପଦା, ୯।୧୨(ଆ ପ୍ର ) : ଶିମିଳିପାଳ ଛାଡି ଏବେ ଝାଡଖଣ୍ଡ ପହଞ୍ଚିଲାଣି ମହାରାଷ୍ଟ୍ର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ମହାବଳ ବାଘୁଣୀ ଜିନ୍ନତ l ଝାଡ଼ଖଣ୍ଡରେ ବାଘୁଣୀ ଜିନ୍ନତ ପହଞ୍ଚି ଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟ ପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।

ଡ଼ଃ ଗୋଗିନେନି କହିଛନ୍ତି ଯେ, ରବିବାର ରାତିରେ ଜିନ୍ନତ ବାଙ୍ଗିରିପୋଷି ରେଞ୍ଜ ଅଧିନ ଯୋକା ଅଞ୍ଚଳ ଦେଇ ଓଡିଶା ସୀମା ପାର କରି ଝାଡ଼ଖଣ୍ଡରେ ପ୍ରବେଶ କରିଛି । ତେବେ ଅନୁଧ୍ୟାନକାରୀ ଟିମ ଜିନ୍ନତକୁ ପୁଣି ଶିମିଳିପାଳକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଥିବା ନେଇ ସେ ସୂଚନା ଦେଇଥିବା ବେଳେ ଝାଡ଼ଖଣ୍ଡ ରାଜ୍ୟ ସରକାରଙ୍କ ବନ ବିଭାଗ ସହିତ ଏ ସମ୍ପର୍କରେ ଆଲୋଚନା କରାଯାଇଥିବା ନେଇ ମଧ୍ୟ ସେ କହିଛନ୍ତି । ତେବେ ଖୁବଶୀଘ୍ର ବାଘୁଣୀ ଜିନ୍ନତକୁ ଫେରାଇ ଅଣାଯିବ ବୋଲି ମଧ୍ୟ ସେ କହିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ ଶିମିଳିପାଳରେ ବାଘ ବଂଶ ବୃଦ୍ଧି ପାଇଁ ପ୍ରଥମେ ଯମୁନା ଓ ତା’ ପରେ ବାଘୁଣୀ ଜିନ୍ନତକୁ ମହାରାଷ୍ଟ୍ରର ତଡବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ଶିମିଳିପାଳକୁ ଅଣା ଯାଇଥିଲା l ଗତ ନଭେମ୍ବର ୧୪ ତାରିଖରେ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ଜିନ୍ନତକୁ ନଭେମ୍ବର ୧୫ ସକାଳେ ଚହଲା ନିକଟସ୍ଥ ଏକ ସଫ୍ଟ ଏନକ୍ଲୋଜରରେ ଛଡାଯାଇଥିଲା। ସଫ୍ଟ ଏନକ୍ଲୋଜର ମଧ୍ୟରେ ୩ଟି ବାରାହା ଶିକାର କରିବା ପରେ ତାର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଠାକ ଥିବାରୁ ନଭେମ୍ବର ୨୪ରେ ଜଙ୍ଗଲରେ ଛଡାଯାଇଥିଲା। ଶିମିଳିପାଳ ଅଭୟାରଣ୍ୟ କୋର ଜଙ୍ଗଲରେ ବାଘୁଣୀ ଜିନ୍ନତ ବିଚରଣ କରୁଥିବା ବେଳେ ତାର ଗତିବିଧି ଉପରେ ଟ୍ରାପ କ୍ୟାମେରା ରେ ନଜର ରଖାଯାଇଥିଲା l ତେବେ ଗତ ରାତିରେ ଶିମିଳିପାଳ ଅଭୟାରଣ୍ୟର କୋର ଏରିଆରୁ ଆସି ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ଜୋକା ଦେଇ ଝାଡ଼ଝାଣ୍ଡ ସୀମାରେ ମହାବଳ ବାଘୁଣୀ ଜିନ୍ନତ ପହଞ୍ଚି ଥିବା ନେଇ ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ତଥା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି l

ସୌଜନ୍ୟ-ପ୍ରମେୟ

Comments are closed.