Breaking News

ଶିଳ୍ପ-ପରିବେଶ ସନ୍ତୁଳନ ଆବଶ୍ୟକ: ରାଜ୍ୟପାଳ

ଶିଳ୍ପ ପ୍ରଗତି ଓ ପରିବେଶ ଭିତରେ ଏକ ସନ୍ତୁଳନ ଏକାନ୍ତ ଆବଶ୍ୟକ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି। ବରମୁଣ୍ଡା ପଡ଼ିଆରେ ଆୟୋଜିତ ତୃତୀୟ ଓଡ଼ିଶା ଖଣି ଓ ଭିତ୍ତିଭୂମି ଅନ୍ତର୍ଜାତୀୟ ଏକ୍ସପୋ ୨୦୨୫ର ଉଦ୍‌ଯାପନୀ ସମାରୋହକୁ ସମ୍ବୋଧିତ କରି ସେ କହିଥିଲେ...

ଭୁବ: ଶିଳ୍ପ ପ୍ରଗତି ଓ ପରିବେଶ ଭିତରେ ଏକ ସନ୍ତୁଳନ ଏକାନ୍ତ ଆବଶ୍ୟକ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି। ବରମୁଣ୍ଡା ପଡ଼ିଆରେ ଆୟୋଜିତ ତୃତୀୟ ଓଡ଼ିଶା ଖଣି ଓ ଭିତ୍ତିଭୂମି ଅନ୍ତର୍ଜାତୀୟ ଏକ୍ସପୋ ୨୦୨୫ର ଉଦ୍‌ଯାପନୀ ସମାରୋହକୁ ସମ୍ବୋଧିତ କରି ସେ କହିଥିଲେ ଯେ ଭାରତର ଖଣିଜ ଭିତ୍ତିକ ଅର୍ଥନୈତିକ ଅଭିବୃଦ୍ଧିରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି। ପ୍ରାକୃତିକ ସମ୍ପଦ ପରିଚାଳିତ ବିକାଶରେ ଓଡ଼ିଶା ଏକ ପ୍ରମୁଖ ରାଜ୍ୟ ଭାବେ ଉଭା ହେବାକୁ ଯାଉଛି ବୋଲି ସେ କହିଥିଲେ।

ରାଜ୍ୟପାଳ ଶ୍ରୀ କମ୍ଭମ୍‌ପାଟି କହିଥିଲେ ଯେ ଖଣି କେବଳ ସମ୍ପଦ ଖନନ ଓ ନିଷ୍କାସନରେ ସୀମିତ ନାହିଁ। ସ୍ଥାୟୀ ବିକାଶ, ପ୍ରଯୁକ୍ତି ଓ ସମାଜ କଲ୍ୟାଣକୁ ମଧ୍ୟ ପ୍ରାଥମିକତା ଦିଆଯାଉଛି। କୃତ୍ରିମ ବୁଦ୍ଧିମତା,  ଡାଟା ଆନାଲିଟିକ୍ସର ବ୍ୟବହାର ଦକ୍ଷତା ବଢ଼ାଇବା ସହ ପରିବେଶ ପ୍ରଭାବକୁ ହ୍ରାସ କରୁଥିବା ସେ କହିଥିଲେ। କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌) ଅଧୀନରେ ଖଣି ପ୍ରଭାବିତ ଅଞ୍ଚଳରେ ଗୋଷ୍ଠୀ କଲ୍ୟାଣ, ପରିବେଶ ସଂରକ୍ଷଣ ଓ ପୁନର୍ବାସ ପ୍ରତି ଧ୍ୟାନ ଦେବା ସହିତ ବନୀକରଣ, ଜଳ ସଂରକ୍ଷଣ ଓ ଗୋଷ୍ଠୀ ଉନ୍ନୟନ ପ୍ରତି ପ୍ରାଥମିକତା ଦେବାକୁ ରାଜ୍ୟପାଳ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ଫ୍ୟୁଚରେକ୍ସର ଅଧ୍ୟକ୍ଷ ସ୍ବାମୀ ପ୍ରେମ ଅନ୍ବେଷୀ ସ୍ବାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାଲ୍‌କୋର ପୂର୍ବତନ ସିଏମ୍‌ଡି ଡ. ତପନ କୁମାର ଚାନ୍ଦ, ଲୁମିନସ୍ ଇନ୍‌ଫୋୱେଜ୍‌ର ଏମ୍‌ଡି ଜୟଶ୍ରୀ ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ପଦ୍ମବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରସିଆ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.