Breaking News

ଶିଶୁ ସିମ୍ପାଞ୍ଜିକୁ ପର କରିଦେଲା ନିର୍ଦ୍ଦୟ ମା’

ମାସକରୁ ଅଧିକ କାଳ ସ୍ତନ୍ୟପାନ କରାଇଲା। ଛୁଆର ଯତ୍ନ ବି ନେଉଥିଲା। କିନ୍ତୁ ହଠାତ୍ କ’ଣ ହେଲା ଯେ ଆଉ ଛୁଆକୁ ପାଖ ମଡ଼ାଇଲା ନାହିଁ। ଫଳରେ ମା’ ଥାଇ ବି ମା’ ଛେଉଣ୍ଡ ହୋଇଯାଇଛି ଛୁଆ।

ବାରଙ୍ଗ: ମାସକରୁ ଅଧିକ କାଳ ସ୍ତନ୍ୟପାନ କରାଇଲା। ଛୁଆର ଯତ୍ନ ବି ନେଉଥିଲା। କିନ୍ତୁ ହଠାତ୍ କ’ଣ ହେଲା ଯେ ଆଉ ଛୁଆକୁ ପାଖ ମଡ଼ାଇଲା ନାହିଁ। ଫଳରେ ମା’ ଥାଇ ବି ମା’ ଛେଉଣ୍ଡ ହୋଇଯାଇଛି ଛୁଆ। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିମ୍ପାଞ୍ଜି ରହୁଥିବା ୬୦(କ) ଖୁଆଡ଼ରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଜନ୍ତୁରକ୍ଷକମାନେ ମାସକର ସିମ୍ପାଞ୍ଜି ଶିଶୁର ଯତ୍ନ ନେଉଛନ୍ତି। କୌତୁକିଆ ଛୁଆଟି ଜନ୍ତୁରକ୍ଷକମାନଙ୍କ ମେଳରେ ରହୁଥିଲେ ହେଁ ମା’ କୁ ଝୁରୁଛି। ଅଥଚ ନିର୍ଦୟା ମା’ ଥରକ ପାଇଁ ବି ତା’ ପେଟର ଛୁଆକୁ ଚାହୁଁନାହିଁ।

ଜାନୁଆରି ୩୦ରେ ୭ ବର୍ଷ ବୟସର ସମ୍ପାଞ୍ଜି ଦୁର୍ଗା ଏହି ଛୁଆକୁ ଜନ୍ମ ଦେଇଥିଲା। ନିକଟରେ ମରିଯାଇଥିବା ବୃଦ୍ଧ ଜୁଲୁ ଔରସରୁ ଦୁର୍ଗା ଏହି ଛୁଆକୁ ଜନ୍ମଦେଇଥିଲା। ସିମ୍ପାଞ୍ଜି ପରିବାରରେ ବଂଶବୃଦ୍ଧି ପାଇଁ ଅଣ୍ଡିରା ଛୁଆ ଆବଶ୍ୟକ ଥିବାରୁ ଏହି ଛୁଆର ଜନ୍ମ ନନ୍ଦନକାନନ ପାଇଁ ଭଲ ଖବର ଥିଲା। ଦୁର୍ଗା ମଧ୍ୟ ଛୁଆଟିକୁ ଅତି ଆଦରରେ ଲାଳନପାଳନ କରୁଥିଲା। ଏହା ଭିତରେ ମାସେ ୧୦ ଦିନ ବିତିଗଲାଣି। ଆଜି ସକାଳେ ଜନ୍ତୁରକ୍ଷକମାନେ ଦୁର୍ଗା ଆଚରଣରେ ବ୍ୟତିକ୍ରମ ଦେଖିବାକୁ ପାଇଲେ। କୌତୁକିଆ ସିମ୍ପାଞ୍ଜି ଶାବକଟି ମା’ ପଛେ ପଛେ ଧାଉଁଥିଲେ ହେଁ ଦୁର୍ଗା ତାକୁ ଠେଲି ଦେଉଥିଲା। ଭୋକରେ ଛୁଆଟି ଆଉଟୁପାଉଟୁ ହେଉଥିଲେ ହେଁ ଦୁର୍ଗା ତାକୁ ସ୍ତନ୍ୟପାନ କରାଇ ନଥିଲା। ଏଭଳି ବିଲକ୍ଷଣ ଦେଖି ଜନ୍ତୁରକ୍ଷକମାନେ ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ଖବର ପାଇ କର୍ତ୍ତୃପକ୍ଷ ଖୁଆଡ଼କୁ ଆସି ସବୁ ଘଟଣା ଦେଖିବା ପରେ ଛୁଆକୁ ଅଲଗା କରିବା ପାଇଁ ନିଷ୍ପତ୍ତି ନେଲେ। ମା’ ପାଖରେ ରଖିବା ତା’ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ଆଶଙ୍କା କରି କର୍ତ୍ତୃପକ୍ଷ ଛୁଆକୁ ରିଅରିଂ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ। ତାକୁ ବୋତଲରେ ଲାକ୍ଟୋଜେନ୍ ପିଆଯାଉଛି ଏବଂ ଭିଟାମିନ୍ ଦିଆଯାଉଛି। ଏବେ ନନ୍ଦନକାନନରେ ୫ ମାଈ ସିମ୍ପାଞ୍ଜି ଅଛନ୍ତି। ରାଜା ଓ ନାମକରଣ ହୋଇ ନ ଥିବା ୨ଛୁଆଙ୍କୁ ମିଶାଇ ୩ଟି ଅଣ୍ଡିରା ସିମ୍ପାଞ୍ଜି ଅଛନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.