Breaking News

ଶୀତ ଅଧିବେଶନ: ୬ ଦିନ ପରେ ଗୃହ କାର୍ଯ୍ୟ ସ୍ବାଭାବିକ

ଆଦାନୀ, ମଣିପୁର ଏବଂ ସମ୍ଭଲ ହିଂସା ପ୍ରସଙ୍ଗରେ ସଂସଦରେ ଶୀତ ଅଧିବେଶନର ପ୍ରଥମ ୬ ଦିନର କାର୍ଯ୍ୟ ଧୋଇଯିବା ପରେ ଆଜି ଉଭୟ ଗୃହରେ ସ୍ବାଭାବିକ କାର୍ଯ୍ୟ ହୋଇଛି। ଉଭୟ ଲୋକସଭା ଏବଂ ରାଜ୍ୟସଭାରେ....

ନୂଆଦିଲ୍ଲୀ: ଆଦାନୀ, ମଣିପୁର ଏବଂ ସମ୍ଭଲ ହିଂସା ପ୍ରସଙ୍ଗରେ ସଂସଦରେ ଶୀତ ଅଧିବେଶନର ପ୍ରଥମ ୬ ଦିନର କାର୍ଯ୍ୟ ଧୋଇଯିବା ପରେ ଆଜି ଉଭୟ ଗୃହରେ ସ୍ବାଭାବିକ କାର୍ଯ୍ୟ ହୋଇଛି। ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଇଣ୍ଡି ମେଣ୍ଟର ନେତାମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ନୋଟିସ୍‌ ଆଣିଥିଲେ ମଧ୍ୟ ‌ସେମାନେ ଗୃହକାର୍ଯ୍ୟ‌ରେ ବାଧା ସୃଷ୍ଟି କରିନାହାନ୍ତି। ସରକାର ସମ୍ବିଧାନ ଉପରେ ଉଭୟ ଗୃହରେ ଆଲୋଚନା ପାଇଁ ରାଜି ହେବାପରେ ବିରୋଧୀ ସାଂସଦମାନେ ଗୃହ କାର୍ଯ୍ୟ‌ରେ ବାଧା ସୃଷ୍ଟି କରିନାହାନ୍ତି। ଆଜି ଶୂନ୍ୟକାଳ ଆରମ୍ଭ ହେଉ ହେଉ ବାଚସ୍ପତି ଓମ୍‌ ବିର୍ଲା ସାଂସଦମାନଙ୍କୁ ତାଗିଦ କରି କହିଥିଲେ, ଯଦି ହୋହଲ୍ଲା ଯୋଗୁଁ ଆଜି ବି ଗୃହକାର୍ଯ୍ୟ‌ରେ ବାଧା ସୃଷ୍ଟି ହେବ ତେବେ ସେ ରବିବାର ବି ଗୃହକାର୍ଯ୍ୟ ପାଇଁ ଡାକିବେ। ଆଜି ଲୋକସଭାରେ ବ୍ୟାଙ୍କିଂ ଆଇନ (ସଂ‌ଶୋଧନ) ବିଲ୍‌ ଉପରେ ଆଲୋଚନା ହୋଇଥିଲା ।

ଆଦାନୀ ବିରୋଧୀ ପ୍ରତିବାଦରୁ ଟିଏମ୍‌ସି, ସପା ବାଦ୍‌
ହଟ୍ଟଗୋଳକାରୀ ସାଂସଦଙ୍କୁ ତାଗିଦ କଲେ ବାଚସ୍ପତି
ପୁଣି ବାଧା ସୃଷ୍ଟି କଲେ ରବିବାର ବି ଗୃହକାର୍ଯ୍ୟ ହେବ
ସଂସଦ ଭବନ ପରିସରରେ ବିରୋଧୀଙ୍କ ଆନ୍ଦୋଳନ

ରାଜ୍ୟସଭାରେ ତୈଳକ୍ଷେତ୍ର (ନିୟନ୍ତ୍ରଣ ଏବଂ ବିକାଶ) ସଂଶୋଧନ ବିଲ୍‌ , ୨୦୨୪ ଆଗତ ହୋଇଥିଲା ଏବଂ ଗୃହୀତ ହୋଇଥିଲା। ସପା ମୁଖ୍ୟ ଅଖିଳେଶ ଯାଦବ ଏବଂ ଅନ୍ୟ ସପା ସାଂସଦମାନେ ଆଜି ସମ୍ଭଲ ହିଂସା‌ ପ୍ରସଙ୍ଗରେ ପ୍ରଶ୍ନ କରିଥିବାବେ‌ଳେ କଂଗ୍ରେସ ସାଂସଦମାନେ ଫେଙ୍ଗଲ ବାତ୍ୟା ସହାୟତା ସଂକ୍ରାନ୍ତରେ ପ୍ରଶ୍ନ କରିଥିଲେ। ଆଜି ରାଜ୍ୟସଭାରେ ମଧ୍ୟ ଭାରତୀୟ ବାୟୁଯାନ ବିଧେୟକ ବିଲ୍‌, ୨୦୨୪ ଉପରେ ଆଲୋଚନା ହୋଇଛି ଏବଂ ଏହା ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ।

ଆଜି ଆରମ୍ଭରେ କଂଗ୍ରେସ ଏବଂ ଇଣ୍ଡି ମେଣ୍ଟର ସଦସ୍ୟମାନେ ସଂସଦର ମକର ଦ୍ବାରରେ ଆଦାନୀ ପ୍ରସଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଏହି ବିକ୍ଷୋଭ କରାଯାଇଥିଲା। ଏହି ମିଳିତ ଆନ୍ଦୋଳନରେ ଟିଏମ୍‌ସି ଏବଂ ସମାଜବାଦୀ ପାର୍ଟି (ସପା) ଯୋଗ ଦେଇନଥିଲେ। ବିରୋଧୀ ସାଂସଦମାନେ ଆଜି ‘ଆଦାନୀ -ମୋଦୀ ୱାନ୍‌’ ଲେଖା ଥିବା ଏକ ବ୍ୟାନର ଧରି ସ୍ଲୋଗାନ୍‌ ଦେବା ସହ ବିଲିୟନେୟାର ଶିଳ୍ପପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବିକ୍ଷୋଭ ପ୍ରଦର୍ଶନ ପାଇଁ କଂଗ୍ରେସ ପ୍ରସ୍ତାବ ଦେବାପରେ ଇଣ୍ଡି ମେଣ୍ଟ ନେତାମାନଙ୍କର ଏକ ବୈଠକ ହୋଇଥିଲା। ଏହି ବୈଠକରେ ବିକ୍ଷୋଭ ପ୍ରଦଶର୍ନ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା।
ସୌଜନ୍ୟ-ସମ୍ୱାଦ

Comments are closed.