Breaking News

ଶୁଖିଗଲାଣି କୁଆଁରିଆ, ବୁଢ଼ାବୁଢ଼ିଆଣୀ ଡ୍ୟାମ୍

ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ସ୍ବଳ୍ପ ବୃଷ୍ଟିପାତର ପ୍ରଭାବ ନୟାଗଡ଼ ଜିଲ୍ଲାର ଦୁଇଟି ଜଳଭଣ୍ଡାର କୁଆଁରିଆ ଓ ବୁଢ଼ାବୁଢ଼ିଆଣୀ ଉପରେ ପଡ଼ିଲାଣି। ବର୍ତ୍ତମାନ ସ୍ବାଭାବିକଠାରୁ ୫ ମିଟର ପର୍ଯ୍ୟନ୍ତ କମ୍ ପାଣି ଏହି ଜଳଭଣ୍ଡାରରେ ରହିଛି।

ନୟାଗଡ଼: ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ସ୍ବଳ୍ପ ବୃଷ୍ଟିପାତର ପ୍ରଭାବ ନୟାଗଡ଼ ଜିଲ୍ଲାର ଦୁଇଟି ଜଳଭଣ୍ଡାର କୁଆଁରିଆ ଓ ବୁଢ଼ାବୁଢ଼ିଆଣୀ ଉପରେ ପଡ଼ିଲାଣି। ବର୍ତ୍ତମାନ ସ୍ବାଭାବିକଠାରୁ ୫ ମିଟର ପର୍ଯ୍ୟନ୍ତ କମ୍ ପାଣି ଏହି ଜଳଭଣ୍ଡାରରେ ରହିଛି। ଫଳରେ ରବିଫସଲ ନିମନ୍ତେ ଏହି ଜଳଭଣ୍ଡାରରୁ ଜଳସେଚନ ହୋଇ ପାରୁନଥିବା ବେଳେ ପାନୀୟ ଜଳଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି। ଯଦି ଚଳିତ ବ‌ର୍ଷ ଠିକ୍ ଭାବେ ବର୍ଷା ନ ହୁଏ, ତେବେ ଅବସ୍ଥା ଆହୁରି ସଙ୍ଗିନ ହୋଇପଡ଼ିବ ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି।

କୁଆଁରିଆ ଜଳଭଣ୍ତାରରେ ଏହି ସମୟରେ ଯେତିକି ପରିମାଣର ଜଳ ସଂରକ୍ଷିତ ହୋଇ ରହିବା କଥା, ତାହା ବର୍ତ୍ତମାନ ନାହିଁ। ବିଭାଗୀୟ ଯନ୍ତ୍ରୀ ସୁବ୍ରତ ପ୍ରଧାନଙ୍କ ସୂଚନା ମୁତାବକ, ଜଳଭଣ୍ତାରରେ ମୋଟ ଜଳଧାରଣ କ୍ଷମତା ୧୭୫୦ ହେକ୍ଟର ମିଟର। ବର୍ତ୍ତମାନ ଜଳଭଣ୍ଡାରରେ ଅଛି ମାତ୍ର ୨୩୦ ହେକ୍ଟରମିଟର ଜଳ। ଅର୍ଥାତ୍‌ ଡ୍ୟାମ୍‌ର ଜଳଧାରଣା କ୍ଷମତାର ମାତ୍ର ୧୩.୧୪ ପ୍ରତିଶତ ପାଣି ଏବେ ଜଳଭଣ୍ଡାରରେ ରହିଛି। ୨୦୨୩ରେ ଏଠାରେ ଏହି ସମୟରେ ୬୪.୧୧ ପ୍ରତିଶତ ପାଣି ଥିବା ବେଳେ ୨୦୨୪ରେ ଏହା ହ୍ରାସ ପାଇ ୨୯.୨୬ ପ୍ରତିଶତରେ ପହଞ୍ଚିଥିଲା। ଜଳଭଣ୍ଡାରର ଆର୍‌ଏଲ୍‌ କ୍ଷମତା ୧୩୫.୭୦ ମିଟର। ବର୍ତ୍ତମାନ ଏହା ୧୩୧.୪୦ ମିଟର ରହିଛି। ଏହାର ଡେଥ୍‌ ଷ୍ଟୋରେଜ୍ ୧୩୦.୭୦ ମିଟର ରହିଛି। ଅର୍ଥାତ ଆଗକୁ ଯଦି ଆଉ ଏକ ମିଟର ଜଳସ୍ତର ଖସି ଯାଏ, ତେବେ ଗ୍ରୀଷ୍ମରେ ଜଳସଂକଟ ନିଶ୍ଚିତ। ଏହାସହ ଡ୍ୟାମ୍‌ରେ ପାଣି ନଥିବାରୁ ଚଳିତ ରବି ଫସଲ ପାଇଁ କୁଆଁରିଆ ଜଳଭଣ୍ତାରରୁ ଚାଷଜମିକୁ ପାଣି ଯୋଗାଣ ହୋଇପାରିନାହିଁ। ଫଳରେ ଏକର ଏକର ରବି ଫସଲ ପ୍ରଭାବିତ ହେବା ସହ ପନିପରିବା ଚାଷ ପାଇଁ ଚାଷୀମାନଙ୍କୁ ନାକେଦମ୍ ହେବାକୁ ପଡ଼ୁଛି। ବର୍ଷା ପରିମାଣ ହ୍ରାସ ପାଉଥିବା ବେଳେ ଦିନକୁ ଦିନ ଜଳଭଣ୍ତାର ଗର୍ଭ ପୋତି ହୋଇଯାଉଛି। ଯାହାଦ୍ବାରା ଜଳଧାରଣ କ୍ଷମତା ହ୍ରାସ ପାଉଛି। ଏହି ଜଳଭଣ୍ଡାରରୁ ଖରିଫରେ ୩୭୮୦ ହେକ୍ଟର ଓ ରବିରେ ୧୯୦୮ ହେକ୍ଟର ଚାଷ ଜମି ଜଳସେଚିତ ହୋଇଥାଏ। କିନ୍ତୁ ଚଳିତ ବର୍ଷ ଚାଷଜମିକୁ ଜଳସେଚନ ସୁବିଧା ମିଳୁନାହିଁ। କୁଆଁରିଆ ଜଳଭଣ୍ତାରର ଏଭଳି ଦୟନୀୟ ଅବସ୍ଥା ଜଳସମ୍ପଦ ବିଭାଗ ପାଇଁ ଚିନ୍ତାର କାରଣ ହୋଇଛି।

ସେହିପରି ଓଡ଼ଗାଁ ବ୍ଳକ୍‌ରେ ଥିବା ବୁଢ଼ାବୁଢ଼ିଆଣୀ ଜଳଭଣ୍ଡାରର ମଧ୍ୟ ସମାନ ଅବସ୍ଥା। ୨୦୨୩ ଓ ୨୦୨୪ରେ ଡ୍ୟାମ୍‌ରେ ୭୦ ପ୍ରତିଶତ ପାଣି ରହୁଥିଲା। ବର୍ତ୍ତମାନ ଏହି ଜଳଭଣ୍ଡାରରେ ୫୬ ପ୍ରତିଶତ ପାଣି ରହିଛି। କମ୍ ବୃଷ୍ଟିପାତ କାରଣରୁ ଡ୍ୟାମ୍‌ରେ ଏପରି ଅବସ୍ଥା ଦେଖା ଦେଇଛି ବୋଲି ବିଭାଗୀୟ କନି‌ଷ୍ଠଯନ୍ତ୍ରୀ ତୃପ୍ତିମୟୀ ନାୟକ କହିଛନ୍ତି। ଏହି ଜଳଭଣ୍ଡାର ଦ୍ବାରା ୪ ହଜାର ହେକ୍ଟର ଚାଷଜମି ଜଳସେଚିତ ହେଉଥିବା ବେଳେ ଓଡ଼ଗାଁ ଏନ୍‌ଏସିକୁ ଦୈନିକ ୧୨ ହଜାର ଲିଟର ପାନୀୟ ଜଳଯୋଗାଣ କରାଯାଉଛି। ମାତ୍ର ଜଳସ୍ତର ହ୍ରାସ ପାଉଥିବାରୁ ଏହା ମଧ୍ୟ ପ୍ରଭାବିତ ହେଉଛି। ଜଳସ୍ତର ହ୍ରାସ ପାଉଥିବାରୁ ପୂର୍ବପରି ଏଠାରେ ଆଉ ମାଛ ଚାଷ କରାଯାଉ ନଥିବା ଜଣାପଡ଼ିଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.