ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ବିଗତ ତିନି ଦଶନ୍ଧିରେ ପୃଥିବୀର ତିନି-ଚତୁର୍ଥାଂଶ ସ୍ଥଳଭାଗ ସବୁଦିନ ପାଇଁ ଶୁଷ୍କ ହୋଇଯାଇଛି ବୋଲି ମିଳିତ ଜାତିସଂଘର ଏକ ରିପୋର୍ଟ (ୟୁଏନ୍‌ସିସିଡି)ରେ ସତର୍କ କରାଇ ଦିଆଯାଇଛି। ତିରିଶ ବର୍ଷ ତଳର ସ୍ଥଳଭାଗ ସ୍ଥିତିକୁ ତୁଳନା କଲେ ପୃଥିବୀର ପ୍ରାୟ ୭୭.୬% ସ୍ଥଳଭାଗ ଏଭଳି ଶୁଷ୍କତାର ଶିକାର ହୋଇଛି। ପୃଥିବୀର ଶୁଷ୍କ ସ୍ଥଳଭାଗର ଆୟତନ (ଆଣ୍ଟାର୍ଟିକା ଛଡ଼ା) ଇତିମଧ୍ୟରେ ୪୦.୬% ବୃଦ୍ଧି ପାଇଛି। ଏହି ବୃଦ୍ଧି ଭାରତର ଆୟତନଠାରୁ ଅଧିକ! ଯଦି ଏହି ଧାରା ଜାରି ରହେ, ତେବେ ଚଳିତ ଶତାବ୍ଦୀର ଶେଷ ଆଡ଼କୁ ପ୍ରାୟ ୫୦୦ କୋଟି ଲୋକ ଶୁଷ୍କ ସ୍ଥଳଭାଗରେ ବସବାସ କରୁଥିବେ, ଯଦ୍ଦ୍ବାରା ମୃତ୍ତିକା ପରିମାଣ ହ୍ରାସ ହେବା ସହ ଜଳଉତ୍ସ କ୍ଷୟପ୍ରାପ୍ତ ହେବ ଏବଂ ପର୍ଯ୍ୟାବରଣ ପ୍ରଣାଳୀ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିବ ବୋଲି ୟୁଏନ୍‌ସିସିଡି ଚେତାବନୀ ଦେଇଛି।

କୌଣସି ଅଞ୍ଚଳର ଜଳବାୟୁ ଶୁଷ୍କ ହୋଇଗଲେ ସେହି ଅଞ୍ଚଳର ମୃତ୍ତିକାର ଆର୍ଦ୍ରତା ସବୁଦିନ ପାଇଁ ନଷ୍ଟ ହୋଇଯାଏ। ଏହାର ପାର୍ଶ୍ବ ପ୍ରତିକ୍ରିୟା ସମଗ୍ର ଜୀବଜଗତ ଉପରେ ପଡ଼ିଥାଏ।

ଉଲ୍ଲେଖଯୋଗ୍ୟ, କୌଣସି ଅଞ୍ଚଳର ଜଳବାୟୁ ଶୁଷ୍କ ହୋଇଗଲେ ଆଉ ପୂର୍ବ ଅବସ୍ଥାକୁ ଫେରିବା ସମ୍ଭବ ହୁଏନାହିଁ। ସୁତରାଂ ସଂପୃକ୍ତ ଅଞ୍ଚଳର ମୃତ୍ତିକାର ଆର୍ଦ୍ରତା ସବୁଦିନ ପାଇଁ ନଷ୍ଟ ହୋଇଯାଏ। ଏହାର ପାର୍ଶ୍ବ ପ୍ରତିକ୍ରିୟା ସମଗ୍ର ଜୀବଜଗତ ଉପରେ ପଡ଼ିଥାଏ। ଏକଦା ଜଙ୍ଗଲ ସବୁଜିମାରେ ପରିପୂର୍ଣ୍ଣ ସ୍ଥାନ ଶୁଷ୍କ ତୃଣଭୂମି ପାଲଟିଯାଏ ଏବଂ କୃଷି ଓ ଜୀବଧାରଣ ପାଇଁ ଆବଶ୍ୟକ ହେଉଥିବା ଆର୍ଦ୍ରତାକୁ ତାହା ଶୋଷିନେଇଥାଏ। ଜଳପ୍ରଣାଳୀ ଉପରେ ପଡୁଥିବା ଏଭଳି ଅପ୍ରତ୍ୟାଶିତ ସଂକଟଜନକ ସ୍ଥିତିକୁ ସମ୍ପ୍ରତି ବିଶ୍ବର ତିନିଶହ କୋଟି ଲୋକ ସାମ୍ନା କରୁଛନ୍ତି ଏବଂ ବିଶ୍ବର ପ୍ରାୟ ଅର୍ଦ୍ଧେକ ଖାଦ୍ୟ ଉତ୍ପାଦନ ପ୍ରଭାବିତ ହେଉଛି। ବିଶେଷ କରି ସମଗ୍ର ୟୁରୋପ ସମେତ ଆମେରିକାର ପଶ୍ଚିମ ଭାଗ, ବ୍ରାଜିଲ, ପୂର୍ବ ଏସିଆ ଓ କେନ୍ଦ୍ରୀୟ ଆଫ୍ରିକା ଏହା ଦ୍ବାରା ବେଶୀ ପ୍ରଭାବିତ ବୋଲି ଏହି ରିପୋର୍ଟରେ କୁହାଯାଇଛି। ଏହି ସଂକଟକୁ ଟାଳିଦେବା ପାଇଁ ଏବେଠୁ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ସହ ମୃତ୍ତିକା ଶୁଷ୍କତାର ଉନ୍ନତ ନିରୀକ୍ଷଣ, ସ୍ଥାନ ଓ ଜଳର ଉତ୍ତମ ବ୍ୟବହାର ଏବଂ ବିଶ୍ବର ସମସ୍ତ ସମ୍ପ୍ରଦାୟ ମଧ୍ୟରେ ସହଯୋଗ ଜରୁରି।