Breaking News

ଶୂନରୁ ଶହେ: ୨୦ ହଜାରୁ ୪୫୦୦ କୋଟି

ସଫଳତା କ୍ଷେତ୍ରରେ ଆତ୍ମବିଶ୍ବାସ ହିଁ ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଅନେକ ସମୟରେ ଦେଖାଯାଇଛି ଦୁନିଆର ଅଧିକାଂଶ ଲୋକଙ୍କର ଭରସା ପାଉ ନ ଥିବା କେତେକ ବ୍ୟକ୍ତି ଅଦମ୍ୟ ଆତ୍ମବିଶ୍ବାସ ବଳରେ ସମୃଦ୍ଧି ହାସଲ କରିଛନ୍ତି।

ସଫଳତା କ୍ଷେତ୍ରରେ ଆତ୍ମବିଶ୍ବାସ ହିଁ ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଅନେକ ସମୟରେ ଦେଖାଯାଇଛି ଦୁନିଆର ଅଧିକାଂଶ ଲୋକଙ୍କର ଭରସା ପାଉ ନ ଥିବା କେତେକ ବ୍ୟକ୍ତି ଅଦମ୍ୟ ଆତ୍ମବିଶ୍ବାସ ବଳରେ ସମୃଦ୍ଧି ହାସଲ କରିଛନ୍ତି। ସେମିତି ଜଣେ ଆତ୍ମବିଶ୍ବାସୀ ମହିଳା ବ୍ୟବସାୟୀ ହେଉଛନ୍ତି ବନ୍ଦନା ଲୁଥ୍ରା। ମାତ୍ର ୨୦ ହଜାର ଟଙ୍କା ବିନିଯୋଗ କରି ସେ ବ୍ୟବସାୟ ଆରମ୍ଭ କରିଥିଲେ। ଆଜି ତାଙ୍କ ସମ୍ପତ୍ତିର ସମୁଦାୟ ମୂଲ୍ୟ ୧,୩୦୦ କୋଟି ଟଙ୍କା। ସାମାନ୍ୟ ଅର୍ଥ ବିନିଯୋଗ କରି ସେ ଯେଉଁ କମ୍ପାନି ଆରମ୍ଭ କରିଥିଲେ ପରବର୍ତ୍ତୀ ସମୟରେ ତାହା ୨,୫୦୦ କୋଟି ଟଙ୍କାରେ ବିକ୍ରୟ ହେଲା। କମ୍ପାନି ବିକ୍ରୟ ହୋଇଥିଲେ ସୁଦ୍ଧା ସେଥିରେ ବନ୍ଦନାଙ୍କର ଅଂଶ ଅଛି। ଆକାଙ୍‌କ୍ଷୀ ଉଦ୍ୟୋଗୀଙ୍କ ଲାଗି ତାଙ୍କ କାହାଣୀ ହେଉଛି ପ୍ରତିବନ୍ଧକ ମୁକାବିଲା ଓ ପ୍ରତିବଦ୍ଧତାର ଉତ୍କୃଷ୍ଟ ଦୃଷ୍ଟାନ୍ତ। ଗରିବମାନଙ୍କୁ ସହାୟତା କରୁଥିବା ‘ଅମର ଜ୍ୟୋତି’ ନାମରେ ଗୋଟାଏ ଆୟୁର୍ବେଦୀୟ ଦାତବ୍ୟ ସଙ୍ଗଠନର ମୁଖ୍ୟ ଥିବା ନିଜ ମାଆଙ୍କ ଯୋଗୁଁ ହିଁ ବନ୍ଦନା ଉଦ୍ୟୋଗ ସ୍ଥାପନା ପ୍ରତି ଉତ୍ସାହିତ ହୋଇଥିଲେ। ସଙ୍ଗଠନଟିର କାର୍ଯ୍ୟାବଳି ଜନତାଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଉଥିବା ଦେଖି ସେ ନିଜେ ସେଭଳି କିଛି କରିବାକୁ ଆଗ୍ରହୀ ହେଲେ। ଭାରତରେ ଆହାର-ପୋଷଣ ଓ ସୌନ୍ଦର୍ଯ୍ୟ ପ୍ରସାଧନ ପ୍ରତି ଜନସଚେତନତା ଅଭାବ ଦେଖି ସେ ଏ ଦୁଇଟି କ୍ଷେତ୍ରରେ ଜର୍ମାନିରେ ଉଚ୍ଚତର ଅଧ୍ୟୟନ କରିବାକୁ ସିଦ୍ଧାନ୍ତ ନେଲେ।

ପଢ଼ା ଶେଷ କରି ବନ୍ଦନା ଭାରତ ପ୍ରତ୍ୟାବର୍ତ୍ତନ କରି ମାତ୍ର ୨୦ ହଜାର ଟଙ୍କା ବିନିଯୋଗ କରି କମ୍ପାନି ଆରମ୍ଭ କଲେ। ୧୯୮୯ ମସିହାରେ ନୂଆଦିଲ୍ଲୀର ସଫଦର୍‌ଜଙ୍ଗ୍‌ ଏନ୍‌କ୍ଲେଭ୍‌ରେ ଖୋଲିଲା ‘ବନ୍ଦନା ଲୁଥ୍ରା କର୍ଲସ୍‌ ଆଣ୍ଡ୍‌ କର୍ଭସ୍’ ଯାହାର ସଂକ୍ଷେପଣ ହେଉଛି ‘ଭିଏଲ୍‌ସିସି’। ସେତେବେଳେ ଏ ଧରଣର ପ୍ରତିଷ୍ଠାନ ସବୁ ସୌନ୍ଦର୍ଯ୍ୟକୈନ୍ଦ୍ରିକ ବା ରୂପଚର୍ଚ୍ଚା ଉପରେ ଧ୍ୟାନ ଦେଉଥିଲେ। କିନ୍ତୁ, ବନ୍ଦନା ଭୋଜନ ଓ ବ୍ୟାୟାମ ଭଳି ବିଜ୍ଞାନସମ୍ମତ ଉପାୟରେ ଓଜନ ନିୟନ୍ତ୍ରଣ ଭଳି କୌଶଳ ଉପରେ ପ୍ରାଧାନ୍ୟ ଦେଲେ। ୧୯୯୦ ଦଶକରେ ବ୍ୟବସାୟ ଆରମ୍ଭ କରିବା ଜଣେ ମହିଳାଙ୍କ ପକ୍ଷେ ଏତେ ସହଜ ନ ଥିଲା। ସାମାଜିକ ବିରୋଧ ଏବଂ ତାଙ୍କ ବ୍ୟାବସାୟିକ ଧାରା ଉପରେ ସନ୍ଦେହ ବି ଥିଲା। ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ମଧ୍ୟ ତାଙ୍କୁ ସହଯୋଗ କରିବାକୁ ଅନାଗ୍ରହୀ ହେଲେ। ତଥାପି, ହତୋତ୍ସାହିତ ନ ହୋଇ ନିଜ ଦୂରଦୃଷ୍ଟି ପ୍ରତି ଅଟଳ ରହିଲେ।

ପରିଶେଷରେ ୨୦୦୦ ଦଶକ ବେଳକୁ ଯାଇ ‘ଭିଏଲ୍‌ସିସି’ ବ୍ୟବସାୟ ବଢ଼ି ୫୦ କୋଟି ଟପିଲା। ସେତେବେଳକୁ କେତେକ ପ୍ରତିଦ୍ବନ୍ଦ୍ବୀ ପ୍ରତିଷ୍ଠାନ ବି ଗଢ଼ିଉଠିଥିଲେ। ‘ୱେଲ୍‌ନେସ୍‌ ପ୍ୟାକେଜ୍‌’ ନିମନ୍ତେ ସେମାନେ ୧୨ ହଜାର ଟଙ୍କା ନେଉଥିବା ବେଳେ ରେଜିଷ୍ଟ୍ରେସନ୍‌ ଫି’ ବାବଦକୁ ୨୦ ହଜାର ଟଙ୍କା ରଖିଥିଲେ ବି ‘ଭିଏଲ୍‌ସିସି’ର ଖୁବ୍‌ ଚାହିଦା ଥିଲା। ୨୦୦୫ରେ ମିଳିଥିବା ସୁଯୋଗ ହିଁ ‘ଭିଏଲ୍‌ସିସି’କୁ ସବୁଠୁ ଅଧିକ ପ୍ରସିଦ୍ଧି ଦେଲା। ଟେଲିଭିଜନ୍‌ ସୋ’ ‘ଜସ୍‌ସୀ ଜୈସି କୋଇ ନହଁୀ’ରେ ଅଭିନୟ କରୁଥିବା ଅଗ୍ରଣୀ ଚରିତ୍ରମାନଙ୍କର ରୂପଚର୍ଯ୍ୟା ‘ଭିଏଲ୍‌ସିସି’କୁ ନିର୍ଭରଯୋଗ୍ୟ ‘ବ୍ରାଣ୍ଡ୍‌’ ଭାବେ ସ୍ବୀକୃତି ଦେଲା।
‘ସାଇନ୍‌’ଠାରୁ ୧୪.୪ କୋଟି ଟଙ୍କା ଅନୁଦାନ ପାଇଥିବା ‘ଭିଏଲ୍‌ସିସି’ର ସମ୍ପତ୍ତି ୨୦୦୯ ସୁଦ୍ଧା ୧୨୫ କୋଟି ଟଙ୍କା ହୋଇଗଲା। ୨୦୧୦ ବେଳକୁ ‘ଭିଏଲ୍‌ସିସି’ ଦେଶରେ ୧୦୦ଟି କେନ୍ଦ୍ର ଖୋଲି ‘ବିୟୁଟି ଏଣ୍ଟର୍‌ପ୍ରେନ୍ୟୁୟର୍‌’ ହେବା ଲାଗି ମହିଳାମାନଙ୍କୁ ତାଲିମ ଦେଉଥିଲା। ଏହା ବ୍ୟତିରେକେ, ମଧ୍ୟପ୍ରାଚ୍ୟ, ଦକ୍ଷିଣ-ପୂର୍ବ ଏସିଆ ଓ ଆଫ୍ରିକାରେ ମଧ୍ୟ ବନ୍ଦନା ତାଙ୍କ ଅଭିଯାନ ଚଳାଇଲେ। ୨୦୨୩ ବେଳକୁ ‘ଭିଏଲ୍‌ସିସି’ର ୩୧୧ଟି କେନ୍ଦ୍ର, ୧୦୦ଟି ତାଲିମ କେନ୍ଦ୍ର ସହିତ ୧୪୪ଟି ସହରରେ ଉପସ୍ଥିତି ଜାହିର କଲା। ତା’ପରେ ‘କାର୍ଲାଇଲ୍‌ ଗ୍ରୁପ୍‌’ ୨,୫୦୦ କୋଟି ଟଙ୍କାରେ ଏ କମ୍ପାନି ଖରିଦ କରିନେଲା। ଆଜି ‌ଏହାର ମୋଟ୍‌ ବାର୍ଷିକ ଆୟ ୯୮୬.୮ କୋଟି ଟଙ୍କା। କମ୍ପାନିର ମୂଲ୍ୟ ୪,୫୦୦ କୋଟି ଟଙ୍କା। ପ୍ରତିବର୍ଷ ଏହି କମ୍ପାନି ୧୦,୦୦୦ ମହିଳାଙ୍କୁ ତାଲିମ ଦେଉଛି। ଅବିରାମ ଉଦ୍ୟମ ନିମନ୍ତେ ବନ୍ଦନା ଅନେକ ସମ୍ମାନଜନକ ପୁରସ୍କାର ପାଇଛନ୍ତି। ୨୦୧୦ରେ ତାଙ୍କୁ ମିଳିଥିଲା ‘ଏଣ୍ଟର୍‌ପ୍ରାଇଜ୍‌ ଏସିଆ ଓମେନ୍‌ ଏଣ୍ଟର୍‌ପ୍ରେନ୍ୟୁୟର୍‌ସ୍‌’ ପୁରସ୍କାର। ୨୦୧୩ରେ ସେ ପାଇଥିଲେ ପଦ୍ମଶ୍ରୀ। ୨୦୧୬ରେ ସେ ‘ଫୋର୍ବସ୍‌ ଏସିଆ’ର ୫୦ ଶକ୍ତିଶାଳୀ ମହିଳା ବ୍ୟବସାୟୀ ତାଲିକାଭୁକ୍ତ ହୋଇଥିଲେ। ୨୦୧୧ରୁ ୨୦୧୭ ପର୍ଯ୍ୟନ୍ତ ସେ ନିରବଚ୍ଛିନ୍ନ ଭାବେ ‘ଫର୍ଚ୍ୟୁନ୍‌ ଇଣ୍ଡିଆ’ର ସବୁଠୁ କ୍ଷମତାଶାଳୀ ମହିଳା ତାଲିକାରେ ରହିଥ‌ିଲେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.