Breaking News

ଶୂନ୍ୟ ଖୁସି-ଖର୍ଚ୍ଚ

ଆମ ଦେଶର ବିଶାଳ ଜନସଂଖ୍ୟା ଆମର ଏକ ବିଶେଷ ଶକ୍ତି ରୂପେ ପ୍ରତୀୟମାନ ହେଉଥିଲେ ହେଁ, ଆୟର ବିଷମ ବଣ୍ଟନ ଯୋଗୁଁ ଏହାର ପ୍ରାୟ ୯୦ ଶତାଂଶଙ୍କର ଖର୍ଚ୍ଚ କରିବାର ଅକ୍ଷମତା ଏହାକୁ ଏକ ମାଣ୍ଡେଭିଲୀୟ ମହୁମାଛି ଦଳରେ ପରିଣତ କରିଥାଏ...

ଆମ ଦେଶର ବିଶାଳ ଜନସଂଖ୍ୟା ଆମର ଏକ ବିଶେଷ ଶକ୍ତି ରୂପେ ପ୍ରତୀୟମାନ ହେଉଥିଲେ ହେଁ, ଆୟର ବିଷମ ବଣ୍ଟନ ଯୋଗୁଁ ଏହାର ପ୍ରାୟ ୯୦ ଶତାଂଶଙ୍କର ଖର୍ଚ୍ଚ କରିବାର ଅକ୍ଷମତା ଏହାକୁ ଏକ ମାଣ୍ଡେଭିଲୀୟ ମହୁମାଛି ଦଳରେ ପରିଣତ କରିଥାଏ, ସାମଗ୍ରିକ ଖର୍ଚ୍ଚରେ ଅଭାବ ଯେଉଁମାନଙ୍କୁ ଏକ ଦରିଦ୍ର ବସତିରେ ପରିଣତ କରିଥାଏ।

ଏକ ଦେଶର ଅର୍ଥନୀତିର ଅଭିବୃଦ୍ଧି କିପରି ସାମଗ୍ରିକ ଚାହିଦା ଉପରେ ନିର୍ଭରଶୀଳ ହୋଇଥାଏ, ବସ୍ତୁତଃ ତାହା ଆବିଷ୍କାର କରି ଅର୍ଥଶାସ୍ତ୍ରରେ ଏକ ବିପ୍ଳବର ସୂତ୍ରପାତ କରିଥିବା ବିଂଶ ଶତାବ୍ଦୀର ମହାନ ବ୍ରିଟିଶ ଅର୍ଥନୀତିଜ୍ଞ ଜନ୍ ‌ମେନାର୍ଡ କେନ୍‌ସ ଏଥିପାଇଁ ଅଷ୍ଟାଦଶ ଶତାବ୍ଦୀର ଓଲନ୍ଦାଜ-ବ୍ରିଟିଶ ଡାକ୍ତର-ଦାର୍ଶନିକ ବର୍ନାଡ ମାଣ୍ଡେଭିଲ୍‌ଙ୍କ ପ୍ରସିଦ୍ଧ କବିତା ‘ଦି ଫେବ୍‌ଲ ଅଫ୍ ଦି ବିଇଜ୍’ (‘ମହୁମାଛିଙ୍କର କାହାଣୀ’) ଦ୍ବାରା ବିଶେଷ ଭାବରେ ପ୍ରଭାବିତ ହୋଇଥିଲେ। ସେ କାହାଣୀରେ ମିତବ୍ୟୟିତା ସେଇ ମହୁମାଛି ଦଳର ଦୁର୍ଗତିର କାରଣ ହୋଇଥିବା ଭଳି ସାମୂହିକ ଖର୍ଚ୍ଚର ବ୍ୟାପକ ଅନୁପସ୍ଥିତି ଏକ ଦେଶର ଅର୍ଥନୈତିକ ଦୁର୍ଗତିର କାରଣ ହୋଇଥାଏ ବୋଲି କେନ୍‌ସ ଘୋଷଣା କରିଥିଲେ। ଜଣକର ଖର୍ଚ୍ଚ ହେଉଛି ଅନ୍ୟ ଜଣକର ଆୟ। ସାମଗ୍ରିକ ଖର୍ଚ୍ଚରେ ଅଭାବ ଅର୍ଥ ସାମଗ୍ରିକ ଚାହିଦାରେ ଅଭାବ; ଚାହିଦାରେ ଅଭାବ ଯୋଗୁଁ ଉତ୍ପାଦନରେ ସଂକୋଚନ ଘଟିଥାଏ; ଉତ୍ପାଦନରେ ସଂକୋଚନ ଯୋଗୁଁ ନିଯୁକ୍ତିରେ ସଂକୋଚନ ଘଟିଥାଏ, ଯେଉଁଥିଯୋଗୁଁ ଆୟରେ ସଂକୋଚନ ଘଟିଥାଏ, ଯେଉଁଥିଯୋଗୁଁ ବ୍ୟୟରେ ସଂକୋଚନ ଘଟିଥାଏ ଏବଂ ସେଥିଯୋଗୁଁ ଚାହିଦାରେ ସଂକୋଚନ ଘଟି ବିଷଚକ୍ର ସଂପୂର୍ଣ୍ଣ ହୋଇଥାଏ।
କେନ୍‌ସଙ୍କ ଅନୁସାରେ ତେଣୁ ଏକ ଦେଶର ଅଧିବାସୀମାନେ କରୁଥିବା ଖର୍ଚ୍ଚ ହେଉଛି ସେ ଦେଶର ସମୃଦ୍ଧିର ଇନ୍ଧନ। ଅବଶ୍ୟ ଜଣେ ବ୍ୟକ୍ତି ବା ପରିବାର ତା’ର ମୌଳିକ ଆବଶ୍ୟକତାମାନ ପୂରଣ ନିମିତ୍ତ କରୁଥିବା ଖର୍ଚ୍ଚକୁ ଅଭିବୃଦ୍ଧିର ଇନ୍ଧନ ରୂପେ ବିଚାର କରାଯାଇ ନ ଥାଏ, କାରଣ ଏହାର ପରିମାଣ ଅପେକ୍ଷାକୃତ ନଗଣ୍ୟ ହୋଇଥାଏ। ଏହି ବାଧ୍ୟତାମୂଳକ ସୀମିତ ଖର୍ଚ୍ଚକୁ ଅତିକ୍ରମ କରି ବିଭିନ୍ନ ଆରାମ ଓ ବିଳାସ ଦ୍ରବ୍ୟ ଏବଂ ସେବାମାନ କ୍ରୟ କରିବାରେ ହେଉଥିବା ଇଚ୍ଛାମୂଳକ ଖର୍ଚ୍ଚ ବା ଖୁସି-ଖର୍ଚ୍ଚ ହିଁ ସାମଗ୍ରିକ ଚାହିଦାରେ ବୃଦ୍ଧି ଘଟାଇ ଅଭିବୃଦ୍ଧି ହାସଲରେ ସହାୟକ ହୋଇଥାଏ।
ଏହି ମଣ୍ଡେଭିଲୀୟ/କେନ୍‌ସୀୟ ଦୃଷ୍ଟିକୋଣରୁ ବିଚାର କଲେ ଏକ ସଦ୍ୟ ପ୍ରକାଶିତ ରିପୋର୍ଟ ଭାରତରେ ଏହି ଖୁସି-ଖର୍ଚ୍ଚ ସମ୍ବନ୍ଧରେ ଯେଉଁ ଚିତ୍ର ଉନ୍ମୋଚିତ କରିଛି, ତାହା ଆମ ପାଇଁ ବିଶେଷ ଚିନ୍ତାର କାରଣ ହୋଇଥାଏ। ‘ବ୍ଲୁମ୍ ଭେଞ୍ଚର୍ସ’ ନାମକ ଏକ ଭେଞ୍ଚର୍ କ୍ୟାପିଟାଲ୍ ସଂସ୍ଥା (ନୂତନ ବ୍ୟବସାୟକୁ ପୁଞ୍ଜି ଯୋଗାଉଥିବା ବ୍ୟବସାୟ ସଂସ୍ଥା) ପ୍ରସ୍ତୁତ କରିଥିବା ଏହି ସର୍ବେକ୍ଷଣ ରିପୋର୍ଟ ଅନୁସାରେ ପୃଥିବୀର ସର୍ବାଧିକ ଜନବହୁଳ ଦେଶ ଭାରତର ଜନସଂଖ୍ୟା ୧୪୦ କୋଟି ଅତିକ୍ରମ କରିସାରିଥିଲେ ହେଁ, ଏମାନଙ୍କ ମଧ୍ୟରୁ ଯେଉଁମାନଙ୍କର ଅତ୍ୟାବଶ୍ୟକ ଖର୍ଚ୍ଚକୁ ଅତିକ୍ରମ କରି କୌଣସି ଉଲ୍ଲେଖନୀୟ ପରମାଣର ଖୁସି-ଖର୍ଚ୍ଚ କରିବାର ଆର୍ଥିକ କ୍ଷମତା ରହିଛି, ସେମାନଙ୍କର ସଂଖ୍ୟା ହେଉଛି ଏହାର ଏକ-ଦଶମାଂଶ ଅର୍ଥାତ୍ ୧୩-୧୪ କୋଟି ମାତ୍ର।
ଆମ ଦେଶରେ ବର୍ତ୍ତମାନ ‘ଷ୍ଟାର୍ଟଅପ୍ ଇଣ୍ଡିଆ’ ଏକ ଲୋକପ୍ରିୟ ସ୍ଲୋଗାନରେ ପରିଣତ ହୋଇଛି। ରିପୋର୍ଟରେ ଦର୍ଶାଯାଇଛି ‌ଭାରତରେ ‘ଷ୍ଟାର୍ଟଅପ୍’ ବ୍ୟବସାୟମାନଙ୍କ ପାଇଁ ବଜାର ହେଉଛି ଏଇ ୧୩-୧୪ କୋଟି ଗ୍ରାହକମାନଙ୍କ ମଧ୍ୟରେ ସୀମିତ। ଏମାନଙ୍କ ବାଦ ଆଉ ପ୍ରାୟ ୩୦ କୋଟି ଭାରତୀୟଙ୍କୁ ରିପୋର୍ଟରେ ‘ଉଦୀୟମାନ’ ବା ‘ଅଭିଳାଷୀ’ ଖାଉଟି ରୂପେ ବର୍ଣ୍ଣନା କରାଯାଇଛି, ଯେଉଁମାନେ ଡିଜିଟାଲ୍ ପେମେଣ୍ଟ ସୁବିଧା ଉପଯୋଗ କରି ପୂର୍ବାପେକ୍ଷା ଅଧିକ ଖର୍ଚ୍ଚ କରିବା ଆରମ୍ଭ କରିଛନ୍ତି, କିନ୍ତୁ ସେମାନଙ୍କର ଖର୍ଚ୍ଚ ପରିମାଣ ହେଉଛି ମୁଖ୍ୟତଃ କ୍ଷୁଦ୍ର ଏବଂ କୁଣ୍ଠାଗ୍ରସ୍ତ। କିନ୍ତୁ ମାଣ୍ଡେଭିଲ୍ କିମ୍ବା କେନ୍‌ସଙ୍କୁ ଯାହା ଘୋର ନୈରାଶ୍ୟଜନକ ମନେ ହୁଅନ୍ତା, ତାହା ହେଲା, ଏହି ୧୪୦ କୋଟି ମାଛିବିଶିଷ୍ଟ ମହୁଫେଣାର ପ୍ରାୟ ୧୦୦ କୋଟି ସଦସ୍ୟମାନଙ୍କ ପାଖରେ ଖୁସିରେ ଖର୍ଚ୍ଚ କରିବା ପାଇଁ ଆଦୌ ଆର୍ଥିକ କ୍ଷମତା ଉପଲବ୍‌ଧ ନାହିଁ।
ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ପୃଥିବୀରେ ଦ୍ରୁତତମ ବୋଲି ଆମେ ଗର୍ବ କରୁଥିବାବେଳେ ଏହା ଯଦି କାହାକୁ ଅସଂଗତ ମନେ ହେଉଥାଏ, ବାସ୍ତବରେ ଏଥିରେ କୌଣସି ଅସଙ୍ଗତି ନାହିଁ। କାରଣ, ଆୟର ବିଷମ ବଣ୍ଟନ ‌େଯାଗୁଁ ଉଚ୍ଚ ଅଭିବୃଦ୍ଧି ହାର ଦ୍ବାରା ଲାଭବାନ ହୋଇ ଧନୀମାନେ ଅଧିକ ଧନୀ ହୋଇ ଚାଲିଥିବାବେଳେ ଗରିବମାନେ ସେଇ ଗରିବ ଅବସ୍ଥାରେ ପଡ଼ି ରହିଛନ୍ତି। କୋଭିଡ୍ ପାଣ୍ଡେମିକ୍ ପରେ ଭାରତୀୟ ଅର୍ଥନୀତିର ଏହି ବିଷମ ପୁନରୁଦ୍ଧାର ଧାରାକୁ ଲକ୍ଷ୍ୟ କରି ଏହାର ଆକୃତିକୁ ଇଂରେଜୀ ଅକ୍ଷର ‘K’ ସହିତ ଯେଉଁ ତୁଳନା କରାଯାଉଛି, ରିପୋର୍ଟର ଏହି ପରିସଂଖ୍ୟାନ ତା’ ସହିତ ମେଳ ଖାଇଥାଏ। ଏହି ବିଷମ ବଣ୍ଟନର ପ୍ରମାଣ ସ୍ବରୂପ ଉପଲବ୍‌ଧ ତଥ୍ୟ ଅନୁସାରେ ଭାରତର ଜନସଂଖ୍ୟାର ସର୍ବୋଚ୍ଚ ଆୟକାରୀ ଦଶ ଶତାଂଶ ଲୋକ ହେଉଛନ୍ତି ଦେଶର ମୋଟ ଜାତୀୟ ଆୟର ପ୍ରାୟ ୫୮ ଶତାଂଶର ମାଲିକ, ଯାହା ୧୯୯୦ରେ ଥିଲା ୩୪ ଶତାଂଶ। ଅପରପକ୍ଷେ ଏଇ ସମୟକାଳ ମଧ୍ୟରେ ଆୟ ଅନୁସାରେ ଜନସଂଖ୍ୟାର ନିମ୍ନ ଅର୍ଦ୍ଧେକଙ୍କର ଜାତୀୟ ଆୟରେ ଅଂଶ ୨୨ ଶତାଂଶରୁ ହ୍ରାସ ପାଇ ‌େହାଇଛି ୧୫ ଶତାଂଶ।
ଆୟର ବଣ୍ଟନରେ ଏହି ବର୍ଦ୍ଧିଷ୍ଣୁ ବୈଷମ୍ୟ ଦେଶରେ ବ୍ୟବସାୟ ଧାରାକୁ କିଭଳି ପ୍ରଭାବିତ କରିଛି, ତାହା ଏହି ରିପୋର୍ଟରେ ପ୍ରଦର୍ଶିତ କରାଯାଇଛି। କଂପାନିମାନେ କମ୍ ମୂଲ୍ୟର ଗଣବ୍ୟବହୃତ ଦ୍ରବ୍ୟ ଓ ସେବା ଅଧିକ ପରିମାଣରେ ଉତ୍ପାଦନ କରିବା ପରିବର୍ତ୍ତେ ଧନୀ ଗ୍ରାହକମାନଙ୍କ ଚାହିଦା ପୂରଣ ନିମିତ୍ତ ଅଧିକ ମୂଲ୍ୟର ବିଳାସ ଦ୍ରବ୍ୟ ଓ ସେବା ଯୋଗାଣରେ ଆଗ୍ରହ ପ୍ରଦର୍ଶନ କରିବା ଦେଖାଯାଉଛି। ଏହି ଧାରାର ଅଂଶ ସ୍ବରୂପ ଦାମିକା ସ୍ମାର୍ଟ ଫୋନ୍‌ରୁ ଆରମ୍ଭ କରି ଦାମିକା କାର୍ ଓ ବିଦେଶ ପର୍ଯ୍ୟଟନ ପର୍ଯ୍ୟନ୍ତରେ ବିକ୍ରୟରେ ବୃଦ୍ଧି ଦ୍ରୁତତର ହେବା ପରିଲକ୍ଷିତ ହେଉଛି।
ଚୀନ୍ ସହିତ ତୁଳନା କରି ରିପୋର୍ଟରେ ଦର୍ଶାଯାଇଛି ଯେ ମୁଣ୍ଡପିଛା ଖାଉଟି ଖର୍ଚ୍ଚ ଅନୁସାରେ ଭାରତ ବର୍ତ୍ତମାନ ଚୀନ୍‌ ଠାରୁ ୧୩ ବର୍ଷ ପଛରେ ରହିଛି। ଏହା ଅନୁସାରେ ୨୦୨୩ରେ ଭାରତରେ ମୁଣ୍ଡପିଛା ଖାଉଟି ଖର୍ଚ୍ଚ (କନ୍‌ସମ୍ପସନ୍) ୧୪୯୩ ଡଲାର୍ ହୋଇଥିବାବେଳେ ୨୦୧୦ରେ ଚୀନ୍‌ରେ ତାହା ଥିଲା ୧୫୯୭ ଡଲାର୍। ଅନ୍ୟ ଛାମୁଆ ଅର୍ଥନୀତିମାନଙ୍କ ତୁଳନାରେ ଭାରତ କ୍ରେଡିଟ୍ କାର୍ଡ ବ୍ୟବହାର ଓ ମ୍ୟୁଚୁଆଲ୍ ଫଣ୍ଡ୍ ବ୍ୟବସାୟରେ ମଧ୍ୟ ପଛରେ ପଡ଼ିଛି। ହ୍ରାସମାନ ବିତ୍ତୀୟ ସଞ୍ଚୟ ଓ ବର୍ଦ୍ଧିଷ୍ଣୁ ଋଣ ଭାର ମଧ୍ୟ ଖାଉଟିମାନଙ୍କର ଖର୍ଚ୍ଚ କରିବାର କ୍ଷମତାକୁ ସଂକୁଚିତ କରୁଛି। ଭାରତର କେନ୍ଦ୍ରୀୟ ବ୍ୟାଙ୍କ୍ ‘ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ’ ମଧ୍ୟ ଲାଗୁ କରିଥିବା ଏକ କଠୋର ଋଣଦାନ ନୀତି ଖାଉଟିମାନଙ୍କୁ ଖର୍ଚ୍ଚ ହ୍ରାସ କରିବାକୁ ବାଧ୍ୟ କରିଛି। କୋଭିଡ୍ ପାଣ୍ଡେମିକ୍ ସମୟରେ ଅନୁସୃତ ହୁଗୁଳା ବନ୍ଧକହୀନ ଋଣଦାନ ନୀତି ଖାଉଟି ଖର୍ଚ୍ଚ ବୃଦ୍ଧି‌େର ସହାୟକ ହୋଇଥିବାବେଳେ ରିଜର୍ଭ ବ୍ୟାଙ୍କ୍ ବର୍ତ୍ତମାନ ସେଥିରେ ଲଗାମ ଲଗାଇଛି। ନିିମ୍ନ ଆୟବର୍ଗର ଖାଉଟିମାନେ ଆଉ ପୂର୍ବଭଳି ସହଜରେ ଋଣ କରି ଖର୍ଚ୍ଚ କରିପାରୁ ନାହାନ୍ତି।
ମଧ୍ୟମ ଆୟବର୍ଗ ସଂପର୍କିତ ଚିତ୍ର ମଧ୍ୟ ବିଶେଷ ଉତ୍ସାହଜନକ ନୁହେଁ। ଅନ୍ୟ ଏକ ବିଶ୍ବସନୀୟ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଭାରତର କରଦାତାମାନଙ୍କ ମଧ୍ୟରୁ ଅର୍ଦ୍ଧେକଙ୍କ ପାଇଁ ବିଗତ ଦଶନ୍ଧିରେ ପାରିଶ୍ରମିକରେ ପ୍ରାୟ କୌଣସି ବୃଦ୍ଧି ଘଟିନାହିଁ। ଯଦି ଏହି ସମୟ ମଧ୍ୟରେ ମୁଦ୍ରାସ୍ଫୀତିର ପ୍ରଭାବକୁ ବିଚାରକୁ ନିଆଯାଏ, ତେବେ ନିରାପଦରେ କୁହାଯାଇପାରିବ ଯେ ଏହି ସମୟରେ ଏହି ମଧ୍ୟବିତ୍ତ ଖାଉଟିମାନଙ୍କର ବାସ୍ତବ ଆୟରେ ଅର୍ଥାତ୍ ସେମାନଙ୍କର ଖର୍ଚ୍ଚ କରିବା କ୍ଷମତାରେ ୫୦ ଶତାଂଶ ହ୍ରାସ ଘଟିଛି। ଏହି ସାମଗ୍ରିକ ଚିତ୍ରକୁ ବିଚାରକୁ ନେଲେ ଯେଉଁ ଅସୁବିଧାଜନକ ସତ୍ୟ ସ୍ବୀକାର କରିବାକୁ ହୋଇଥାଏ, ତାହା ହେଲା, ଆମ ଦେଶର ବିଶାଳ ଜନସଂଖ୍ୟା ଆମର ଏକ ବିଶେଷ ଶକ୍ତି ରୂପେ ପ୍ରତୀୟମାନ ହେଉଥିଲେ ହେଁ, ଆୟର ବିଷମ ବଣ୍ଟନ ଯୋଗୁଁ ଏହାର ପ୍ରାୟ ୯୦ ଶତାଂଶଙ୍କର ଖର୍ଚ୍ଚ କରିବାର ଅକ୍ଷମତା ଏହାକୁ ଏକ ମାଣ୍ଡେଭିଲୀୟ ମହୁମାଛି ଦଳରେ ପରିଣତ କରିଥାଏ, ସାମଗ୍ରିକ ଖର୍ଚ୍ଚରେ ଅଭାବ ଯେଉଁମାନଙ୍କୁ ଏକ ଦରିଦ୍ର ବସତିରେ ପରିଣତ କରିଥାଏ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.