Breaking News

ଶୋଚନୀୟ ସ୍ଥିତିରେ ହାଇବ୍ରିଡ୍‌ ଶୌଚାଳୟ: ପ୍ରଥମ କିନ୍ନର ଶୌଚାଳୟ ବି ଅବହେଳିତ

କୋଟିକୋଟି ଟଙ୍କା ବ୍ୟୟରେ ଶୌଚାଳୟ ନିର୍ମାଣ କଲା ପରେ ଆଉ ଯତ୍ନ ନେଲେନି। ଫଳରେ ବର୍ଷ ବର୍ଷ ଧରି ଅବହେଳିତ ହୋଇ ପଡ଼ି ରହିବା ପରେ ହାଇବ୍ରିଡ୍‌ ଟଏଲେଟ୍‌ଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇପଡ଼ିଲାଣି।

ଭୁବନେଶ୍ୱର: କୋଟିକୋଟି ଟଙ୍କା ବ୍ୟୟରେ ଶୌଚାଳୟ ନିର୍ମାଣ କଲା ପରେ ଆଉ ଯତ୍ନ ନେଲେନି। ଫଳରେ ବର୍ଷ ବର୍ଷ ଧରି ଅବହେଳିତ ହୋଇ ପଡ଼ି ରହିବା ପରେ ହାଇବ୍ରିଡ୍‌ ଟଏଲେଟ୍‌ଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇପଡ଼ିଲାଣି। କେଉଁଠି ପ୍ୟାନ୍‌ ଭାଙ୍ଗିଯାଇଛି ତ କେଉଁଠି ଚଟାଣ ଟାଇଲ ସମୂର୍ଣ୍ଣ ଭାଙ୍ଗିଯାଇଛି। କେଉଁଠି ଛାତ କଣା ଆଉ କେଉଁଠି କବାଟ ବନ୍ଦ କରିହେଉନି। ଭିତରେ ପଶିଲେ ସୁତୁଲି ବାନ୍ଧିବାକୁ ପଡ଼ୁଛି। କେଉଁଠି ଟ୍ୟାପ୍‌ ଭାଙ୍ଗି ପାଣି ଅନବରତ ବୋହି ଯାଉଛି। ବଡ଼କଥା ହେଉଛି କେତେକ ଜାଗାରେ ସାନିଟାରି ନ୍ୟାପକିନ ପାଇଁ ଲାଗିଥିବା ଭେଣ୍ଡିଂ ମେସିନ ଅଚଳ ହୋଇପଡ଼ିଛି। ପ୍ରୋଜେକ୍ଟ ‘ସମ୍ମାନ’ରେ ବିଏମସି ପ୍ରସ୍ତୁତ କରିଥିବା ଅଧିକାଂଶ ହାଇବ୍ରିଡ ଟଏଲେଟଗୁଡ଼ିକରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।

ଉଦାହରଣ ଭାବରେ ବାଣୀବିହାରରେ ଥିବା ହାଇବ୍ରିଡ ଟଏଲେଟକୁ ନିଆଯାଇପାରେ। ଏଠାରେ ସବୁ ବର୍ଗର ଲୋକ ଯଥା ଶିଶୁ, ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ୨୦୧୭ ମସିହା ଡିସେମ୍ୱର ୨୦ରେ କାର୍ଯ୍ୟକ୍ଷମ ହୋଇଥିଲା। ନିର୍ମାଣରେ ୧୭.୨୦ ଲକ୍ଷ ଖର୍ଚ୍ଚ ହୋଇଥିଲା। ଏଥିରେ ଭିନ୍ନକ୍ଷମଙ୍କ ପାଇଁ ର‍୍ୟାମ୍ପ୍‌, ଶିଶୁମାନଙ୍କ ପାଇଁ ଲୋ ଲେବଲ୍‌ ପ୍ୟାନ୍‌, ବେସିନ୍‌ ଏବଂ ମହିଳାଙ୍କ ପାଇଁ ସାନିଟାରି ନ୍ୟାପକିନ ଭେଣ୍ଡିଂ ମେସିନର ବ୍ୟବସ୍ଥା କରାଯାଇଥିଲା। ହେଲେ ଏବେ ଏହି ସବୁ ସୁବିଧା ଆଉ ନାହିଁ। ଟଏଲେଟର ଟାଇଲଗୁଡ଼ିକ ଭାଙ୍ଗିଯାଇ ଚଟାଣ ବାଲି ହୋଇଯାଇଛି। କବାଟଗୁଡ଼ିକରେ ଛିଟିକିଣି ନଥିବାରୁ ସୁତୁଲି ବାନ୍ଧିବାକୁ ପଡ଼ୁଛି। ନାପକିନ ଭେଣ୍ଡିଂ ମେସିନ ଉଦ୍‌ଘାଟନ ହେବାର ଦୁଇମାସ ପରେ ଅଚଳ ହୋଇଯାଇଛି।

ପାଖେଇ ଆସୁଛି ପ୍ରବାସୀ ଭାରତୀୟ ସମ୍ମିଳନୀ

ଏଥିରେ ଥିବା କିନ୍ନର ଟଏଲେଟ୍‌ ଅବସ୍ଥା ଶୋଚନୀୟ। ଶୌଚାଳୟର ଚଟାଣ ନଷ୍ଟ ହୋଇ ଯାଇଥିଲା ବେଳେ ଟ୍ୟାପରୁ ପାଣି ଗଳୁଛି। ଏହାକୁ କେବଳ କିନ୍ନର ବ୍ୟବହାର କରୁନାହାନ୍ତି ବରଂ ଅନ୍ୟ ପୁରୁଷ ଓ ମହିଳା ମଧ୍ୟ ବ୍ୟବହାର କରୁଛନ୍ତି। ପାଇଖାନାର ଫାଟକକୁ ଭିତରପଟୁ ବନ୍ଦ କରାଯାଇ ପାରୁ ନାହିଁ। କ୍ୟାପିଟାଲ ହସ୍ପିଟାଲରେ ଥିବା କିନ୍ନରଙ୍କ ପାଇଁ ଶୌଚାଳୟର ସ୍ଥିତି ମଧ୍ୟ ଖରାପ। ଆରଟିଓ-୧ ଅଫିସ ନିକଟ ଶୌଚାଳୟ ନିର୍ମାଣରେ ୧୭.୪୬ ଲକ୍ଷ ଖର୍ଚ୍ଚ ହୋଇଛି। ଏଠାରେ ବି ସମାନ ସ୍ଥିତି। ଶୌଚାଳୟର ଟାଇଲଗୁଡ଼ିକ ସମୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ଟ୍ୟାପ ଭାଙ୍ଗି ପାଣି ଗଳୁଛି। କବାଟ ବନ୍ଦ ହେଉ ନଥିବାରୁ ସୁତା ବାନ୍ଧିବାକୁ ପଡ଼ୁଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବିଏମସିରୁ ଲୋକ ଆସୁଛନ୍ତି ଫଟୋ ଉଠାଇ ନେଉଛନ୍ତି। ହେଲେ କାମ ହେଉନି। ସେହିପରି ଶ୍ରୀୟା ଛକ ସ୍ଥିତ ଶୌଚାଳୟରେ ମଧ୍ୟ ନାପକିନ ଭେଣ୍ଡିଂ ମେସିନ ଅଚଳ ଥିବା ବେଳେ ଛାତ କଣା ହୋଇଯାଇଛି। ବର୍ଷାରେ ପାଣି ଗଳୁଥିବାରୁ ବ୍ୟବହାର କରିହେଉ ନାହିଁ। କେବଳ ଏହି ତିନୋଟି ଶୌଚାଳୟ ନୁହେଁ ପରିଚାଳନା ଅଭାବରୁ ୟୁନିଟ୍‌ ୧, ଏଜି ଛକ, ଜୟଦେବ ବିହାର ଆଦି ସ୍ଥାନରେ ଶୌଚାଳୟଗୁଡ଼ିକ ସ୍ଥିତି ଏଭଳି ଶୋଚନୀୟ ରହିଛି।

ଓଡ଼ିଶାରେ ପ୍ରାୟ ୨୦ ହଜାର କିନ୍ନର ରହୁଥିବା ବେଳେ ଭୁବନେଶ୍ବରରେ ୨ହଜାରରୁ ଊର୍ଦ୍ଧ୍ବ କିନ୍ନର ରହିଛନ୍ତି। ବିଭିନ୍ନ କାମ ପାଇଁ ପ୍ରତ୍ୟେହ ଭୁବନେଶ୍ବରକୁ କିନ୍ନର ଆସୁଛନ୍ତି। କିନ୍ତୁ ଶୌଚାଳୟ ଏଭଳି ସ୍ଥିତି ହୋଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ‘ନିଖିଳ ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗି ମହାସଂଘ’ ସଭାପତି ପ୍ରତାପ ସାହୁଙ୍କ କହିବା କଥା, ‌‌ଶୌଚାଳୟକୁ ଗୁରୁତ୍ବ ଦେଉଥିବା ବିଏମ୍‌ସି ଆଜି ପର୍ଯ୍ୟନ୍ତ ନିଜ କାର୍ଯ୍ୟାଳୟରେ କିନ୍ନରଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ କରିପାରିଲା ନାହିଁ। ପ୍ରତ୍ୟେକ ଦିନ ଏଠାକୁ କିନ୍ନରମାନେ ଆସି ପୁରୁଷ ଓ ମହିଳାଙ୍କ ଶୌଚାଳୟ ବ୍ୟବହାର କରୁଛନ୍ତି। ନିକଟ ଅତୀତରେ ଏକ ବଡ଼ ହୋଟେଲ ଜଣେ କିନ୍ନର ମହିଳା ଶୌଚାଳୟ ବ୍ୟବହାର କରିବାକୁ ଯିବା ବେଳେ ଅପ୍ରିତିକର ପରିସ୍ଥିତି ହୋଇଥିଲା। ବିଏମ୍‌ସି କହିଛି କି ଏଭଳି ଅଭିଯୋଗ ଆମ ପାଖରେ ନାହିଁ। ଆମେ ଯାଞ୍ଚ କରିବୁ।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.