Breaking News

ଶ୍ରଦ୍ଧାଞ୍ଜଳି: ସୌମ୍ୟ ସୁକୋମଳ ହିମାଳୟ

କବିତା ପାଇଁ ସେ ସୁନାମୁଦିଟିଏ ପୁରସ୍କାର ପାଇଥିଲେ। ସେ ସେତେବେଳେ ଆଇଏଏସ୍ ପରୀକ୍ଷା ଦେବା କଥା ଭାବୁଥିଲେ, କିନ୍ତୁ ପରୀକ୍ଷା ପାଇଁ ଦେୟ ଅଶୀଟଙ୍କା ତାଙ୍କ ପାଖରେ ନଥିଲା। ବାପା ସେତେବେଳେ ଚାକିରିରୁ ଅବସର ଗ୍ରହଣ କରି ସାରିଥିଲେ।

କବିତା ପାଇଁ ସେ ସୁନାମୁଦିଟିଏ ପୁରସ୍କାର ପାଇଥିଲେ। ସେ ସେତେବେଳେ ଆଇଏଏସ୍ ପରୀକ୍ଷା ଦେବା କଥା ଭାବୁଥିଲେ, କିନ୍ତୁ ପରୀକ୍ଷା ପାଇଁ ଦେୟ ଅଶୀଟଙ୍କା ତାଙ୍କ ପାଖରେ ନଥିଲା। ବାପା ସେତେବେଳେ ଚାକିରିରୁ ଅବସର ଗ୍ରହଣ କରି ସାରିଥିଲେ। ତାଙ୍କୁ ଟଙ୍କା ମାଗିବାକୁ ମନ ହେଲାନି। ତେଣୁ ସେ ପୁରସ୍କାର ପାଇଥିବା ମୁଦିଟିକୁ ବିକି ଚାଳିଶଟଙ୍କା ଯୋଗାଡ଼ କରିଥିଲେ, ବାକି ଟଙ୍କା ଜଣେ ବନ୍ଧୁଙ୍କଠାରୁ ଉଧାର କରିଥିଲେ। ସେ କହିଛନ୍ତି, ‘‘ସୌଭାଗ୍ୟବଶତଃ ପରୀକ୍ଷାରେ କୃତକାର୍ଯ୍ୟ ହେଲି ଓ ସେ ଦିନଠୁ ବିଶ୍ୱାସ କଲି ଯେ ସାହିତ୍ୟ କେବଳ ଭାବ ଜଗତରେ ନୁହେଁ, ଜାଗତିକ ଜୀବନରେ ବି ଉପଯୋଗୀ।’’

ରେଭେନ୍ସାରେ ସ୍ନାତକୋତ୍ତର ପଢ଼ୁଥିବାବେଳେ କବିତା ଲେଖା ବେଶ୍‌ ଚାଲିଥିଲା। ସ୍ବୀକୃତି ବି ମିଳୁଥିଲା। ତରୁଣ କବିଙ୍କୁ ନାଟ୍ୟକାର ଗୋପାଳ ଛୋଟରାୟ, କବି ଗୋଦାବରୀଶ ମହାପାତ୍ର ଓ ଅନନ୍ତ ପଟ୍ଟନାୟକଙ୍କଠାରୁ ଉତ୍ସାହ ମିଳିଥିଲା। ଏମିତି ପ୍ରକାଶିତ ହୋଇଥିଲା ତାଙ୍କର ପ୍ରଥମ କବିତା ସଙ୍କଳନ ‘କେତେ ଦିନର’। ଏହା ପରେ ପ୍ରକାଶିତ କବି ରମାକାନ୍ତଙ୍କର ଅନ୍ୟ କବିତା ସଙ୍କଳନଗୁଡ଼ିକ ଭିତରେ ରହିଛି ‘ଅନେକ କୋଠରୀ’, ‘ସନ୍ଦିଗ୍ଧ ମୃଗୟା’, ‘ସପ୍ତମ ଋତୁ’, ‘ସଚିତ୍ର ଅନ୍ଧାର’, ‘ଶ୍ରୀରାଧା’, ‘ଶ୍ରୀ ପଳାତକ’, ‘ସୀମାନ୍ତବାସ’, ‘ଫେରି ଚାହିଁଲେ’, ‘ସବୁଦିନେ ସେପାଖେ’, ‘ଜାହାଜ ଆସିବ ଓ ଆଉ କେତୋଟି’, ‘ପବନରେ ଚିତ୍ରାଙ୍କନ’, ‘ନ ଯା କହୁ କହୁ’, ‘ଦୁଆର ଏପଟୁ’ ଓ ‘ନଥିବା ଜଣକ’ ଆଦି। ରମାକାନ୍ତଙ୍କ କବିତା ଓ କାବ୍ୟସ୍ବରର ଅନେକ ଆଲୋଚନା ହୋଇଛି, ସେଗୁଡ଼ିକୁ ଏଠାରେ ସ୍ଥାନଦେବା ସମ୍ଭବ ନୁହେଁ। ତେବେ ‘ସମ୍ବାଦ ସାହିତ୍ୟକୋଷ’ରେ ରମାକାନ୍ତଙ୍କ କବିତା ଓ କାବ୍ୟଶୈଳୀ ସଂପର୍କରେ କୁମୁଦ ଚନ୍ଦ୍ର ଦାଶଙ୍କର ସଂକ୍ଷିପ୍ତ ବକ୍ତବ୍ୟକୁ ଏଠାରେ ଉଦାହରଣ ସ୍ବରୂପ ନିଆଯାଇପାରେ। ସେ କହିଛନ୍ତି, ‘‘କେତେ ଦିନର’ ତାଙ୍କର ମାନସିକ ସ୍ଥିତି ଓ ବ୍ୟକ୍ତିତ୍ୱର ଚିତ୍ରମୟ ଅଭିବ୍ୟକ୍ତି ହୋଇଥିବାବେଳେ ‘ଅନେକ କୋଠରୀ’ ହେଉଛି ବହୁତଳ ବିଶିଷ୍ଟ ମାନସଲୋକର ବିଭିନ୍ନ ସ୍ତର।

ସ୍ତରୀକୃତ ବ୍ୟକ୍ତିତ୍ୱର ବିଭିନ୍ନ କକ୍ଷ ଏଥିରେ ଉଦ୍‌ଘାଟିତ। ‘ସନ୍ଦିଗ୍ଧ ମୃଗୟା’ ମୃଗୟୁ ବ୍ୟକ୍ତି-ମନସ୍ତତ୍ତ୍ୱର ଅଦ୍ଭୁତ, ଅନିଶ୍ଚିତ ଓ ଦ୍ୱନ୍ଦ୍ୱଗ୍ରସ୍ତ ସ୍ୱଭାବର ପରିପ୍ରକାଶ। ‘ସପ୍ତମ ଋତୁ’ରେ ଅଛି ନିତ୍ୟ ଆବର୍ତ୍ତିତ ଲୌକିକ ଷଡ଼ଋତୁର ବାହାରେ ପୁନଃମିଳନ ଓ ପୁନଃ ଆଗମନର ସମ୍ଭାବନାମୟ ଆତ୍ମିକ ଉପଲବ୍ଧି। ‘ସଚିତ୍ର ଅନ୍ଧାର’ ଚିତ୍ରିତ ଅନ୍ଧକାରକୁ ଲାଭ କରିବା ପାଇଁ ଉତ୍ତୋଳିତ ଦୁଇ ହସ୍ତର ପ୍ରସାରଣ। ସେହିପରି ‘ସୀମାନ୍ତବାସ’ ସ୍ଥିତିବାଦର ସୀମାନ୍ତ ପରିସ୍ଥିତି ଭିତରେ ମୃତ୍ୟୁର ଆଲେଖ୍ୟ। …ସ୍ଥିତିବାଦରେ ବିଶ୍ୱାସୀ ହେଲେ ମଧ୍ୟ ସେ ମୂଲ୍ୟବୋଧକୁ ଅସ୍ୱୀକାର କରନ୍ତି ନାହିଁ। ଭାରତୀୟ ସଂସ୍କୃତିର ସୂକ୍ଷ୍ମ ଆତ୍ମା ତାଙ୍କ କବିତାରେ ପ୍ରମୂର୍ତ୍ତ। ତାଙ୍କ ପାଇଁ କବିତା ଆଧ୍ୟାତ୍ମିକ ଅନ୍ୱେଷା, ଓଁକାର, ଦିବ୍ୟ ଅସନ୍ତୋଷ। ସେଥିପାଇଁ ତାଙ୍କ ଭାଷାରେ ଶୁଭେ ସନ୍ନ୍ୟାସୀର ସ୍ୱର। ପ୍ରତୀକ, ଚିତ୍ରକଳ୍ପ ଓ ମିଥ୍ ପ୍ରୟୋଗର ସେ ଦକ୍ଷ ରୂପକାର। ‘ଶ୍ରୀରାଧା’ ଓ ‘ଶ୍ରୀ ପଳାତକ’ରେ ମିଥ୍‌ରେ ଯେଉଁ ପରୀକ୍ଷା ସେ କରିଛନ୍ତି, ତାହା ସମକାଳୀନ ଓଡ଼ିଆ କବିତାରେ ଅନନ୍ୟ। ଅନୁଭୂତିର ବିଶ୍ଳେଷଣାତ୍ମକ ଓ ଚିତ୍ରମୟ ଅଭିବ୍ୟଞ୍ଜନାରେ ପ୍ରତ୍ୟେକ କବିତା ଏକ ଏକ ନୈସର୍ଗିକ କାକଳି। କାବ୍ୟ ଆବେଗର ଏକ ଏକ ସାର୍ଥକ ଉପସ୍ଥାପନା।’’

ସାହିତ୍ୟ ପାଇଁ କବି ରମାକାନ୍ତ ବହୁ ସମ୍ମାନ ଓ ପୁରସ୍କାର ପାଇଛନ୍ତି, ଯାହା ଭିତରେ ରହିଛି ସରସ୍ୱତୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର, କବୀର ସମ୍ମାନ, ଶାରଳା ପୁରସ୍କାର, ବିଷୁବ ସମ୍ମାନ ଓ ଗଙ୍ଗାଧର ଜାତୀୟ କବିତା ପୁରସ୍କାର। କେନ୍ଦ୍ର ସାହିତ୍ୟ ଅକାଦେମିର ଫେଲୋ ଭାବେ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ମଧ୍ୟ ସେ ପାଇଛନ୍ତି। ଭାରତୀୟ ଲେଖକମାନଙ୍କର ନେତୃତ୍ବ ନେଇ ସେ ଋଷିଆ, ଫ୍ରାନ୍ସ, ଇଂଲଣ୍ଡ, ସ୍ୱିଡେନ୍ ଓ ଚୀନ୍‌ ପ୍ରଭୃତି ବହୁ ରାଷ୍ଟ୍ରକୁ ଯାଇଥିଲେ।

‘ମହାପାତ୍ର’ରୁ ‘ରଥ’
ପୁରୀଠୁ ପ୍ରାୟ ୪-୫ କିମି ଦୂରରେ ସାତପଡ଼ା ରାସ୍ତାରେ ସବୁଜିମା ଭରା ଗୋଟେ ଗାଁ ଶାସନ ଦାମୋଦରପୁର ହେଉଛି କବି ରମାକାନ୍ତ ରଥଙ୍କ ପୌତୃକ ଗାଁ। ତାଙ୍କ ବାପାଙ୍କ ନାଁ ଲୋକନାଥ ମହାପାତ୍ର। ପାଞ୍ଚ ଭାଇ ଭଉଣୀଙ୍କ ଭିତରେ ରମାକାନ୍ତ ଥିଲେ ତୃତୀୟ। ତାଙ୍କ ଅଜା ବିଶ୍ବନାଥ ରଥ ଥିଲେ ଜଣେ ସଂସ୍କୃତ ପଣ୍ଡିତ। ଅଜା କଟକରେ ରହି ସଂସ୍କୃତ ପଢ଼ାଉଥିବା ସମୟରେ ସେଇଠି ରମାକାନ୍ତଙ୍କର‌ ଜନ୍ମ, ୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ। ଅଜାଙ୍କର ଥିଲେ ତିନିଝିଅ, ପୁଅ ନଥିଲେ। ତେଣୁ ରମାକାନ୍ତଙ୍କ ଜନ୍ମ ପରେ ଅଜା ତାଙ୍କୁ ପୌଷ୍ୟପୁତ୍ର କରିବାଲାଗି ଇଚ୍ଛା କରିଥିଲେ। ତେଣୁ ‘ରମାକାନ୍ତ ମହାପାତ୍ର’ହେଲେ ‘ରମାକାନ୍ତ ରଥ’। ତେବେ ସେ ନିଜ ଗାଁରେ ବାପ‌ା ମାଆଙ୍କ ପାଖରେ ଓ ଦାୟିତ୍ବରେ ହିଁ ବଢ଼ିଥିଲେ।
ଅଙ୍କ ହେଉନଥିଲା
ନିଜ ଗାଁ ଶାସନ ଦାମୋଦରପୁରରେ ହିଁ ତାଙ୍କର ଶିକ୍ଷାରମ୍ଭ ହୋଇଥିଲା। ଗାଁ ସ୍କୁଲରେ ବର୍ଷେ ପଢ଼ିବା ପରେ ଗଲେ ପୁରୀର ଆଂଲୋ ବେଙ୍ଗଲୀ ସ୍କୁଲକୁ, ଯାହା ଏବେ ବିଶ୍ବମ୍ଭର ବିଦ୍ୟାପୀଠ ଭାବେ ପରିଚିତ। ତା’ପରେ ଚାକିରିଆ ବାପାଙ୍କ ବଦଳି ସହିତ ୩ବର୍ଷ ଭବାନୀପାଟଣାର ବ୍ରଜମୋହନ ସ୍କୁଲ ଓ ୨ବର୍ଷ ବଲାଙ୍ଗୀରର ପୃଥ୍ବୀରାଜ ହାଇସ୍କୁଲରେ ପଢ଼ି ସେହିଠାରୁ ମାଟ୍ରିକ୍ ପାସ୍ କରିଥିଲେ। ସେ ପରେ ସାକ୍ଷାତ୍‌କାରରେ କହିଛନ୍ତି ଯେ ଡାକ୍ତର ହେବାକୁ ତାଙ୍କର ସ୍ବପ୍ନ ଥିଲା। ସେ ସାଧାରଣ ଛାତ୍ର ଥିଲେ। ସାହିତ୍ୟ ଓ ଇତିହାସ ତାଙ୍କର ଭଲ ହେଉଥିବାବେଳେ ଗଣିତ ଆଦୌ ହେଉନଥିଲା। ମାଟ୍ରିକ୍ୟୁଲେସନ୍‌ରେ ଗଣିତରେ ଭଲ ମାର୍କ ରଖି ନ ପାରିବାରୁ ବିଜ୍ଞାନ ପଢ଼ି ପାରିନଥିଲେ।

ଅଭାବରେ ପିଲାଦିନ 
ଗୋଟିଏ ସ୍ଥାନରେ ସେ ସ୍ବୀକାର କରିଛନ୍ତି, ‘‘ପଢ଼ିବାବେଳର ଅଧିକାଂଶ ସମୟ ଅଭାବବୋଧ ଭିତରେ କଟିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅନେକ ଦୁଷ୍ପ୍ରାପ୍ୟ ଦ୍ରବ୍ୟ ଭିତରେ ଥିଲା ଭଲ କାଗଜ। ଭଲ ଧଳା କାଗଜର ଦାମ୍‍ ବେଶୀ ଥିବାରୁ ଆମେ ବାଲିଆ କାଗଜ ବା ହଳଦିଆ ଖଦଡ଼ା କାଗଜରେ ପାଠ ଲେଖୁଥିଲୁ। ଥରେ ପେନ୍‌ସିଲ୍‌ରେ ଲେଖି ସାରିବା ପରେ ସେହି କାଗଜରେ ଆଉ ଥରେ କାଳିରେ ଲେଖୁଥିଲୁ। କେତେଥର ସ୍ୱପ୍ନ ଦେଖିଛି ଯେ ମୋର ଗୋଟିଏ ଡ୍ରଇଂ ଖାତା ବା ମ୍ୟାପ୍‍ଡ୍ରଇଁ ଖାତା ଅଛି, ସ୍ୱପ୍ନ ଭାଙ୍ଗିବା ପରେ ତାହା ନ ଥିବାର ଅବସାଦ ବେଶ୍‍ କିଛି ସମୟ ଧରି ଭୋଗିବାକୁ ହୋଇଛି।’’
ଅଧ୍ୟାପନା ପରେ ପ୍ରଶାସକ
ସ୍କୁଲ ପରେ ପ୍ରଥମେ ପୁରୀର ସାମନ୍ତ ଚନ୍ଦ୍ରଶେଖର କଲେଜରେ ପଢ଼ିବାପରେ ୧୯୫୬ରେ ସେ କଟକର ରେଭେନ୍ସା କଲେଜରୁ ଇଂରାଜୀ ସାହିତ୍ୟରେ ଏମ୍‌ଏ ପାସ୍‌ କରି ଅଧ୍ୟାପକ ଭାବେ ଅଳ୍ପ କାଳ ଯୋଗ ଦେଇଥିଲେ। ୧୯୫୭ରେ ସେ ଭାରତୀୟ ପ୍ରାଶାସନିକ ସେବାରେ ଯୋଗ ଦେଇଥିଲେ। ନିଜର ଚାକିରି କାଳ ଭିତରେ ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଅଧୀନରେ ବିଭିନ୍ନ ପଦପଦବିରେ କାର୍ଯ୍ୟକରି ୧୯୯୨ରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଅବସର ଗ୍ରହଣ କରିଥିଲେ। ୧୯୯୩ରୁ ୧୯୯୮ ପର୍ଯ୍ୟନ୍ତ ସେ କେନ୍ଦ୍ର ସାହିତ୍ୟ ଅକାଦେମିର ଉପସଭାପତି ଏବଂ ୧୯୯୮ରୁ ୨୦୦୩ ପର୍ଯ୍ୟନ୍ତ ସେହି ଅନୁଷ୍ଠାନର ସଭାପତି ଦାୟିତ୍ବ ତୁଲାଇଥିଲେ।

‘ତମେ ଆଉ ନାହଁ ବୋଲି ଖବର ଆସିଛି’
‘ଶ୍ରୀରାଧା’ରେ ଥିବା ଏକ କବିତାର ପ୍ରଥମ ଧାଡ଼ିରେ ଶ୍ରୀକୃଷ୍ଣଙ୍କର ଦେହତ୍ୟାଗର ଖବର ପାଇ ତାହାକୁ ଗ୍ରହଣ କରିନଥିବା ଶ୍ରାରାଧାଙ୍କର ଭାବନାର ପରିପ୍ରକାଶ ଇଏ। ଆଜି ସକାଳେ କବିଙ୍କ ପରଲୋକଗତ ଖବରକୁ ନେଇ ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟରେ ଥିବା ଲକ୍ଷ ଲକ୍ଷ ପାଠକଙ୍କ ଭିତରେ ସମାନ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଭାରତୀୟ କବିତାର ଏହି ଶିଖର ପୁରୁଷ ବେଶ୍‌ କିଛି କାଳ ହେବ ଅସୁସ୍ଥ ଥିଲେ, କିନ୍ତୁ ସେ ଯିବାର ଖବରକୁ କେହି ସହଜରେ ଗ୍ରହଣ କରି ପାରିନଥିଲେ। ତେବେ ଗୋଟିଏ ଦୃଷ୍ଟିରୁ କବିଙ୍କ ଯିବା ଖବର ବି ମିଛ! ସେ ସୃଷ୍ଟି କରିଥିବା କବିତା, କାବ୍ୟଧାରା କବିତା ପ୍ରେମୀଙ୍କ ହୃଦୟରେ ସେ ତିଆରି କରିଥିବା ସଶ୍ରଦ୍ଧ ସ୍ଥାନଟି ଚିରକାଳ ଅକ୍ଷୂଣ୍ଣ ରହିଥିବ। ସେସବୁର ତ ମରଣ ନାହିଁ।

କେବେ କିଛି ମାଗି ନଥିଲେ ଶାନ୍ତି
ଉପରୋକ୍ତ ଧାଡ଼ିଟି ସହିତ ରମାକାନ୍ତ ତାଙ୍କର ସବୁଠୁ ଚର୍ଚ୍ଚିତ ବହି ‘ଶ୍ରୀରାଧା’କୁ ଉତ୍ସର୍ଗ କରିଛନ୍ତି ପତ୍ନୀ ଶାନ୍ତି ରଥଙ୍କୁ। ଶାନ୍ତିଙ୍କ ବାପାଘର ପୁରୀ ନିକଟସ୍ଥ ବୀର ପୁରୁଷୋତ୍ତମପୁରରେ। ବାପାମାଆଙ୍କର ଆଠପୁଅରେ ସେ ଗୋଟିଏ ଝିଅ। ପଢ଼ାପଢ଼ି ପୁରୀ ସହରରେ। ମାତ୍ର ୧୫ ବର୍ଷ ବୟସରେ ୧୯୫୭ ମସିହା ଜାନୁଆରି ୨୧ ତାରିଖରେ ତାଙ୍କର ବାହାଘର ହୋଇଥିଲା ୨୨ ବର୍ଷର ରମାକାନ୍ତଙ୍କ ସହିତ। ସେତେବେଳେ ଏମ୍‌ଏ ପାସ୍‌ କରି ରମାକାନ୍ତ ଅଧ୍ୟାପନା କରୁଥିଲେ। ଜାନୁଆରିରେ ବାହାଘର, ଫେବ୍ରୁଆରିରେ ଆଇଏଏସ୍‌ ପରୀକ୍ଷା ଫଳ ବାହାରିଲା, ଯୋଉଥିରେ ରମାକାନ୍ତ ଉତ୍ତୀର୍ଣ୍ଣ ହୋଇଥିଲେ।
କବିତା ଯାତ୍ରା
ସେ ନିଜେ କହିଛନ୍ତି, ସେ କବିତା ଲେଖିବେ ବୋଲି କେବେ ଭାବି ନଥିଲି। ପରିସ୍ଥିତିରେ ପଡ଼ି ପିଲାଦିନେ ଦୁଇଟି କବିତା ଲେଖିଥିଲେ। ସପ୍ତମ ଶ୍ରେଣୀରେ ପଢ଼ିବାବେଳେ ବାପାଙ୍କ କମିଜ ପକେଟରୁ ପାଞ୍ଚଟଙ୍କା ଚୋରି କରିଥିଲେ। କିନ୍ତୁ ସେତେବେଳେ ଏତେ ଟଙ୍କା ଗୋଟିଏ ଦିନରେ ଖର୍ଚ୍ଚ କରିବାର ବାଟ ନଥିଲା। ଟଙ୍କା ଖୋଜା ପଡ଼ିଲା ଓ ତାଙ୍କ ପାଖରୁ ମିଳିଲା। ଚୋରି ଲୁଚାଇବାକୁ ଯାଇ ବାଳକ ରମାକାନ୍ତ ହଠାତ୍‌ କହି ଦେଇଥିଲେ, କବିତା ଲେଖି ସେ ଟଙ୍କା ପୁରସ୍କାର ପାଇଛନ୍ତି। ବାପା କହିଲେ- ‘‘ସେ କବିତାରୁ ଧାଡ଼ିଏ କହିଲୁ!’’ କବି ମନରୁ ଫାନ୍ଦି କହି ପକାଇଥିଲେ, ‘‘ନଡ଼ିଆ ଫୁଲର ବାସ୍ନାରରେ ଆଜି ମହକୁଛି ସମୀରଣ…’’। ଏହାସହିତ ବାପା ହାତର ଶକ୍ତ ଚାପୁଡ଼ା ବସିଥିଲା ତାଙ୍କ ଗାଲରେ। ଦ୍ବିତୀୟ କବିତାଟି ସେ ‘ଲେଖିଥିଲେ’ ଭବାନୀପାଟଣାରେ ଅଷ୍ଟମ ଶ୍ରେଣୀରେ ପଢ଼ିବାବେଳେ। ତତ୍କାଳୀନ ମହାରାଜାଙ୍କ ଉପସ୍ଥିତିରେ ହେଉଥିବା ଏକ ପଦ୍ୟାନ୍ତ ପ୍ରତିଯୋଗିତାରେ ‘ର’ ଅକ୍ଷରରେ କବିତା ଗାଇବା ପାଳି ପଡ଼ିବାରୁ ସେ ମନରୁ ଫନ୍ଦି ଗାଇଥିଲେ, ‘‘ରଙ୍ଗରସେ ବାଳା ପୁହାଇଲା ରାତି/କାଲି ଅାସିଥିଲା ତା’ର ଉପପତି’’। ତେବେ କଲେଜରେ ପ୍ରବେଶ ଯାଏଁ ସେ ବିଧିବଦ୍ଧ ଭାବେ କବିତା ଲେଖିବାକୁ ଚେଷ୍ଟା କରିନଥିଲେ। ତେବେ ସ୍ବଭାବରେ ଧୀର ଓ ଲଜକୁଳା ରମାକାନ୍ତ ନିଜକୁ ଖେଳକୁଦ ବା ଅନ୍ୟ କୌଣସି କାମ ପାଇଁ ଯୋଗ୍ୟ ମନେ କରୁନଥିବାରୁ କବିତା ଲେଖିବାକୁ ମନ ବଳାଇଥିଲେ।କାବ୍ୟ ଜଗତରେ ଅଦ୍ୱିତୀୟ ପୁରୁଷ
ରମାକାନ୍ତ ରଥ କେବଳ ଓଡ଼ିଆ ସାହିତ୍ୟ ନୁହେଁ ସମଗ୍ର ଭାରତୀୟ ସାହିତ୍ୟରେ ଜଣେ ସ୍ମରଣୀୟ ବ୍ୟକ୍ତିତ୍ୱ। ତାଙ୍କ ସହିତ ମୋର ବନ୍ଧୁତ୍ୱ କଲେଜରେ ପଢ଼ିବା ବେଳୁ। ରମାକାନ୍ତ ରଥ ଓଡ଼ିଆ କାବ୍ୟ ଜଗତରେ ଅଦ୍ୱିତୀୟ ପୁରୁଷ। ସଚ୍ଚିଦାନନ୍ଦ ରାଉତରାୟଙ୍କ ପରେ ଓଡ଼ିଆ ସାହିତ୍ୟରେ ଜଣଙ୍କୁ ଯଦି ମହାନ କବିର ଆଖ୍ୟା ଦିଆଯାଇପାରେ ସେ ହେଉଛନ୍ତି ରମାକାନ୍ତ ରଥ। ତାଙ୍କ ବିୟୋଗରେ ମୁଁ ଜଣେ ଅଭିଭାବକ, ବନ୍ଧୁ ଓ ଓଡ଼ିଆ ସାହିତ୍ୟର ବିଶାରଦଙ୍କୁ ହରାଇଲି।
– ବିଭୂତି ପଟ୍ଟନାୟକ, ଔପନ୍ୟାସିକ
 ଭାରତ ବାହାରେ ମଧ୍ୟ ପରିଚିତ
ଜୀବନ-ମୃତ୍ୟୁ, ପ୍ରେମ-ବିରହ, ମିଳନ-ଶୋକ ଓ ଅତୀତ-ଭବିଷ୍ୟତର ନାଡ଼ି ନକ୍ଷତ୍ର ଚିହ୍ନାଇ ଦେଉଥିବା କବି ଥିଲେ ରମାକାନ୍ତ ରଥ। ତାଙ୍କର ଅବର୍ତ୍ତମାନରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲେ ମଧ୍ୟ ତାହା ପୂର୍ଣ୍ଣ ହୋଇଯାଏ ତାଙ୍କ କାବ୍ୟ କୃତିରେ। କେବଳ ଭାରତରେ ନୁହେଁ, ଭାରତ ବାହାରେ ମଧ୍ୟ ସେ ଜଣେ ଅବିସ୍ମରଣୀୟ କବି ଭାବରେ ପରିଚିତ ଥିଲେ। କବିର ନାମ ବିସ୍ମରଣ ହୋଇଯାଏ ପଛକେ କବିତା ବିସ୍ମରଣ ହୁଏ ନାହିଁ। ରମାକାନ୍ତ ତାଙ୍କ ମୃତ୍ୟୁରେ ଶୋକ ଗୀତିଟିଏ ଲେଖିଯାଇଛନ୍ତି କବିତାପ୍ରେମୀ ପାଠକମାନଙ୍କ ହୃଦୟରେ। ସେ କବିତାରେ ଚିରକାଳ ବଞ୍ଚି ରହିବେ।
– ପ୍ରତିଭା ରାୟ, ଔପନ୍ୟାସିକ
ଅପୂରଣୀୟ କ୍ଷତି
ଗୁରୁ ପ୍ରସାଦ ମହାନ୍ତି ଓ ରମାକାନ୍ତ ରଥ ଯେଉଁ ଯୁଗ ସୃଷ୍ଟି କରିଥିଲେ କବିତାରେ ତାହାର ଆଜି ଅନ୍ତ ଘଟିଛି। ଏହାପର ଠାରୁ ସାହିତ୍ୟରେ ଯୁଗ ପରିବର୍ତ୍ତନ ଘଟିବ। ସେ ଜଣେ ଯୁଗ ସ୍ରଷ୍ଟା କବି ଥିଲେ। ତାଙ୍କ କବିତାରେ ରାଧା କେବଳ ଗୋପପୁର ନୁହେଁ ବରଂ ସହରର ବସ୍ତିମାନଙ୍କରେ ମଧ୍ୟ ଥିଲେ। ତାଙ୍କ କବିତା ଓ ଉପମା ଦେବାର ଢଙ୍ଗ ବିରଳ। ସେ ଜଣେ ଅଗ୍ରଗଣ୍ୟ କାବ୍ୟିକ ପୁରୁଷ ଥିଲେ। ତାଙ୍କ ଏକ ଅପୂରଣୀୟ କ୍ଷତି। ଯୁବ ବର୍ଗ ତାହାକୁ ପୂରଣ କରିବା ପାଇଁ ଚେଷ୍ଟା କରିବା ଆବଶ୍ୟକ।
– ଶାନ୍ତନୁ କୁମାର ଆଚାର୍ଯ୍ୟ, ଔପନାସିକ
ଅନ୍ୟତମ ଶିଖର ସ୍ୱାକ୍ଷର
ରମାକାନ୍ତ ରଥ ଥିଲେ ଭାରତୀୟ କାବ୍ୟ ଇତିହାସର ଅନ୍ୟତମ ଶିଖର ସ୍ୱାକ୍ଷର। ତାଙ୍କ କବିତାରେ ଭାରତୀୟ ପରମ୍ପରା, ପୁରାଣ ଓ ଆଧୁନିକତାର ସମନ୍ୱୟ ଘଟିଥିଲା। ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏକ ଶୂନତା ସୃଷ୍ଟି କରିଛି। ତାଙ୍କ ବିୟୋଗରେ ଶୋକ ପ୍ରକାଶ କରି ଆସନ୍ତାକାଲି କେନ୍ଦ୍ର ସାହିତ୍ୟ ନୂଆଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟ ସହିତ ଭାରତର ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟାଳୟଗୁଡ଼ିକ ବନ୍ଦ ରଖାଯାଇଛି।
– ଗୌରହରି ଦାସ, ଆବାହକ, ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ, କେନ୍ଦ୍ର ସାହିତ୍ୟ ଅକାଦେମି
ଆମମାନଙ୍କ ପୂଜ୍ୟ ଗୁରୁ
ମୁଁ ରମାକାନ୍ତ ବାବୁଙ୍କ କବିତାର ବଡ଼ ଭକ୍ତ। ସେ ଜଣେ ତୁଙ୍ଗ ବ୍ୟକ୍ତିତ୍ୱ ଓ କବି। ସେ ଆମ୍ଭମାନଙ୍କର ପୂଜ୍ୟ ଗୁରୁ। ସେ ଆମକୁ ବହୁ ଉତ୍ସାହିତ କରିଛନ୍ତି। କେବଳ କବିତା ନୁହେଁ କବିତାର ହୃଦୟବର୍ତ୍ତା ପାଇଁ ତାଙ୍କର ବହୁତ ଅବଦାନ ରହିଛି।
– ପ୍ରତିଭା ଶତପଥୀ, କବି
ଚିରଦିନ ପାଇଁ ମନରେ ରହିବେ
ଶ୍ରୀରାଧାର କବି, ଯୁବ ମାନସ, ପରିପକ୍ୱ ମାନସର କବି ଅମର ଧାମକୁ ଯାତ୍ରା କରିଛନ୍ତି। ମୁଁ ଆଜି ଅନୁଭବ କରୁଛି ଯେ କବିର ମୃତ୍ୟୁ ନାହିଁ। କବିର ଜୀବନ ହୁଏତ ଶେଷ ହୋଇଯାଏ ହେଲେ ତା’ର ଅମର ଜୀବନ ଏହି ଠାରୁ ଆରମ୍ଭ ହୁଏ। ଏହା ଅନନ୍ତ କାଳ ଯାଏଁ ତାଙ୍କ ଛାୟା ଆମକୁ ଆଚ୍ଛନ୍ନ କରି ରଖେ। ସେ ଚିରଦିନ ପାଇଁ ସଭିଙ୍କ ମନରେ ହୃଦୟର କବି ଭାବରେ ରହିଥିବେ।
– ଅପର୍ଣ୍ଣା ମହାନ୍ତି, କବି
ସମସାମୟିକ ଶିଖର ପୁରୁଷ
ରମାକାନ୍ତ ରଥ ଉଭୟ ପ୍ରାଶାସନିକ ଅଧିକାରୀ ଓ କବି ଜୀବନରେ ସଫଳତା ପାଇଛନ୍ତି। ତାଙ୍କ ପ୍ରାଶାସନିକ ଜୀବନ ତାଙ୍କ କବି ଜୀବନକୁ କେବେ ବି ପ୍ରଭାବିତ କରିନାହିଁ।  ଅନେକ କବି ତାଙ୍କୁ ସମସାମୟିକ କାଳର ଶିଖର ପୁରୁଷ ବୋଲି ବିବେଚନା କରନ୍ତି। ସେ ଶିକ୍ଷା ସଚିବ ଥିବା ସମୟରେ ଶିଶୁଲେଖା ପ୍ରକାଶ ପାଇଁ ଉଦ୍ୟମରତ ଥିଲେ। ସେ ନିଜ କବି ପ୍ରତିଭାକୁ ଶେଷ ଜୀବନ ପର୍ଯ୍ୟନ୍ତ ବଜାୟ ରଖିଥିଲେ। ସେ ମୃତ୍ୟୁ ଚେତନାକୁ ନୂତନ ଭାବରେ ଆବିଷ୍କାର କରିଥିଲେ। ସେ ଜଣେ ଅନନ୍ୟ କବି ଓ ଓଡ଼ିଆ ଭାବେ ଚିର ନମସ୍ୟ ହୋଇ ରହିବେ।
– ଦାଶ ବେନହୁର, ସାହିତ୍ୟିକ 
ଓଡ଼ିଆ କବିତାର ଦ୍ବିତୀୟ କବିସୂର୍ଯ୍ୟ
ସଚ୍ଚିଦାନନ୍ଦ ରାଉତରାୟଙ୍କ ପରେ ଓଡ଼ିଆ କବିତାର ଆଙ୍ଗିକ ଓ ଆତ୍ମିକ ବିଭାବକୁ ଭାଙ୍ଗିରୁଜି ପୁଣି ଥରେ ନିଜ କବିତାରେ ଠିଆ କରେଇ ପାରିଥିବା କବି ଥିଲେ ରମାକାନ୍ତ ରଥ। ଗୃହୀ, ସନ୍ନ୍ୟାସୀ, ବିଦ୍ରୋହୀ, ବୋହେମିଆନ, ଏ ସବୁ ସ୍ୱର ଏକାଠି ବାଜିଉଠିଥିଲେ ତାଙ୍କ କବିତାରେ ଗୋଟିଏ ଅର୍କେଷ୍ଟ୍ରାରେ। ରମାକାନ୍ତ ରଥ ଥିଲେ ମାନୁଷୀ ରାଧା-କୃଷ୍ଣ ପ୍ରଣୟଗାଥାର ପ୍ରଥମ ବାର୍ତ୍ତାକାର। ଭାରତୀୟ ସାହିତ୍ୟରେ ପ୍ରଣୟକୁ ଅନନ୍ତ ବିରହର ଅଧ୍ୟାତ୍ମରେ ମୂର୍ଛି ଦେଇପାରିଥିବାର କାବ୍ୟକୋଟି ରମାକାନ୍ତ ରଥଙ୍କର ଅପହଞ୍ଚ, ଅନତିକ୍ରମ୍ୟ। ସେ ବଳଦେବ ରଥଙ୍କ ପରେ ଓଡ଼ିଆ କବିତାର ଦ୍ବିତୀୟ କବିସୂର୍ଯ୍ୟ।
– ହରପ୍ରସାଦ ଦାସ, କବି
ସାହିତ୍ୟିକଙ୍କ ପ୍ରେରଣାର ଉତ୍ସ
ଓଡ଼ିଆ ସାହିତ୍ୟ ଜଗତ ବିଶେଷ କରି କାବ୍ୟ ଜଗତ ସ୍ତବ୍ଧ ହୋଇଯାଇଛି। ସ୍ୱାଧୀନତାର ଯୁଗର ପ୍ରବର୍ତ୍ତକ, ଦିଗଦର୍ଶକ ଏପରିକି ଏକ ବିଂଶ ଶତାବ୍ଦୀର କବି ଓ ସାହିତ୍ୟିକଙ୍କ ପ୍ରେରଣାର ଉତ୍ସ ଥିଲେ ସେ। ସେ ବିଭିନ୍ନ ରଚନାରେ ତାଙ୍କ ପିତାଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତି ବିଷୟରେ ଉଲ୍ଲେଖ କରିଛନ୍ତି। ସୁନିର୍ଦ୍ଦିଷ୍ଟ ଭାବେ ଶିଶୁଲେଖା ଓ ପାଠ୍ୟ ପୁସ୍ତକକୁ ଜାତୀୟକରଣ କରିବାରେ ତାଙ୍କର ବିଶେଷ ଅବଦାନ ରହିଛି। ଉତ୍କଳ ସାହିତ୍ୟ ସମାଜକୁ ସ୍ୱୀକୃତି ପ୍ରଦାନ ଏକ ମହାନ ଅବଦାନ। ଆପଣା ପ୍ରଚାର ପ୍ରସାର ପ୍ରତି ଉଦାସୀନ ଅଥଚ ଅନନ୍ତ ବିରଳ ଅବଦାନ ତାଙ୍କୁ ଆଧୁନିକ ଓଡ଼ିଆ କାବ୍ୟର ଜନକ ଭାବେ ସ୍ମରଣୀୟ ରଖିବ।
– ଅମରେଶ ପଟ୍ଟନାୟକ, ବିଶିଷ୍ଟ କବି
ଏବେ ବି ମନକୁ ଉଷ୍ମ କରି ରଖିଛି
କବି ରମାକାନ୍ତ ରଥଙ୍କୁ ମୁଁ ୧୯୮୪ରୁ ଜାଣେ। ସେତେବେଳେ ତାଙ୍କ କବିତା ପୁସ୍ତକ ‘ଶ୍ରୀରାଧା’ ଭୁବନେଶ୍ୱରର କ୍ବାଲିଟି ପ୍ରେସ୍‌ରେ ଛାପା ହେଉଥିଲା ଏବଂ ସେଠି ମୁଁ ‘ସମାବେଶ’ ପତ୍ରିକାରେ କାମ କରୁଥିଲି। ସୀସା ଅକ୍ଷରରେ ପୃଷ୍ଠା ପ୍ରସ୍ତୁତ କରି ଆମେ ତା’ର ପ୍ରୁଫ୍ ତାଙ୍କ ପାଖକୁ ପଠାଇ ଦେଉଥିଲୁ। ତା’ ପରଦିନ ସେ ନିଜେ ଆସି ସଂଶୋଧିତ ପ୍ରୁଫ୍ ଫେରାଇ ଦେଇ ଯାଉଥିଲେ। ଆମର ପଣ ଥିଲା, ସେଥିରେ ଗୋଟିଏ ବି ମୁଦ୍ରଣ ତ୍ରୁଟି ରହିବ ନାହିଁ। ତାହା ୧୯୮୫ରେ ପ୍ରକାଶ ପାଇଲା ଏବଂ ପରେ ସରସ୍ବତୀ ସମ୍ମାନରେ ବି ଭୂଷିତ ହେଲା। ତାଙ୍କ ସହିତ ଶେଷ ଯାଏ ଘନିଷ୍ଠ ସଂପର୍କ ଥିଲା।
– ଅସିତ ମହାନ୍ତି, ସମ୍ପାଦକ- ପୌରୁଷ

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.