Breaking News

ଶ୍ରମମନ୍ତ୍ରୀଙ୍କ ବଡ଼ ଦାବି: ୧୦ ବର୍ଷରେ ୧୭ କୋଟି ନିଯୁକ୍ତି

ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାରଙ୍କ ଗତ ୧୦ ବର୍ଷ(୨୦୧୪-୨୦୨୪)ରେ ଦେଶରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି। ୟୁପିଏ ଅମଳରେ ସୃଷ୍ଟି ହୋଇଥିବା ନିଯୁକ୍ତି ତୁଳନାରେ ଏହା ପ୍ରାୟ ୫ ଗୁଣା ଅଧିକ।

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍‌ଡିଏ ସରକାରଙ୍କ ଗତ ୧୦ ବର୍ଷ(୨୦୧୪-୨୦୨୪)ରେ ଦେଶରେ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି। ୟୁପିଏ ଅମଳରେ ସୃଷ୍ଟି ହୋଇଥିବା ନିଯୁକ୍ତି ତୁଳନାରେ ଏହା ପ୍ରାୟ ୫ ଗୁଣା ଅଧିକ। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ଏକ ଗଣମାଧ୍ୟମ ସଂସ୍ଥାକୁ ଦେଇଥିବା ସାକ୍ଷାତ୍‌କାରରେ ଏଭଳି ଦାବି କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ର ତଥ୍ୟକୁ ଉଲ୍ଲେଖ କରି ସେ ଏହା କହିଛନ୍ତି।

ୟୁପିଏ ତୁଳନାରେ ୫ ଗୁଣା ଅଧିକ 
ମନମୋହନଙ୍କ ସମୟରେ ୨.୯ କୋଟି
ମୋଦୀଙ୍କ ଅମଳରେ ୧୭.୧୯ କୋଟି

ମନ୍ତ୍ରୀ କହିଛନ୍ତି ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ, ୨୦୦୪ରୁ ୨୦୧୪ ମଧ୍ୟରେ ୨.୯ କୋଟି ନିଯୁକ୍ତି ସୃଷ୍ଟି ହୋଇଥିଲା। କିନ୍ତୁ କେବଳ ଗୋଟିଏ ବର୍ଷ ଅର୍ଥାତ୍‌ ୨୦୨୪ରେ ୪.୯ କୋଟି ନିଯୁକ୍ତି ସୃଷ୍ଟି ହୋଇଛି। ମୋଦୀ ସରକାରଙ୍କ ପ୍ରଥମ ୧୦ ବର୍ଷ ଅର୍ଥାତ୍‌ ୨୦୧୪ରୁ ୨୦୨୪ ମଧ୍ୟରେ ୧୭.୧୯ କୋଟି ନିଯୁକ୍ତି ସୃଷ୍ଟି ହୋଇଛି। ୟୁପିଏ ଅମଳରେ ନିଯୁକ୍ତି ଅଭିବୃଦ୍ଧି ୬ ପ୍ରତିଶତ ରହିଥିବାବେଳେ ବର୍ତ୍ତମାନର ଏନ୍‌ଡିଏ ସରକାରଙ୍କ ଅମଳରେ ଏହା ୩୬ ପ୍ରତିଶତ ରହିଛି। ୟୁପିଏ ସରକାରଙ୍କ ଅମଳରେ କୃଷି କ୍ଷେତ୍ରରେ ନିଯୁକ୍ତି ୧୬ ପ୍ରତିଶତ ହ୍ରାସ ଘଟିଥିଲା। କିନ୍ତୁ ୨୦୧୪ରୁ ୨୦୨୩ ମଧ୍ୟରେ ଏଥିରେ ୧୯ ପ୍ରତିଶତ ବୃଦ୍ଧି ଘଟିଛି। ବିନିର୍ମାଣ କ୍ଷେତ୍ରରେ ନିଯୁକ୍ତି ୟୁପିଏ ସରକାରଙ୍କ ଅମଳରେ ମାତ୍ର ୬ ପ୍ରତିଶତ ବଢ଼ିଥିଲା। ଏନ୍‌ଡିଏ ସରକାରଙ୍କ ଅମଳରେ ଏହା ୧୫ ପ୍ରତିଶତ ବୃଦ୍ଧି ଘଟିଛି। ଅର୍ଥନୀତିକୁ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖୁଥିବା ସେବା କ୍ଷେତ୍ର ସଂପର୍କରେ ମନ୍ତ୍ରୀ କହିଛନ୍ତି ଯେ ୨୦୦୪ରୁ ୨୦୧୪ ମଧ୍ୟରେ ଏ କ୍ଷେତ୍ରରେ ନିଯୁକ୍ତି ୨୫ ପ୍ରତିଶତ ଅଭିବୃଦ୍ଧି ଘଟିଥିଲା। କିନ୍ତୁ ୨୦୧୪ରୁ ୨୦୨୩ ମଧ୍ୟରେ ଏକ୍ଷେତ୍ରର ନିଯୁକ୍ତିରେ ୩୬ ପ୍ରତିଶତ ବୃଦ୍ଧି ଘଟିଛି।

ଦେଶରେ ବେକାରି ହାର ୨୦୧୭-୧୮ରେ ୬ ପ୍ରତିଶତ ରହିଥିଲା। ୨୦୨୩-୨୪ରେ ଏହା ୩.୨ ପ୍ରତିଶତକୁ ଖସିଆସିଛି। ସ୍ନାତକମାନଙ୍କ ନିୟୋଜନୀୟତାରେ ଉଲ୍ଲେଖନୀୟ ଉନ୍ନତି ଆସିଛି। ୨୦୧୩ରେ ଏହା ୩୩.୯୫ ପ୍ରତିଶତ ଥିଲା ଏବଂ ୨୦୨୪ରେ ଏହା ୫୪.୮୧ ପ୍ରତିଶତରେ ପହଞ୍ଚିଛି। ଯୁବବର୍ଗ କ୍ଷେତ୍ରରେ ମଧ୍ୟ ନିଯୁକ୍ତିରେ ଯଥେଷ୍ଟ ଉନ୍ନତି ଆସିଛି। ୨୦୧୭-୧୮ରେ ଏହି ହାର ୩୧.୪ ପ୍ରତିଶତ ରହିଥିଲା। ୨୦୨୩-୨୪ରେ ଏହା ୪୧.୭ ପ୍ରତିଶତକୁ ବୃଦ୍ଧି ଘଟିଛି। ଏଥିସହିତ ୨୦୧୭ ସେପ୍ଟେମ୍ବରରୁ ୨୦୨୪ ସେପ୍ଟେମ୍ବର ମଧ୍ୟରେ ଆନୁଷ୍ଠାନିକ ନିଯୁକ୍ତି କ୍ଷେତ୍ରରେ ୧୮ରୁ ୨୮ ବର୍ଷ ବୟସ ବର୍ଗର ୪.୭ କୋଟିରୁ ଅଧିକ ବ୍ୟକ୍ତି ସାମିଲ ହୋଇଛନ୍ତି ବୋଲି ଇପିଏଫ୍‌ଓ ତଥ୍ୟରୁ ଜଣାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୦୪ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଦେଶରେ ୟୁପିଏ ସରକାରର ପ୍ରଧାନମନ୍ତ୍ରୀ ଡ ମ‌ନମୋହନ ସିଂହ ରହିଥିଲେ। ତାହା ପରଠାରୁ ଏନ୍‌ଡିଏ ସରକାରଙ୍କ ଅମଳରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ରହିଛନ୍ତି।

 

 

 

 

 

ସୌଜନ୍ୟ- ସମ୍ୱାଦ

 

Comments are closed.