Breaking News

ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ଇନ୍ଦ୍ରଜିତର ଆସ୍ଫାଳନ ଓ ନାଗପାଶ

ଯୁଦ୍ଧରେ କ୍ଷତାକ୍ତ ଇନ୍ଦ୍ରଜିତର ଉପଚାର କରିବା ସମୟରେ ରୋଦନରତା ମନ୍ଦୋଦରୀ ପୁତ୍ରକୁ ଯୁଦ୍ଧରୁ କ୍ଷାନ୍ତ ହେବାପାଇଁ ଉପଦେଶ ଦେଇ କହିଲେ, ରାମ ସ୍ବୟଂ ନାରାୟଣ ଶ୍ରୀବିଷ୍ଣୁ। ସେ ମୋକ୍ଷଦାତା। ତାଙ୍କ ସହିତ ବୈରଭାବ ରଖିଲେ କାହାର ମଙ୍ଗଳ ହୁଏ ନାହିଁ।

ଯୁଦ୍ଧରେ କ୍ଷତାକ୍ତ ଇନ୍ଦ୍ରଜିତର ଉପଚାର କରିବା ସମୟରେ ରୋଦନରତା ମନ୍ଦୋଦରୀ ପୁତ୍ରକୁ ଯୁଦ୍ଧରୁ କ୍ଷାନ୍ତ ହେବାପାଇଁ ଉପଦେଶ ଦେଇ କହିଲେ, ରାମ ସ୍ବୟଂ ନାରାୟଣ ଶ୍ରୀବିଷ୍ଣୁ। ସେ ମୋକ୍ଷଦାତା। ତାଙ୍କ ସହିତ ବୈରଭାବ ରଖିଲେ କାହାର ମଙ୍ଗଳ ହୁଏ ନାହିଁ। ଇନ୍ଦ୍ରଜିତ ଥିଲା ଅତ୍ୟନ୍ତ ପିତୃଭକ୍ତ। ରାବଣର ପ୍ରତିରୂପ। ମାତାଙ୍କ କଥାର ଉତ୍ତରରେ ସେ କହିଲା- ପିତାଙ୍କ କାର୍ଯ୍ୟ ସିଦ୍ଧ କରି ମୁଁ ପଛେ ନର୍କକୁ ଯିବି, ରାମଙ୍କୁ ପୂଜି ମୋକ୍ଷ ମୋର ଆବଶ୍ୟକ ନାହିଁ। କିଛି ସମୟ ବିଶ୍ରାମ ପରେ ସେ ଯେତେବେଳେ ଦେଖିଲା ପିତା ବାରମ୍ବାର ଶ୍ରୀରାମଙ୍କଠାରୁ ପରାଜିତ ହେଉଛନ୍ତି, ସେ ଆଉ ଧୈର୍ଯ୍ୟଧରି ରହିପାରିଲା ନାହିଁ। ପିତାଙ୍କ ମନରେ ଆଶାର ସଂଚାର କରିବାପାଇଁ କହିଲା, ପିତା! ଇନ୍ଦ୍ରଜିତ ଜୀବିତ ଥାଉଥାଉ ଆପଣଙ୍କର ଶୋକାଭିଭୂତ ହେବା ଆଦୌ ଉଚିତ ନୁହେଁ। ଆଜି ସମସ୍ତ ସଂସାର ଇନ୍ଦ୍ରଜିତ୍‌ର ବିକ୍ରମ ଦେଖିବ। ଇନ୍ଦ୍ରଜିତର ପୌରୁଷ ଓ ପ୍ରତିଜ୍ଞା ଆପଣ ବି ଦେଖିବେ। ଆଜି ମୋର ପରମ ସିଦ୍ଧ ବାଣରେ ରାମ-ଲକ୍ଷ୍ମଣ ପଞ୍ଚତ୍ବପ୍ରାପ୍ତ ହେବେ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ସମଗ୍ର ପୃଥିବୀରେ ଇନ୍ଦ୍ରଜିତ ଏକମାତ୍ର ଯୋଦ୍ଧା ଥିଲା ଯିଏ ଏକାଧାରରେ ବ୍ରହ୍ମାସ୍ତ୍ର, ବୈଷ୍ଣବାସ୍ତ୍ର ଓ ପାଶୁପାତ ଅସ୍ତ୍ର ପ୍ରୟୋଗର ଜ୍ଞାନ ରଖିଥିଲା। ପିତାର ଆଶୀର୍ବାଦ ସହିତ ଇନ୍ଦ୍ରଜିତ ପୁନର୍ବାର ଯୁଦ୍ଧଯାତ୍ରା ଆରମ୍ଭ କଲା। ନିଜର ଅନୁଗାମୀ ରାକ୍ଷସମାନଙ୍କୁ ନିଜ ରଥର ଚତୁର୍ଦ୍ଦିଗରେ ଅବସ୍ଥାପିତ କରି ଲଙ୍କାର ପଶ୍ଚିମ ଦିଗରେ ଥିବା ନିକୁମ୍ଭୀଲା ଦେବୀଙ୍କ ମନ୍ଦିରକୁ ସେ ଗମନ କଲା। ସେଠାରେ ସେ ଅଗ୍ନି ପ୍ରଜ୍ବଳିତ କରି ଯଜ୍ଞ ଆରମ୍ଭ କଲା। ସେହି ଅଗ୍ନିର ଶତ ଶତ ନାଗମାନଙ୍କୁ ଶର କରି ବାନରସେନାମାନଙ୍କ ଉପରକୁ ନିକ୍ଷେପ କରିବାକୁ ଲାଗିଲା। ଅସଂଖ୍ୟ ଶର-ସର୍ପାଘାତରେ ବାନରମାନେ ବ୍ୟାକୁଳ ହୋଇ ଉଠିଲେ। ମେଘନାଦର ଶରାଘାତରେ ବୀର ହନୁମାନ ସହିତ ଅଙ୍ଗଦ, ନଳ, ନୀଳ ଆଦି ସମସ୍ତ ବାନରମାନଙ୍କ ଶରୀରକୁ ଛିନ୍ନ ଭିନ୍ନ କରିବାକୁ ଆରମ୍ଭ କରିଦେଲା। ସେ ଯେଉଁ ବାଣ ଛାଡ଼ୁଥାଏ ତାହା ସର୍ପ ହୋଇ ସେମାନଙ୍କ ଦେହରେ ଲାଗୁଥାଏ। ଏହିପରି ଭାବରେ‌ ମେଘନାଦ ଭୀଷଣ ଗର୍ଜନ କରି ସୁଗ୍ରୀବ, ବିଭୀଷଣ, କେଶ୍ରୀ ଆଦିଙ୍କ ଶରୀରକୁ କ୍ଷତାକ୍ତ କରି ପରିଶେଷରେ ବିଶାଳ କାଳୀୟ ଓ କାଳକେୟ ସର୍ପଙ୍କୁ ପ୍ରେରଣ କରି ରାମ ଓ ଲକ୍ଷ୍ମଣଙ୍କୁ ନାଗପାଶ ବନ୍ଧନରେ ବାନ୍ଧି ପକାଇଲା। ଅନେକ ଦୁର୍ବଚନ କହି ଆସ୍ଫାଳନ କରିବାକୁ ଲାଗିଲା।

ସର୍ପବନ୍ଧନରେ ମୂର୍ଚ୍ଛିତ ହୋଇ ରାମଲକ୍ଷ୍ମଣଙ୍କୁ ଭୂମିରେ ପଡ଼ିବା ଦେଖି ବୃଦ୍ଧ ଜାମ୍ବବାନ ସହ୍ୟ କରି ନପାରି ସମ୍ମୁଖକୁ ଆସି ମେଘନାଦକୁ ଯୁଦ୍ଧ ନିମିତ୍ତ ଆହ୍ବାନ କଲେ। ବୃଦ୍ଧ ଜାମ୍ବବାନ ଯୁଦ୍ଧପାଇଁ ଆହ୍ବାନ କରୁଥିବାର ଦେଖି ଅଟ୍ଟହାସ୍ୟ କରି କ୍ରୋଧରେ ମେଘନାଦ କହିବାକୁ ଲାଗିଲା- ‘ଆରେ ମୂର୍ଖ, ତୋତେ ବୃଦ୍ଧ ବୋଲି ମୁଁ ଛାଡ଼ିଦେଇଥିଲି; ତୁ ମତେ ଆହ୍ବାନ କରୁଛୁ? ଏହା କହି ସେ ଏକ ମନ୍ତ୍ରସିଦ୍ଧ ତ୍ରିଶୂଳ ଧାରଣ କରି ଜାମ୍ବବାନଙ୍କ ଉପରକୁ ଫିଙ୍ଗିଲା। ଜାମ୍ବବାନ ସେହି ତ୍ରିଶୂଳକୁ ହାତରେ ଧରି ମେଘନାଦର ଛାତିକୁ ଲକ୍ଷ୍ୟ କରି ମାରିଦେଲେ। ଇନ୍ଦ୍ରଜିତ ମେଘନାଦର ତ୍ରିଶୂଳ ଆଘାତରେ ଚକ୍‌କର ଖାଇ ଭୂମି ଉପରେ ଖସି ପଡ଼ିଲା। ଜାମ୍ବବାନ ପୁଣି କ୍ରୋଧାନ୍ବିତ ହୋଇ ମେଘନାଦର ପାଦ ଧରି ତାକୁ ବୁଲାଇ ବୁଲାଇ ଭୂମିରେ କଚାଡ଼ି ପୁନର୍ବାର ଲଙ୍କା ଦୁର୍ଗ ଉପରକୁ ଫିଙ୍ଗିଦେଲେ। କିଛି ସମୟ ପରେ ମେଘନାଦର ମୂର୍ଚ୍ଛା ଭାଙ୍ଗିଲା ଏବଂ ନିଜ ଆସ୍ଫାଳନ ନିମିତ୍ତ ଲଜ୍ଜିତ ହୋଇ ଅଜୟ ରଥ ପ୍ରାପ୍ତି ନିମିତ୍ତ ମନସ୍ଥିର କରି ଯଜ୍ଞ କରିବାକୁ ନିକୁମ୍ଭୀଲା ଗମନ କଲା।
-ଡକ୍ଟର ତୁଳସୀ ଓଝା

ସୌଜନ୍ୟ-ସମ୍ୱାଦ

Comments are closed.