Breaking News

ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ତ୍ରିଜଟା

ବାଲ୍ମୀକି କୃତ ‘ରାମାୟଣ’ରେ ଅନେକ ରାକ୍ଷସ ଓ ରାକ୍ଷସୀଙ୍କ ସଂପର୍କରେ ବର୍ଣ୍ଣନା ରହିଛି। ସେମାନଙ୍କର ଔଦ୍ଧତ୍ୟ, କୁକର୍ମ, ହିଂସ୍ରତା ସହିତ, ସେମାନଙ୍କର ଶାପ ଓ ଶାପମୁକ୍ତି ତଥା ପୂର୍ବଜନ୍ମ ଓ ପରଜନ୍ମ ସଂପର୍କରେ ଅନେକ ଉଲ୍ଲେଖ ସେଥିରେ ଦେଖାଯାଏ।

ବାଲ୍ମୀକି କୃତ ‘ରାମାୟଣ’ରେ ଅନେକ ରାକ୍ଷସ ଓ ରାକ୍ଷସୀଙ୍କ ସଂପର୍କରେ ବର୍ଣ୍ଣନା ରହିଛି। ସେମାନଙ୍କର ଔଦ୍ଧତ୍ୟ, କୁକର୍ମ, ହିଂସ୍ରତା ସହିତ, ସେମାନଙ୍କର ଶାପ ଓ ଶାପମୁକ୍ତି ତଥା ପୂର୍ବଜନ୍ମ ଓ ପରଜନ୍ମ ସଂପର୍କରେ ଅନେକ ଉଲ୍ଲେଖ ସେଥିରେ ଦେଖାଯାଏ। ସେମାନଙ୍କ ମଧ୍ୟରେ କିନ୍ତୁ ତିନିଜଣ ଅତ୍ୟନ୍ତ ପୁଣ୍ୟବତୀ ନାରୀ (ରାକ୍ଷସୀ) ଥିଲେ; ଯେଉଁମାନଙ୍କର ନାମ ଆଜିମଧ୍ୟ ଅତ୍ୟନ୍ତ ଶ୍ରଦ୍ଧା ସହିତ ଉଚ୍ଚାରଣ କରାଯାଏ। ସେମାନେ ହେଲେ- ରାବଣପତ୍ନୀ ମନ୍ଦୋଦରୀ, ବିଭୀଷଣପତ୍ନୀ ସରମା ଓ ସରମାକନ୍ୟା ତ୍ରିଜଟା।

ମନ୍ଦୋଦରୀ ଥିଲେ ଅପସରା ହେମାଙ୍କର କନ୍ୟା ଏବଂ ସରମା ଥିଲେ ଗନ୍ଧର୍ବରାଜ ଶୈଳେଷୁଙ୍କର କନ୍ୟା। ଅଥଚ ତ୍ରିଜଟା ଥିଲେ ସଂପୂର୍ଣ୍ଣ ରାକ୍ଷସ କନ୍ୟା। ଯଦିଓ ମୂଳ ‘ରାମାୟଣ’ରେ ତ୍ରିଜଟା ସଂପର୍କରେ ସେପରି କୌଣସି ସୂଚନା ନାହିଁ, କେତେକ ଦେଶଜ ରାମାୟଣ ତା’ର ଗୁଣ ଓ କର୍ମ ଦେଖି ତାକୁ ବିଭୀଷଣ ଓ ସରମାଙ୍କ କନ୍ୟା ଭାବରେ ଉପସ୍ଥାପନ କରିଛନ୍ତି। ରାକ୍ଷସ କୁଳରେ ଜନ୍ମ ହୋଇ ମଧ୍ୟ ତ୍ରିଜଟା ଅତ୍ୟନ୍ତ ସଦ୍‌ଗୁଣସଂପନ୍ନା ହୋଇଥିବାରୁ, ତାଙ୍କୁ ପୁଣ୍ୟାତ୍ମା ବିଭୀଷଣଙ୍କର ପୁତ୍ରୀ ଭାବରେ ଉପସ୍ଥାପିତ କରାଯାଇଛି। ରାବଣ ସୀତାଙ୍କୁ ଅପହରଣ କରି ନେଇ ଯେତେବେଳେ ଅଶୋକ ବାଟିକାରେ ରଖିଲା, ସେତେବେଳେ ଅନେକ ଭୟଙ୍କର ରାକ୍ଷସୀଙ୍କ ସହିତ ତ୍ରିଜଟା ନାମ୍ନୀ ସେହି ରାକ୍ଷସୀକୁ ସୀତାଙ୍କ ରକ୍ଷଣାବେକ୍ଷଣ ନିମିତ୍ତ ନିଯୁକ୍ତ କରିଥିଲା। ସେଠାରେ ଯେଉଁ ରାକ୍ଷସୀମାନେ ନିଯୁକ୍ତ ହୋଇଥିଲେ ସେମାନଙ୍କର ପ୍ରଧାନ କାର୍ଯ୍ୟ ଥିଲା ସୀତାଙ୍କୁ ଭୟଭୀତ କରାଇ, ସେ କିପରି ରାବଣକୁ ସ୍ବୀକାର କରିବେ ତାହା ଦେଖିବା। କିନ୍ତୁ ତ୍ରିଜଟା ଥିଲା ସଂପୂର୍ଣ୍ଣ ଭିନ୍ନ। ଅନେକ ସମୟରେ ସୀତାଙ୍କୁ ଅପଶବ୍ଦ କହି ଅପମାନିତ କରୁଥିବା ରାକ୍ଷସୀମାନଙ୍କୁ ସେ କଠୋର ଶବ୍ଦ କହି ପ୍ରତିରୋଧ କରୁଥିଲା। ସୀତାଙ୍କର କମନୀୟ ବ୍ୟକ୍ତିତ୍ବ ଦେଖି ସେ ଏତେ ମୁଗ୍ଧ ହୋଇଯାଇଥିଲା ଯେ ସେ ସୀତାଙ୍କୁ ନିଜର କନ୍ୟା ସଦୃଶ ସ୍ନେହ କରିବାକୁ ଲାଗିଲା। ନିଜର ବୁଦ୍ଧିମତ୍ତା ବଳରେ ରାମ ଯେ ସାଧାରଣ ମନୁଷ୍ୟ ନୁହଁନ୍ତି, ଏହା ହୃଦୟଙ୍ଗମ କରି ସୀତାଙ୍କ ବ୍ୟାକୁଳତା ଦୂର କରିବା ପାଇଁ ସେ ସର୍ବଦା ପ୍ରଚେଷ୍ଟାରତ ରହିଥିଲା। ଲଙ୍କାଦହନ, ସେତୁବନ୍ଧ ନିର୍ମାଣ, ରାମଲକ୍ଷ୍ମଣଙ୍କର ନାଗପାଶ ବନ୍ଧନ ଓ ମୁକ୍ତି ଆଦି ସମସ୍ତ ସୂଚନା ସେ ସୀତାଙ୍କୁ ଦେଉଥିଲା। ଏପରିକି ଯେତେବେଳେ ଇନ୍ଦ୍ରଜିତର ନାଗପାଶ ବନ୍ଧନରେ ବନ୍ଦୀ ହୋଇ ରାମଲକ୍ଷଣ ମୃତବତ୍‌ ଭୂମିରେ ଶୟନ କରିଥିଲେ, ରାବଣ ଆନନ୍ଦିତ ହୋଇ ସୀତାଙ୍କୁ ସେ ଦୃଶ୍ୟ ଦେଖାଇବାପାଇଁ ରାକ୍ଷସୀମାନଙ୍କ ଗହଣରେ ସୀତାଙ୍କୁ ପୁଷ୍ପକବିମାନରେ ପଠାଇଲା। ରାମଲକ୍ଷ୍ମଣଙ୍କୁ ମୃତ ଭାବି ସେତେବେଳେ ସୀତା ରୋଦନ କରିଥିଲେ। ବୁଦ୍ଧିମତୀ ତ୍ରିଜଟା କିନ୍ତୁ ସୀତାଙ୍କୁ ମୃତବ୍ୟକ୍ତିର ଲକ୍ଷଣ ଓ ଜୀବିତ ବ୍ୟକ୍ତିର ଲକ୍ଷଣ ସଂପର୍କରେ କେ‌େତକ ତଥ୍ୟଗତ ପ୍ରମାଣ ଦେଇ ରାମ‌ ଯେ ମୃତ ନୁହନ୍ତି; ତାହା ଜଣାଇ ଥିଲା। ତାହା ଫଳରେ ସୀତାଙ୍କର ସନ୍ତାପ ଦୂର ହୋଇଥିଲା।

ପରିଶେଷରେ ରାବଣକୁ ପରାଜିତ କରି ରାମ ଯେତେବେଳେ ସୀତାଙ୍କୁ ଅଶୋକ ବାଟିକାରୁ ଅଣାଇଲେ, ତ୍ରିଜଟା ସୀତାଙ୍କ ସହିତ ଯିବାପାଇଁ ଆଗ୍ରହ ପ୍ରକାଶ କରିଥିଲା। ସେତେବେଳେ ମାତା ସୀତା ତାକୁ ଆଶୀର୍ବାଦ କରି କହିଥିଲେ- ତୁମର ଅଚଳାଚଳ ରାମଭକ୍ତି ନିମିତ୍ତ ତୁମେ କାଶୀରେ ଗୋଟିଏଦିନ ପାଇଁ ଦେବୀ ରୂପରେ ପୂଜା ପାଇବ। ଯିଏ ତୁମକୁ ଭକ୍ତିର ସହିତ ଏହି ପୂଜା କରିବ, ତୁମେ ତାକୁ ସମସ୍ତ ସଂକଟରୁ ରକ୍ଷା କରିବ; ଯେପରି ଏଠାରେ ମୋତେ ସମସ୍ତ ସଂକଟରୁ ତୁମେ ରକ୍ଷା କରୁଥିଲ। ସଂପ୍ରତି କାଶୀ ବିଶ୍ବନାଥ ଗଳିରେ ସାକ୍ଷୀବିନାୟକ ମନ୍ଦିର ପରିସରରେ ତ୍ରିଜଟାଙ୍କର ଏକ ମନ୍ଦିର ରହିଛି। ସେଠାରେ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ମାର୍ଗଶିର କୃଷ୍ଣ ପ୍ରତିପଦା ତିଥିରେ, ବର୍ଷରେ ଥରେ ତ୍ରିଜଟାଙ୍କୁ ପୂଜା କରାଯାଏ। ଏହି ପୂଜାରେ ମୂଳା ଓ ବାଇଗଣ ଭୋଗ ଲଗାଯାଏ। ମାନ୍ୟତା ଅନୁସାରେ, ପୂରା କାର୍ତ୍ତିକ ମାସର ଗଙ୍ଗାସ୍ନାନ ପରେ ତ୍ରିଜଟାଙ୍କୁ ପୂଜା କଲେ ସମସ୍ତ ମନୋକାମନା ପୂର୍ଣ୍ଣ ହୁଏ।
-ଡକ୍ଟର ତୁଳସୀ ଓଝା

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.