Breaking News

ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ଭରତ-ହନୁମାନ-ମିଳନ

ହନୁମାନ ହିମାଳୟରେ ପହଞ୍ଚି ବିଭିନ୍ନ ପର୍ବତ ଶିଖରରେ ଅନୁସଂଧାନ କରି ସୁଷେଣ କହିଥିବା ଅନୁସାରେ ଚାରି ବନସ୍ପତି- ମୃତ ସଂଜୀବନୀ, ବିଶଲ୍ୟକରଣୀ, ସଂଧାନକରଣୀ ଓ ସୁବର୍ଣ୍ଣକରଣୀକୁ ଖୋଜିବାରେ ଲାଗିଲେ।

ହନୁମାନ ହିମାଳୟରେ ପହଞ୍ଚି ବିଭିନ୍ନ ପର୍ବତ ଶିଖରରେ ଅନୁସଂଧାନ କରି ସୁଷେଣ କହିଥିବା ଅନୁସାରେ ଚାରି ବନସ୍ପତି- ମୃତ ସଂଜୀବନୀ, ବିଶଲ୍ୟକରଣୀ, ସଂଧାନକରଣୀ ଓ ସୁବର୍ଣ୍ଣକରଣୀକୁ ଖୋଜିବାରେ ଲାଗିଲେ। କୌଣସି ପର୍ବତରେ ଏହା ନ ପାଇ ଶେଷରେ ଦ୍ରୋଣଗିରିରେ ପହଞ୍ଚିଲେ। ବୈଦ୍ୟ ସୁଷେଣ ସମସ୍ତ ବୁଟିର ରଂଗ ଓ ରୂପ ସଂପର୍କରେ ସମସ୍ତ ସୂଚନା ଦେଇଥିଲେ ମଧ୍ୟ, ଦ୍ରୋଣଗିରିର ସମସ୍ତ ବନସ୍ପତି ଏତେ ଦିବ୍ୟ ଆଭା ପ୍ରକଟ କରୁଥିଲେ ଯେ ହନୁମାନ ସେ ମଧ୍ୟରୁ କେବଳ ସଂଜୀବନୀକୁ ଚିହ୍ନିବାକୁ ଅସମର୍ଥ ହେଲେ। ଫଳରେ ସମଗ୍ର ପର୍ବତକୁ ଉଠାଇ ସେ ଆକାଶମାର୍ଗରେ ଉଡ଼ିଚାଲିଲେ।

ଅଯୋଧ୍ୟା ଉପର ଦେଇ ଉଡ଼ିଗଲା ବେଳେ, ନନ୍ଦୀଗ୍ରାମରେ ବାସ କରୁଥିବା ଭରତ ଆକାଶରେ ଏପରି ଏକ ବିଶାଳ  ରୂପ ଗତି କରୁଥିବାର ଦେଖି ମନେ ମନେ ଭାବିଲେ, ଏ ହୁଏତ କୌଣସି ରାକ୍ଷସର ମାୟା। ମାୟା ରାକ୍ଷସ ଅଯୋଧ୍ୟା ଆକ୍ରମଣ କରିବାକୁ ଆସିଛି ଭାବି ସେ ଧନୁରେ ଶର ସଂଧାନ କରି ସେହି ବିଶାଳ କାୟାକୁ ଲକ୍ଷ୍ୟ କରି ନିକ୍ଷେପ କଲେ। ଶରାଘାତରେ ହନୁମାନ ‘ହେ ରାମ’, ‘ହେ ରାମ’ କହି, ମୂର୍ଚ୍ଛିତ ହୋଇ ଭୂମି ଉପରେ ଲୋଟି ପଡ଼ିଲେ। ରାମ ନାମ ଶୁଣିବାରୁ ଭରତ ଆତୁର ହୋଇ ହନୁମାନଙ୍କୁ କୁଣ୍ଢାଇ ଧରି ତାଙ୍କୁ ଉଠାଇବାକୁ ଚେଷ୍ଟା କଲେ। ହନୁମାନଙ୍କ ସହିତ ତାଙ୍କର କୌଣସି ପରିଚୟ ନ ଥିଲା। କିନ୍ତୁ ସେ ଜାଣିଗଲେ ରାମନାମ କହି ମୂର୍ଚ୍ଛିତ ହୋଇଥିବା ତଥା ଅସାମାନ୍ୟ ପର୍ବତ ଧାରଣ କରି ଆକାଶରେ ଗତି କରୁଥିବା ଏହି ବାନର ଆଦୌ ସାଧାରଣ ନୁହେଁ। ତେଣୁ ପ୍ରାଣପଣେ ହନୁମାନଙ୍କର ମୂର୍ଚ୍ଛାଭଙ୍ଗ କରିବାର ଚେଷ୍ଟାରେ ସେ ଲାଗିଲେ। ହନୁମାନଙ୍କର ମୂର୍ଚ୍ଛାଭଙ୍ଗ ନ ହେବାରୁ ସେ ଅତ୍ୟନ୍ତ ବ୍ୟାକୁଳ ହୋଇ କାନ୍ଦିବାକୁ ଲାଗିଲେ। ସେ କହୁଥିଲେ-ସର୍ବଦା ମୁଁ ଶ୍ରୀରାମଙ୍କ ପାଖରେ ଦୋଷୀ ହେଲି।

ମୁଁ ଯଦି କାୟ ମନ ବାକ୍ୟରେ ଶ୍ରୀରାମଙ୍କ ଚରଣ କମଳରେ ଭକ୍ତି, ଶ୍ରଦ୍ଧା ଓ ନିଷ୍ଠା ରଖିଥାଏ, ଏ ବାନର ତୁରନ୍ତ ପୀଡ଼ାମୁକ୍ତ ହୋଇ ଚେତନା ଫେରିପାଉ। ସେ ଏହିପରି ବାରମ୍ବାର କହିବାରୁ ହନୁମାନ ‘ଜୟ ଶ୍ରୀରାମ’ କହି ଉଠି ବସିଲେ।  ଭରତ ତାଙ୍କୁ ରାମ, ଲକ୍ଷ୍ମଣ ଓ ସୀତାଙ୍କର କୁଶଳ ଜିଜ୍ଞାସା କଲେ। ହନୁମାନ ସଂକ୍ଷେପରେ ପଞ୍ଚବଟୀରୁ ଲଙ୍କାଯାତ୍ରାରେ ଯାହା ସବୁ ଘଟିଛି କହି, ଦ୍ରୋଣଗିରିକୁ ହାତରେ ଧରି ବାହାରିବାକୁ ଉଦ୍ୟତ ହେଲେ। ଭରତ ସବୁ ଶୁଣି ଦୁଃଖରେ ଅଭିଭୂତ ହୋଇ ନିଜକୁ ଧିକ୍‌କାର କରି କହିଲେ, ମୁଁ ପ୍ରଭୁଙ୍କର କୌଣସି କାର୍ଯ୍ୟରେ ଲାଗିଲି ନାହିଁ ଅଥଚ ପ୍ରଭୁଙ୍କ କାର୍ଯ୍ୟରେ ବାଧା ସୃଷ୍ଟିକଲି। ସେ ହନୁମାନଙ୍କୁ ଅନୁରୋଧ କଲେ, ରାତ୍ରର ଚତୁର୍ଥ ପ୍ରହର ଉପଗତ। ତେଣୁ ଆପଣ ମୋ ଶର ଉପରେ ଆରୋହଣ କରନ୍ତୁ। ମୁଁ ଆପଣଙ୍କୁ ମୁହୂର୍ତ୍ତକ ମଧ୍ୟରେ ଲଙ୍କାରେ ପହଞ୍ଚାଇ ଦେବି। ଏହା ମୋ ଶରର ଶକ୍ତି ନୁହେଁ; ପ୍ରଭୁଙ୍କର ନାମର ଶକ୍ତି। କିନ୍ତୁ ହନୁମାନ ଭରତଙ୍କ ଆଗ୍ରହକୁ ଅସ୍ବୀକାର କରି, ‘ଜୟ ଶ୍ରୀରାମ’ କହି ଭରତଙ୍କଠାରୁ ବିଦାୟ ନେଇ ଉଡ଼ି ଚାଲିଲେ। ମନେ ମନେ ଭରତଙ୍କ ବାହୁବଳ, ଶୀଳ, ଗୁଣ ଓ ପ୍ରଭୁଙ୍କ ପ୍ରତି ପ୍ରେମକୁ ପ୍ରଶଂସା କରି କରି ସେ ଆସି ଲକ୍ଷ୍ମଣ ମୂର୍ଚ୍ଛା ଯାଇଥିବା ସ୍ଥାନରେ ପହଞ୍ଚିଗଲେ। ଯେଉଁ ସ୍ଥାନରେ ଭରତଙ୍କ ବାଟୁଳି ଆଘାତରେ ହନୁମାନ ମୂର୍ଚ୍ଛା ଯାଇଥିଲେ, ସେଠାରେ ହନୁମାନଙ୍କର ଏକ ମନ୍ଦିର ଅଛି। ଅଯୋଧ୍ୟାଠାରୁ ପ୍ରାୟ ୧୫-୨୦ ମାଇଲ୍‌ ଦୂରରେ ଥିବା ଭରତଙ୍କ ତପସ୍ୟା କ୍ଷେତ୍ର (ରାଜଧାନୀ) ନିକଟରେ ତାହା ଅବସ୍ଥିତ।
-ଡକ୍ଟର ତୁଳସୀ ଓଝା

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.