ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ରାବଣ ଜନ୍ମ
ଲଙ୍କାରୁ ବିତାଡ଼ିତ ହୋଇଥିଲା ରାକ୍ଷସ ସୁମାଳୀ। ଏକଦା ଗୁପ୍ତରେ ମର୍ତ୍ତ୍ୟ ପରିଭ୍ରମଣରେ ଆସି ଐଶ୍ବର୍ଯ୍ୟ ପରିପୂର୍ଣ୍ଣ ସ୍ବର୍ଣ୍ଣଲଙ୍କାକୁ ଦେଖି ସେ ବିମୋହିତ ହୋଇପଡ଼ିଲା। ସେ ଯେତେବେଳେ ଜାଣିଲା ବିଶ୍ରବା....
ଲଙ୍କାରୁ ବିତାଡ଼ିତ ହୋଇଥିଲା ରାକ୍ଷସ ସୁମାଳୀ। ଏକଦା ଗୁପ୍ତରେ ମର୍ତ୍ତ୍ୟ ପରିଭ୍ରମଣରେ ଆସି ଐଶ୍ବର୍ଯ୍ୟ ପରିପୂର୍ଣ୍ଣ ସ୍ବର୍ଣ୍ଣଲଙ୍କାକୁ ଦେଖି ସେ ବିମୋହିତ ହୋଇପଡ଼ିଲା। ସେ ଯେତେବେଳେ ଜାଣିଲା ବିଶ୍ରବା ମୁନିଙ୍କ ପୁତ୍ର ବୈଶ୍ରବଣକୁବେର ହିଁ ଲଙ୍କାଧିପତି ତା’ ମନରେ ପ୍ରବଳ ଈର୍ଷା ଜାତ ହେଲା। ମନରେ ତାର ଭାବନା ଆସିଲା, ଯଦି କୌଣସିମତେ ବିଶ୍ରବାଙ୍କଠାରୁ ସେ କୁବେର ପରି ଏକ ତେଜସ୍ବୀପୁତ୍ର ଜାତ କରାଇପାରିବ, ତା’ହେଲେ ସେ ପୁନଶ୍ଚ ଲଙ୍କାକୁ ଫେରି ପାଇପାରିବ। ମନେ ମନେ ସେ ଏକ ଯୋଜନା ପ୍ରସ୍ତୁତ କଲା।
ସୁମାଳୀର ନିକଷା ନାମରେ ଏକ ପରମା ସୁନ୍ଦରୀ କନ୍ୟା ଥିଲା। ଯୋଜନା ଅନୁଯାୟୀ ସୁମାଳୀ କନ୍ୟା ନିକଷାକୁ ମହର୍ଷି ବିଶ୍ରବାଙ୍କ ନିକଟକୁ ପଠାଇଲା। ରାକ୍ଷସଜାତିର ପୁନରୁଦ୍ଧାର ନିମିତ୍ତ ନିକଷା ଆସି ବିଶ୍ରବାଙ୍କ ଆଶ୍ରମରେ ପହଞ୍ଚି ତାଙ୍କର ସେବାରେ ଲାଗିଲା। ସଂଧ୍ୟାକାଳ। ବିଶ୍ରବା ଅଗ୍ନିହୋତ୍ରରେ ନିମଗ୍ନ ଥାଆନ୍ତି। ନିକଷାଙ୍କର ମନୋଭାବ ଜାଣି ବିଶ୍ରବା କହିଲେ, ‘‘ଭଦ୍ରେ! ତୁମେ ଯେଉଁ କାରଣ ପାଇଁ ମୋ ନିକଟକୁ ଆସିଛ ତାହା ମୁଁ ଜାଣେ। ତୁମର ମନସ୍କାମନା ମୁଁ ପୂରଣ କରିବି। କିନ୍ତୁ ଏ ଦାରୁଣ ବେଳାରେ ତୁମେ ପୁତ୍ରପ୍ରାର୍ଥିନୀ ହେବାରୁ ତୁମର ପୁତ୍ର କୂରକର୍ମା ରାକ୍ଷସ ହେବ।
ଏଥିରେ ନିକଷା ବିଚଳିତ ହୋଇପଡ଼ିଲା। ମୁନିଙ୍କ ପାଦତଳେ ପଡ଼ି ମିନତି କରିବାରୁ ବିଶ୍ରବା ତାକୁ ସାନ୍ତ୍ବନା ଦେଇ କହିଲେ, ‘‘ତୁମର ଚାରୋଟି ସନ୍ତାନ ହେବେ, ତିନି ପୁତ୍ର ଓ ଏକ କନ୍ୟା। ତିନି ପୁତ୍ର ରାକ୍ଷସ ହେବେ, କେବଳ କନିଷ୍ଠ ପୁତ୍ରଟି ହେବ ଧର୍ମବନ୍ତ। ସେହି କନିଷ୍ଠପୁତ୍ର ଥିଲେ ବିଭୀଷଣ ଏବଂ ଜ୍ୟେଷ୍ଠପୁତ୍ର ରାବଣ।
ବାଲ୍ୟକାଳରୁ ହିଁ ରାବଣ ଥିଲା ଘୋର କ୍ରୂରକର୍ମା ଓ ଦୁର୍ଦ୍ଦାନ୍ତ। ଫଳରେ ମାତା ନିକଷା ସର୍ବଦା ମନସ୍ତାପରେ ରହିଥାନ୍ତି। ଏହି ସମୟରେ ଦିନେ ଧନପତି କୁବେର ପୁଷ୍ପକ ବିମାନରେ ପିତାଙ୍କୁ ଦେଖାକରିବାକୁ ଆସି ପହଞ୍ଚିଲେ। କୁବେରଙ୍କର ତେଜ ଓ ଐଶ୍ବର୍ଯ୍ୟ ଦେଖି ନିକଷା ବିମୋହିତ ହୋଇପଡ଼ିଲା। ତପସ୍ବୀପୁତ୍ର ତପସ୍ୟା କରି ଏସବୁ ପ୍ରାପ୍ତ ହୋଇଛନ୍ତି ଜାଣି ନିକଷା ରାବଣକୁ ଭର୍ତ୍ସନା କରି କହିଲା- ତୁମେ ଦୁଇଜଣ ଗୋଟିଏ ପିତାର ପୁତ୍ର। ଦେଖ୍ ସେ କେତେ ତେଜସ୍ବୀ ଓ କେତେ ଐଶ୍ବର୍ଯ୍ୟର ସ୍ବାମୀ; ଆଉ ତୁ କ’ଣ କରୁଛୁ?’’ ନିକଷାର ଭର୍ତ୍ସନା ଶୁଣି ଓ କୁବେରଙ୍କ ଐଶ୍ବର୍ଯ୍ୟ ଦେଖି ରାବଣ ଏତେ ଈର୍ଷାନ୍ବିତ ହେଲା ଯେ ସେ ମା’ ପାଖରେ ପ୍ରତିଜ୍ଞା କଲା କୁବେରଙ୍କଠାରୁ ଅଧିକ ତେଜସ୍ବୀ ଓ ପରାକ୍ରମୀ ହେବ। ଦୁଇ ଭାଇ ଓ ଭଉଣୀଙ୍କୁ ସଙ୍ଗରେ ନେଇ ସେ େଗାକର୍ଣ୍ଣ ଯାଇ କଠୋର ତପସ୍ୟାରେ ବ୍ରତୀ ହେଲା। ତାର ତପସ୍ୟାରେ ବ୍ରହ୍ମା ସନ୍ତୁଷ୍ଟ ହୋଇ ତାକୁ ଆଶୀର୍ବାଦ କରିବାରୁ, ସୁପର୍ଣ, ନାଗ, ଯକ୍ଷ, ଦୈତ୍ୟ, ଦାନବ, ଦେବତା ଆଦିଙ୍କଦ୍ବାରା ଅବଧ୍ୟ ହେବା ପାଇଁ ରାବଣ ବର ମାଗି ନେଲା। ଏହି ବର ମାଗିବା ବେଳେ ସେ ମନୁଷ୍ୟ ଓ ବାନରମାନଙ୍କୁ ଅନ୍ତର୍ଭୁକ୍ତ କରି ନଥିଲା।
କେବଳ ପରାକ୍ରମୀ ହେବା ଯଥେଷ୍ଟ ନୁହେଁ। ପରାକ୍ରମ ସହିତ ଯେଉଁ ଗୁଣ ରହିଲେ ଜେଣ ଯଥାର୍ଥରେ ବୀର ଭାବରେ ଗଣ୍ୟ ହେବ ତାହା ନା ନିକଷାକୁ ଜଣାଥିଲା ନା ରାବଣକୁ। କୁବେରଙ୍କ ଐଶ୍ବର୍ଯ୍ୟ ଦେଖି ଈର୍ଷାନ୍ବିତ ହୋଇ ନିକଷା ଯେଉଁ କାମନା କରିଥିଲା ତାର ପ୍ରସୂତି ଥିଲା ରାବଣ। ଋଷିପୁତ୍ର ହୋଇ ମଧ୍ୟ ଋଷିସୁଲଭ ଗୁଣରୁ ସେ ବଞ୍ଚିତ ହେଲା। ସେ କେବଳ ଏକ ପରାକ୍ରମୀ ରାକ୍ଷସ ହେଲା।
-ଡକ୍ଟର ତୁଳସୀ ଓଝା
ସୌଜନ୍ୟ-ସମ୍ୱାଦ
Comments are closed.