Breaking News

ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ସର୍ପବନ୍ଧନ ଓ ଗରୁଡ଼ ସଂଶୟ

ଇନ୍ଦ୍ରଜିତର ସର୍ପବନ୍ଧନରେ ପାଶବଦ୍ଧ ହୋଇ ରାମ ଓ ଲକ୍ଷ୍ମଣ ଚେତାଶୂନ୍ୟ ହୋଇ ଭୂଇଁରେ ପଡ଼ିଥିବା ଦେଖି ବାନରମାନଙ୍କ ମଧ୍ୟରେ ହାହାକାର ପଡ଼ିଗଲା। ଏହି ସମୟରେ ଅନେକ ଚିନ୍ତାକରି...

ଇନ୍ଦ୍ରଜିତର ସର୍ପବନ୍ଧନରେ ପାଶବଦ୍ଧ ହୋଇ ରାମ ଓ ଲକ୍ଷ୍ମଣ ଚେତାଶୂନ୍ୟ ହୋଇ ଭୂଇଁରେ ପଡ଼ିଥିବା ଦେଖି ବାନରମାନଙ୍କ ମଧ୍ୟରେ ହାହାକାର ପଡ଼ିଗଲା। ଏହି ସମୟରେ ଅନେକ ଚିନ୍ତାକରି ବିଭୀଷଣ କହିଲେ- କେବଳ ଗରୁଡ଼ ହିଁ ପ୍ରଭୁଙ୍କୁ ଏଥିରୁ ମୁକ୍ତ କରିପାରିବେ। ଏକଥା ଶୁଣି ହନୁମାନ ତୀବ୍ର ଗତିରେ ଯାଇ ରମ୍ୟକ ଦ୍ବୀପରେ ପହଞ୍ଚିଲେ। ପକ୍ଷୀରାଜ ଗରୁଡ଼ ସେଠାରେ ଅଭିମାନରେ ଥାଆନ୍ତି। ସେ ପ୍ରଭୁଙ୍କର ବାହନ; ପଦ ସଦୃଶ। ଅଥଚ ଏତେ ଦିନ ହେଲାଣି ପ୍ରଭୁ ତାଙ୍କୁ ସ୍ମରଣ କରୁ ନାହାନ୍ତି- ଏ କିପରି କଥା! ହଠାତ୍ ହନୁମାନଙ୍କଠାରୁ ସର୍ପବନ୍ଧନ ସମ୍ବାଦ ପାଇ ସେ ତୀବ୍ର ଗତିରେ ଆସି ଲଙ୍କାରେ ପହଞ୍ଚିଗଲେ। ଗରୁଡ଼ଙ୍କୁ ଦେଖି ସର୍ପମାନେ ଭୟରେ ପଳାଇଗଲେ। କାଳୀୟ ଫାଶରୁ ମୁକ୍ତ ହେଲେ ରାମ ଓ ଲକ୍ଷ୍ମଣ। ଗରୁଡ଼ଙ୍କ ସ୍ପର୍ଶରେ ତାଙ୍କ ଶରୀରର ସମସ୍ତ କ୍ଷତ ଅପସୃତ ହୋଇଗଲା। ସମ୍ମୁଖରେ ପକ୍ଷୀରାଜଙ୍କୁ ଦେଖି ଶ୍ରୀରାମ ପଚାରିଲେ- ଆପଣ କିଏ? ଆମକୁ ଏ ମହାସଂକଟରୁ କିପରି ଉଦ୍ଧାର କଲେ?

ଶ୍ରୀରାମଙ୍କର ଏପରି ପ୍ରଶ୍ନରେ ଆଶ୍ଚର୍ଯ୍ୟ ହୋଇ ତାଙ୍କ ମୁଖକୁ ଚାହିଁ ଗରୁଡ଼ ମନେ ମନେ ଚିନ୍ତାକଲେ- ଏ ଯଦି ମୋର ପ୍ରଭୁ ଶ୍ରୀବିଷ୍ଣୁ ଏବଂ ଲକ୍ଷ୍ମଣ ଯଦି  ଜ୍ୟେଷ୍ଠଭ୍ରାତା ଶେଷନାଗ ଅନନ୍ତ, ତେବେ ଏମାନେ ମୋତେ ଚିହ୍ନିପାରୁ ନାହାନ୍ତି କାହିଁକି? ତା’ହେଲେ ଏସବୁ କ’ଣ? ଶେଷଶାୟୀଙ୍କୁ ସାମାନ୍ୟ କଦ୍ରୁପୁତ୍ର କ’ଣ ବାନ୍ଧିବାକୁ ସକ୍ଷମ? ପ୍ରଭୁଙ୍କଠାରୁ ମୁଁ କ’ଣ ଅଧିକ ଶକ୍ତିଶାଳୀ? ସେହିସବୁ ପ୍ରଶ୍ନର ଉତ୍ତର ପାଇବା ପାଇଁ ସେ ନାରଦଙ୍କୁ ଭେଟିଲେ। ନାରଦ କହିଲେ- ତୁମ ପ୍ରଶ୍ନର ଉତ୍ତର ନୀଳପର୍ବତରେ ରହୁଥିବା କାକଭୂଷଣ୍ଡି ଦେଇ ପାରିବେ। ଗରୁଡ଼ ଖଗେନ୍ଦ୍ର, ପକ୍ଷୀରାଜ। ସାମାନ୍ୟ ଏକ କାକଭୂଷଣ୍ଡି ପାଖକୁ ଯିବା ପାଇଁ ମନରେ କୁଣ୍ଠା ହେ‌ଲେ ମଧ୍ୟ ସଂଶୟ ନିରସନ ପାଇଁ ସେ ତାଙ୍କ ପାଖରେ ପହଞ୍ଚିଲେ।

ଗରୁଡ଼ଙ୍କ ପ୍ରଶ୍ନରେ ସାମାନ୍ୟ ହସି କାକଭୂଷଣ୍ଡି କହିଲେ- ଯିଏ ମହାପ୍ରତାପୀ ନାଗରାଜ ଅନନ୍ତଙ୍କ ଉପରେ ଶୟନ କରନ୍ତି; ସ୍ବୟଂ ଅନନ୍ତ ଯିଏ ଲକ୍ଷ୍ମଣ ଭାବରେ ପ୍ରଭୁଙ୍କର ଅନୁଗମନ କରୁଛନ୍ତି; କୋଉ ନାଗ ଏମିତି ଶକ୍ତିଶାଳୀ ଅଛି ଯେ ତାଙ୍କୁ ବନ୍ଧନରେ ବାନ୍ଧିପାରିବ? ଏସବୁ ପ୍ରଭୁଙ୍କର ଲୀଳା। ‌ଜଣେ ଭକ୍ତ ଯିଏ ପ୍ରଭୁଙ୍କର ନାମ ନେଇ ସମୁଦ୍ର ଲଙ୍ଘନ କରିପାରିଛି, ଉତ୍ତରରୁ ଦକ୍ଷିଣ ଯାଏଁ ପର୍ବତ ଉଡ଼ାଇ ଆଣିପାରୁଛି, ସିଏ କ’ଣ ଏତେ ଅସମର୍ଥ ଯେ ସାମାନ୍ୟ ରାକ୍ଷସର ମାୟାବନ୍ଧନରୁ ନିଜକୁ ମୁକ୍ତ କରିପାରିବ ନାହିଁ?

ଆଜି ପ୍ରଭୁ ତୁମକୁ ତାଙ୍କୁ ସର୍ପବନ୍ଧନରୁ ମୁକ୍ତ କରିବାର ଅବସର ପ୍ରଦାନ କରି ଅନେକ ଦିନରୁ ତାଙ୍କ ଅଦର୍ଶନରେ ତୁମେ ଯେଉଁ ପୀଡ଼ା ଭୋଗ କରୁଥିଲ ସେଥିରୁ ମୁକ୍ତ କରିଛନ୍ତି। ସଂସାର ଆଗରେ ତୁମର ବଳବିକ୍ରମ ପ୍ରତିଷ୍ଠା କରିବାର ଅବସର ଦେଇଛନ୍ତି। ଥରେ ଭାବ, ପ୍ରଭୁ ତୁମକୁ କେଡ଼େବଡ଼ କରୁଣା କରିଛନ୍ତି। କାକଭୂଷଣ୍ଡିଙ୍କର ଉତ୍ତର ଶୁଣି ଗରୁଡ଼ଙ୍କର ଚକ୍ଷୁ ଲୋତକାପ୍ଳୁତ ହୋଇଗଲା। ପ୍ରଭୁଙ୍କୁ ପ୍ରଣାମ କରି ଓ କାକଭୂଷଣ୍ଡିଙ୍କଠାରୁ ବିଦାୟ ନେଇ ସେ ରମ୍ୟକ୍‌ ଦ୍ବୀପ ଅଭିମୁଖେ ଚାଲିଗଲେ।
-ଡକ୍ଟର ତୁଳସୀ ଓଝା

 

 

 

 

ସୌଜନ୍ୟ-ସମ୍ୱାଦ

 

 

Comments are closed.