Breaking News

ଶ୍ରୀରାମନଗର ଏଟିଏମ୍‌ ଲୁଟ୍‌ ମାମଲା: ଧରାପଡ଼ିଲା ରାଜୁ-ରୁସ୍ତମ୍‌ ଯୋଡ଼ି, ପୂର୍ବରୁ ଗିରଫ ହୋଇଛି ଭିକି ଗ୍ୟାଙ୍ଗ୍‌

ଲିଙ୍ଗରାଜ ଥାନା ଶ୍ରୀରାମନଗର ଅଞ୍ଚଳରେ ଥିବା ଏସ୍‌ବିଆଇ ଏଟିଏମ୍‌ ଲୁଟ୍‌ ମାମଲାରେ ସମ୍ପୃକ୍ତ ସମସ୍ତ ଲୁଟେରା କମିସନରେଟ୍‌ ପୁଲିସ ପଞ୍ଝାରେ ପଡ଼ିଛନ୍ତି। ପୂର୍ବରୁ ଏହି ମାମଲାରେ ସମ୍ପୃକ୍ତ ଭିକି ଗ୍ୟାଙ୍ଗ୍‌ର ୬ଜଣଙ୍କୁ ପୁଲିସ ଜେଲ୍‌କୁ ପଠାଇସାରିଛି।

ଭୁବନେଶ୍ବର: ଲିଙ୍ଗରାଜ ଥାନା ଶ୍ରୀରାମନଗର ଅଞ୍ଚଳରେ ଥିବା ଏସ୍‌ବିଆଇ ଏଟିଏମ୍‌ ଲୁଟ୍‌ ମାମଲାରେ ସମ୍ପୃକ୍ତ ସମସ୍ତ ଲୁଟେରା କମିସନରେଟ୍‌ ପୁଲିସ ପଞ୍ଝାରେ ପଡ଼ିଛନ୍ତି। ପୂର୍ବରୁ ଏହି ମାମଲାରେ ସମ୍ପୃକ୍ତ ଭିକି ଗ୍ୟାଙ୍ଗ୍‌ର ୬ଜଣଙ୍କୁ ପୁଲିସ ଜେଲ୍‌କୁ ପଠାଇସାରିଛି। ଫେରାର ଥିବା ରାଜୁ-ରୁସ୍ତମ୍‌ ଯୋଡ଼ିଙ୍କୁ ଆଜି ପୁଲିସ ଜେଲ୍‌କୁ ପଠାଇଛି। କୋଲକାତା ଓ ଦିଲ୍ଲୀରୁ ଏହି ଅନ୍ତଃରାଜ୍ୟ ଏଟିଏମ୍‌ ଲୁଟେରା ଯୋଡ଼ିଙ୍କୁ କମିସନରେଟ୍‌ ପୁଲିସ ଧରିବାରେ ସଫଳ ହୋଇଛି। ଏହି ଏଟିଏମ୍‌ ଲୁଟ୍‌ରୁ ସେମାନେ ୧୦ ଲକ୍ଷ ଟଙ୍କା ନେଇଥିଲେ ହେଁ ‌ପୁଲିସ ସେମାନଙ୍କ ନିକଟରୁ ମାତ୍ର ୩୮ ହଜାର ଟଙ୍କା‌ ଜବତ କରିଛି।

ଆଜି ପୁଲିସ କମିସନର୍‌ ଏସ୍‌ ଦେବଦତ୍ତ ସିଂ ପୁଲିସ ସେବାଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଥିଲେ। ଉତ୍ତରପ୍ରଦେଶ ଗାଜିଆବାଦ ଅଞ୍ଚଳର ଏ ରୁସ୍ତମ୍‌(୩୬) ଓ ପଶ୍ଚିମବଙ୍ଗ ୨୪ ପ୍ରଗଣା ଅଞ୍ଚଳର ସେକ୍‌ ମିଜାନୁର୍‌ ରେ‌ହମାନ୍‌ ମୁଲ୍ଲା ଓରଫ ରାଜୁ(୪୫) ଏଟିଏମ୍‌ ତାଡ଼ି ନେବାରେ ବେଶ୍‌ ଧୁରନ୍ଧର। ଦେଶର ବିଭିନ୍ନ ରାଜ୍ୟରେ ଏହି ଯୋଡ଼ିର ଗ୍ୟାଙ୍ଗ୍‌ ରହିଛି। ଉତ୍ତରରେ ଜମ୍ମୁ-କାଶ୍ମୀରରୁ ଦକ୍ଷିଣରେ ଗୋଆ ପର୍ଯ୍ୟନ୍ତ ଏହି ଯୋଡ଼ିଙ୍କ ଚେର ଲମ୍ବିଛି। ରାଜୁର କିଛି ସହଯୋଗୀ ଏବେ ଜମ୍ମୁ-କାଶ୍ମୀରରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ସେହିଭଳି ରୁସ୍ତମ୍‌ର ସହଯୋଗୀ ଗୋଆ ଜେଲ୍‌ରେ ଥିବା ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ଏହି ଯୋଡ଼ି ଭୁବନେଶ୍ବରର ୨ଟି ଏଟିଏମ୍‌ ତାଡ଼ିଥିବା ଜଣାପଡ଼ିଛି। ୨୦୨୨ ମସିହାରେ ଧଉଳି ଥାନା ଇନ୍ଦିରା କଲୋନିସ୍ଥିତ ଏଟିଏମ୍‌ ତାଡ଼ି ନେଇଥିଲେ। ସେଥିରୁ ପାଖାପାଖି ୨୫ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ।

ସେହିଭଳି ୨୦୨୫ ଜାନୁଆରି ୨୪ ରାତିରେ ଲିଙ୍ଗରାଜ ଥାନା ଶ୍ରୀରାମନଗର ଏସ୍‌ବିଆଇ ଏଟିଏମ୍‌ ତାଡ଼ି ନେଇଥିବା ଜଣାପଡ଼ିଛି। ଏବେ ବି ଓଡ଼ିଶାର ଆଉ କିଛି ଏଟିଏମ୍‌ ଲୁଟ୍‌ ମାମଲା ଅସମାହିତ ରହିଛି। ତେଣୁ ସେସବୁ ମାମଲାରେ ରାଜୁ-ରୁସ୍ତମ୍‌ ଗ୍ୟାଙ୍ଗ୍‌ର ହାତ ଥିବା ସନ୍ଦେହ କରାଯାଉଛି। ତେଣୁ ଏମାନଙ୍କୁ ରିମାଣ୍ଡ୍‌ରେ ଆଣି ଅଧିକ ଛାନ୍‌ଭିନ୍‌ କରିବାକୁ ପୁଲିସ ଯୋଜନା କରୁଛି।

ସୂଚନାଯୋଗ୍ୟ ଯେ ଏହି କୁଖ୍ୟାତ ଯୋଡ଼ି ଯେଉଁ ଜେଲ୍‌ରେ ରହନ୍ତି, ସେଠି ଗ୍ୟାଙ୍ଗ୍‌ ଗଢ଼ିଦିଅନ୍ତି। ସ୍ଥାନୀୟ ଦୁର୍ଦାନ୍ତ ଲୁଟେରାଙ୍କୁ ହାତବାରିସି କରି ଏଟିଏମ୍‌ ଲୁଟ୍‌ର ଯୋଜନା କରନ୍ତି। ଧଉଳି ଥାନା ଇନ୍ଦିରା କଲୋନି ଏଟିଏମ୍‌ ଲୁଟ୍‌ ମାମଲାରେ ରାଜୁ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିଲା। ସେତେବେଳେ ଦୁଇ ଦୁଇଟି ହତ୍ୟା ମାମଲାର ଅଭିଯୁକ୍ତ ଲିଙ୍ଗରାଜ ଥାନା କପିଳେଶ୍ବରର ଦେବୀପ୍ରସାଦ ମଲିଆ ଓରଫ ଭିକି ମଧ୍ୟ ଜେଲ୍‌ରେ ଥିଲା। ସେଇଠି ରାଜୁ ଓ ଭିକି ହାତ ମିଳାଇଥିଲେ। ଭୁବନେଶ୍ବରରୁ ପୁଣି ଏକ ଏଟିଏମ୍‌ ତାଡ଼ିବାକୁ ସେମାନେ ଯୋଜନା କରିଥିଲେ। ଜାମିନରେ ବାହାରିବା ପରେ ସେମାନେ ଏକାଠି ହୋଇ ଶ୍ରୀରାମନଗର ଏସ୍‌ବିଆଇ ଏଟିଏମ୍‌କୁ ଟାର୍ଗେଟ୍‌ କରିଥିଲେ ଏବଂ ଜାନୁଆରି ୨୪ ରାତିରେ ସେମାନଙ୍କ ଅପରେସନ୍‌କୁ ସଫଳତାର ସହ କାର୍ଯ୍ୟକାରୀ କରିଥିଲେ। ଧଉଳି ଇନ୍ଦିରା କଲୋନି ଏଟିଏମ୍‌ ଲୁଟ୍‌କୁ ପାଥେୟ କରି ପୁଲିସ ଶ୍ରୀରାମନଗର ଲୁଟ୍‌ରେ ରାଜୁ-ରୁସ୍ତମ୍‌ର ସମ୍ପୃକ୍ତି ପାଇଥିଲା। ସିସିଟିଭି ଫୁଟେଜ୍‌ରୁ ଭିକି ଗ୍ୟାଙ୍ଗ୍‌ର ସମ୍ପୃକ୍ତି ମଧ୍ୟ ପୁଲିସ ପାଇଥିଲା। ଗତ ସପ୍ତାହରେ ପୁଲିସ ଭିକି ସମେତ ତା’ ଗ୍ୟାଙ୍ଗ୍‌ର ରମାକାନ୍ତ ସାହୁ, ସାଗର ସାମଲ, ବିରେନ୍‌ ରାଉତ, ଆକାଶ ମହାପାତ୍ର ଓ ଆକାଶ ମୁଖାର୍ଜୀକୁ ଗିରଫ କରିଥିଲା। ରାଜୁ-ରୁସ୍ତମ୍‌ ଓଡ଼ିଶା ବାହାରେ ଥିବାରୁ ପୁଲିସ ସେମାନଙ୍କୁ ଧରିବାକୁ ଦିଲ୍ଲୀ ଓ କୋଲକାତାରେ ଡେରା ପକାଇଥିଲା। ରୁସ୍ତମ୍‌କୁ ଦିଲ୍ଲୀରୁ ଏବଂ ରାଜୁକୁ କୋଲକାତାରୁ ଗିରଫ କରାଯାଇଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.