ଶ୍ରୀରାମ ନବମୀରେ ଅଘଟଣ : ଚନ୍ଦ୍ରଭାଗା ସମୁଦ୍ରରେ ବୁଡି ଶ୍ରମିକଙ୍କ ମୃତ୍ୟୁ, ପୁରୀରେ ସ୍ନାନ ବେଳେ ଯୁବକ ନିଖୋଜ
ସମୁଦ୍ର ସ୍ନାନ ବେଳେ ଅଘଟଣ । ଚନ୍ଦ୍ରଭାଗା ସମୁଦ୍ରରେ ବୁଡି ଶ୍ରମିକଙ୍କ ମୃତ୍ୟୁ । ପୁରୀ ସମୁଦ୍ରରେ ସ୍ନାନ ବେଳେ ଯୁବକ ନିଖୋଜ । ବାରମ୍ବାର ପୁରୀ ସମୁଦ୍ରରେ ଏଭଳି ଅଘଟଣ ଘଟୁଥିବା ବେଳେ ପ୍ରଶାସନ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ପୁରୀ ୨୭।୩: ପବିତ୍ର ଶ୍ରୀରାମ ନବମୀରେ ସୁମୁଦ୍ରରେ ଅଘଟଣ । ଚନ୍ଦ୍ରଭାଗା ସମୁଦ୍ରରେ ବୁଡି ଶ୍ରମିକଙ୍କ ମୃତ୍ୟୁ । ମୃତକ ଶ୍ରମିକ ଜଣଙ୍କ ଉତ୍ତର ପ୍ରଦେଶ ଫରିଦାବାଦର ୨୨ ବର୍ଷ ବୟସ୍କ ମନୁ କୁମାର । ସ୍ନାନ କରିବା ସମୟରେ ଗଭୀର ସମୁଦ୍ର ଭିତରକୁ ଚାଲି ଯାଇଥିଲେ ମନୁ କୁମାର । ସେ ଦୀର୍ଘ ଦିନ ହେବ ଚନ୍ଦ୍ରଭାଗା ଇକୋ ରିଟ୍ରିଟ୍ରେ ଶ୍ରମିକ ଭାବେ କାମ କରୁଥିଲେ ।
ସ୍ନାନ ବେଳେ ଯୁବକ ନିଖୋଜ
ସେପଟେ ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଜଣେ ଯୁବକ ନିଖୋଜ ହୋଇଛନ୍ତି । ନିଖୋଜ ଯୁବକ ଜଣକ ହେଉଛନ୍ତି ଯାଜପୁର ଅଞ୍ଚଳର ୧୮ ବର୍ଷ ବୟସ୍କ ଶୁଭେନ୍ଦୁ ପ୍ରଧାନ । ପୁରୀ ହୋଟେଲ ସମ୍ମୁଖ ସମୁଦ୍ରରେ ସାଙ୍ଗ ମାନଙ୍କ ସହ ସ୍ନାନ କରୁଥିବା ବେଳେ ସେ ନିଖୋଜ ହୋଇଯାଇଛନ୍ତି । ତେବେ ସେଠାରେ ଉପସ୍ଥିତ ଥିବା ଲାଇଫ୍ ଗାର୍ଡ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ସମୁଦ୍ର ଭିତରକୁ ଯାଇ ଖୋଜାଖୋଜି ଜାରି ରଖିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଶୁଭେନ୍ଦୁଙ୍କ କୌଣସି ପତ୍ତା ମିଳିନାହିଁ ।
ଶୁକ୍ରବାର ସକାଳ ସମୟରେ ଶୁଭେନ୍ଦୁ ତାଙ୍କ ସାଙ୍ଗ ମାନଙ୍କ ସହିତ ପୁରୀ ବୁଲିବାକୁ ଆସି ପୁରୀ ହୋଟେଲ ସମ୍ମୁଖ ସମୁଦ୍ରରେ ସ୍ନାନ କରୁଥିଲେ । ଉଚ୍ଚ ଜୁଆର ମାଡ଼ରେ ଶୁଭେନ୍ଦୁ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ସାଙ୍ଗ ମାନେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ନମିଳିବାରୁ ଲାଇଫ୍ ଗାର୍ଡଙ୍କୁ ଖବର ଦେଇଥିଲେ । ଜେଟ୍ ସ୍କି ଦ୍ୱାରା ଲାଇଫ୍ ଗାର୍ଡ ମାନେ ସମୁଦ୍ରରେ ଖୋଜାଖୋଜି ଜାରି ରଖିଛନ୍ତି ।
ଗୁରୁବାର ମଧ୍ୟ ସମୁଦ୍ର ଗର୍ଭରୁ ବଞ୍ଚିଥିଲା ୪ ଜୀବନ । ସମୁଦ୍ରରେ ସ୍ନାନ କରୁଥିବା ବେଳେ ବୁଡ଼ିଯାଇଥିଲେ ପର୍ଯ୍ୟଟକ । ସମୁଦ୍ର କୂଳ ସେକ୍ଟର ୭, ସେକ୍ଟର ୮ ଏବଂ ସେକ୍ଟର ୧୩ରେ ସ୍ନାନ କରୁଥିବା ବେଳେ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ଲାଇଫ୍ ଗାର୍ଡ ମାନେ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଉଦ୍ଧାର ପର୍ଯ୍ୟଟକ ପଶ୍ଚିମବଙ୍ଗର ସୁକଦେବ ପଲ୍, କେଶବ ବାଗ୍ ଏବଂ ଖୋର୍ଦ୍ଧା ଜିଲ୍ଲାର ଶାନ୍ତନୁ କୁମାର ସାହୁ, ଆୟୁଷ୍ମାନ ସୁବୁଦ୍ଧି । ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଲାଇଫ୍ ଗାର୍ଡ ମାନେ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଥିଲେ ।
ବାରମ୍ବାର ପୁରୀ ସମୁଦ୍ରରେ ଏଭଳି ଅଘଟଣ ଘଟୁଥିବା ବେଳେ ପ୍ରଶାସନ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏ ଦିଗରେ ପର୍ଯ୍ୟଟକ ସଚେତନ ହେବା ସହିତ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ବ୍ୟାପକ ସଚେତନତା ଏବଂ ସମୁଦ୍ର କୂଳରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟ କରାଯିବାର ଆବଶ୍ୟକତା ରହିଛି । ତେବେ ଠିକ୍ ସମୟରେ ଲାଇଫ୍ ଗାର୍ଡ ପହଞ୍ଚିବାରୁ ମୂଲ୍ୟବାନ ଜୀବନ ବଞ୍ଚିଯାଉଛି ।
ସୌଜନ୍ୟ Prameya News7




