Breaking News

ଶ୍ରୀଲଙ୍କାରୁ ଓଡ଼ିଶା ଉପକୂଳମୁହାଁ ଅଲିଭ୍‌ ରିଡ୍‌ଲେ: ୨୭ଦିନିଆ ଯାତ୍ରା

ପ୍ରକୃତିର ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଶ୍ରୀଲଙ୍କା ଉପକୂଳରୁ ଓଡ଼ିଶା ଉପକୂଳମୁହାଁ ହୋଇଛନ୍ତି। ଗଞ୍ଜାମ ଉପକୂଳ ପ୍ରୟାଗୀ ଠାରୁ ସୁନାପୁର ପର୍ଯ୍ୟନ୍ତ ପ୍ରାୟ ୫୮ କିମି ବେଳାଭୂମି ରହିଥିବା ବେଳେ ଅଲିଭ୍‌ ରିଡ୍‌ଲେ କଇଁଛ ଋଷିକୁଲ୍ୟା ମୁହାଣ ବାଲୁକାଶଯ୍ୟାରେ ଅଣ୍ଡାଦାନ କରିଥାନ୍ତି।

0

ବ୍ରହ୍ମପୁର: ପ୍ରକୃତିର ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଶ୍ରୀଲଙ୍କା ଉପକୂଳରୁ ଓଡ଼ିଶା ଉପକୂଳମୁହାଁ ହୋଇଛନ୍ତି। ଗଞ୍ଜାମ ଉପକୂଳ ପ୍ରୟାଗୀ ଠାରୁ ସୁନାପୁର ପର୍ଯ୍ୟନ୍ତ ପ୍ରାୟ ୫୮ କିମି ବେଳାଭୂମି ରହିଥିବା ବେଳେ ଅଲିଭ୍‌ ରିଡ୍‌ଲେ କଇଁଛ ଋଷିକୁଲ୍ୟା ମୁହାଣ ବାଲୁକାଶଯ୍ୟାରେ ଅଣ୍ଡାଦାନ କରିଥାନ୍ତି। ଏଥିପାଇଁ ଅଲିଭ୍‌ରିଡ୍‌ଲେ କଇଁଛ ପ୍ରତିବର୍ଷ ଶ୍ରୀଲଙ୍କା ଉପକୂଳରୁ ଓଡ଼ିଶାକୁ ଆସିଥାନ୍ତି। ଏହି ଯାତ୍ରା ପାଇଁ ସେମାନଙ୍କୁ ପ୍ରାୟ ୨୭ଦିନ ସମୟ ଲାଗିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଓଡ଼ିଶା ଉପକୂଳରେ ନଭେମ୍ବରରୁ ଏପ୍ରିଲ୍‌ ପ୍ରାୟ ୬ମାସ ପର୍ଯ୍ୟନ୍ତ ରହିଥାନ୍ତି। ଏହାପରେ ପୁଣିଥରେ ସେମାନେ ଖାଦ୍ୟ ଅନ୍ବେଷଣରେ ଶ୍ରୀଲଙ୍କାର କଲ୍‌ମୋନାଇ, କ‌ଲମ୍ବୋ ଓ ଜାଫ୍‌ନା ଉପକୂଳକୁ ଚାଲି ଯାଇଥାନ୍ତି।

ଅଲିଭ୍‌ରିଡ୍‌ଲେ କଇଁଛ କିପରି ସୁରକ୍ଷିତ ଭାବେ ଗଣଅଣ୍ଡାଦାନ କରି ପାରିବେ ସେ ଦିଗରେ ବନ ବିଭାଗ ଉଦ୍ୟମ ଆରମ୍ଭ କରିଛି। ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣ ସଂଲଗ୍ନ ବାଲୁକାଶଯ୍ୟାରେ ଅଲିଭ୍‌ ରିଡ୍‌ଲେ ଅଣ୍ଡାଦାନ କରୁଥିବାରୁ ପ୍ରୟାଗୀ ଠାରୁ ଆର୍ଯ୍ୟପଲ୍ଲୀ ପର୍ଯ୍ୟନ୍ତ ପ୍ରାୟ ୨୦ କିମି ମାଛଧରା ନିଷିଦ୍ଧାଞ୍ଚଳ କରାଯାଇଛି। ଏହା ମେ’ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ। ସେହିପରି କୂଳରୁ ସମୁଦ୍ର ଭିତରକୁ ୧୦କିମି ପର୍ଯ୍ୟନ୍ତ ନୋ-ଫିସିଂ ଜୋନ୍‌ କରାଯାଇଛି। ସେହି ପରିଧି ମଧ୍ୟରେ ମାଛଧରା ବୋଟ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଆଜି ଠାରୁ ବନ ବିଭାଗ ତରଫରୁ ସମୁଦ୍ରରେ ପାଟ୍ରୋଲିଂ ଆରମ୍ଭ କରାଯାଇଛି।

୨୭ଦିନିଆ ଯାତ୍ରା
୨୦ କିମି ଯାଏ ସମୁଦ୍ରରେ ମାଛଧରା ନିଷେଧ
ସୁରକ୍ଷା ଦାୟିତ୍ବରେ ୧୧ ଟିମ୍‌

ନଭେମ୍ବରରୁ ଜାନୁଆରି ପର୍ଯ୍ୟନ୍ତ ୩ମାସ କଇଁଛଙ୍କ ମିଳନ ଋତୁ ବୋଲି ଧରାଯାଏ। ଏହାପରେ ଫେବ୍ରୁଆରି ଶେଷ ସପ୍ତାହ ନ‌ହେଲେ ମାର୍ଚ୍ଚ ପ୍ରଥମ ସପ୍ତାହରେ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଋଷିକୁଲ୍ୟା ମୁହାଣରେ ପୁରୁଣାବନ୍ଧରୁ ପୋଡ଼ମପେଟା ଓ ବଟେଶ୍ବରରୁ ଅଳେଶ୍ବର ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ବାଲୁକାଶଯ୍ୟାରେ ଗଣଅଣ୍ଡାଦାନ ହୋଇଥାଏ। ଏହି ସମୟରେ ସେହି ସ୍ଥାନକୁ ଜନସାଧାରଣଙ୍କ ଯାତାୟାତରେ କଟକଣା ଜାରି କରାଯାଇଥାଏ। ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ପାଇଁ ବନ ବିଭାଗ ତରଫରୁ ପ୍ରୟାଗୀ ଠାରୁ ଆର୍ଯ୍ୟପଲ୍ଲୀ ଦେଇ ରାମେୟାପାଟଣା ପର୍ଯ୍ୟନ୍ତ ୧୧ଟି କ୍ୟାମ୍ପ୍‌ କରାଯାଇଛି। ଆଜି ଠାରୁ ବ୍ରହ୍ମପୁର ଡିଏଫ୍ଓ ସନି ଖୋଖର୍‌ଙ୍କ ନେତୃତ୍ବରେ ପାଟ୍ରୋଲିଂ ଆରମ୍ଭ ହୋଇଛି। ବନ ବିଭାଗ ତରଫରୁ ଗୋଟିଏ ବୋଟ୍‌ ରହିଥିବା ବେଳେ ଗୋପାଳପୁର ବନ୍ଦର ଓ ଗ୍ରାସିମ କାରଖାନା ତରଫରୁ ଦୁଇଟି ବୋଟ୍‌ ଉପଲବ୍ଧ କରାଯାଇଛି। ଏହି ସମୟରେ ଏସିଏଫ୍‌ ଦିବ୍ୟ ଶଙ୍କର ବେହେରା, ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତି ସମ୍ପାଦକ ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅଲିଭ୍‌ ରିଡ୍‌ଲେଙ୍କ ସଙ୍ଗମ ସରିବା ପରେ ଯେଉଁ ସ୍ଥାନକୁ ସେମାନେ ସୁରକ୍ଷିତ ମନେ କରିବେ ସେଠାରେ ଅଣ୍ଡାଦାନ କରିବେ। ଗୋଟିଏ ମାଇ କଇଁଛ ୮୦ରୁ ୧୬୦ଟି ଅଣ୍ଡା ଦେଇଥାନ୍ତି। ଗୋଟିଏ ବସା(ନେଷ୍ଟ୍‌)ର ଆକାର ୧ ଫୁଟ୍‌ ଗୋଲେଇ ଓ ଦେଢ଼ ଫୁଟ୍‌ ଗଭୀର ହୋଇଥାଏ। ଗଣଅଣ୍ଡାଦାନ ସରିବାର ପ୍ରାୟ ୫୦ଦିନ ପରେ ଅଣ୍ଡା ଫୁଟି ଛୁଆ ବାହାରିଥାନ୍ତି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.